Unknown

 

 

 

 

 

 

 

 

 

 

 

ପଣ୍ଡିତ ଗୋଦାବରୀଶ ଜୀବନ ଚରିତ

ଜଗନ୍ନାଥ ମହାପାତ୍ର

 

ପଦେ ଅଧେ

 

ମୋର ପୂଜ୍ୟ ପିତା ଶ୍ରୀ ଜଗନ୍ନାଥ ମହାପାତ୍ର ୧୯୬୮ ମସିହା ଫେବୃଆରୀ ୨୨ ତାରିଖରେ ସ୍ଵର୍ଗାରୋହଣ କଲେ । ସେ ମୃତ୍ୟୁର ତିନିବର୍ଷ ପୂର୍ବରୁ ସ୍ଵର୍ଗତ ପଣ୍ଡିତ ଗୋଦାବରୀଶଙ୍କର ଜୀବନୀ ଲେଖିଥିଲେ ।

 

ପଣ୍ଡିତ ଗୋଦାବରୀଶ ମିଶ୍ର ନିଜର ଆତ୍ମ-ଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଲେଖିଲାବେଳେ ମୋର ପିତା ତାଙ୍କ ପାଖରେ ରହୁଥିଲେ ଏବଂ ପଣ୍ଡିତ ମିଶ୍ର ଯାହା ଡାକୁଥିଲେ, ତାହା ସେ ଲେଖୁଥିଲେ । ସେ କଥା ପଣ୍ଡିତ ମିଶ୍ର ତାଙ୍କ ଜୀବନୀରେ ମଧ୍ୟ ଲେଖିଛନ୍ତି । ତାଙ୍କର ଜୀବନୀ ବିଭିନ୍ନ ସ୍ଥାନରୁ ସଂଗ୍ରହ କାର୍ଯ୍ୟରେ ମଧ୍ୟ ସେ ବହୁ ପରିଶ୍ରମ କରିଥିଲେ ।

 

ଆଜୀବନ ମୋର ପିତା ପଣ୍ଡିତ ମିଶ୍ରଙ୍କର ସାହଚର୍ଯ୍ୟ ଲାଭକରିଥିବାରୁ ତାଙ୍କର ଜୀବନୀ ଲେଖିବାକୁ ମୁଁ ଅନୁରୋଧ କରିଥିଲି । ତେଣୁ ସେ ମୋ ସହିତ ଟାଟାନଗରରେ ଥିଲାବେଳେ ପଣ୍ଡିତ ଗୋଦାବରୀଶଙ୍କ ଜୀବନୀ ସେ ଡାକିଲେ ଓ ମୁଁ ଲେଖିଲି ।

 

ଉକ୍ତ ପାଣ୍ଡୁଲିପିଟି ପ୍ରକାଶ କରିବା ପାଇଁ ପୂଜ୍ୟାସ୍ପଦ ପିତୃପ୍ରତିମ ଶ୍ରୀଯୁକ୍ତ ଅନନ୍ତ ମିଶ୍ର ସାଦରେ ଗ୍ରହଣ କରିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

 

୨୨ ।୨ ।୧୯୬୯

ରଘୁନାଥ ମହାପାତ୍ର

Image

 

ଏକ

 

ଜଣେ କବି ଲେଖିଛନ୍ତି–

 

ଆଜି ସିନା ଦେଶ ହୀନ ହୋଇଗଲା

ବଳ, ବୁଦ୍ଧି, କଉଶଳେ,

କେତେ ଖ୍ୟାତି ଆହା କାଲିଟି ପରି ଲୋ

ଅରଜି ଥିଲା ମହୀରେ ।

 

ସତକଥା । ଓଡ଼ିଶାର ସେ ପୂର୍ବ ଖ୍ୟାତି, ଗୌରବ ଆଜି ଆଉ ନାହିଁ । କାହିଁକି ନାହିଁ, ସେ ସବୁ କୁଆଡ଼େ ଗଲା, ଏ କଥା ଭାବି ବସିଲେ ଜଣାଯାଏ ଯେ ଆମରି ଦୋଷରୁ ଦିନେ ଏ ଅବସ୍ଥା ଘଟିଛି । ମାତ୍ର ଆଜି ଦେଶ ଯେ ହୀନ ଅବସ୍ଥାରେ ପଡ଼ିଛି, ତାହା ନୁହେଁ, ବଳ ବୁଦ୍ଧି କଉଶଳରେ ଭିନ୍ନ ଭିନ୍ନ ଦେଶର ଲୋକଙ୍କ ପାଖେ ଆମେ ଆଜି ଏକାପରି ଚାଲିଅଛେ । ଆମ ପିଲାମାନେ ବିଦେଶରେ ସୁଖ୍ୟାତି ଅର୍ଜନ କରୁଅଛନ୍ତି । ସ୍ଵାଧୀନତା ପାଇବାପରେ ସମଗ୍ର ଦେଶର ଅବସ୍ଥା ବଦଳିଛି । ଓଡ଼ିଶାର ଅବସ୍ଥା ଭିନ୍ନ ପ୍ରକାର ହୋଇଅଛି । ଆମ ଓଡ଼ିଶାର ମଧୁବାବୁ ବୁଦ୍ଧିରେ, ଗୋପବନ୍ଧୁ ବାବୁ ଶିକ୍ଷା ବିଷୟରେ, ଫକୀରମୋହନ ଦେଶଶାସନ ଓ ଲେଖକ ଭାବରେ, ରାଧାନାଥ କବିତ୍ୱରେ, ଗଙ୍ଗାଧର ମେହର ମଧ୍ୟ ସେହିପରି କବିପଣିଆରେ ସମସ୍ତଙ୍କୁ ବଳି ଯାଇଛନ୍ତି । ଏବେ ଯେଉଁମାନଙ୍କ କଥା କହିଲି, ସେମାନେ ଆଉ ଇହଲୋକରେ ନାହାନ୍ତି । ପଣ୍ଡିତ ଗୋଦାବରୀଶ ମଧ୍ୟ ତାଙ୍କରି ପରି ଜଣେ । ସେ ମଧୁବାବୁଙ୍କଠାରୁ ବୁଦ୍ଧି ଓ ଗୋପବନ୍ଧୁଙ୍କଠାରୁ ଧର୍ମ ଓ ରାଜନୀତି ଘେନି ଯେପରି ସତେ ଜନ୍ମ ହୋଇଥିଲେ । ସେଥିପାଇଁ କହୁଛି ଯେ ‘ବୁଦ୍ଧିବଳ କିମ୍ୱା କଉଶଳ’ ଏମାନଙ୍କଠାରେ ଯେପରି ଥିଲା, ସେଥିରୁ ମନେ ହେଉଛି, ଓଡ଼ିଶା ଆଉ ହୀନ ନୁହେଁ ।

 

ଦୁଇ

 

ପୁରୀ ଜିଲ୍ଲାରେ ବାଣପୁର ଗୋଟିଏ ଥାନା । ହାକିମ ହୁକୁମା, କଚେରୀ ବାଚେରୀ ଏବେ ସେଠି ଅନେକ । ଶିକ୍ଷା ବିଷୟରେ ସେ ସ୍ଥାନଟି ଓଡ଼ିଶାର ଅନ୍ୟାନ୍ୟ ସ୍ଥାନ ତୁଳନାରେ ଊଣା ନୁହେଁ । ଗୋଟିଏ ଥାନା ଭିତରେ ଏବେ ପାଞ୍ଚୋଟି ଉଚ୍ଚ ଇଂରାଜୀ ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟ ଅଛି । ବାଣପୁର ଥାନାର ଲୋକସଂଖ୍ୟା ଏବେ ପ୍ରାୟ ସତୁରି ହଜାର ହେବ । ବଡ଼ ବଡ଼ ଧନୀଲୋକ କେତେ ଅଛନ୍ତି । ଶିକ୍ଷିତ ଲୋକ ମଧ୍ୟ ବହୁତ ବାହାରିଲେଣି । ମାତ୍ର ଆଗ ତୁଳନାରେ ୟେ ସେତେ ନୁହଁ । ଲୋକେ କହନ୍ତି, ଇତିହାସରୁ ମଧ୍ୟ ଜଣାଯାଏ କୋଙ୍ଗଦ ବୋଲି ଓଡ଼ିଶାରେ ଏକ ରାଜ୍ୟ ଥିଲା ଏବଂ ତାହାର ସୀମା ଥିଲା–ପଶ୍ଚିମରେ ଘୁମୁସରଠାରୁ ପୂର୍ବରେ ସମୁଦ୍ର ପର୍ଯ୍ୟନ୍ତ; ଦକ୍ଷିଣରେ ଇଚ୍ଛାପୁର ଅଞ୍ଚଳରୁ ଉତ୍ତରରେ ଖୋର୍ଦ୍ଧା ପର୍ଯ୍ୟନ୍ତ । ସେତେବେଳେ ତା’ର ରାଜଧାନୀ କେଉଁଠି ଥିଲା । ତାହା ଠିକ୍ ରୂପେ ଜଣାଯାଇନାହିଁ । ତେବେ କୌଣସି କୌଣସି ପ୍ରସିଦ୍ଧ ଐତିହାସିକଙ୍କ ମତରେ ଶାଳିମା ନଦୀ କୂଳରେ ଏହାର ରାଜଧାନୀ ଥିଲା, ପରିବ୍ରାଜକ ହୁଏନ୍‌ସାଂ ସେହି ଶାଳିମା ନଦୀ କଥା ମଧ୍ୟ ଲେଖିଛନ୍ତି । ଏହି ଶାଳିମା ‘ଶାଳିଆ’ ନଦୀ ଛଡ଼ା ଅନ୍ୟ ନଦୀ ନୁହେଁ-। କୋଙ୍ଗଦର ଯେଉଁ ସୀମା କହଲି, ଏହା ମଧ୍ୟରେ ଶାଳିମାନଦୀ କୂଳରେ ବାଣପୁରହିଁ ତା’ର ରାଜଧାନୀ ଥିଲା ବୋଲି ଅନେକେ ଅନୁମାନ କରୁଛନ୍ତି । ସେତେବେଳେ କେଉଁଠି ଗଡ଼ ଥିଲା, ତା’ର ଚିହ୍ନ ଏବେ ମିଳୁନାହିଁ ।

 

ପାରିକୁଦରେ ରାଜତ୍ୱ କରୁଥିଲେ–ହରିଚନ୍ଦନ ବଂଶର ରାଜାମାନେ । ଆଜି ପାରିକୁଦର କୃଷ୍ଣପ୍ରସାଦ ଗଡ଼ ନାମକୁ ମାତ୍ର ଅଛି, ନାଆଁକୁ ରାଜା ଅଛନ୍ତି, ମାତ୍ର ଗଡ଼ର ସେ ବିଭବ ନାହିଁ, ରାଜାଙ୍କର ରାଜତ୍ୱ ମଧ୍ୟ ନାହିଁ । ଏସବୁ ଗଲା ୧୯୫୬ରେ । ସେ ସିନା ରାଜା ବୋଲାଉଥିଲେ, ମାତ୍ର ସେ ଥିଲେ ପ୍ରକୃତରେ ଜମିଦାର । ସେ ସବୁ ଏବେ ଯାଇଛି । ଆଗେ ତାଙ୍କରି ପୂର୍ବ ବଂଶଧରମାନେ ବାଣପୁର ଗଡ଼ରେ ରାଜପଣ କରୁଥିଲେ । ସେ ବଂଶର ଜଣେ ରାଜା ଅଚ୍ୟୁତାନନ୍ଦ ହରିଚନ୍ଦନ ଅଚ୍ୟୁତରାଜପୁର ଶାସନ ବସାଇଥିଲେ । ଶ୍ରୀନିବାସ ହରିଚନ୍ଦନ ଶ୍ରୀନିବାସପୁର ଓ ଜଗନ୍ନାଥ ହରିଚନ୍ଦନ ଜଗନ୍ନାଥପୁର ବସାଇଥିବାର ଲୋକମୁଖରୁ ଶୁଣାଯାଏ । ସେହିମାନେ ଦିନେ ବାଣପୁର ରାଜଧାନୀରେ ବସି ରାଜତ୍ୱ କରୁଥିଲେ । ଏବେ ଯେଉଁଠି ଗୋଦାବରୀଶ ବିଦ୍ୟାପୀଠ ଓ ଗୋଦାବରୀଶ ମହାବିଦ୍ୟାଳୟ ସ୍ଥାପିତ ହୋଇଅଛି, ସେଇଠି ତାଙ୍କର ଗଡ଼ ଥିଲା । ସେ ଗଡ଼ର କାନ୍ଥ, ରାଣୀଙ୍କ ମାଜଣା ପୋଖରୀ, ରାଜାରାଣୀ ବସିବା ଚାନ୍ଦିନୀ ପ୍ରଭୃତି କେତୋଟି ଅଛି । ଏହି ଦୁଇଟିଯାକ ଶିକ୍ଷାଅନୁଷ୍ଠାନ ଓ ବାଲୁକେଶ୍ଵରର ବର୍ତ୍ତମାନ ମନ୍ଦିର ଏସବୁ ତୋଳା ହୋଇଛି ସେହି ଇଟା ପଥରରେ । ଚାରିପାଖ ଖୋଳା ହେଲେ କେତେ ଇଟାପଥର ଓ କେତେ ଚିହ୍ନ ମିଳିବ, ଠିକଣା ନାହିଁ । ଏବେ ଅଳ୍ପଦିନ ତଳେ ସେଠାରୁ ଶହ ଶହ ପିତଳ ଓ ସୁନାର ମୂର୍ତ୍ତି ଗୋଟିଏ ହାଣ୍ଡି ଭିତରୁ ବାହାରିଅଛି । ସେଗୁଡ଼ିକ ସେହି ରାଜାଙ୍କ ସମୟର ବୋଲି ଜଣାପଡ଼ୁଛି । ଭୁବନେଶ୍ଵରରେ ଯେଉଁ ମିଉଜିୟମ ବା ଯାଦୁଘର ଅଛି, ସେଇଠି ସେସବୁ ରଖାଯାଇଛି । ସେଠୁ ପ୍ରାୟ ତିରିଶବର୍ଷତଳେ ଆଉଗୁଡ଼ିଏ ମୂର୍ତ୍ତି ବାହାରିଥିଲା । ସେଗୁଡ଼ିକ କେଉଁଠି ରହିଲା ଠିକ୍‍ ଜଣା ପଡ଼ୁନାହିଁ । ଆଉଥରେ ହାଣ୍ଡିଏ ହେବ କଉଡ଼ି ବାହାରିଥିଲା । ଏହିପରି ନାନା ଚିହ୍ନ ମିଳୁଥିବାରୁ ଗଡ଼ଟିଏ ଥିଲା ବୋଲି ପ୍ରମାଣ ମିଳୁଛି ।

 

ତା’ପୂର୍ବରୁ ବାଣପୁର ମାଳ ଭିତରେ ନୀଳାଦ୍ରିରେ ଗଡ଼ ଥିଲା । ସେ ସ୍ଥାନ ଏବେ ଜଙ୍ଗଲମୟ ହୋଇଯାଇଛି । ସେଠାରେ ବଡ଼ ବଡ଼ କଟାପଥର, କୂଅ, ଢିଙ୍କି-ଭରାଣ୍ଡି ପ୍ରଭୃତି ଦେଖାଯାଉଛି । ନୀଳାଦ୍ରି ଗଡ଼ ଥିଲାବେଳେ ନୀଳାଦ୍ରିଗଡ଼ର ରାଜନବରର ଠାକୁରାଣୀ ବିରିଜାଇ ସେଠାରେ ଥିଲେ । ସେ ଠାକୁରାଣୀ ଏବେ ଅଛନ୍ତି । ତାଙ୍କର ସେ ପୂର୍ବ ଦେଉଳ ଏବେ ନାହିଁ । ଛୋଟିଆ ଦେଉଳଟିଏ ଅଛି । ଏବେ ଯେଉଁଠି ଶାଳିଆ ବନ୍ଧ ହେଉଛି, ସେହି ଡୋମଣି ଠାକୁରାଣୀଙ୍କ ପାଖ ଦେଇ ଲୋକେ ବିରଜାଙ୍କ ନିକଟକୁ ଯାଉଥିଲେ ।

 

ବାଣପୁରର ଆଉ ଦୁଇ ପ୍ରାଚୀନ କୀର୍ତ୍ତି ହେଉଛି–ଭଗବତୀ ମନ୍ଦିର ଓ ଦକ୍ଷ ପ୍ରଜାପତି ମନ୍ଦିର । ଦକ୍ଷ ପ୍ରଜାପତି ମନ୍ଦିରର କାରୁକାର୍ଯ୍ୟ ଠିକ୍ ଭୁବନେଶ୍ଵର ମନ୍ଦିର ପରି । ପଥରକୁ ପଥର ଘଷାହୋଇ ଯୋଡ଼ାଯାଇଛି, ଚୂନରେ ବସାଯାଇ ନାହିଁ । ମୂଳରୁ ଚୂଳ ପର୍ଯ୍ୟନ୍ତ ଚାରିପାଖ ନାନା କାରୁକାର୍ଯ୍ୟରେ ପୂର୍ଣ୍ଣ ହୋଇଛି । ଦକ୍ଷ ପ୍ରଜାପତି ନାମରେ ମନ୍ଦିର ଅନ୍ୟ କୌଣସିଠାରେ ଓଡ଼ିଶାରେ ଆଉ ନାହିଁ । ସେହିଠାରେ ଦକ୍ଷଯଜ୍ଞ ହୋଇଥିଲା ବୋଲି ଶୁଣାଯାଏ । ସେ ମନ୍ଦିରଟି କେଉଁ ରାଜାଙ୍କ କୀର୍ତ୍ତି ଠିକ୍‍ରୂପେ ଜଣା ନ ଗଲେ ମଧ୍ୟ ଅନୁମାନ କରାଯାଏ ଯେ କୌଣସି କେଶରୀ ବଂଶର ରାଜାଙ୍କର ଏ କୀର୍ତ୍ତି । ସେଠାରେ ଯଜ୍ଞକୁଣ୍ଡ ଅଛି । ଆଉ ପାର୍ଶ୍ଵଦେବତାଙ୍କର ମନ୍ଦିର ମଧ୍ୟ ଅଛି । ତାହା ଏଡ଼େ ବଡ଼ କୀର୍ତ୍ତି ହେଲେ ମଧ୍ୟ ବାଣପୁରର ଭଗବତୀ ମନ୍ଦିରର ନାଁ ବଡ଼ । ଭଗବତୀ ମନ୍ଦିର ବାଣପୁର ସହରର ପଶ୍ଚିମ ଦିଗରେ, ଠିକ୍ ଶାଳିଆ ନଦୀ କୂଳରେ । ଭଗବତୀ ଠାକୁରାଣୀ ସେହି ମନ୍ଦିରରେ ବିଜେ ହୋଇଅଛନ୍ତି ।

 

ଶୁଣାଯାଏ, ଥରେ ଗୋଟିଏ କୁଆଡ଼ୁ ଦାରୁ ଭାସି ଆସିଲା । ନଦୀ କୂଳରେ ଧୋବା ଲୁଗା କାଚୁଥିଲା, ସେ ଦାରୁକୁ ସେ ବାନ୍ଧି ରଖିଲା । କାଠ ମନେକରି କୁରାଢ଼ିରେ ଚୋଟ ପକାଇଲାବେଳକୁ ସେଥିରୁ ରକ୍ତ ବାହାରିଲା । ଧୋବା ତାଟକା ହୋଇଗଲା, ଧୋବଣୀକୁ ସେକଥା କହିଲା । ରାତିରେ ସ୍ଵପ୍ନ ହେଲା–ମୁଁ ଭଗବତୀ ଠାକୁରାଣୀ, ମୁଁ ଏଇଠି ରହବି । ତୁ ରାଜାଙ୍କୁ କହିବୁ, ଦେଉଳ ତୋଳେଇ ମୋତେ ଏଇଠି ରଖିବେ । ରାଜା ଶୁଣିଲେ, ସେହିଦିନଠାରୁ ଠାକୁରାଣୀଙ୍କର ଆସ୍ଥାନ ଏଇଠି ଅଛି । କାଳକ୍ରମେ ଦେଉଳ ତୋଳା ହେଲା, ଭୋଗ ଖଞ୍ଜା ହେଲା ଏବଂ ନାନା ବିଧିବିଧାନରେ ପୂଜାଯୁଝା ଚାଲିଲା । ଠାକୁରାଣୀଙ୍କର ଶହେକୋଡ଼ିଏ ବାଟି ଜମି । ଭଗବତୀ ବଡ଼ ପ୍ରତ୍ୟକ୍ଷ ଦେବତା । ବହୁ ଦୂରରୁ ଲୋକେ ଆସି ତାଙ୍କୁ ପୂଜାଯୁଝା କରି ଯାଉଛନ୍ତି । ଏଠା ପ୍ରଧାନ ପୂଜାଦ୍ରବ୍ୟ ହେଲା–ମୁଆଁ । ଭଗବତୀଙ୍କ ମୁଆଁ ଓଡ଼ିଶାରେ ପ୍ରସିଦ୍ଧ । ତାଙ୍କରି ଗୋଟିଏ ବିଜୟପ୍ରତିମା ଦକ୍ଷ ପ୍ରଜାପତି ମନ୍ଦିରରେ ଅଛନ୍ତି । ତାଙ୍କୁ ଲୋକେ ‘‘କାଠି ଠାକୁରାଣୀ’’ ବୋଲି କହନ୍ତି । ଦଶହରା ଯାତ୍ରାକୁ କାଠି ଠାକୁରାଣୀ ଆଠଦିନ ପାଇଁ ବାହାରକୁ ବାହାରନ୍ତି । ଆଶ୍ୱିନ କୃଷ୍ଣଅଷ୍ଟମୀଠାରୁ ସେହି ଅମାବାସ୍ୟା ପର୍ଯ୍ୟନ୍ତ ଯାତ୍ରା ହୁଏ । ମହାଳୟା ଅମାବାସ୍ୟା ଦିନ ରାତିରେ ବାଣପୁର ବଜାରରେ କାଠି ଠାକୁରାଣୀ ଭଗବତୀ ଓ ବିରିଜାଈଙ୍କର ଭେଟ ହୁଏ; ତେଣୁ ବାଣପୁରରେ ସେ ଅମାବାସ୍ୟାର ନାମ ‘ଭେଟ-ଅମାବାସ୍ୟା’ ଆଗେ ଏ ଦୁଇ ମନ୍ଦିରର ସକଳ କାର୍ଯ୍ୟ ବୁଝାସୁଝା କରିବାପାଇଁ ଜଣେ ପରିଚ୍ଛା ଥିଲେ । ପରିଚ୍ଛା ଜଣକପରେ ଜଣେ ହେଉଥିଲେ । ଏବେ ମଧ୍ୟ ବାଣପୁରରେ ସେ ପରିଚ୍ଛାଘର ଓ ପରିଚ୍ଛା ସାଇ ଅଛି-। ମାତ୍ର ସେମାନଙ୍କ ହାତରେ ଆଉ ସେ ଅଧିକାର ନାହିଁ ।

 

ବାଣପୁରର ଆଉ ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଉଛି–ଚକାଦେବଙ୍କ ମନ୍ଦିର । ଶୁଣାଯାଏ–ମୁସଲମାନ କି ମୋଗଲମାନଙ୍କ ଅତ୍ୟାଚାରରେ ଜଗନ୍ନାଥଙ୍କ ଦେଉଳରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଲୁଚାଇ ରଖିବା ପାଇଁ ବାଣପୁର ନିଆଯାଇଥିଲା । ବାଣପୁରର ରଜା ସେଠି ଦେଉଳ ତୋଳାଇ ଜଗନ୍ନାଥଙ୍କୁ ରଖିଥିଲେ । ସେହିଦିନରୁ ସେଠାରେ ସେ ତିନୋଟି ଚକା ଅଛି । ଅବଶ୍ୟ ଜଗନ୍ନାଥ ମହାପ୍ରଭୁ ସେଠି ନାହାନ୍ତି । ଅତ୍ୟାଚାର କମିଲା ପରେ ପୁରୀ ଦେଉଳକୁ ଅଣାଗଲେ । ମାତ୍ର ତାଙ୍କରି ଚକାରେ ଏବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ତିନୋଟି ମୂର୍ତ୍ତି ପୂଜା ପାଉଛନ୍ତି ।

 

ବାଣପୁର ଯେତେବେଳେ ଗଡ଼ ଥିଲା, ସେତେବେଳେ ତାହାର ଚାରି ଦିଗରେ ଆଉ ଚାରିଟି ଛୋଟିଆ ଛୋଟିଆ ଗଡ଼ ଥିଲା । ଶତ୍ରୁ ଆସିଲେ, ଆଗ ସେମାନେ ବାଧା ଦେଉଥିଲେ । ସେହି ଦିନଠୁଁ ଏବେ ଦକ୍ଷିଣରେ ଛତ୍ରଗଡ଼, ଉତ୍ତରରେ ଭାଟପଡ଼ାଗଡ଼ ଓ ପଶ୍ଚିମରେ ଚମ୍ପାଗଡ଼ର ନାଁ ଶୁଣାଯାଏ । ଏହାଛଡ଼ା କୁହୁଡ଼ିଗଡ଼, ସୋରଣଗଡ଼ ମଧ୍ୟ ଥିଲା । ବାଣପୁରର ସେ କାଳର ଏ ଐଶ୍ୱର୍ଯ୍ୟ ଆଜି ଆଉ ନାହିଁ । ସାକ୍ଷୀ ସ୍ଵରୂପ ଏହିପରି କେତୋଟି ମାତ୍ର ଅଛି ।

 

ଜଣେ କବି ଲେଖିଛନ୍ତି–

 

‘‘କି ଥିଲା ଏ ରାଜ୍ୟ କି ହୋଇଛି ଆଜ ।’’

 

ସେମିତି ଏ ରାଜ୍ୟ ଦିନେ ଧନଜନରେ ଫାଟି ପଡ଼ୁଥିଲା, ଆଜି ସେସବୁ ନାହିଁ । ଭଗବତୀଙ୍କ ମନ୍ଦିରରେ ସେତେବେଳେ ପୁଣି ନରବଳି ପ୍ରଥା ଥିଲା । ଇଂରେଜମାନଙ୍କ ଅମଳରେ ତାହା ବନ୍ଦ ହୋଇଯାଇଛି ବୋଲି ଶୁଣାଯାଏ । ଏବେ ଦଶହରା ପର୍ବ ସମୟରେ ବଳିଜେନାଦ୍ୱାରା ସେ କାର୍ଯ୍ୟ କରାଯାଉଛି । ଶୁଦ୍ଧ ସୁବର୍ଣ୍ଣ ଜମି ସାତ ବାଟୀ ତାହାର ଦଖଲରେ ଅଛି । ପ୍ରତିବର୍ଷ ଦଶହରା ସମୟକୁ ସେ ଭଗବତୀ ମନ୍ଦିରକୁ ଆସେ । ରାଜବିଧି ଅନୁସାରେ ସେ ସେଠି ପନ୍ଦର ଦିନକାଳ ପୂଜାରେ ଯୋଗଦିଏ । କୁମାର ପୂର୍ଣ୍ଣମୀ ପରେ ଯେତେବେଳେ ଘରକୁ ଯାଏ, ତା’ ସ୍ତ୍ରୀ ପୁଣି ସଧବା ହୁଏ । ଭୋଜିଭାତ କରି ତାହାର ସଂସ୍କାରକ୍ରିୟା ବଳରେ ସେ ପୁଣି ସାଧାରଣ ଲୋକ ପରି ଘରେ ରହେ । ଏ ପ୍ରଥା କେଉଁକାଳୁ ଚଳି ଆସୁଛି, ତାହାର ଇୟତ୍ତା ନାହିଁ ।

 

ଏହିସବୁ କାରଣରୁ କହୁଥିଲି ଆଗର ବାଣପୁର ଏବେ ଆଉ ନାହିଁ । ଏବେ ଯାହା ସବୁ ଅଛି, ଲୋକଙ୍କ ଆଖିରେ ବଡ଼ ଦିଶୁଛି; ମାତ୍ର ପୂର୍ବର ସେ ଇତିହାସ ସବୁ ପଢ଼ିଲେ ମନେହେବ ବାଣପୁର ମାଳରାଜ୍ୟ ନୁହେଁ, ଗୋଟିଏ ପୂଣ୍ୟସ୍ଥାନ ।

 

ଗଛବାଲୁକେଶ୍ୱରଙ୍କ କଥା ଆହୁରି କହିନାହିଁ । ପୁଣି ଉମାମହେଶ୍ୱରଙ୍କ ଦେଉଳ କଥା ସେହିପରି ଗୋଟିଏ ଐତିହାସିକ ବିଷୟ । ମୁଁ ଯାହା ଜାଣିଛି କିଛି ଛାଡ଼ିବି ନାହିଁ, ମନେପକାଇ, ଗୋଟିଏ ଗୋଟିଏ କହିବି ।

 

ତିନି

 

ଶ୍ରୀନିବାସପୁର ଗୋଟିଏ ଛୋଟିଆ ଗାଁ–ଠିକ୍ ଶାଳିଆ ନଦୀର ଦକ୍ଷିଣ କୂଳରେ । ଉତ୍ତର ପାଖରେ ଭଗବତୀଙ୍କ ଦେଉଳ । ଗାଁଟି ଛୋଟିଆ ସିନା, ମାତ୍ର କୁଳୀନ ବ୍ରାହ୍ମଣମାନଙ୍କ ବାସସ୍ଥଳ । ବ୍ରାହ୍ମଣ ଜାତିରେ କୁଳର ପ୍ରତିଷ୍ଠା ଘେନି ନାନା ପଦ-ପଦବୀ ଅଛି । ସେ ଗାଁରେ ଏବଂ ତା’ ପାଖ ଅଚ୍ୟୁତରାଜପୁର ଗ୍ରାମରେ ‘ଆମ୍ବରଙ୍ଗ’ ଜାତିର ବ୍ରାହ୍ମଣ ଅଛନ୍ତି । ସେମାନେ ପ୍ରତିଷ୍ଠାବଳରେ ରାଜାଙ୍କ ପାଖରେ ବେଶ୍ ପୂଜା ପାଉଥିଲେ । ସେହି ଗ୍ରାମରେ ପ୍ରାୟ ଚାଳିଶ ପଚାଶ ଘର ଥିବେ । ଲୋକସଂଖ୍ୟ ତିନିଶହ ଭିତରେ ହେବ, ଗାଁଟିର ଦକ୍ଷିଣ ପାଖରେ ଜଗମୋହନ ପୋଖରୀ, ପୂର୍ବପାଖରେ ମହାନ୍ତି ସାହି ଏବଂ ପଶ୍ଚିମ ପାଖରେ ଅଚ୍ୟୁତରାଜପୁର । ସେହି ଗ୍ରାମଟି ଶ୍ରୀନିବାସ ହରିଚନ୍ଦନଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା ବୋଲି ଆଗରୁ କହିଛି । ତେଣୁ ରାଜ ପ୍ରତିଷ୍ଠିତ ଶାସନ ହିସାବରେ ଦିଅଁ ଦେବତା ମଧ୍ୟ ଅଛନ୍ତି । ଗାଁ ମଝିରେ ଗୋପୀନାଥଙ୍କ ଦେଉଳ ଅଛି, କୋଠ ସମ୍ପତ୍ତି ପ୍ରାୟ ହାରାହାରି ବାଟିଏ ଜମି ହେବ । ତାହା ଗ୍ରାମର ମହାଜନମାନେ ବୁଝନ୍ତି । ପଞ୍ଚୁଦୋଳ ପଡ଼ିଆରେ ଯେଉଁ ପଞ୍ଚୁଦୋଳ ଯାତ୍ରା ହୁଏ, ସେଠାକୁ ଏ ଗାଁର ମହାପ୍ରଭୁ ବିଜେ ହୁଅନ୍ତି । ବାଣପୁର ଇଲାକାରେ ଆଠଶାସନ ଓ ବତିଶି କରବାଡ଼ ଅଛି । ସେଥିମଧ୍ୟରେ ଏ ଆଠଶାସନରୁ ଏ ଗୋଟିଏ ଶାସନ । ତାହାଛଡ଼ା ଅଚ୍ୟୁତରାଜପୁର, କୋଟପୁର, ପାଟପୁର ପ୍ରଭୃତି ଆଠଶାସନ ଭିତରୁ ଗୋଟିଏ ଗୋଟିଏ ।

 

ଏହି ଗ୍ରାମରେ ଲିଙ୍ଗରାଜ ମିଶ୍ରଙ୍କ ଘର । ସେ ବଡ଼ ନୈଷ୍ଠିକ ବ୍ରାହ୍ମଣ । ପ୍ରତ୍ୟହ ଗଛବାଲୁକେଶ୍ୱର, ଉତ୍ତରାୟଣୀ ଓ ଭଗବତୀଙ୍କଠାକୁ ସେ ଯାଆନ୍ତି । ତାଙ୍କ ଘରଠୁ ଗଛବାଲୁକେଶ୍ୱରଙ୍କ ମନ୍ଦିର ପ୍ରାୟ ପାଏ ବାଟ ହେବ । କି ଖରାବର୍ଷା, କି ଶୀତକାକର ପ୍ରତ୍ୟହ ସେଠାକୁ ଯିବାରେ ସେ ହେଳା କରନ୍ତି ନାହିଁ । ବାଲୁକେଶ୍ଵର ମହାଦେବଙ୍କ ବିଷୟରେ ଗୋଟିଏ କିମ୍ବଦନ୍ତୀ ଅଛି ।

 

ଥରେ ପୁରୀଆଡ଼ୁ ପଞ୍ଝେ ବେପାରୀ ଲୋକ ଆଠ ଦଶ ହଳ ବଳଦ ଧରି ମାଳଦେଇ ଘୁମୁସର ଆଡ଼େ ଯାଉଥିଲେ । ବାଟରେ ହାତୀମୁଣ୍ଡା ପୋଖରୀ ପାଖେ ସେମାନେ ବଧା ମାରିଲେ । ସେଠି ଗୋଟିଏ ବଡ଼ ବରଗଛ ଥିଲା, ତାରି ମୂଳରେ ରହିଲେ । ରାତିରେ ରୋଷେଇବାସ ସାରି ଖିଆପିଆ କଲେ । ଚାଲିଚାଲି ତ ହାଲିଆ ହୋଇ ଯାଇଥିଲେ, ନିଶ୍ଚିନ୍ତରେ ଶୋଇଲେ । ମାତ୍ର ଜଙ୍ଗଲଜାଗା ଯୋଗେ ଘଡ଼ିକି ଘଡ଼ି କେହି କେହି ଉଠି ବଳଦଙ୍କୁ ଦେଖୁଥାନ୍ତି । ରାତି ପହରକଠି ଜଣେ ଦେଖିଲା, ତାଙ୍କ ବଳଦ ଭିତରୁ ଗୋଟିଏ ବଳଦ ଛଟପଟ ହୋଇ ଏପାଖ ସେପାଖ ଗଡ଼ୁଛି । କ’ଣ ହେଲା ବୋଲି କିଛି ବିଚାରି ନ ପାରି ଅନ୍ୟଲୋକଙ୍କୁ ଉଠେଇଲା । ସମସ୍ତେ ଧଡ଼ପଡ଼ ହୋଇ ଉଠିଲେ । ଲୋକେ ମନେକଲେ–ଜଙ୍ଗଲ ଜାଗାତ, ସାପ ଘାଉଡ଼ ନିଶ୍ଚୟ ହେଲା । ଅସଲ ଦାମ୍ବୁଡ଼ିଟିଏ । ଟିପ ମାରିଦେଲେ ରକ୍ତବାହାରିବ ବୋଲି ଯାହା କହନ୍ତି, ସେମିତି ପୋଷା ହୋଇଥିଲା-। କେଡ଼େ ଆଦରର ଜିନିଷ, ପୁଣି ବିକିଲେ କେତେ ଲାଭ ହେବାର ଆଶା ରହିଛି, ମାତ୍ର ବେଳକୁ ବେଳ ବଳଦଟିର ଅବସ୍ଥା ଭିନ୍ନପ୍ରକାର ହୋଇ ଆସୁଥିବା ଦେଖି ସେ ଯାହା ଜାଣିଥିଲେ, ସବୁ ଉପାୟ କଲେ, କିନ୍ତୁ ସେଥିରେ କିଛି ହେଲା ନାହିଁ । ବେପାରୀ ପ୍ରାଣ ବିକଳରେ କହିଲା–ଆହା, ମୋ ବରାଳୟ ମହାପ୍ରଭୁ ଯେବେ ଥାନ୍ତେ, ତେବେ ମୋ ଦାମ୍ବୁଡ଼ିର ଏ ଅବସ୍ଥା କେଭେଁ ହୁଅନ୍ତା କି ? ଯୋଡ଼େ ପାଣି ଢାଳିଦେଲେ ସେ ସାଙ୍ଗେ ସାଙ୍ଗେ ଉଠନ୍ତା । ଏବେ ସେ କେତେଦୂରେ ମୁଁ କେତେ ଦୂରେ ? ମୋ କପାଳ ହୀନ, କାହିଁକି ତେବେ ଆସୁଥିଲି । ଏହାକହି ଆଲିଜ୍ୟା ହୋଇ ପଡ଼ିଗଲା । ଛାଇ ନିଦ ଆସିଛି କି ନାହିଁ, ତା’ ଆଗରେ ତା’ର ବରାଳୟ ମହାପ୍ରଭୁ ଆସି ସାକ୍ଷାତ୍ ଠିଆ ହୋଇ କହିଲେ–‘‘କିଛି ପରୁଆ କରନା, ହେଇଟି ଆଗରେ ଯେଉଁ ଗଛ ଦେଖୁଛୁ, ସେହି ଗଛମୂଳେ ମୁଁ ରହିଲି । ବଳଦକୁ ନେଇ ସେଇଠି ପକେଇ ଦେ, ପାଣି ଢାଳେ, ଦେଖିବୁ ତୋର ସବୁ ରିଷ୍ଟ ଖଣ୍ଡନ ହୋଇଯିବ ।’’

 

ଲୋକଟି ଏ ସ୍ଵପ୍ନ ଦେଖି ସତ କି ମିଛ କିଛି ବୁଝି ପାରିଲା ନାହିଁ । ତଥାପି ସାଙ୍ଗଲୋକଙ୍କୁ କହିଲା–‘ମୋ କଥା ସରି ଯାଉଛି, ହେଇଟି ସେ ଗଛମୂଳେ ନେଇ ବାନ୍ଧିଦିଅ, ପାଣି ଢାଳ ।’ ତା’ର ବିକଳ ଭାବ ଦେଖି ସେହିକ୍ଷଣି ତା’ର ସାଙ୍ଗମାନେ ସେୟା କଲେ । ସତକୁ ସତ କିଛି ସମୟପରେ ବଳଦଟି ଝାଡ଼ିଝୁଡ଼ି ହୋଇ ଠିଆ ହେଲା । ତା’ ଆରଦିନ ସକାଳୁ ବେପାରୀମାନେ ତାଙ୍କ ବାଟ ଧଇଲେ ।

 

ସେହିଦିନଠାରୁ ଏ ଦିଅଁଙ୍କ ନାଁ ‘ଗଛବାଲୁକେଶ୍ୱର’ ହୋଇଛି । ଜଣେ ଭକ୍ତର ପ୍ରାଣର ଡାକ ଭଗବାନ୍ ଶୁଣିଛନ୍ତି । ଭକ୍ତର ପ୍ରାର୍ଥନା ସଫଳ ହୋଇଛି । ଦିଅଁ ବହୁଦିନ ଗଛମୂଳେ ରହିଥିଲେ-। ଏ ପ୍ରବାଦ ଚାରିଆଡ଼େ ପ୍ରଚାର ହେବା ଫଳରେ କେତେ ସାପ ଘାଉଡ଼ ଏଠୁ ଉଠିଛନ୍ତି । କ୍ରମେ ଏହି ହୁକୁମ, ଦେବତାରୂପେ ପରିଣତ ହେଲା । ସେଠି ଛୋଟିଆ କୁଡ଼ିଆଟିଏ କିଏ କରି ଦିଅଁଙ୍କୁ ପୂଜା କରୁଥିଲେ । ବର୍ତ୍ତମାନ ଯେଉଁ ଦେଉଳଟି ଅଛି, ସେ ଦେଉଳଟି ବାଣପୁରର ଜଣେ କୁମୁଟି ମହାଜନ କରିଦେଇଛନ୍ତି ବୋଲି ଶୁଣାଯାଏ । ତାଙ୍କର ଉତ୍ତରାଧିକାରୀ ଏବେ ମଧ୍ୟ ଅଛନ୍ତି ।

 

ଦେଉଳ ହିସାବରେ ବାଲୁକେଶ୍ୱର ଦେଉଳଟି ଛୋଟିଆ ହେଲେ ମଧ୍ୟ ପ୍ରତିଷ୍ଠାରେ କମ୍ ନୁହେଁ । ପ୍ରତିଦିନ ସେଠାକୁ ଲୋକ ପୂଜାପୂଜି କରିବାକୁ ଆସନ୍ତି । ଭକ୍ତି ଅନୁସାରେ ଫଳ ପାନ୍ତି । ସେହି ଦେଉଳପାଖରେ ଯେଉଁଠି ଶାଳିଆ ନଈ ଉତ୍ତରାଭିମୁଖିନୀ ହୋଇଛି, ସେଇଠି ଉତ୍ତରାୟଣୀ ମନ୍ଦିର । ବାଣପୁରରେ ରାଜା ଥିଲାବେଳେ ତାଙ୍କର ନଅରର ଠାକୁରାଣୀରୂପେ ସେ ପୂଜା ପାଉଥିଲେ ।

 

ମିଶ୍ରେ ଏ ଦୁଇ ଦେଉଳକୁ ଯାଇ ଅଭିଷେକ ଓ ଅର୍ଚ୍ଚନା କରିସାରିବା ପରେ ଭଗବତୀ ମନ୍ଦିରକୁ ଯାନ୍ତି । ସେଠି ନିତ୍ୟ ଚଣ୍ଡୀ ପଢ଼ନ୍ତି । ତାଙ୍କର ଗୋଟିଏ ଜଟ ଥାଏ, ତେଣୁ ତାଙ୍କୁ ଲୋକେ ‘ଜଟିଆ ବାବା’ ବୋଲି କହନ୍ତି । ତାଙ୍କ ପ୍ରତି ଲୋକଙ୍କର ଭାରି ଭକ୍ତିଥାଏ । ସେ ଦିପହର ଦଶଘଡ଼ିବେଳକୁ ଚଣ୍ଡୀପାଠ କରି ଘରକୁ ଫେରନ୍ତି । ପ୍ରତ୍ୟହ ଆସିଲାବେଳକୁ ତାଙ୍କ ବଟାରେ କିଛି ପଇସାପତ୍ର ନିଶ୍ଚୟ ପଡ଼ିଥାଏ, ସେତକ ଧରି ଘରକୁ ଫେରିଲାବେଳକୁ ପଇସା ଆକାରରେ ନ ଆଣି ବାଣପୁରରୁ ସେତକର ଖାଦ୍ୟଦ୍ରବ୍ୟ କିଣି ଆଣିଥାନ୍ତି । ଏ ହେଲା ତାଙ୍କର ନିତ୍ୟ ବ୍ୟବସାୟ । ଜମି କ’ଣ ମାଣେ ଦି’ମାଣେ ଥାଏ; ସେତକ ନିଜେ ଚାଷ ନ କରି ଲଗେଇ ଦେଇଥାନ୍ତି । ଏ ବ୍ୟବସାୟ ଛଡ଼ା ତାଙ୍କର ଆଉ ଗୋଟିଏ ଗୁଣ ଥାଏ । ସେ ଝଡ଼ାଝଡ଼ି କରନ୍ତି । ସେଥିରେ ଲୋକେ ଭାରି ଉପକାର ପାନ୍ତି । ତା’ ବଦଳରେ ମିଶ୍ରଙ୍କୁ କିଛି କିଛି ମିଳେ ।

 

ଲିଙ୍ଗରାଜ ମିଶ୍ରେ ବିବାହ ହୋଇଥିଲେ ଖୋର୍ଦ୍ଧା ପାଖ ବାଜପୁରରେ । ତାଙ୍କର ଶ୍ୱଶୁର ଘର କୁଳୀନ ବ୍ରାହ୍ମଣ । ବହୁ ଦିନ ପର୍ଯ୍ୟନ୍ତ ଦୁଇ ପ୍ରାଣୀଙ୍କର ପିଲାଝିଲା ନଥିଲା । ପରେ ଗୋଟିଏ ଝିଅ ହୋଇଥିଲା, ମାତ୍ର ପୁଅଟିଏ ନ ଥିବାରୁ ଦୁଇ ପ୍ରାଣୀଙ୍କର ମନରେ ବଡ଼ ଚିନ୍ତା ଥାଏ ।

 

ଥରେ ଗୋଦାବରୀ ନଦୀରେ ଏକ ସ୍ନାନ ଯୋଗ ପଡ଼ିଲା । ଗାଆଁରୁ ଅନେକ ଲୋକ ଗଲେ । ସେ ଯୋଗ ସହଜରେ ମିଳେନାହିଁ । ସେମାନେ ବିଚାରିଲେ,–ଆମକୁ ତ ଆସି ଏତେ ବୟସ ହେଲାଣି, କୁଆଡ଼େ ତ କେବେ ଯାଇ ନାହେଁ, ଚାଲ ଏଥର ତୀର୍ଥକରି ଆସିବା । ୟା ବୋଲି ଜମି ବାବଦକୁ କିଛି କାହାଠୁ କରଜ କରି ଆଣି ଗୋଦାବରୀ ଗଲେ । ସେଇଠି ସ୍ନାନ କରି ବିଚାରିଲେ,–ଯଦି ପୁଅଟିଏ ହୁଏ, ତାହା ହେଲେ ତା’ର ନାଁ ‘ଗୋଦାବରୀ’ ଦେବେ ।

 

ଗୋଦାବରୀ ସ୍ନାନ ସାରି ଆସିଲେ । ଉପର ମନରେ କାହାଣେ ଡାକିଲେ ଭଗବାନ୍ ଶୁଣନ୍ତି ନାହିଁ, ମାତ୍ର ପ୍ରାଣର ଉତ୍କଣ୍ଠା ଥିଲେ, ସେ ଅବଶ୍ୟ ଶୁଣନ୍ତି । ପ୍ରଭୁ ଭକ୍ତର ଅଧୀନ । ଯେତେବେଳେ ଯେ ତାଙ୍କୁ ଡାକିଛି, ସେ ତାହାର ମନୋବାଞ୍ଛା ପୂର୍ଣ୍ଣ କରିଛନ୍ତି । ମିଶ୍ରଙ୍କ ମନୋବାଞ୍ଛା କେତେ ଦିନେ ପୂର୍ଣ୍ଣ ହେଲା । ଦେବକୁମର ପରି ପୁଅଟିଏ ହେଲା । ସେତେବେଳକୁ ୧୮୮୬ ମସିହା ଚାଲୁଥିଲା ।

 

ପୁଅର ନାଁ ଦେଲେ ‘ଗୋଦାବରୀ’ । ଗୋଦାବରୀଙ୍କ ଅନୁଗ୍ରହରୁ ପୁଅଟିଏ ପାଇଲେ ବୋଲି ବଡ଼ କୃତକୃତ୍ୟ ହେଲେ । ଏକେତ ଗରିବ ଘର, ତେଣୁ ଯେତିକି ପାରିଲେ ସେତିକିରେ ଏକୋଇଶିଆ ଉତ୍ସବ ପାଳିଲେ । ଗୋଦାବରୀଶଙ୍କର ଗୋଟିଏ ସାନ ଭଉଣୀ ଥିଲା । ସେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ।

 

ତାଙ୍କ ଘରେ ରହୁଥିଲେ ତାଙ୍କର ବୁଢ଼ୀମା । ବୁଢ଼ୀମା ଅନ୍ଧୁଣୀ ଥିଲେ । ଗୋଦାବରୀଶଙ୍କର ସାନ ଭଉଣୀଟି ତାଙ୍କ ପାଖରେ ସବୁବେଳେ ରହୁଥିଲା, କୁଆଡ଼େ ଯିବା ଆସିବାବେଳେ ସେ ତାଙ୍କୁ ନିଆ ଆଣ କରୁଥିଲା ।

 

ଚାରି

 

ଶ୍ରୀନିବାସପୁରର ପୂର୍ବ ଦିଗରେ ମହାନ୍ତି ସାହି, ସେ ସାଇଟି ଯାକ ଊଣା ଅଧିକେ ସେକାଳର ଶିକ୍ଷା ପାଇଥାନ୍ତି । ସେମାନେ ଶୋଧି, ପଣିକିଆ, କଡ଼ାଗଣ୍ଡାଠାରୁ ଶିକ୍ଷା ଆରମ୍ଭ କରନ୍ତି-। ସେତେବେଳକୁ ସେ ଚକଡ଼ାରେ ବେଶି ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନ ଥାଏ । ମାଇନର ବା ହାଇସ୍କୁଲ କେଉଁଠୁ ଆସିବ ? ସେଇ ଗାଁର ଗିରିଧାରୀ ମହାନ୍ତି ଗୋଟିଏ ଚାଟଶାଳୀ କରିଥାନ୍ତି । ସେଠାରେ ବ୍ରାହ୍ମଣ, କରଣ ପ୍ରଭୃତି ପିଲାମାନେ ପଢ଼ନ୍ତି । ଗୋଦାବରୀଶ ଛଅ ସାତ ବର୍ଷ ହେଲାପରେ ପାଠପଢ଼ା ସେଇଠି ଆରମ୍ଭ କଲେ । ଅକ୍ଷର ପରିଚୟ ହେବାପରେ ତାଙ୍କର ବୁଦ୍ଧି ବିଦ୍ୟା ଦେଖି ତାଙ୍କ ନନା ବାଣପୁରରେ ଥିବା ଅପର ପ୍ରାଇମେରୀ ସ୍କୁଲରେ ନେଇ ନାମ ଲେଖାଇଲେ ।

 

ବାଲ୍ୟଗୁରୁଙ୍କ ପ୍ରତି ଆଜି କାଲି ସ୍ନେହ ଭକ୍ତି ଶିକ୍ଷିତ ଲୋକେ ଦେଖାନ୍ତିନାହିଁ । ମାତ୍ର ଗୁରୁ ସବୁବେଳେ ଗୁରୁ । ୧୯୪୨ ମସିହାରେ ଥରେ ଗୋଦାବରୀଶ ବାବୁଙ୍କୁ ବାଣପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା କରା ଯାଉଥିଲା । ବାଣପୁର ଦାଣ୍ଡରେ ସେଦିନ ଜଣେ ସମ୍ମାନିତ ବ୍ୟକ୍ତି ପରି ସେ ଯାଉଥିଲାବେଳେ ହଜାର ହଜାର ଲୋକଙ୍କ ମଧ୍ୟରେ ଜଣକୁ ସେ ଦେଖିଲେ । ସେ ହେଉଛନ୍ତି ସେହି ଗିରିଧାରୀ ମହାନ୍ତି । ଗୋଦାବରୀଶ ବାବୁ ବଡ଼ ନମ୍ରଭାବରେ ତାଙ୍କୁ ନାମସ୍କାର କଲେ । ‘ଗୋଦାବରୀଶ ବାବୁ, ଏବେ ମଧ୍ୟ ଚିହ୍ନି ପାରୁଛନ୍ତି’ ବୋଲି କହି ଗିରିଧାରୀ ଟିକିଏ ଲଜ୍ଜିତ ହେଲେ, ମାତ୍ର ନିର୍ମଳ ମନରେ ତାଙ୍କୁ ଆଶୀର୍ବାଦ କଲେ ।

 

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବାବେଳେ ଶିକ୍ଷକମାନେ ଅନୁଭବ କରୁଥିଲେ–ଏ ଜଣେ ବୁଦ୍ଧିମାନ ଛାତ୍ର, ଭବିଷ୍ୟତରେ ଭଲ କରିବ । ମାତ୍ର ପିଲାଦିନରୁ ତାଙ୍କ ପ୍ରକୃତି ବଡ଼ ସରଳ । ଯେ ଯାହା କହିଲେ ବିଶ୍ୱାସ କରିଯାନ୍ତି । ଆଜି କାଲି ଛୋଟ ପିଲେ କଥାଟାକୁ କେତେ ପ୍ରକାର ବଙ୍କେଇ କହନ୍ତି । ଯୁଗର ଗତି ଅନୁସାରେ ହେଉ ବା ପ୍ରକୃତି ଅନୁସାରେ ହେଉ ସାଧାରଣ ପିଲାଙ୍କଠାରେ ମିଛ, କପଟ ବର୍ତ୍ତମାନ ବେଶି ଦେଖା ଯାଉଛି । ପିତାଙ୍କର ହୃଦୟର ସରଳତା ପୁତ୍ରଠାରେ ପ୍ରାୟ ପ୍ରକାଶ ପାଏ । ସେ ବିଦ୍ୟାଳୟରେ ଭଲ ପଢ଼ୁଥିବାରୁ ଶିକ୍ଷକମାନେ ତାଙ୍କୁ ବାଛି ବୃତ୍ତି ପରୀକ୍ଷାକୁ ପଠାଇଲେ । ସେତେବେଳେ ସେ ପରୀକ୍ଷା ହେଉଥାଏ ଖୋର୍ଦ୍ଧାରେ । ପରୀକ୍ଷାରେ ଭଲ କରିବାରୁ ସେ ବୃତ୍ତି ପାଇଲେ । ସେତେବେଳକୁ ତାଙ୍କୁ ବୟସ ଦଶ ଏଗାର ବର୍ଷ ହୋଇଥିବ । ସେ ସମୟରେ ନିମ୍ନ ପ୍ରାଇମେରୀ ପରୀକ୍ଷା ମୌଖିକ ହେଉଥିଲା, ଉଚ୍ଚ ପ୍ରାଥମିକ ପରୀକ୍ଷା ଅଧା ମୌଖିକ ଓ ଅଧା ଲିଖିତ ହେଉଥିଲା । ମାତ୍ର ମଧ୍ୟ-ଓଡ଼ିଆ-ଭର୍ଣ୍ଣାକୁଲର ପରୀକ୍ଷା ପୁରୀରେ ଲିଖିତ ଆକାରରେ ହେଉଥିଲା ।

 

ଘରର ଅବସ୍ଥା ତ ଅତି ଖରାପ । ସବୁଦିନ ଖାଇବାକୁ ମଧ୍ୟ ପାଆନ୍ତି ନାହିଁ । ଦିନେ ଦିନେ ବଉଁଶ ଯାକ ଉପାସ ଭୋକରେ ରହନ୍ତି । ଶୁଣାଯାଏ, ଥରେ ଥରେ ବୋଉକୁ ପଚାରନ୍ତି–ସମସ୍ତଙ୍କ ଘରେ ତ ଚୁଲି ଲାଗିଲାଣି, ଆମର ଲଗଉ ନାହୁଁ ? ବୋଉ ବାଆଁରେଇ ଦେଇ ଅନ୍ୟ କଥା କହନ୍ତି । ତାଙ୍କ ଘରେ ରନ୍ଧାହେବା ନ ହେବା ନିର୍ଭର କରେ ନନାଙ୍କ ଉପରେ । ଯେଉଁଦିନ ସେ ଭଗବତୀଙ୍କଠୁ ଫେରିଲାବେଳକୁ କିଛି ଚାଉଳ ପତ୍ର ଆଣିଥାନ୍ତି, ସେଦିନ ଦି ପହର ଦଶ ଘଡ଼ିକ ଚୁଲି ଲାଗେ ଏବଂ ରନ୍ଧା ହେଲାପରେ ପେଟେ କିମ୍ବା ଦର ପେଟେ ଯାହା ହେଲା ଶାନ୍ତି, ବାସି ଓଳିକି କିଛି ନ ଥାଏ ।

 

ଉଚ୍ଚ ପ୍ରାଥମିକ ବୃତ୍ତି ସେତେବେଳେ ଚାରିଟଙ୍କା ଥାଏ । ପିଲାଟି ଭଲ ପଢ଼ୁଛି ଶୁଣି ଗାଁର କେହି କେହି ଏବଂ ତାଙ୍କ ଶିକ୍ଷକମାନେ କହିଲେ–ୟା’କୁ ଉପରକୁ ପଢ଼ାନ୍ତୁ । ମାତ୍ର ବାଣପୁରରେ ତ ଆଉ ବଡ଼ ବିଦ୍ୟାଳୟ ନଥାଏ । ସେତେବେଳକୁ ଗୋଟିଏ ଭର୍ଣ୍ଣାକୁଲର ସ୍କୁଲ ବାଣପୁର ପାଖ ଭୀମପୁରରେ ଥିଲା । ଗାଁକୁ ଭୀମପୁର କୋଶେବାଟରୁ କମ୍ ହେବନି । ଏଗାର ବାର ବର୍ଷର ପିଲା, ଏତେ ବାଟ ଯିବା ଆସିବା କରିବା ସହଜ ନୁହେଁ, ପୁଣି ଗଲାବେଳକୁ ବାଟରେ ଯୋଡ଼ିଏ ତିନୋଟି ଶ୍ମଶାନ ପଡ଼େ ।

 

ଗୋଦାବରୀଶ ପିଲାଦିନରୁ ଡରକୁଳା, ଅନ୍ଧାରକୁ ମଧ୍ୟ ଡରନ୍ତି । ଭୂତ ଥିବ ବୋଲି ଅନ୍ଧାରୁଆ ଜାଗାକୁ ଯା’ନ୍ତିନାହିଁ, ଏକୁଟିଆ କେଭେ ଶୁଅନ୍ତି ନାହିଁ । କେତେବେଳେ ବୋଉ ପାଖେ, ଆଉ କେବେ ଗୋସେଇଁମା’ ପାଖେ ଦିହକୁ ଦିହ ଲଗେଇ ଶୁଅନ୍ତି । ଏମିତି ଡରକୁଳା ପିଲା, ଏତେବାଟ କିମିତି ଯିବା ଆସିବା କରିବ, ସେଥିପାଇଁ ନନାଙ୍କର ବଡ଼ ଚିନ୍ତା । ଏସବୁ ଭିତରେ ଗୋଦାବରୀଶଙ୍କର ପାଠପଢ଼ିବା ପ୍ରତି ଆଗ୍ରହ ବେଶି ଦେଖି ନନା ଭୀମପୁରରେ ତାଙ୍କର ନାଁ ଲେଖାଇ ଦେଲେ । ବହୁ କଷ୍ଟରେ ବହିପତ୍ର ଦି’ଖଣ୍ଡ ଯୋଗାଡ଼ କଲେ, ସବୁତକ ମଧ୍ୟ ହୋଇ ପାରିଲାନାହିଁ । ଯାହା ନ ଥାଏ, ସେ ୟା’ଠୁ ତା’ଠୁ ମାଗି ପଢ଼ନ୍ତି । ସବୁଦିନ ଖାଇକରି ଯାଇପାରନ୍ତି ନାହିଁ । ଅଧିକାଂଶ ଦିନ ଭୋକ ଉପବାସରେ ଚାଲି ଚାଲି ଯା’ନ୍ତି । ଖଣ୍ଡିଏ ଲୁଗା ନନା କିଣି ଦେଇଥାନ୍ତି, ସେଇଖଣ୍ଡି ପିନ୍ଧି ଭୀମପୁର ଯା’ନ୍ତି । ଆସିଲାପରେ ଲଙ୍ଗଳା ହୋଇ ଥୋଇ ଦିଅନ୍ତି; ତା’ପରଦିନ ସେଇଖଣ୍ଡି ପୁଣି ହୁଏ ସ୍କୁଲ ପିନ୍ଧା । ପୁରୀରେ ପଢ଼ିବା ପର୍ଯ୍ୟନ୍ତ ସେ କମିଜ୍ ଖଣ୍ଡିଏ ଲଗେଇ ନ ଥିଲେ । ଯୋତା, ମୋଜା ଲଗାଇବା ସେତେବେଳେ କାହାରି ଅଭ୍ୟାସ ନ ଥିଲା । ତେଣୁ ସେ ପାଦରେ ଚାଲି ଚାଲି ଯିବା ଆସିବା କରୁଥିଲେ । ଏହିପରି ଅତି ଦୀନ ଦରିଦ୍ର ଭାବରେ ଚଳୁଥିଲେ ସିନା, ମାତ୍ର ଭଲ ପଢ଼ାପଢ଼ି କରୁଥିଲେ ।

 

ଦୁଇବର୍ଷ ପଢ଼ି ମଧ୍ୟଭର୍ଣ୍ଣାକୁଲର ବୃତ୍ତି ପରୀକ୍ଷା ଦେଲେ । ସେଥିରେ ମଧ୍ୟ ବୃତ୍ତି ପାଇଲେ-। ଅରକ୍ଷିତକୁ ଦଇବସାହା ହେଲା ପରି ଗୋଟିକ ପରେ ଗୋଟିଏ ବୃତ୍ତି ପାଉଥିବାରୁ ତାଙ୍କର ଉଚ୍ଚ ଶିକ୍ଷାର ବାଟ ଫିଟି ଆସିଲା । ମଧ୍ୟ-ଭର୍ଣ୍ଣାକୁଲର ସ୍କୁଲରେ ଦ୍ଵିତୀୟ ଶିକ୍ଷକ ଥିଲେ–ମାଧବ ମିଶ୍ରେ । ଥରେ ସେ ତାଙ୍କୁ ଡାକି କହିଲେ–‘‘ଦେଖୁଛି ଗୋଦାବରୀଶ ! ତୁ ଯଦି ଏନ୍‌ଟ୍ରାନ୍‌ସ ଖଣ୍ଡକ କୌଣସି ରକମ୍ ପାସ୍ କରିଯାନ୍ତୁ, ତେବେ ଜଣେ ମଣିଷରେ ଗଣାହୁଅନ୍ତୁ । ମାତ୍ର ତୋପରି ଦରିଦ୍ର ପିଲା ପକ୍ଷରେ ତ ଏହା କିଛି ସହଜ କଥା ନୁହେଁ । ଏଠି କୁ’ଠି ତ ହାଇସ୍କୁଲ ନାହିଁ, ଯାଇ ପୁରୀ ଗଲେ ହେବ । ଏତେ ବାଟ ଯିବୁ, ବହିପତ୍ର କିଣିବୁ, ନାଁ ଲେଖେଇବୁ, ଖାଇବା ପିଇବା କଥା ବୁଝିବୁ, ୟା କୁ’ଠି ହୋଇ ପାରିବ ? କେଜାଣି ତୋ’ ଭାଗ୍ୟରେ ଯେବେ ଥାଏ, ତା’ହେଲେ ହୋଇପାରେ ।’’ ସେତେବେଳକୁ ସମଗ୍ର ବାଣପୁରରେ ଜଣେ ମାତ୍ର ଏନ୍‌ଟ୍ରାନ୍‌ସ୍‌ ପାସ୍ କରିବା ଲୋକ ଥା’ନ୍ତି । ତାଙ୍କ ଘର ଚିଲକାକୂଳ ଶିଖରପଦରରେ । ସେ ସେତେବେଳେ ଖୋର୍ଦ୍ଧା କଚେରୀରେ କିରାନୀ କାମ କରୁଥିଲେ ।

 

ଗାଁରେ ତାଙ୍କ ପଡ଼ିଶା ଘରଟି ଟିକିଏ ଧନୀଘର । ଗୋଦାବରୀଶଙ୍କ ବଡ଼ ସାଙ୍ଗ ହେଉଛନ୍ତି, ସେହି ପଡ଼ିଶାଘରର ପୁଅ ଗଙ୍ଗାଧର । ଗୋଦାବରୀଶ ହେଉଛନ୍ତି ମିଶ୍ରଘରର ଏବଂ ଗଙ୍ଗାଧର ରଥଘର ପୁଅ । ଗଙ୍ଗାଧରଙ୍କର ଭଉଣୀ, ଗଙ୍ଗାଧର ଏବଂ ଗୋଦାବରୀଶ ୟେ’ ତିନିହେଁ ଅଧିକାଂଶ ସମୟରେ ଖେଳାଖେଳି କରନ୍ତି ।

 

ଗୋଦାବରୀଶ ପିଲାଦିନରୁ ନିଛାଟିଆ ଥାନକୁ ଭଲପାନ୍ତି । ଏଇଟା ତାଙ୍କର ପ୍ରକୃତିଗତ-। ପ୍ରତିଦିନ ସେ ଶାଳିଆ, ଘଣ୍ଟଶିଳା ଆଡ଼େ ବୁଲିଯାନ୍ତି । ସକାଳୁ ବହି ଖଣ୍ଡିଏ ଧରିଯାନ୍ତି ଯେ, କୁ’ଦିନ ଶାଳିଆ କୂଳରେ ବସି ପଢ଼ନ୍ତି, କେଉଁଦିନ ବା ଘଣ୍ଟଶିଳା ପାହାଡ଼ରେ ବସନ୍ତି । ଘଣ୍ଟଶିଳା ପାହାଡ଼ରେ ଦକ୍ଷିଣପାଖ ଆଡ଼କୁ ଗୋଟିଏ ବଡ଼ ଚାଞ୍ଚଡ଼ା ପଥର ଅଛି, ସେଇଟା ତାଙ୍କ ପଢ଼ିବା ଥାନ । ଏ ନଈ ଏବଂ ଏ ପାହାଡ଼ ଯୋଡ଼ିକ ମଧ୍ୟ ତାଙ୍କର ପିଲାଦିନର ସାଥୀମାନଙ୍କ ଭିତରୁ ଯୋଡ଼ିଏ । ସେ ବୟସ୍କ ହେଲାପରେ, ବାଣପୁରରେ ଥିଲାବେଳେ ଅନେକ ସମୟରେ ଘଣ୍ଟଶିଳାକୁ ବୁଲିଯାନ୍ତି । ଅନ୍ୟାନ୍ୟ ଲୋକଙ୍କ ମେଳରେ ବସିଥିଲାବେଳେ କହନ୍ତି–‘‘ମୁଁ ଏଇଠି ଅନେକ ଦିନ ବସି ପଢ଼ିଛି । ମୋତେ ଏ ଜାଗାଟି ଭାରି ଭଲଲାଗେ ।’’

 

ପିଲାଦିନରୁ ପ୍ରାକୃତିକଶୋଭା ଦେଖିବାରେ ସେ ଆନନ୍ଦ ଅନୁଭବ କରନ୍ତି । ଗଛରୁ କଅଁଳିଆ କଅଁଳିଆ ପତ୍ର, ନାନାଦି ଫୁଲଫଳ, କୋକିଳର ସ୍ଵର, ଖରା, ବର୍ଷା, କାକର, ତୋଟାମାଳ ଏସବୁ ସହିତ ସେ ପିଲାଦିନରୁ ପରିଚିତ । ତେଣୁ ସେ ଜୀବନରେ ଯେତେ ସୁଖ ଶାନ୍ତି ଭୋଗ କରନ୍ତୁ ପଛକେ, ଶାଳିଆ, ଘଣ୍ଟଶିଳାର ଦୃଶ୍ୟ ତାଙ୍କୁ ଯାହା ଆନନ୍ଦ ଦିଏ, ଆଉ କେହି ଦେଇ ପାରନ୍ତି ନାହିଁ । ବାଲ୍ୟଗୁରୁଙ୍କଠାରୁ ସେ ଯେପରି ଶିକ୍ଷା ପାଇଛନ୍ତି, ଶାଳିଆ ଘଣ୍ଟଶିଳାଠାରୁ ମଧ୍ୟ ସେହିପରି ସେ ଅନେକ କଥା ଶିଖିଛନ୍ତି ।

 

ରଣପୁରର ବିଶ୍ଵନାଥ ବୋଲି ଗୋଟିଏ ପିଲା ତାଙ୍କ ଗାଁରେ ରହି ପଢ଼ୁଥିଲା । ଗୋଦାବରୀଶଙ୍କର ସେ ଜଣେ ବାଲ୍ୟସାଥୀ । ଥରେ ଦୁହେଁଯାକ ଆମ୍ବ ତୋଳିବାକୁ ଗଲେ । ବିଶ୍ୱନାଥ ଆମ୍ବଗଛରେ ଚଢ଼ିଲା, ଆମ୍ବ ତୋଳି ତଳେ ପକାଇଲା । ଗୋଦାବରୀଶ ତଳେ ଠିଆହୋଇ ଗୋଟାଇଲେ । ଦୈବାତ୍ ଜଗୁଆଳି ଆସି ପହଞ୍ଚିଗଲା । ତାକୁ ଦେଖି ଗୋଦାବରୀଶ ଡରିଗଲେ । ବିଶ୍ଵନାଥଙ୍କୁ ଗଛ ଉପରେ ଦେଖି ଜଗାଳି ତାକୁ ଗାଳିଦେଲା । ବିଶ୍ୱନାଥ କହିଲା–ମୋତେ କାହିଁକି ଗାଳି ଦେଉଛ, ମୋ’ ହାତରେ କ’ଣ ଆମ୍ବ ଅଛି ? ଯେ ଆମ୍ବ ଧରିଛି ତାକୁ କହୁନ-? ଗୋଦାବରୀଶ ବଡ଼ ଅଡ଼ୁଆରେ ପଡ଼ିଲେ । ଦୋଷୀ ନ ହେଲେ ମଧ୍ୟ ଦୋଷୀ ପରି ଠିଆହେଲେ-। ଜଗାଳି ଦୁହିଁଙ୍କୁ ଦୋଷ ଦେଇ ଗାଳିଦେଲା ଏବଂ ଆମ୍ବତକ ଛଡ଼ାଇ ରଖିଲା ।

 

ପିଲା ଦିନର ଆଉ ଗୋଟିଏ ଘଟଣା କହୁଛି । ସେ ଥରେ ନଈରେ ପହଁରିବାକୁ ଗଲେ । ତାଙ୍କ ଗାଁ ବାଡ଼ିଆଡ଼େ ନଈ । ତେଣୁ ସେ ଗାଁର ସବୁ ପିଲାଏ ନଈ ପହଁରା ଜାଣନ୍ତି । ସେ ମଧ୍ୟ ତାଙ୍କ ସାଥିରେ ଯାଇ ନଈରେ ପହଁରନ୍ତି । ନଈ ପହଁରା ଶିଖି ଥିବାରୁ ଯୁ’ଦିନ ଶାଳିଆରେ ବଢ଼ି ଆସେ, ସେଦିନ ପହଁରି ପହଁରି ନଈ ପାର ହେବାକୁ ସୁବିଧା ହୁଏ । କେତେ ଥର ସେଥିପାଇଁ ନନାଙ୍କଠୁ ଗାଳି ମାଡ଼ ଖାଇଛନ୍ତି, ମାତ୍ର ପିଲା ଦିନର ସେ ଗୋଟେ ଖେଳ ।

 

ଏହି ସମୟରେ ଆଉ ଗୋଟିଏ କଥା କହିବାକୁ ଭୁଲି ଯାଉଛି । ଆଗରୁ ତ କହିଛି, ତାଙ୍କ ନନା ଲିଙ୍ଗରାଜ ମିଶ୍ର ଜଣେ ନିଷ୍ଠାପର ଲୋକ । ପ୍ରତିଦିନ ତିନିଥର ସ୍ନାନ କରନ୍ତି, ସନ୍ଧ୍ୟା, ଜପ ତପ, ଗାୟତ୍ରୀ ପ୍ରଭୃତି କରନ୍ତି । ଖାଇ ବସିଥିବାବେଳେ ଯଦି କୌଣସି ଶୂଦ୍ରଙ୍କର ଡାକ ଶୁଣନ୍ତି, ସେ ଆଉ ନ ଖାଇ ଉଠି ପଡ଼ନ୍ତି । ଘରେ ଦିଅଁ ରଖିଥାନ୍ତି । ପ୍ରତିଦିନ ଗାଧୋଇ ସାରିବା ପରେ ଦିଅଁ ବସାନ୍ତି ଓ ରନ୍ଧାରନ୍ଧି ସରିବା ପରେ ପୂଜା କରି ଭୋଜନ କରନ୍ତି । ଦିନେ ଦିନେ ପୂଜାର ଭାର ଗୋଦାବରୀଶଙ୍କ ଉପରେ ପଡ଼ିଥାଏ । ନନା ବିଚାରି ଥିଲେ ପୁଅକୁ ଶୀଘ୍ର ବ୍ରତ କରି ଦେଲେ ମୋରି ଭଳି ସେ ଚଣ୍ଡୀ ପାଠ ପ୍ରଭୃତି କରିବ, ନିୟମିତ ପୂଜା ପୂଜି କରିବ । ସେଥିପାଇଁ ସାତ ବର୍ଷ ବୟସ ବେଳୁ ଗୋଦାବରୀଶଙ୍କୁ ବ୍ରତ କରି ଦେଇଥିଲେ । ଘଟଣା ଚକ୍ରରେ ଠାଏ ଠାଏ ପିତା ପୁତ୍ରଙ୍କର ପ୍ରକୃତି ପ୍ରାୟ ସମାନ ହୁଏ, ଠାଏ ଠାଏ ଅଲଗା ହୁଏ । ଏଠି ଠିକ୍ ଓଲଟା । ଗୋଦାବରୀଶଙ୍କର ଦିଅଁ ଦେବତା ପ୍ରତି ଆଦୌ ଭକ୍ତି ନ ଥାଏ କି ସେ ତିନି ସଂଧ୍ୟା, ଗାୟତ୍ରୀ ପ୍ରଭୃତି କରନ୍ତି ନାହିଁ, ମାତ୍ର ନନାଙ୍କଠାରୁ ଶିଖିଥାନ୍ତି । ଯେଉଁ ଦିନ ତାଙ୍କ ଉପରେ ଦିଅଁ ପୂଜା ଭାର ପଡ଼େ, ସେଦିନ ସେ କ’ଣ କରନ୍ତି, ସେ କଥା ତାଙ୍କ ଜୀବନୀରେ ଠାଏ ଲେଖିଛନ୍ତି । ପୂଜା ବଢ଼ାହେଲେ ସେ ଦିଅଁଙ୍କୁ ଖଟୁଳିରୁ ଆଣି ଭାତରେ ତାଙ୍କ ମୁହଁ ମାଡ଼ି ଦିଅନ୍ତି । ଏକଥା ନନା ଶୁଣିଲେ କାନରେ ହାତ ଦିଅନ୍ତି । ଦିଅଁଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତି । କଳାପାହାଡ଼ର ଦିଅଁଙ୍କ ପ୍ରତି ଅଶ୍ରଦ୍ଧା, ଅଭକ୍ତି ପରି ତାଙ୍କର ଥିବାରୁ କେତେ ଲୋକ ତାଙ୍କ କୌତୁକରେ ‘କଳାପାହାଡ଼’ ବୋଲି ଡାକନ୍ତି । ସେ ବର୍ଣ୍ଣରେ କଳା ନଥିଲେ, ବରଂ ଦେଖିବାକୁ ତକତକ ଗୋରା ।

 

ପାଞ୍ଚ

 

ଗୋଦାବରୀଶ ମଧ୍ୟ ଭର୍ଣ୍ଣାକ୍ୟୁଲାର ବୃତ୍ତି ପାଇଲେ କି ନାହିଁ ସେ କଥା ଆଗ ଜଣାପଡ଼ିଲା ନାହିଁ । ସେତେବେଳକୁ ଓଡ଼ିଶାରେ ଖଣ୍ଡିଏ ମାତ୍ର ସାପ୍ତାହିକ ପତ୍ରିକା ଥାଏ । ତାହାର ନାମ ‘ଉତ୍କଳ ଦୀପିକା’ । ଗୌରୀଶଙ୍କର ରାୟ ତାହାର ସମ୍ପାଦକ ଥିଲେ । ସେ ଖଣ୍ଡି କଟକରୁ ବାହାରୁଥାଏ । ଯେଉଁ ପ୍ରେସରୁ ବାହାରୁ ଥିଲା, ତାହାର ନାମ–ଉତ୍କଳ ପ୍ରିଣ୍ଟିଂ ପ୍ରେସ୍ । କଟକର ଜେଲଖାନା ପାଖରେ ସେ ପ୍ରେସ୍‍ଟି । ଏବେ ସେହିଠାରେ ଓଡ଼ିଶା ସରକାରଙ୍କର ଅନ୍ୟ ଗୋଟିଏ ଅଫିସ ଅଛି । ବାଣପୁରକୁ ଉତ୍କଳ ଦୀପିକା ଯାଉଥିଲା ଖଣ୍ଡିଏ ମାତ୍ର । ଖଜୁରିଆର ଜଣେ ମଗଉ ଥାନ୍ତି । ଗୋଦାବରୀଶ ଦିନେ ବଡ଼ି ସକାଳୁ ଉଠି ସେ ଗାଁକୁ ଗଲେ । ମାତ୍ର ଫଳ ବାହାରି ନ ଥିବାରୁ ଫେରି ଆସିଲେ । ସେ ବୃତ୍ତି ପାଇ ନାହାନ୍ତି ବୋଲି ବିଚାରି ଟିକିଏ ନିରାଶ ହୋଇ ପଡ଼ିଲେ । ନନା ସେ କଥା ଶୁଣି କହିଲେ–‘ଯେବେ ସେ କଥା ନ ହେଲା, ତା’ ହେଲେ ଆମ ଭାଗ୍ୟରେ ତ ନାହିଁ, ଆଉ କ’ଣ କରିବା ? ତୁ ଏଥର ସଂସ୍କୃତ ପଢ଼, ସେଥିରେ କିଛି ପଇସା ଖର୍ଚ୍ଚ ହେବ ନାହିଁ । ପୁଣି ଆମର କୌଳିକ ବିଦ୍ୟା ସଂସ୍କୃତ ।’ ଗୋଦାବରୀଶ ଇଂରାଜୀ ପଢ଼ା ଆଡ଼ୁ ମନ ଛଡ଼ାଇ ସଂସ୍କୃତ ପଢ଼ିବାକୁ ଠିକ୍ କଲେ । ମାତ୍ର କେତେ ଦିନ ପରେ ଉତ୍କଳ ଦୀପିକାରେ ତାଙ୍କ ନାଁ ବାହାରିଲା । ସେ ସମଗ୍ର ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବୃତ୍ତି ପାଇଲାବେଳେ ସେ ପ୍ରଥମ ସ୍ଥାନ ଅଧିକାର କରି ପାଇ ଥିଲେ । ଏ ଶୁଭ ସମ୍ବାଦ ଶୁଣି ଇଂରାଜୀ ପଢ଼ିବାକୁ ଇଚ୍ଛାକଲେ । କେଉଁଠି ପଢ଼ିବେ ସେ କଥା ଆଗ ଠିକ୍ କରି ପାରିଲେ ନାହିଁ ।

 

ସେତେବେଳକୁ ପୁରୀରେ କେବଳ ଗୋଟିଏ ମାତ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥାଏ । ଏପରି ଅବସ୍ଥାରେ ପୁରୀ ନ ଗଲେ ପଢ଼ା ଏକ ପ୍ରକାର ବନ୍ଦ । ପୁରୀ ଯିବା ପାଇଁ ଆଜି କାଲି ପରି ରେଳପଥ ସେତେବେଳେ ପଡ଼ି ନ ଥିଲା । ସେ ନନାଙ୍କ ସାଙ୍ଗରେ ଥରେ କେତେ ଦିନ ତଳେ ପୁରୀ ଯାଇଥିଲେ । ସେ ସମୟକୁ ଦକ୍ଷିଣରୁ ବାଲୁଗାଁ ପର୍ଯ୍ୟନ୍ତ ରେଳପଥ ପଡ଼ିଥିଲା । ଆଉ କିଛି ଉପାୟ ନ ଥିବାରୁ ସେଥିପାଇଁ ଚିଲିକା ବାଟେ ନାଆରେ ଯାଇଥିଲେ । ଏଥର ମଧ୍ୟ ସେହିପରି ଯିବାକୁ ଇଚ୍ଛାକଲେ । ମାତ୍ର ଶୁଣିଲେ ଯେ ଜଟଣୀ ପର୍ଯ୍ୟନ୍ତ ରେଳରାସ୍ତା ଗଲାଣି, ପୁରୀ ଆଡ଼କୁ ସଡ଼କ ତିଆରି ହେଉଛି । ଏଣୁ ନନା ତାଙ୍କୁ ଧରି ରେଳରେ ନିରାକାରପୁର ପର୍ଯ୍ୟନ୍ତ ଗଲେ, ସେଠୁ ଚଲା ବାଟରେ ବାପ ପୁଅ ଦୁହେଁ ଯାକ ଚାଲି ଚାଲି ପୁରୀରେ ଯାଇ ପହଞ୍ଚିଲେ । ନନା ତାଙ୍କୁ ଧରି ଏକବାରେ ସିଧା ସିଧା ପୁରୀ ଜିଲ୍ଲା ସ୍କୁଲକୁ ଗଲେ । ଏ ସ୍କୁଲର ସବୁଠୁ ବଡ଼ ମାଷ୍ଟର କିଏ ପଚାରି ପଚାରି ପ୍ରଧାନ ଶିକ୍ଷକଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ଯାଇ କହିଲେ–ମୁଁ ବାଣପୁରରୁ ଆସିଛି । ମୋର ଏ ପିଲାଟି ବୃତ୍ତି ପାଇଛି, ସେ କହୁଛି ଆପଣଙ୍କର ଏ ବିଦ୍ୟାଳୟରେ ପଢ଼ିବ । ଆପଣଙ୍କୁ ଏ ପିଲାଟି ଲାଗିଲା, ମୁଁ ଯାଉଛି ।

 

ଏତିକି କହି ଲିଙ୍ଗରାଜ ମିଶ୍ରେ ସେଠୁ ବାହାରି ଆସିଲେ । ପ୍ରଧାନ ଶିକ୍ଷକ ୟାଙ୍କ ବିଷୟରେ ଆଉ କିଛି ଜାଣି ନ ଥାନ୍ତି । ତଥାପି ପିଲାଟିର ପାଠ ପଢ଼ିବାକୁ ଇଚ୍ଛାଅଛି ଜାଣି ପାଖରେ ରଖିଲେ । ବାଣପୁରରୁ ସାର୍ଟିଫିକେଟ ମଗାଇ ନେଇ ପ୍ରଥମେ ପଞ୍ଚମ ଶ୍ରେଣୀରେ ନାଁ ଲେଖାଇ ଦେଲେ । ସେତେବେଳେ ଯାହାକୁ ପଞ୍ଚମ ଶ୍ରେଣୀ କୁହା ଯାଉଥିଲା, ତାହା ଆଜି କାଲିର ସପ୍ତମ ଶ୍ରେଣୀ । ପ୍ରଧାନ ଶିକ୍ଷକ ସ୍କୁଲରେ ନାମ ଲେଖାଇ ଦେବା ସଙ୍ଗେ ସଙ୍ଗେ ଛାତ୍ରାବାସରେ ତାଙ୍କର ରହିବାର ବନ୍ଦୋବସ୍ତ କରିଦେଲେ । କିନ୍ତୁ ଖାଇବା ପିଇବା, ବହିପତ୍ର ପାଇଁ ତ ପଇସା ଦରକାର । ସେତକ କୁଆଡ଼ୁ କିପରି ହୋଇ ପାରିବ, ସେଥିପାଇଁ କାହାରି କାହାରି ସଙ୍ଗରେ ପରାମର୍ଶ କଲେ ।

 

ପୁରୀକୁ ଗଲାବେଳକୁ ତାଙ୍କ ମୁଣ୍ଡରେ ପେଣ୍ଡାଏ ବାଳଥିଲା । ସେ କାନରେ ନୋଳି ଲଗାଇ ଥିଲେ । ପୁରୁଷ ପିଲାମାନେ ସେତେବେଳେ ପ୍ରାୟ ମୁଣ୍ଡରେ ବାଳ ରଖୁଥିଲେ । ଖାଲି ପିଲାମାନେ କାହିଁକି ଲୋକେ ବୁଢ଼ା ହେବା ପର୍ଯ୍ୟନ୍ତ ଏହିପରି ପେଣ୍ଡାବାଳ ରଖୁଥିଲେ । କେହି କେହି କପାଳ ଆଡ଼ୁ ଅଧେ ଖିଅର ହୋଇ ପିଠି ପଟକୁ ବାଳ ପେଣ୍ଡାକ ଓହଳାଉ ଥିଲେ । ସ୍କୁଲରେ ଗୋଦାବରୀଶଙ୍କର ଏ ପେଣ୍ଡାବାଳ ଓ ନୋଳି ଦେଖି ତାଙ୍କୁ ପିଲାମାନେ ଚିଡ଼ାଉଥିଲେ । କେତେ ଦିନ ପରେ ସେ ବାଳ କାଟି ଦେଲେ ଏବଂ ନୋଳି କାଢ଼ି ଦେଲେ ।

 

ତାଙ୍କର ବିବାହବେଳକୁ ଏ ପେଣ୍ଡାବାଳ ଓ ନୋଳି ଥିଲା । ପୁରୀକୁ ଯିବାର ଦେଢ଼ବର୍ଷ ଆଗରୁ ତାଙ୍କର ବିବାହକାର୍ଯ୍ୟ ସମ୍ପନ୍ନ ହୋଇଥିଲା, ତାଙ୍କ ବିଭାଘର ଏକ କାହାଣୀ । ଆଗରୁ କହିଛି ଠାଏ, ତାଙ୍କର ପଡ଼ିଶାଘର ଗଙ୍ଗାଧର ତାଙ୍କର ଯେମିତି ଜଣେ ଖେଳସାଥୀ, ଗଙ୍ଗାଧରଙ୍କ ଭଉଣୀ ମଧ୍ୟ ସେହିପରି । ଗଙ୍ଗାଧରଙ୍କ ଘର ଟିକିଏ ଅବସ୍ଥା-ସମ୍ପନ୍ନ ଘର । ୟାଙ୍କର ଯୁ’ଦିନ ଖାଇବା ପିଇବାକୁ ଘରେ ନଥାଏ, ସେଦିନ ପଡ଼ିଶା ଘର ଗଙ୍ଗାଧର ରଥଙ୍କ ଘରୁ ତାଙ୍କ ବୋଉ ଚାଉଳପତ୍ର ଧାର ଆଣନ୍ତି । ଏମିତି ଆଣି ଆଣି କେତୋଟି ଟଙ୍କା ହୋଇଗଲା । ରଥଙ୍କଘର ମନେକଲେ ଯେ, ସେ ଉଧାର ସୂତ୍ରରେ ନେଉଛନ୍ତି, ନିଅନ୍ତୁ, ତାଙ୍କୁ ଟଙ୍କା ମାଗିବା ନାହିଁ । ଏଣେ ଗୋଦାବରୀଶଙ୍କ ବୋଉ ଚାଉଳ ଧାର ଆଣୁ ଆଣୁ ଶହେ ଦେଢ଼ଶଟଙ୍କାକୁ ଲାଗ ଦେଲା । ଗଙ୍ଗାଧର ରଥଙ୍କ ବୋଉ ବିଚାରିଥିଲେ ଆମ ଝିଅଟି ସାଙ୍ଗରେ ଲିଙ୍ଗରାଜ ମିଶ୍ରଙ୍କ ପୁଅକୁ ବିବାହ କରିବାର ଯୋଗାଡ଼ କଲେ ହୁଅନ୍ତା । ସ୍ତ୍ରୀ ମହଲ ଭିତରେ ଏ କଥାଟି ଆଲୋଚନା ହେଲା ପ୍ରଥମେ । ଗଙ୍ଗାଧରଙ୍କ ବୋଉ ଗୋଦାବରୀଶଙ୍କ ବୋଉଙ୍କୁ କହିଲେ । ମାତ୍ର ଲିଙ୍ଗରାଜ ମିଶ୍ରଙ୍କର ସେଥିରେ ମତ ନ ଥିଲା । ଗୋଦାବରୀଶଙ୍କ ବୋଉ ଦେଖିଲେ କନ୍ୟାଟି ତ ଠିକଣା, ଏପରି ଅବସ୍ଥାରେ ସେ ଯାହା କହୁଛନ୍ତି, ସେହି ଅନୁସାରେ ରାଜି ହୋଇଯିବା ଭଲ । ଏତେଗୁଡ଼ାଏ ଟଙ୍କା ଶୁଝିବା ତ ସହଜ ନୁହଁ । ତେଣୁ ଗୋଦାବରୀଶଙ୍କ ନନା ମଧ୍ୟ ରାଜି ହୋଇଗଲେ । ପଇସାପତ୍ରର ଦିଆନିଆ ସମ୍ପର୍କ ଭିତରୁ ଗୋଦାବରୀଶଙ୍କର ଏହିପରି ବିବାହ ସମ୍ପର୍କ ଲାଗିଗଲା ।

 

ଗଙ୍ଗାଧରଙ୍କ ସେହି ଭଉଣୀଟିର ନାମ ଅମ୍ବିକା । ଗୋଦାବରୀଶ ମଧ୍ୟ-ଭର୍ଣ୍ଣାକୁଲର ପଢ଼ୁଥିଲାବେଳେ ତାଙ୍କର ଅମ୍ବିକାଙ୍କ ସାଙ୍ଗରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇଗଲା । ବିବାହ ଦିନ ବିବାହ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ । ଶୁଣାଅଛି ସେଦିନ ଉପବାସ ଯୋଗେ ଗୋଦାବରୀଶଙ୍କୁ ନିଦ ଲାଗିଗଲା । ନିଦରେ ଘାରି ହେଉଥିଲାବେଳେ ତାଙ୍କର ବିବାହକାର୍ଯ୍ୟ ବଢ଼ିଥିଲା ।

 

ଏହିପରି ବିବାହିତ ଜୀବନରେ ସେ ପୁରୀରେ ଇଂରାଜୀ ପଢ଼ା ଆରମ୍ଭ କଲେ । ତାଙ୍କ ଶିକ୍ଷକମାନେ ବହିପତ୍ର ସଂଗ୍ରହ ବିଷୟରେ ତାଙ୍କୁ ଟିକିଏ ସାହାଯ୍ୟ କଲେ । ତାଙ୍କରି କହିବା ଅନୁସାରେ ସେ କାହା କାହା ପାଖରୁ କିଛି ବହି ମାଗି ଆଣିଥିଲେ ବା କାହାରିଠାରୁ ବହିପାଇଁ ସାହାଯ୍ୟ ପାଇଲେ । ଛାତ୍ରାବାସରେ ଗୋଟିଏ ଘରେ ସେ ଥାନ୍ତି, ତାଙ୍କ ସାଥିରେ ଆଉ ତିନି ଚାରିଜଣ ମଧ୍ୟ ରହୁଥାନ୍ତି । ଯେଉଁ ବହି ତାଙ୍କର ନଥାଏ ପିଲାଙ୍କଠାରୁ ସେ ବହିପତ୍ର ଆଣି ପଢ଼ନ୍ତି । ଜଳଖିଆ କରିବା ତାଙ୍କପକ୍ଷରେ ସ୍ଵପ୍ନ ହୋଇଥାଏ । କେତେଦିନ ପରେ ତାଙ୍କର ଟିକିଏ ସୁବିଧା ହେଲା । ଆମ ବାଣପୁରରେ ଚାଷଙ୍ଗରା ବୋଲି ଗୋଟିଏ ଗାଁ ଅଛି । ସେ ଗାଁର ଦୀନବନ୍ଧୁ ନରେନ୍ଦ୍ର ସିଂହ ୟାଙ୍କ ଆଗରୁ ଯାଇ ସେଇ ବିଦ୍ୟାଳୟରେ ପଢ଼ୁଥିଲେ । ସେ ଟିକିଏ ଧନୀଘରର ପୁଅ । ତାଙ୍କ ପାଖକୁ ଅନେକ ସମୟରେ ଗାଁରୁ ଜଳଖିଆପତ୍ର ଓ ପଇସାପତ୍ର ଯାଏ । ଗୋଦାବରୀଶଙ୍କର ଦରିଦ୍ର ଅବସ୍ଥା ଦେଖି ଦୀନବନ୍ଧୁ ବାବୁ ବେଳେ ବେଳେ ତାଙ୍କୁ ଜଳଖିଆ ଦିଅନ୍ତି । ଉପର ଶ୍ରେଣୀରେ ପଢ଼ୁଥିବାରୁ ଗୋଦାବରୀଶ ତାଙ୍କ ସାଙ୍ଗରେ ଭଲରୂପେ ମିଶି ପାରନ୍ତିନାହିଁ । ସେ ୟା’ଙ୍କୁ କିଛି ସାହାଯ୍ୟ ଦେବାକୁ ଡାକିଲେ ମଧ୍ୟ ଗୋଦାବରୀଶ ଜାଣି ଶୁଣି ଆଡ଼େଇ ଆଡ଼େଇ ରହନ୍ତି । ତାଙ୍କ ନନା ବେଳେ ବେଳେ ପୁଅକୁ ଯାଇ ଦେଖିଆସନ୍ତି ସିନା ପଇସାପତ୍ର ଦିଗରେ କିଛି ସାହାଯ୍ୟ କରିପାରନ୍ତି ନାହିଁ ।

 

ପିଲାଙ୍କ ସାଙ୍ଗରେ ଏକାପରି ଚଳିବାକୁ ଗୋଦାବରୀଶଙ୍କୁ ଭଲ ଲାଗୁ ନଥାଏ । କାରଣ ଅନ୍ୟ ପିଲାମାନେ ଲୁଗାପଟା, ଜଳଖିଆ ପତ୍ର ଦିଗରେ ଛଇତି ମଇତି ହୋଇ ଚଳନ୍ତି, କିନ୍ତୁ ୟେ ତା’ର ଓଲଟା । କେତେଦିନ ପରେ ଛାତ୍ରାବାସର ତତ୍ତ୍ୱାବଧାରକ ରୋଷେଇଘର ପାଖ ଗୋଟିଏ କୋଠରୀରେ ୟା’ଙ୍କୁ ରହିବାକୁ କହିଲେ । ୟେ’ ମହାଆନନ୍ଦରେ ହଁ କଲେ ଏବଂ ସେଠି ଯାଇ ରହିଲେ । ତାଙ୍କୁ ଅବଶ୍ୟ ପଢ଼ାପଢ଼ିପାଇଁ ଟିକିଏ ଅସୁବିଧା ହେଲା, ମାତ୍ର ସବୁ ଦିଗରୁ ନଅଣ୍ଟିଆ ଭାବରେ ଚଳିବାକୁ କିଛି ଅସୁବିଧା ହେଲାନାହିଁ । ପିଲାମାନଙ୍କୁ ଖଣ୍ଡିଏ ଖଣ୍ଡିଏ ପଟାଖଟ ଦିଆଯାଇ ଥାଏ, ସେ ଖାଲି ଖଟଟିରେ ଶୁଅନ୍ତି । ତକିଆ ନଥିବାରୁ ଖଣ୍ଡିଏ ଇଟା ଆଣି ମୁଣ୍ଡରେ ଦିଅନ୍ତି । ପୁଣି ଲୁଗାପଟାତ ତାଙ୍କର ନଥାଏ । ବହୁ କଷ୍ଟରେ କେଉଁଠୁ ଖଣ୍ଡିଏ ଲୁଗା କିଣିଥାନ୍ତି । ସେ ପର୍ଯ୍ୟନ୍ତ ସେ କମିଜ ଖଣ୍ଡିଏ ପିନ୍ଧି ନଥାନ୍ତି । ରବିବାର ଦିନ ସେ ଲୁଗାଖଣ୍ଡି ଧୋବା ପାଖେ ପକାଇଦେଇ ଘରଟି ଭିତରେ ରହନ୍ତି । ଉପରଓଳି ଧୋବା ସେ ଖଣ୍ଡିକ ଦେଲେ ଧୋବଲୁଗା ଖଣ୍ଡି ପିନ୍ଧି ବାହାରକୁ ବାହାରନ୍ତି । ସେତେବେଳେ ସେଠି ବିଜୁଳି ଆଲୁଅର ବନ୍ଦୋବସ୍ତ ନ ଥାଏ । କେହି କେହି ଡିବି କିମ୍ୱା ଲଣ୍ଠନ ଜାଳି ପଢ଼ନ୍ତି ।

 

ଥରେ ଛାତ୍ରାବାସର ତତ୍ତ୍ୱାବଧାରକ ଗୋଦାବରୀଶଙ୍କୁ ଡାକି କହିଲେ–‘ତମେ କିପରି ଭାବରେ ଚଳୁଛ ମୁଁ ଦିନେ ଯାଇ ଦେଖିବି ।’ ସେ ଯେଉଁଦିନ ଦେଖିଯିବାକୁ କହିଥିଲେ, ସେ ଆସିବା ପୂର୍ବରୁ ଗୋଦାବରୀଶ ନିଜ ଖଟଟି ସଜାଇଦେଲେ, କେଉଁ ପିଲାଠୁ ସତରଞ୍ଜି ଖଣ୍ଡିଏ, କାହାଠୁ ତକିଆଟିଏ ଆଣି ସୁନ୍ଦର ଭାବରେ ଖଟଟିରେ ସଜେଇ ଦେଇଥାନ୍ତି । ସେ ପିଲାଦିନରୁ ଭାରି ସଫାସୁତୁରା ଭାବରେ ଚଳନ୍ତି । ସେଦିନ ଘରଟି ସଫାସୁତୁରା କରି ବହିପତ୍ର ଯାହା ତାଙ୍କର ଥିଲା, ସେତକ ସୁନ୍ଦରଭାବରେ ସଜାଡ଼ି ରଖି ଦେଇଥିଲେ । ଏସବୁ କାମ ଯେ କେବଳ ସେଇଦିନ କଲେ ତା’ ନୁହେଁ, ଏସବୁ ତାଙ୍କର ନିତ୍ୟନୈମିତ୍ତିକ କାମ । କେବଳ ବିଛଣାଟି ଯାହା ଅଧିକା ସଜାଇଥିଲେ-। ତତ୍ତ୍ୱାବଧାରକ ଯଥା ସମୟରେ ଆସି ଦେଖିକରି ବାହାରିଗଲେ । କିଛି ସମୟ ପରେ ଗୋଦାବରୀଶଙ୍କୁ ଡାକି କହିଲେ,–‘ତମ ବିଷୟରେ ମୁଁ ଅନ୍ୟ ପିଲାଙ୍କଠୁ ଯାହା ଶୁଣିଥିଲି, ତୁମେ ତେବେ ତାହା ନୁହଁ ।’ ଗୋଦାବରୀଶ କହିଲେ,–‘‘ଆପଣ କାଳେହେଁ କ’ଣ ଭାବିବେ ବୋଲି ମୁଁ ପରଠୁ ମାଗିଆଣି ମୋ ଖଟରେ ବିଛଣା ପକାଇଥିଲି । ସେସବୁ କିଛି ମୋର ନୁହଁ, ଏସବୁ ମୁଁ କୁଆଡ଼ୁ ପାଇବି ? ମୁଁ ଖାଲି ଖଟରେ ଶୋଉଛି ବୋଲି ଆପଣ ଦେଖିଥିଲେ ଆପଣ ନିଜେ ମୋ ପାଇଁ ସତରଞ୍ଜି ଓ ତକିଆ ପଠାଇ ଦେଇଥାନ୍ତେ, ସେଥିପାଇଁ ଏହା କରିଥିଲି ।’’

 

ସେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥିଲାବେଳେ ଶେଷକୁ ଚନ୍ଦ୍ରମୋହନ ମହାରଣା ପ୍ରଧାନ ଶିକ୍ଷକ ହୋଇ ସେଠାକୁ ଗଲେ । ସେ ବଡ଼ କଡ଼ାଲୋକ, ମାତ୍ର ବଡ଼ ବିଦ୍ଵାନ୍‌ ଲୋକ । ଭଲ ପଢ଼ୁଥିବା ଛାତ୍ରକୁ ସେ ଭାରି ଭଲପାନ୍ତି । ଗୋଦାବରୀଶଙ୍କର ବିଦ୍ୟାବୁଦ୍ଧି, ପ୍ରତି ପରୀକ୍ଷାର ଫଳ ଦେଖି ସେ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ । ବଡ଼ ଅଭାବରେ ଥିବାର ଦେଖି ଚନ୍ଦ୍ରମୋହନ ବାବୁ କେତେକ ସୁବିଧା ମଧ୍ୟ କରିଦେଲେ ।

 

ଦିନେ ଦିନେ ଛାତ୍ରାବାସରେ ପୂଜାରୀ ନ ଥାଏ । ସେଦିନ ରୋଷେଇ ଭାର ପ୍ରାୟ ପିଲାଙ୍କ ଉପରେ ପଡ଼େ, ଅଧିକାଂଶ ଦିନ ପଡ଼େ ଗୋଦାବରୀଶଙ୍କ ଉପରେ । ପିଲାମାନେ ମନେ କରନ୍ତି–ୟାଙ୍କୁ ଭଲ ରୋଷେଇ ଆସେ ।

 

ନନା ତାଙ୍କୁ ପୁରୀ ଜିଲ୍ଲା ସ୍କୁଲରେ ଛାଡ଼ିଦେଇ ଯେ ତୁନି ହୋଇ ରହିଲେ ତା’ ନୁହେଁ, ତାଙ୍କର ପୈତୃକ ଜମି ଯାହା ଥିଲା ସେଥିରୁ ମାଣେକୁଣେ ବିକି ପୁଅର ଖର୍ଚ୍ଚ ଚଳାଉଥିଲେ । ସେତେବେଳେ ଜମି ମାଣକର ଦାମ ହେଉଥିଲା ମୋଟେ ତିରିଶ ଚାଳିଶ ଟଙ୍କା । ସେ ତିରିଶ ଚାଳିଶ ଟଙ୍କା ସରିଗଲାପରେ ପୁଣି ଆଉ ମାଣେ ବିକିଲେ । ସେତକ ମଧ୍ୟ ସରିଗଲା । ବେଳେ ବେଳେ କାହାରି କାହାରିଠାରୁ ସାହାଯ୍ୟ ପାନ୍ତି । ତଥାପି ବେଳେ ବେଳେ କାଷ୍ଠା ଉପବାସରେ ରହିଯାନ୍ତି । ଗୋଦାବରୀଶଙ୍କ ମେସରେ ନିୟମ ଥାଏ ଯେ ଠିକ୍ ସମୟରେ ଟଙ୍କା ଦେଲେ ଖାଇବ, ମାତ୍ର ସେ ଯଥା ସମୟରେ ମେସ୍‌କୁ ଟଙ୍କା ଦେଇ ପାରନ୍ତିନାହିଁ । ଦିନେ ଦିନେ ମେସ୍‌ ବୁଝିବା ଲୋକଙ୍କୁ କହନ୍ତି–ମୁଁ ଆଜି ଏଠି ଖାଇବି ନାହିଁ । ସେଥିରୁ ପିଲାମାନେ ବୁଝନ୍ତି ଯେ ସେ ଅନ୍ୟ କୁ’ଠି ଆଜି ବୋଧେ ଖାଇବେ । ମାତ୍ର ସେ ସମୁଦ୍ରକୂଳକୁ ଯାଇ ବୁଲି ବୁଲି ଆସନ୍ତି । ଗୋଦାବରୀଶଙ୍କର ମାସିକ ଖର୍ଚ୍ଚ ପଡ଼ୁଥିଲା ପ୍ରାୟ ଚାରିଟଙ୍କା । ସେଥିରୁ କେବଳ ଖାଇବା ଖର୍ଚ୍ଚ ତିନିଟଙ୍କା ଚାରିଅଣା । କାରଣ ସେତେବେଳେ ଜିନିଷପତ୍ର ଭାରି ଶସ୍ତା ଥିଲା । ଚାଉଳ ଟଙ୍କାରେ ଷୋହଳ ସତର ସେର, ଅର୍ଥାତ୍ ଚାରିଗୌଣୀ ଉପରେ । ଚାଉଳକୁ ଚାହିଁ ଅନ୍ୟାନ୍ୟ ଦର ମଧ୍ୟ ସେହିପରି ଥିଲା ।

 

ଗୋଦାବରୀଶ ଆଦୌ ତେଲ ଲଗାନ୍ତି ନାହିଁ । ସେ ଦିଗରେ ତାଙ୍କର ଅଧଲାଟିଏ ଖର୍ଚ୍ଚ ହୁଏନାହିଁ । ତାଙ୍କ ନନା ମଧ୍ୟ ଦେହରେ କି ମୁଣ୍ଡରେ ଆଦୌ ତେଲ ଲଗାଉ ନଥିଲେ । ବୋଧହୁଏ ଗୋଦାବରୀଶ ତାଙ୍କରିଠାରୁ ଶିଖିଥିଲେ ।

 

ସେ ପୁରୀରେ ପଢ଼ିଲାବେଳକୁ ତାଙ୍କ ନାଁ ‘ଗୋଦାବରୀ’ ବଦଳରେ ‘ଗୋଦାବରୀଶ’ ହୋଇ ସାରିଥିଲା । ଥରେ ଭକ୍ତକବି ମଧୁସୂଦନ ରାଓ କୌଣସି ଏକ କେନ୍ଦ୍ର ପରୀକ୍ଷାକୁ ଆସିଥିଲେ-। ସେ ୟାଙ୍କ ନାମ ପଚାରି କହିଲେ ଯେ ଏ ଗୋଟିଏ ବାଳିକାର ନାମ । ତାଙ୍କୁ କହିଲେ–‘ତମେ ଏ ନାମ ବଦଳେଇ ଆଜିଠାରୁ ଗୋଟିଏ ପୁଂଲିଙ୍ଗ ବାଚକ ନାମ ନିଅ ।’ ସେହିଦିନଠାରୁ ତାଙ୍କ ନାମ ‘ଗୋଦାବରୀଶ’ ହେଲା । ଯେପରି ପାର୍ବତୀଶ; ସତୀଶ, ଜାନକୀଶ ନାମ ଗଢ଼ାଯାଇଛି, ଏ ସେହିପରି ଗୋଟିଏ ନାମ–ଅର୍ଥ ଗୋଦାବରୀଙ୍କର ଈଶ ।

 

ଗୋଦାବରୀଶଙ୍କୁ ଆଉ ଗୋଟିଏ ସୁବିଧା ସ୍କୁଲରେ ମିଳିଥିଲା । ତାଙ୍କୁ ଦରମା ଦେବାକୁ ପଡ଼ୁ ନଥିଲା । ଏହିପରି କଷ୍ଟମଷ୍ଟରେ ଚଳି ସେ ସପ୍ତମ ଶ୍ରେଣୀକୁ ଉଠିଲେ । ସେତେବେଳର ସେ ସପ୍ତମ ଶ୍ରେଣୀ ଆଜିକାଲିର ଅଷ୍ଟମ ଶ୍ରେଣୀ । ସେତେବେଳକୁ ତାଙ୍କ ବୟସ ପନ୍ଦର କି ଷୋହଳ । ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ସେ ଦ୍ଵିତୀୟ ସ୍ଥାନ ପାଇଲେ । ସେ ବିଦ୍ୟାଳୟର ଗୋଟିଏ ପୁରସ୍କାର ବିତରଣୀ ସଭା ହେଲା । ସେଥିରେ ସଭାପତି ହୋଇଥିଲେ ସେତେବେଳର ଓଡ଼ିଶାର କମିଶନର ସାହେବ । ଗୋଦାବରୀଶ ସେ ସଭାରେ କେତେଗୁଡ଼ିଏ ପୁରସ୍କାର ପାଇଲେ । ସଭାପରେ ଜଣେ ଭଦ୍ରଲୋକ ତାଙ୍କୁ ଡାକି କହିଲେ,–‘ଦେଖୁଛି, ତମେ ତ ବହୁତ ପୁରସ୍କାର ପାଇଲ-। ଏହିପରି ଭାବରେ ପଢ଼ିଲେ ତୁମେ ଜୀବନରେ ନିଶ୍ଚୟ ଉନ୍ନତି କରିପାରିବ । ତେବେ କାଲି ଟିକିଏ ଆମ ଘରକୁ ଯିବ ।’ ତାଙ୍କ କଥା ରକ୍ଷାକରି ଗୋଦାବରୀଶ ତା’ ଆରଦିନ ତାଙ୍କ ଘରକୁ ଗଲେ । ସେତିକିବେଳେ ଭଦ୍ରଲୋକ ତାଙ୍କ ମ୍ୟାନେଜରଙ୍କୁ କହିଲେ-‘ଏ ପିଲାଟି ବେଶ୍ ଭଲ ପଢ଼ୁଛି, ୟାଙ୍କୁ ଏଣିକି ମାସକୁ ପାଞ୍ଚଟଙ୍କା ଲେଖାଏଁ ଦେବ ।’ ଗୋଦାବରୀଶ ଏ ସାହାଯ୍ୟ ସେଦିନ ପ୍ରଥମଥରପାଇଁ ତାଙ୍କଠୁ ଆଣିଲେ । ପ୍ରାୟ ତିନିବର୍ଷ ପର୍ଯ୍ୟନ୍ତ ସେହିପରି ପାଞ୍ଚଟଙ୍କା ଲେଖାଏଁ ସେ ଦେଲେ । ଏ ପାଞ୍ଚଟଙ୍କାରେ ତାଙ୍କର ଖର୍ଚ୍ଚ ଚଳିଲା ନାହିଁ । ନନା ଯାହା ମାସକୁ ମାସ ପଠାଉଥାନ୍ତି, କ୍ରମେ କ୍ରମେ ସେ ତାହା ନିୟମିତ ପଠାଇ ପାରିଲେ ନାହିଁ । ଅତି ଅଭାବ ସମୟରେ ସେ ତାଙ୍କପାଖରୁ ମଗାଉଥିଲେ ।

 

ଛାତ୍ରାବାସରେ ଥିଲାବେଳେ ସେ ଖଣ୍ଡିଏ ଲୁଗାରେ ଚଳୁଥିଲେ । ଗାଧୋଇବାକୁ ଗାମୁଛା ଖଣ୍ଡିଏ ମଧ୍ୟ ନଥାଏ । ସେଥିପାଇଁ ସେ ପ୍ରତିଦିନ ଗାଧୁଅନ୍ତି ନାହିଁ । ରବିବାର ଦିନ ସମୁଦ୍ରରେ ଗାଧୁଅନ୍ତି । ବାଟରେ ଆସିଲାବେଳେ ଲୁଗାଟି ଶୁଖାଇ ଶୁଖାଇ ଆସନ୍ତି । ଗୋଟିଏ କାନି ଶୁଖିଗଲେ ସେ ପାଖଟି ପିନ୍ଧି ଅନ୍ୟକାନିଟି ଶୁଖାନ୍ତି । ଏହିପରି ଦୀନଦରିଦ୍ରଭାବରେ ଚଳୁଥିବାରୁ ପିଲାଙ୍କ ସାଙ୍ଗରେ ସେ ପୂରା ମିଶିପାରନ୍ତି ନାହିଁ ।

 

ନବମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ସେ ପ୍ରଥମ ହେଲେ । ସେ ଇଂରାଜୀଭାଷାରେ ଭଲ ପାରୁଥିଲେ । ନବମଶ୍ରେଣୀ ବାର୍ଷିକ ପରୀକ୍ଷାରେ ଇଂରାଜୀ ଦୁଇଶହ ନମ୍ବର ଥିଲା । ସେଥିରୁ ତାଙ୍କର ଥିଲା ଏକଶହ ଛଅସ୍ତରୀ । ଛାତ୍ରାବାସରେ ପୂଜାରୀ ପ୍ରାୟ ନଥିଲା । ମାସର ଅଧିକାଂଶ ଦିନ ଗୋଦାବରୀଶ ମେସ୍‍ର ରୋଷେଇ କାମ କରୁଥିଲେ । ଏତେ କାମ ଭିତରେ ସେ ଏତେ ଭଲ କିପରି ପଢ଼ୁଥିଲେ, ତାହା ବିଚାରିଲେ ଆଶ୍ଚର୍ଯ୍ୟ ଲାଗେ । ତାଙ୍କର ସ୍ମରଣଶକ୍ତି ପ୍ରବଳ ଥିଲା । ଶିକ୍ଷକ ଶ୍ରେଣୀରେ ପଢ଼ାଇବା ସମୟରେ ସେ ତାଙ୍କ ମୁହଁରୁ ଯାହା ଶୁଣୁଥିଲେ ସେ ପ୍ରାୟ ସବୁ ମନେ ରଖୁଥିଲେ, ତେଣୁ ପରୀକ୍ଷାବେଳେ ସେତକ ଭାରି ସାହାଯ୍ୟ କରୁଥିଲା ।

 

ଚନ୍ଦ୍ରମୋହନ ମହାରଣା ପୁରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ । ତାଙ୍କ ପୂର୍ବରୁ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ସବୁ ବଙ୍ଗାଳୀ ଥିଲେ । ଖାଲି ସେଠି କାହିଁକି, ଓଡ଼ିଶାର ସର୍ବତ୍ର ବିଭନ୍ନ କାର୍ଯ୍ୟରେ ବଙ୍ଗାଳୀ ହାକିମ ଥିଲେ । ବଡ଼ ବଡ଼ ପାହ୍ୟାର ହାକିମମାନେ ଥିଲେ–ଇଂରେଜ ସାହେବ । ପୁରୀ ଜିଲ୍ଲା ଉଚ୍ଚ ବିଦ୍ୟାଳୟକୁ ଚନ୍ଦ୍ରମୋହନ ମହାରଣା ଆସିବା ପୂର୍ବରୁ ଅଧରଚନ୍ଦ୍ର ବାନାର୍ଜୀ ପ୍ରଧାନ ଥିଲେ । ତାଙ୍କ ସମୟରେ ପିଲାମାନେ ଏକପ୍ରକାର ନିଜ ଇଚ୍ଛା ଅନୁସାରେ ଚଳୁଥିଲେ । ବିଶେଷତଃ ଛାତ୍ରାବାସର ପିଲାମାନେ ସେତେ ଶୃଙ୍ଖଳାଭିତରେ ନଥିଲେ । ମଝିରେ ମଝିରେ ସମୁଦ୍ରକୂଳରେ ଯାଇ ବୁଲନ୍ତି । ପଢ଼ାପଢ଼ିର ଠିକଣା ନଥାଏ । କିନ୍ତୁ ଚନ୍ଦ୍ରମୋହନ ବାବୁ ଆସିବାପରେ ଏ ଅବସ୍ଥା ସମ୍ପୂର୍ଣ୍ଣ ବଦଳିଗଲା । ସେ ବଡ଼ କଡ଼ା ଶିକ୍ଷକ । ପିଲାଙ୍କର ଆଚରଣ, ପଢ଼ାପଢ଼ି ଖିଆପିଆ ପ୍ରଭୃତି ସବୁ ବିଷୟରେ ସେ ଦୃଷ୍ଟି ଦେଲେ । ସେତେବେଳେ ଇଂରାଜୀ ପଢ଼ାଉଥିଲେ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ବାବୁ ।

 

ସେ ଶ୍ରେଣୀର ଭଲପିଲା ଦେଖି ପଢ଼ିବାକୁ କହନ୍ତି । ଭୁଲକଲେ ବେଞ୍ଚ ଉପରେ ଠିଆକରି ଦଣ୍ଡ ଦିଅନ୍ତି । ଗୋଦାବରୀଶ ତାଙ୍କର ଶ୍ରେଣୀରେ ବହୁଦିନ ବେଞ୍ଚ ଉପରେ ଠିଆ ହୋଇଥିଲେ । ଇଂରାଜୀ ଉଚ୍ଚାରଣ ବିଷୟରେ ସେ ଚନ୍ଦ୍ରମୋହନ ବାବୁଙ୍କ ପାଖରେ ଋଣୀ ବୋଲି କହନ୍ତି ।

 

ଥରେ ଶିକ୍ଷାବିଭାଗର ଡିରେକ୍ଟର ପୁରୀ ଜିଲ୍ଲା ସ୍କୁଲକୁ ଆସିଥିଲେ । ସେତେବେଳେ ବଙ୍ଗ, ବିହାର, ଓଡ଼ିଶା ଗୋଟିଏ ପ୍ରଦେଶ ହୋଇଥିଲା । ଏ ତିନି ଅଞ୍ଚଳ ପାଇଁ ଜଣେ ଡିରେକ୍ଟର ଥିଲେ । ତେଣୁ ଜିଲ୍ଲାସ୍କୁଲମାନଙ୍କୁ କାହିଁ କେତେବେଳେ ଡିରେକ୍ଟର ଆସନ୍ତି । ସେଥର ବିଦ୍ୟାଳୟ ପରଦର୍ଶନ କରିବାକୁ ଆସି ଡିରେକ୍ଟର ଦଶମ ଶ୍ରେଣୀରେ ପହଞ୍ଚିଲେ । ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ, ‘‘ଏ ଶ୍ରେଣୀର ଭଲ ଛାତ୍ର କିଏ ? କିଏ ସାଧାରଣତଃ ପ୍ରଥମ ହୁଏ ?’’ ପ୍ରଧାନ ଶିକ୍ଷକ ଗୋଦାବରୀଶଙ୍କୁ ଡାକି ଚିହ୍ନେଇ ଦେଲେ । ଡିରେକ୍ଟର ତାଙ୍କୁ କେତେକ ପ୍ରଶ୍ନ ପଚାରିଲେ ।

 

ଗୋଦାବରୀଶ ଦଶମ ଶ୍ରେଣୀରେ ପଢ଼ୁଥିଲାବେଳେ ପଣ୍ଡିତ ନୀଳକଣ୍ଠ ଦାଶ, ପର୍ଶୁରାମ ବର୍ମା ଓ ଭୁବନେଶ୍ଵରର ରଘୁନାଥ ମହାପାତ୍ର ମଧ୍ୟ ସେଠି ପଢ଼ୁଥିଲେ । ଏ ସମସ୍ତେ ଛାତ୍ରାବାସରେ ଥାନ୍ତି । ନୀଳକଣ୍ଠ ଦାଶ ଏକାଦଶ ଶ୍ରେଣୀରେ ଥିଲେ । ପର୍ଶୁରାମ ବର୍ମା ଓ ରଘୁନାଥ ମହାପାତ୍ର ସେତେବେଳେ ଅଷ୍ଟମ ଶ୍ରେଣୀର ଛାତ୍ର । ଏହିମାନେ ଯେ କୌଣସି ସମୂହ କାର୍ଯ୍ୟରେ ଭାଗ ନେଉଥିଲେ । ଗୋଦାବରୀଶ ସେମାନଙ୍କ ସଙ୍ଗରେ ମିଶି କାମ କରୁଥିଲେ ।

 

ଗୋପବନ୍ଧୁ ବାବୁ ପୁରୀରେ ଗୋଟିଏ ସେବାଦଳ ଗଢ଼ିଥାନ୍ତି । ନୀଳକଣ୍ଠ ଦାଶ, ପର୍ଶୁରାମ ବର୍ମା, ଗୋଦାବରୀଶ, ରଘୁନାଥ ମହାପାତ୍ର ତାଙ୍କୁ ସବୁଥିରେ ସାହାଯ୍ୟ କରନ୍ତି । ପୁରୀରେ ହଇଜା ଲାଗିଲେ ଏ ସେବାଦଳ ଖୁବ୍ ସାହାଯ୍ୟ କରେ । ଥରେ ଗ୍ରୀଷ୍ମଛୁଟି ଶେଷ ହେବା ପୂର୍ବରୁ ପୁରୀରେ ଗୁଣ୍ଡିଚା ଯୋଗେ ହଇଜା ଲାଗିଲା । ବାହାରୁ ବହୁତ ଯାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ଶହ ଶହ ଲୋକ ହଇଜାରେ ମଲେ । ଶବ ସବୁ ବାଟଘାଟରେ ପଡ଼ିଲା । ବେଳକୁବେଳ ହଇଜା ପ୍ରବଳ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଗୋପବନ୍ଧୁ ବଡ଼ ସେବା ପରାୟଣ ଲୋକ, ତାଙ୍କ ଦେହ ସହିଲା ନାହିଁ । ସେତେବେଳକୁ ଗୋଦାବରୀଶ ଏକାଦଶ ଶ୍ରେଣୀର ଛାତ୍ର । ସେବାଦଳର ପରିଚାଳକ ହେଲେ ଗୋପବନ୍ଧୁ । ସେ ଏମାନଙ୍କୁ ଧରି ଆସି ରୋଗୀଙ୍କର ସେବା କଲେ । ନାନାଭାବରେ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର କାର୍ଯ୍ୟ ହେଲା । ଗ୍ରୀଷ୍ମଛୁଟି ତ ହୋଇଗଲା । ଆଉ ଅଳ୍ପଦିନ ପରେ ବିଦ୍ୟାଳୟ ଖୋଲିଥାନ୍ତା । ମାତ୍ର ହଇଜା ଯୋଗେ ଛୁଟିକି ଲଗେଇ ପୁଣି ଦେଢ଼ମାସ ବନ୍ଦ ହୋଇଗଲା । ଏହି ସେବାଦଳ ପ୍ରାଣପଣେ ସେବା କରିବାରେ ଲାଗିଲେ । ରେଗୀଙ୍କୁ ପଥ୍ୟ ରାନ୍ଧିକରି ଦେଲେ, ଔଷଧ ଦେଲେ, କାହାକୁ କାହାକୁ ଡାକ୍ତରଖାନା ନେଲେ । ରୋଗୀର ଆତ୍ମୀୟମାନଙ୍କୁ ସାନ୍ତ୍ଵନା ଦେଲେ ।

 

ପୁରୀର ହଇଜା ଖବର ମଫସଲରେ ବ୍ୟାପିଗଲା । ଗୋଦାବରୀଶଙ୍କ ନନା ଲିଙ୍ଗରାଜ ମିଶ୍ରେ ଶ୍ରାବଣ ମାସ ଶୁକ୍ଳପକ୍ଷ ପଶନ୍ତି, ଆସି ପୁରୀରେ ପହଞ୍ଚିଲେ । ଗୋଦାବରୀଶଙ୍କୁ ଘରକୁ ଘେନି ଆଣିବା ପାଇଁ ସେ ଯାଇଥିଲେ । ସ୍ୱେଚ୍ଛାସେବକମାନଙ୍କ ସହିତ ମିଶି ଗୋଦାବରୀଶ କାମ କରୁଥିବାର ନନା ଦେଖିଲେ । ସେ ତ କେବେ ଏପରି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି, ତେଣୁ ପୁଅର କେତେବେଳେ କ’ଣ ହେବ ଭାବି ଅତର୍ଚ୍ଛ ହୋଇଗଲେ । ଘରକୁ ଯିବାପାଇଁ ବହୁତ ବୁଝାଇଲେ । ମାତ୍ର ଗୋଦାବରୀଶ ଏପରି ସମୟରେ ଶହ ଶହ ଅନାଥ ଅସହାୟ ରୋଗୀକୁ ଛାଡ଼ି ଘରକୁ ଯିବାପାଇଁ ଆଦୌ ମଙ୍ଗିଲେ ନାହିଁ । ନନାଙ୍କୁ ନାନାପ୍ରକାର ବୁଝା ସୁଝା କରି ଘରକୁ ଫେରେଇଦେଲେ । ନନା ବାଧ୍ୟ ହୋଇ ସେହି ଅଷ୍ଟମୀ ଦିନ ଘରକୁ ଫେରି ଆସିଲେ । ଗଲାବେଳକୁ ନନା କାନ୍ଦି କାନ୍ଦି ଗଲେ । ଗୋଦାବରୀଶ ନନାଙ୍କୁ ସାଙ୍ଗରେ ଧରି ପୁରୀ ଷ୍ଟେସନ ପର୍ଯ୍ୟନ୍ତ ଗଲେ, ତାଙ୍କୁ ଗାଡ଼ିରେ ବସେଇ ଦେଇ ପୁଣି ପୁରୀ ଫେରିଲେ ।

 

ପିତା ପୁତ୍ରଙ୍କ ମଧ୍ୟରେ ସେହି ଶେଷ ଦେଖା । ତିନି ଚାରି ଦିନ ପରେ ପୁରୀରେ ଚିଠି ପହଞ୍ଚିଲା–ଦ୍ଵାଦଶୀ ଦିନ ଜ୍ଵର ରୋଗରେ ତମ ନନାଙ୍କର କାଳ ହୋଇଗଲା । ଏ ସବୁ କାର୍ଯ୍ୟରେ ଗୋଦାବରୀଶ ପିଲା ଦିନରୁ କେବେ ଅଧୀର ହୁଅନ୍ତିନାହିଁ । ତଥାପି ସେଦିନ ଯେତେ ଧୈର୍ଯ୍ୟ ଧରିବାକୁ ଚେଷ୍ଟା କଲେ ମଧ୍ୟ କାନ୍ଦି ପକେଇଲେ । ଚିଠି ପାଇ ଗାଁକୁ ଗଲେ । ଦେଖନ୍ତି ତ ବୋଉ ମଧ୍ୟ ଚାଲିଯିବା ଉପରେ । ଶେଷ ମୁହୂର୍ତ୍ତରେ ଯାଇ ବୋଉଙ୍କ ପାଖରେ ବସିଛନ୍ତି, ବୋଉଙ୍କର ପ୍ରାଣ ଉଡ଼ିଗଲା । କେବଳ ବୋଉ ଥରେ ଯାହା ପୁଅ ମୁହଁକୁ ଚାହିଁଛନ୍ତି, ସେତିକି । ଆଠ ବରଷର ଭଉଣୀଟି ହଇଜାରେ ମଧ୍ୟ ପଡ଼ିଥିଲା, ମାତ୍ର ଚିକିତ୍ସାଦ୍ଵାରା ସେ ଭଲ ହୋଇଗଲା । ବାପ ମା ଚାଲିଯିବା ପରେ ଘରେ ରହିଲେ ଅନ୍ଧୁଣୀ ବୁଢ଼ୀ ମା ଓ ତାଙ୍କର ଭଉଣୀ । ଶୁଦ୍ଧକ୍ରିୟା ସାରି କେତେ ଦିନ ପରେ ଗୋଦାବରୀଶ ପୁରୀକୁ ଫେରିଲେ ।

 

ପିତୃ ମାତୃହୀନ ଗୋଦାବରୀଶ ଏଥର ପୁରୀ ଛାତ୍ରାବାସରେ ରହି କିପରି ଚଳିବେ ସେହି ଚିନ୍ତା ତାଙ୍କୁ ଘାରିଲା । ରାମକୃଷ୍ଣବାବୁ ତାଙ୍କୁ ପାଞ୍ଚୋଟି ଟଙ୍କା ପ୍ରତି ମାସରେ ଦେଉଥିଲେ । ସେ ସେଥିରୁ ବଳାଇ ଗୋଟିଏ ଟଙ୍କା ଘରକୁ ପଠାଉଥିଲେ । ସେଥିରେ ମା ଓ ଭଉଣୀ କୌଣସି ମତେ ଚଳନ୍ତି । ୧୯୦୬ ମସିହାରେ ସେ ପ୍ରବେଶିକା ପରୀକ୍ଷା ଦେଲେ । ଗଡ଼ଜାତ ସମେତ ଓଡ଼ିଶାର ସ୍କୁଲମାନଙ୍କରୁ ସେ ବର୍ଷ କେବଳ ତେତିଶ ଜଣ ପ୍ରବେଶିକା ପରୀକ୍ଷାରେ ପାସ୍ କଲେ । ଗୋଦାବରୀଶ ଦ୍ଵିତୀୟ ଶ୍ରେଣୀରେ ପାସ୍ କରି ଦଶ ଟଙ୍କା ବୃତ୍ତି ପାଇଲେ ।

 

ଛଅ

 

ପରୀକ୍ଷା ଦେଇ ସାରି ସେ ଘରକୁ ଯିବେ କି କୁଠି ରହିବେ, ଭାବିଲେ । କୌଣସି କୌଣସିଠୁ ଚିଠି ପାଇଲେ ଖୋରଧା କଚେରୀରେ କିରାନୀ କାମ ଖାଲି ଅଛି । ଏ କଥା ଶୁଣି ସେ ଖୋର୍ଦ୍ଧା ଯିବେ କି ନାହିଁ ଭାବୁଛନ୍ତି, ଏହି ସମୟରେ ଚନ୍ଦ୍ରମୋହନବାବୁଙ୍କଠାରୁ ଚିଠି ପାଇଲେ ଯେ ସେ ବୃତ୍ତି ପାଇଛନ୍ତି । ସେତେବେଳକୁ ଚନ୍ଦ୍ରମୋହନବାବୁଙ୍କର ପୁରୀ ଜିଲ୍ଲା ସ୍କୁଲରୁ କଟକ ନର୍ମାଲ ଟ୍ରେନିଂ ସ୍କୁଲକୁ ବଦଳି ହୋଇ ଯାଇଥିଲା । ମାତ୍ର ପ୍ରଧାନ ଶିକ୍ଷକ ଭାବରେ ନୁହେଁ, ଦ୍ଵିତୀୟ ଶିକ୍ଷକ ଭାବରେ । ଗୋଦାବରୀଶଙ୍କ ପଢ଼ାପଢ଼ି ଓ ବ୍ୟବହାର ସେ ପୁରୀରେ ଦେଖିଥିଲେ । ତେଣୁ ଚିଠିରେ ସେ ତାଙ୍କ ପାଖକୁ ଗୋଟିଏ ପ୍ରସ୍ତାବ ଦେଇ ଲେଖିଲେ,–‘‘ତମେ ତ ନିଶ୍ଚୟ କଲେଜରେ ପଢ଼ିବ, ଆଉ ତ କୁ’ଠି କଲେଜ ନାହିଁ ଯେ ଅନ୍ୟ କୁଆଡ଼େ ଯିବ । ଏହି ରେଭେନ୍‌ସା କଲେଜରେ ତ ପଢ଼ିବ-। କିନ୍ତୁ କେଉଁଠି ରହିବ ? ମୁଁ ଠିକ୍ କରିଛି ମୋରି ବସାରେ ତୁମେ ରହିବ । ମୋ ବଡ଼ ପୁଅ ରଜନୀକୁ ପଢ଼ାଇବ, ଆଉ ଖାଇବା ପିଇବା ବାବଦରେ ତମକୁ କିଛି ଲାଗିବ ନାହିଁ ।’’ ଏବେ ରେଭେନ୍‌ସା କଲେଜ କଟକ ଷ୍ଟେସନ ପାଖରେ ଅଛି, ମାତ୍ର ପ୍ରଥମେ ଥିଲା କାଠଯୋଡ଼ୀ କୂଳରେ–ନିର୍ମାଲ ସ୍କୁଲ ପାଖରେ । ତେଣୁ ଯିବା ଆସିବାକୁ ତାଙ୍କର କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସେ ବୁଝିଲେ । ନର୍ମାଲ ସ୍କୁଲ ମଧ୍ୟ ସେହି କାଠଯୋଡ଼ୀ କୂଳରେ ଥିଲା ।

 

ଏ ଚିଠି ପାଇବା ପରେ ଗୋଦାବରୀଶ କିରାନୀ କାମ କରିବେ କି କଲେଜରେ ପଢ଼ିବେ କିଛି ଠିକ୍ କରି ପାରିଲେନାହିଁ । ମାତ୍ର ଶେଷକୁ ବିଚାରି ଠିକ୍ କଲେ–କଲେଜରେ ପଢ଼ିବେ ।

 

ରେଭେନ୍‌ସା କଲେଜରେ ନାଁ ଲେଖାଇ କଟକରେ କେଉଁଠି ରହିବେ ଏ ଚିନ୍ତା ଆଉ କରିବାକୁ ତ ପଡ଼ିଲାନାହିଁ । ଚନ୍ଦ୍ରମୋହନବାବୁଙ୍କ କଥା ଅନୁସାରେ ତାଙ୍କରି ବସାରେ ରହିଲେ । ତାଙ୍କ ବଡ଼ ପୁଅ ସେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥାଏ । ତା’ର ପଢ଼ା ପଢ଼ି ମଧ୍ୟ ଦେଖିଲେ । ଆଜି କାଲି ପରି ସେତେବେଳେ କଲେଜରେ ଏତେ ପିଲା ପଢ଼ୁ ନ ଥାନ୍ତି । ଏବେ ଓଡ଼ିଶାରେ ୭୬ଟା କଲେଜ ହେଲେ ମଧ୍ୟ ପିଲାମାନେ ନାମ ଲେଖାଇବାକୁ ଆସି ଫେରି ଯାଉଛନ୍ତି, ନାନା ଆନ୍ଦୋଳନ ଲାଗୁଛି । ବ୍ୟବସ୍ଥାପକ ସଭାରେ ସେଥିପାଇଁ ପ୍ରଶ୍ନ ହେଉଛି । କିନ୍ତୁ ସେତେବେଳର କଥା ଅଲଗା ଥିଲା । କଲେଜର ପ୍ରଥମ ବାର୍ଷିକ ଶ୍ରେଣୀରେ ଗୋଦାବରୀଶ ନାଁ ଲେଖେଇବାକୁ ଗଲାବେଳେ ତାଙ୍କୁ ମିଶାଇ ୨୮ ଜଣ ଛାତ୍ର ନାଁ ଲେଖାଇଲେ । ଛାତ୍ରୀମାନେ ପାଠ ପଢ଼ିବାକୁ ପଛଉ ଥାନ୍ତି । ମୁରବୀମାନେ ମଧ୍ୟ ସେ ସୁବିଧା ଦିଅନ୍ତିନାହିଁ । ଶିକ୍ଷା ବିଭାଗରେ ସେ ବ୍ୟବସ୍ଥା ନ ଥାଏ । ଯିଏ ପଢ଼ନ୍ତି, ସେମାନେ ନିମ୍ନ ପ୍ରାଇମେରୀ ଶିକ୍ଷା ଶେଷ କରି ଘରେ ରହନ୍ତି । ସେଥିପାଇଁ କଲେଜ ଶିକ୍ଷା ପାଇଁ କୌଣସି ଛାତ୍ରୀ ଯାଉ ନ ଥିଲେ ।

 

ରେଭେନ୍‌ସା କଲେଜରେ ଯେତେ ଜଣ ଅଧ୍ୟାପକ ଥିଲେ, ପ୍ରାୟ ସମସ୍ତେ ବଙ୍ଗାଳୀ । ଅଧ୍ୟକ୍ଷ ଥିଲେ–ଗୋରା ସାହେବ । ଓଡ଼ିଆ ଅଧ୍ୟାପକ ଆଦୌ ନ ଥିଲେ । ଅଧ୍ୟାପକମାନଙ୍କ ମଧ୍ୟରେ ବେଶ୍ ବିଦ୍ୱାନ୍ ଓ ସୁଦକ୍ଷ ଲୋକ ଥିଲେ । ଶୁଣା ଅଛି ପ୍ରସିଦ୍ଧ ପାଟୀ ଗଣିତ ଲେଖକ ବିପିନ ବିହାରୀ ଗୁପ୍ତ, ଗୋପାଳ ଚନ୍ଦ୍ର ଗାଙ୍ଗୁଲି, ଯୋଗେଶଚନ୍ଦ୍ର ରାୟ ପ୍ରଭୃତି ଗୋଟିଏ ଗୋଟିଏ ବିଦ୍ୟାରେ ପ୍ରବୀଣ ଲୋକ ବଛା ହୋଇ ରହିଥିଲେ ।

 

ଚନ୍ଦ୍ରମୋହନ ବାବୁଙ୍କ ବସା କଥା ଶୁଣନ୍ତୁ । ଚନ୍ଦ୍ରମୋହନ ବାବୁ ପିଲାମାନଙ୍କୁ ଶାସନ କରିବାରେ ଭାରି କଡ଼ା । ତାଙ୍କ ମୁଖଭଙ୍ଗୀ ଦେଖିଲେ ଯେ କୌଣସି ପିଲା ଡରିବ । ପୁଣି ଭଲ ଶିକ୍ଷକ । ଓଡ଼ିଆ, ଇଂରାଜୀ ଓ ସଂସ୍କୃତରେ ଜଣେ ପ୍ରବୀଣ ବ୍ୟକ୍ତି । ତାଙ୍କ ବସାରେ ଗୋଦାବରୀଶ ଥିଲାବେଳେ କୌଣସି ପୂଜାରୀ ବସାରେ ବେଶି ଦିନ ରହି ପାରୁ ନ ଥିଲେ । ତେଣୁ ଗୋଦାବରୀଶଙ୍କ ଉପରେ ତାଙ୍କ ବସାର ରୋଷେଇ ଭାର ପଡ଼ୁଥାଏ । ଦିନେ ଅଧେ ନୁହେଁ, ମାସରେ ପ୍ରାୟ ଚଉଦ ପନ୍ଦର ଦିନ । ଚନ୍ଦ୍ରମୋହନବାବୁ ଦରମା ପାଇଲା ଦିନ ଗୋଦାବରୀଶଙ୍କ ହାତରେ ଷାଠିଏଟି ଟଙ୍କା ଦେଇ ପକାଉଥିଲେ । ସେତକ ମାସକର ବସାଖର୍ଚ୍ଚ । ପ୍ରତିଦିନ ଯାହା ବଜାରରୁ କିଣା ହୋଇ ଆସେ, ତା’ର ହିସାବପତ୍ର ୟାଙ୍କ ଉପରେ ଥାଏ । ବେସର ବାଟିବାଠୁ ଆରମ୍ଭ କରି ପରଷିବା ପର୍ଯ୍ୟନ୍ତ ସବୁ କାମ ସେ କରନ୍ତି । କଲେଜରେ ପଢ଼ି, ଘରେ ଏତେଗୁଡ଼ିଏ କାମ କରିବା ସହଜ କଥା ନୁହେଁ । ମାତ୍ର ତାଙ୍କ ଦାରିଦ୍ର୍ୟ ଯୋଗେ ସେ ଏହା କରିବାକୁ ବାଧ୍ୟ ହେଉଥିଲେ । ଏ ସବୁ କାମ ଭିତରେ ପଢ଼ିବାକୁ ବେଶି ସମୟ ପାଉ ନ ଥିଲେ । ତଥାପି ପଢ଼ା ପଢ଼ିରେ ପାରୁ ପର୍ଯ୍ୟନ୍ତ ଲାଗି ଥାନ୍ତି । ବସାରେ ଶୋଇବାକୁ ଖଣ୍ଡିଏ ପଟି ଥାଏ । ମଶାରି ନ ଥାଏ । କଟକରେ ଯେ କେତେବେଳେ ମଶା ନ ଥାନ୍ତି, କହି ହେବନାହିଁ ।

 

ଥରେ ଗୋଟିଏ ଘଟଣା ଘଟିଲା । ପ୍ରତିଦିନ ଚନ୍ଦ୍ରମୋହନ ଓ ତାଙ୍କ ପୁଅ ଖାଇ ବସିଲାବେଳେ ଗୋଦାବରୀଶ ଭାତ ଡାଲି ସଙ୍ଗେ ଘିଅ ମଧ୍ୟ ପରଷନ୍ତି । କିନ୍ତୁ ଦିନେହେଲେ ସେ ସେଥିରୁ ଟିକିଏ ଖାଉ ନ ଥିଲେ । ଦିନେ କ’ଣ ମନ ହେଲା, ଚନ୍ଦ୍ରମୋହନ ବାବୁ ନ ଥିଲାବେଳେ ଘଡ଼ିରୁ ଟିକିଏ ଘିଅ କାଢ଼ି ଖାଇଦେଲେ । ଅବଶ୍ୟ ସେଦିନ କଥା ବାବୁ ଜାଣିପାରିଲେ ନାହିଁ, ମାତ୍ର ଦୋଷଟା ଘୋଡ଼େଇ ରଖିବାକୁ ତାଙ୍କର ମନ ହେଲାନାହିଁ । କୌଣସି ଘଟଣାରେ ଥରେ ସେ କଥା ବାବୁଙ୍କ କାନରେ ପକେଇ ଦେବେ ବୋଲି ଭାବିଲେ । ସୁଯୋଗ ଯୁଟୁ ନ ଥାଏ । ଦିନେ କ’ଣ ହେଲା, ଚନ୍ଦ୍ରମୋହନ ବାବୁ ଗୋଦାବରୀଶଙ୍କୁ ମାସିକ ଟଙ୍କା ନ ଦେଇ, ଦେଇଛି ବୋଲି ଧାରଣା କଲେ । ଟଙ୍କା ନ ପାଇବାରୁ ଗୋଦାବରୀଶ ତାଙ୍କୁ ମାଗିଲେ । ସେତିକିବେଳେ ଚନ୍ଦ୍ରମୋହନ ବାବୁ ନିଜ ପକେଟ୍ ଦେଖି ଜାଣିଲେ ଯେ, ସେ ଟଙ୍କା ଦେଇନାହାନ୍ତି । ଟଙ୍କା ଦେଲେ ଏବଂ କହିଲେ, ମୁଁ ଗୋଟାଏ ଭୁଲ୍ କଥା ଭାବିଥିଲି । ଏମିତ ସମୟରେ, ଗୋଦାବରୀଶ ଘିଅ କଥାଟି କହିଲେ । ବାବୁ ସେ କଥା କିଛି ଧଇଲେ ନାହିଁ, ବରଂ ନିଜେ ପ୍ରକାଶ କରି ଦେଇ ଥିବାରୁ ଆନନ୍ଦିତ ହେଲେ ।

 

ପ୍ରଥମ ବାର୍ଷିକ ଶ୍ରେଣୀ ଏହିପରି କଷ୍ଟେ ମଷ୍ଟେ ଗଲା । ଦ୍ଵିତୀୟ ବର୍ଷବେଳକୁ ପଢ଼ା ପଢ଼ିର ଅସୁବିଧା ଟିକିଏ ବଦଳିଗଲା । ବସାରେ ଗୋଟିଏ ପୂଜାରୀ ରହିଲା ଏବଂ ରଜନୀକୁ ପଢ଼ାଇବା ପାଇଁ ଆଉ ଜଣେ ଗୃହ ଶିକ୍ଷକ ମଧ୍ୟ ରଖାଗଲା । ପଢ଼ା ପଢ଼ିରେ ଯେଉଁ ବାଧା ଘଟୁଥିଲା ସେ ସେଥିରୁ ଟିକିଏ ନିସ୍ତାର ପାଇଲେ ।

 

ଗୋପବନ୍ଧୁ ସେତେବେଳେ କଟକରେ ରହି ‘ଉତ୍କଳ ସେବା ସମିତି’ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ିଥିଲେ । ତା’ର ବୈଠକ ବ୍ରଜ ସୁନ୍ଦର ଦାସଙ୍କ ଘରେ ହୁଏ । ସେଠାକୁ ଗୋଦାବରୀଶ, ନୀଳକଣ୍ଠ ପ୍ରଭୃତି ଆସନ୍ତି, ନାନା ଆଲୋଚନା କରାଯାଏ । ଆଲୋଚନାରେ ବେଶି ସମୟ ଯାଏ ସେବା କାର୍ଯ୍ୟ ପାଇଁ । କେଉଁଠି ମରୁଡ଼ି ହେଲା, କେଉଁଠି ବନ୍ୟା ହେଲା, କୁ’ଠି ଘର ପୋଡ଼ିଗଲା ଏହି ଭଳି କାର୍ଯ୍ୟରେ ଏମାନେ ଯାଇ ସାହାଯ୍ୟ କରନ୍ତି । ୧୯୦୭ ମସିହାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, କାଠଯୋଡ଼ୀ, କୁଆଖାଇ ପ୍ରଭୃତିରେ ଏକାବେଳେକେ ବଢ଼ି ହେଲା । ତାହା ଫଳରେ ଆଳି, କନିକା, କୁଜଙ୍ଗ ଅଞ୍ଚଳରେ ଏପରି ବନ୍ୟା ହେଲା ଯେ ଗାଁ ଗଣ୍ଡା ଭାସିଗଲା, ଲୋକେ ବଡ଼ ହଟହଟା ହେଲେ । ସେବା ଦଳର ପରିଚାଳକ ଥାନ୍ତି ଗୋପବନ୍ଧୁବାବୁ । କେତେ ଜଣ ପିଲାଙ୍କୁ ଧରି ସେ ଗୋଟିଏ ଆଡ଼େ ଗଲେ, ଗୋଦାବରୀଶ ଆଉ ଦୁଇ ତିନି ଜଣ ପିଲାଙ୍କ ସାଙ୍ଗରେ ଆଳି ଅଞ୍ଚଳକୁ ଗଲେ । ଚୁଡ଼ା, ଚାଉଳ ଯାହା ନେଇଥିଲେ, ବାଣ୍ଟିଲେ । ଲୋକଙ୍କୁ ନାନା ଭାବରେ ସାହାଯ୍ୟ କଲେ । କେତେ ଦିନ ରହିବା ପରେ ଜିନିଷପତ୍ର ସରି ଯିବାରୁ କଟକ ଫେରି ଆସିଲେ । ତାଙ୍କ ସାଙ୍ଗରେ ଯେ ମୁଖିଆ ହୋଇ ଯାଇଥିଲେ, ତାଙ୍କର ଶେଯ ଓ ଲୁଗାପଟା ନିଆ ଯାଉଥିଲା । ଆସିଲାବେଳକୁ ଜିନିଷପତ୍ର ଆଣିବା ପାଇଁ ଗୋଟିଏ ମୂଲିଆ କଲେ । ମାତ୍ର ଅଳ୍ପବାଟ ଆଣିବା ପରେ ପିଲାଙ୍କର ଧାରଣା ହେଲା–ୟେ ନେଇ ପାରିବ ନାହିଁ । ତେଣୁ ତାକୁ ପଇସା ପତ୍ର ଦେଇ ବିଦାୟ କରିଦେଲେ । ଗୋଦାବରୀଶଙ୍କ ସାଙ୍ଗରେ ଯେଉଁ ପିଲା ଯାଇଥିଲେ, ସେମାନେ ଧନୀଘରର ସନ୍ତାନ । ସେବା ମନୋବୃତ୍ତି ଥିଲେ ମଧ୍ୟ ଜିନିଷପତ୍ର ବୋହି ଆଣିବାକୁ ସେମାନେ ପସନ୍ଦ କଲେନାହିଁ । ଫଳରେ ଗୋଦାବରୀଶଙ୍କ ଉପରେ ସବୁ ପଡ଼ିଲା । ସେତକ ଜିନିଷ ସେ ମୁଣ୍ଡେଇ ମୁଣ୍ଡେଇ ବଡ଼ କଷ୍ଟରେ ଆଣିଲେ ।

 

କଟକରେ ଗୋଟିଏ ଆଶ୍ରମ ଥାଏ । ତା’ ନାଁ–ରାମକୃଷ୍ଣ ସେବାଶ୍ରମ । ସେଠାରେ କେତେ ଜଣ ପିଲା ରହି ପଢ଼ୁଥାନ୍ତି । ସାଧାରଣଙ୍କଠାରୁ ଭିକ୍ଷାଦ୍ଵାରା ଯାହା ଆଦାୟ ହୁଏ, ସେଥିରେ ସେବାଶ୍ରମ ଚଳେ । ପ୍ରତି ସପ୍ତାହରେ ଥରେ କଟକ ସହରରୁ ଚାଉଳ ଭିକ୍ଷା କରିବା ଭାର ଗୋଦାବରୀଶ ମୁଣ୍ଡେଇ ଥାନ୍ତି । କୃଷ୍ଣଚନ୍ଦ୍ର ସେନ୍‌ଗୁପ୍ତ ତାଙ୍କର ସହପାଠୀ । ଏ ଦୁହେଁ ପ୍ରତି ସପ୍ତାହରେ ଚାଉଳ ଭିକ୍ଷା କରି ଆଶ୍ରମକୁ ଦିଅନ୍ତି ।

 

ଥରେ ଗୋପବନ୍ଧୁ ତାଙ୍କ ସେବାସମିତିର ସଭ୍ୟମାନଙ୍କୁ ଧବଳେଶ୍ଵର ମନ୍ଦିରଠାକୁ ନେଲେ । ଯାହାର ଯାହା ଇଚ୍ଛା ଗୋଟିଏ ଗୋଟିଏ ନୀତି ପାଳନ କରିବା ପାଇଁ ତାଙ୍କୁ କହିଲେ ଏବଂ ଖଣ୍ଡିଏ ଖଣ୍ଡିଏ କାଗଜରେ ଦୟା, କ୍ଷମା, ସାହସ, ସତ୍ୟ, ନ୍ୟାୟ ଏହିପରି କେତେଗୁଡ଼ିଏ ଗୁଣର ନାମ ଲେଖିଦେଲେ । ଏଥିରୁ ଗୋଟିଏ ଗୋଟିଏ ଗୁଣ ଜୀବନ ତମାମ ଆଚରଣ କରିବା ପାଇଁ ସେ ଶପଥ ଗ୍ରହଣ କରିବା କଥା ହେଲା । ପ୍ରତ୍ୟେକ ଗୋଟିଏ ଗୋଟିଏ ଗୁଣ ଆଚରଣ କରିବା ନିମନ୍ତେ ଶପଥ ନେଲେ । ଗୋଦାବରୀଶ ସତ୍ୟ ଗୁଣଟି ଆଚରଣ କରିବେ ବୋଲି ଧବଳେଶ୍ଵରଙ୍କ ପାଖେ ସଂକଳ୍ପ କଲେ । କାର୍ଯ୍ୟସାରି ଯଥା ସ୍ଥାନକୁ ସମସ୍ତେ ଫେରିଲେ । ସେହି ଦିନଠାରୁ ଦେଖା ଅଛି ଗୋଦାବରୀଶ ଯେଡ଼େ ଅସୁବିଧାରେ ପଡ଼ିଲେ ମଧ୍ୟ ସତ କହିବାକୁ ପଛାନ୍ତି ନାହିଁ । କୌଣସି କୌଣସି ଘଟଣାରେ ହୁଏତ ଏ ବ୍ରତ ପୂରା ପାଳନ କରି ନ ଥିବେ, ନଚେତ୍ ଜୀବନରେ ନାନା ଦୁଃସମୟରେ ସୁଦ୍ଧା ବ୍ରତ ରକ୍ଷା ପାଇଁ ଯତ୍ନ କରିବାର ଦେଖା ଯାଇଛି ।

 

କଟକରେ ପଢ଼ିଲାବେଳେ ସେ ଏଣ୍ଟ୍ରାନ୍‌ସ ପରୀକ୍ଷାର ବୃତ୍ତି ଦଶ ଟଙ୍କା ଲେଖାଏଁ ପାଉଥିଲେ । ସେଥିରୁ ଚାରି ଟଙ୍କା କଲେଜର ଦରମା ଦେଉଥିଲେ, ଟଙ୍କାଟିଏ ନିଜ ଖର୍ଚ୍ଚ ପାଇଁ ରଖୁଥିଲେ । ବାକି ପାଞ୍ଚ ଟଙ୍କା ଘରକୁ ପଠଉ ଥିଲେ । ସେତେବେଳେ ତାଙ୍କ ଘରେ ବୁଢ଼ୀ ମା, ସାନ ଭଉଣୀ ଓ ତାଙ୍କ ସ୍ତ୍ରୀ ଥିଲେ । ଏ ତିନିଙ୍କ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ପଠାଉଥିଲେ, ସେଥିରେ ସେମାନେ କଷ୍ଟେ ମଷ୍ଟେ ଚଳୁଥିଲେ । ଏହା ଛଡ଼ା ତାଙ୍କର ଦି ମାଣ ଜମି ଥାଏ । ସେଥିରୁ କିଛି ଧାନ ଆଦାୟ ହୁଏ । ପୁଣି ଛୁଟିମାନଙ୍କରେ ଥରେ ଥରେ ସେ ଯାଇ ଘରେ ରହୁଥିଲେ । ଥରେ ଦଶହରା ଛୁଟିରେ ଗୋଦାବରୀଶ ଘରକୁ ଯାଇଥିଲେ । ଭଉଣୀଟି ହଇଜା ରୋଗରେ ପଡ଼ିଥାଏ । ଆଗରୁ କିଛି ଚକିତ୍ସା ହୋଇ ପାରି ନ ଥିଲା । ୟେ ଯିବା ପରେ ଡାକ୍ତରଖାନାରୁ ଔଷଧ ଆଣି ଦେଲେ । ଦିନେ ସେ ଡାକ୍ତର ଖାନାରୁ ଔଷଧ ଧରି ଘରକୁ ତରବର ହୋଇ ଆସିଲାବେଳକୁ ବାଟରେ ଶୁଣିଲେ ଯେ ଭଉଣୀଟି ଶେଷ ହୋଇଗଲାଣି । ସେ ଭଉଣୀଟିକୁ ଭାରି ଭଲପାନ୍ତି । ସେ ବିଷୟରେ ସେ କେତେଗୋଟି କବିତା ମଧ୍ୟ ଲେଖିଛନ୍ତି ।

 

ସେତେବେଳେ ବାଣପୁରରେ ଯେଉଁ ବଡ଼ ବଡ଼ ହାକିମ ଥାନ୍ତି, ସେମାନେ ଇଚ୍ଛା ଅନୁସାରେ କାହାକୁ ଭୟ ନ କରି ଚଳୁଥାନ୍ତି । ନିଜ ବିଭାଗରୁ ଯେତେ ପ୍ରକାର ଆୟ କରିପାରନ୍ତି, କରନ୍ତି । ଗୋଦାବରୀଣ ବାଣପୁର ଗଲେ ଏ ସବୁ କଥା ଶୁଣି ସହି ପାରନ୍ତିନାହିଁ; ପ୍ରଜାଙ୍କ ସୁବିଧା କରିବା ପାଇଁ ଲାଗି ପଡ଼ନ୍ତି । ହାକିମମାନଙ୍କର ଏ ଅନ୍ୟାୟ କାର୍ଯ୍ୟ ବିଷୟରେ ସେ ଉପର ହାକିମମାନଙ୍କୁ ଲେଖାଲେଖି କରିବା ଫଳରେ କେତେଜଣଙ୍କର ଦୂରକୁ ବଦଳି ହୋଇଗଲା ଓ କେହି କେହି ଚାକିରିରୁ ମଧ୍ୟ ବାହାର ହେଲେ । କେତେଦିନ ପରେ ଧାରଣା ହେଲା ଯେ ୟେ ସରକାରୀ ହାକିମମାନଙ୍କର ବିରୋଧିଲୋକ । ତେଣୁ ତାଙ୍କୁ ହଟହଟା କରିବା ପାଇଁ ସେମାନେ ନାନା ଉପାୟ ଖଞ୍ଜିବାରେ ଲାଗିଲେ । ମାତ୍ର ଫଳ କିଛି ହେଲାନାହିଁ । କେବଳ ଏତିକି ହେଲା–ହାକିମମାନେ ଚିହ୍ନା ପଡ଼ିଲେ । ଏ ସମ୍ପର୍କରେ କେତେ କଥା ତ ଘଟିଛି, ସେଥିରୁ ଗୋଟିଏ କଥା କହୁଛି ।

 

ଦିନେ ତାଙ୍କ ଦୁଆରରେ ଗୋଇଠାମାଡ଼ ହେବାରୁ ସେ ଦୁଆର ଫିଟାଇ ଦେଖନ୍ତି, ଜଙ୍ଗଲ ବିଭାଗର କେତେ ଜଣ ଗାର୍ଡ଼, ଚପରାଶୀ ତାଙ୍କୁ ଧରିନେବାକୁ ଆସିଛନ୍ତି । ସେଥର ସେ ଗଲେନାହିଁ-। ତା’ପରେ ପୋଲିସ୍ କନେଷ୍ଟବଲ୍‍ କେତେ ଜଣ ଆସିଲେ, ତଥାପି ସେ ଗଲେନାହିଁ । ସେତେବେଳେ ବାଣପୁରରେ ଲିଙ୍ଗରାଜ ପଟ୍ଟଯୋଷୀ ଥାନ୍ତି । ପ୍ରାୟ ସବୁ ବିଭାଗରେ ତାଙ୍କର ଟିକିଏ ହାତ ଥାଏ । ସେ ଏ ଘଟଣା ଶୁଣି କଥାଟାକୁ ଦବାଇ ଦେଲେ ।

 

ବାଣପୁରର ଏହି ଅନ୍ୟାୟ ଅତ୍ୟାଚାରମୂଳକ କାର୍ଯ୍ୟର ପ୍ରତିକାର କରିବା ପାଇଁ ଗୋଦାବରୀଶ, ଲିଙ୍ଗରାଜ ପଟ୍ଟଯୋଷୀ, ଦୟାନିଧି ମିଶ୍ର ପ୍ରଭୃତି କେତେ ଜଣଙ୍କୁ ଘେନି ଗୋଟିଏ ସମିତି ଗଢ଼ିଲେ । ତା’ ନାଁ ଦେଲେ–ଭଗବତୀ ପ୍ରସାଦିନୀ ସମିତି । ବାଣପୁରର ଷାଠିଏ ସତୁରି ହଜାର ଲୋକଙ୍କ ଭିତରେ କଲେଜପଢ଼ୁଆ ପିଲା, ସେତେବେଳକୁ କେବଳ ଗୋଦାବରୀଶ । ତାଙ୍କ କଥାରେ ଲୋକଙ୍କର ବିଶ୍ଵାସ ଥାଏ । ସମୟେ ସମୟେ ଏ ସମିତିର ବୈଠକ ବସେ । ନାନା ଲାଞ୍ଚ-ମିଛ ସମ୍ପର୍କରେ ଆଲୋଚନା ହୁଏ । କୌଣସି କୌଣସି ଘଟଣା ଉପର ହାକିମମାନଙ୍କର ପାଖକୁ ଲେଖାଯାଏ । ମାତ୍ର ଏ ସମିତିର ସଭ୍ୟମାନଙ୍କ ଉପରେ ହାକିମମାନଙ୍କର କଡ଼ା ଦୃଷ୍ଟି ପଡ଼ିବାରୁ ସଭ୍ୟମାନେ ସମିତିର ବୈଠକରେ ଯୋଗଦେବାକୁ ଡରିଲେ । ଏ ସମିତିର କାର୍ଯ୍ୟ ପ୍ରକୃତରେ କ’ଣ, ତାହା ତନଖି କରିବାକୁ ଜଣେ ଶିକ୍ଷା ବିଭାଗୀୟ ହାକିମ ଆସିଲେ । ସେ ସପ୍ତାହେ ପର୍ଯ୍ୟନ୍ତ ରହି ଘଟନା ସବୁ ବୁଝିଲେ । ଏ ସମିତିରେ କେତେଜଣ ଶିକ୍ଷକଙ୍କର ସମ୍ପର୍କ ଥିବାରୁ ଶିକ୍ଷାବିଭାଗୀୟ ହାକିମଙ୍କ ଉପରେ ତଦନ୍ତଭାର ପଡ଼ିଥିଲା । ତାଙ୍କ ତଦନ୍ତ ପରେ ଘଟନା ଜଣାଗଲା ଯେ ସମିତି ଯେଉଁ ଆପତ୍ତି ସବୁ କରୁଛନ୍ତି, ତାହା ଠିକ୍ । ପରେ କେତେଜଣ ହାକିମଙ୍କର ମଧ୍ୟ ବଦଳି ହୋଇଗଲା ।

 

ଛାତ୍ରଜୀବନରୁ ଗୋଦାବରୀଶ ଲେକକଲ୍ୟାଣ ଦିଗରେ ଲାଗିଥିଲେ । ଅବଶ୍ୟ ହାତରେ ଧନ ନ ଥିଲା, ମାତ୍ର ସତ୍‌ସାହସ ଓ ସେବାଭାବ ଥିବାରୁ ନାନା କାର୍ଯ୍ୟ କରିପାରୁଥିଲେ । ସେତେବେଳେ ଇଂରେଜ ରାଜତ୍ୱ ସମୟ । ତଥାପି କାହାକୁ ଭ୍ରୂକ୍ଷେପ ନ କରି ସେ ବିଭିନ୍ନ କାର୍ଯ୍ୟରେ ଲାଗିଥିଲେ ।

 

ଆଜିକାଲି ନାନାପ୍ରକାର ଆଲୁଅ ବାହାରିଲାଣି । ଗୋଦାବରୀଶ କଲେଜରେ ପଢ଼ଥିଲାବେଳେ ୧୯୧୦ ମସିହାରେ ସେ ଗାଁକୁ ଗୋଟିଏ ଲଣ୍ଠନ ନେଇଥିଲେ । ସେତେବେଳେ ଅଟା ବା ନିଆଁ ହୁଳା ଧରି ଲୋକେ ରାତିରେ ଯିବା ଆସିବା କରନ୍ତି । ଘରେ ଘରେ ଡିବି ଥାଏ । ତା’ ଛଡ଼ା ଚାରିପାଖେ ଖଣ୍ଡେ ଖଣ୍ଡେ କାଚ ଦିଆହୋଇ ତା’ ଭିତରେ ଗୋଟିଏ ଡିବି ଜଳୁଥାଏ । ତାକୁ ‘ନାଆନ୍ତରା’ କହୁଥିଲେ । ତା’ ମଧ୍ୟ କେହି କେହି କଦବା ବ୍ୟବହାର କରନ୍ତି । କିନ୍ତୁ ଏ ଲଣ୍ଠନ କେହି ଦେଖି ନ ଥିଲେ । ତା’ର ଉଜ୍ଜ୍ୱଳ ଆଲୁଅ ଦେଖି ଲୋକେ ତାଟକା ହେଲେ ।

 

ଗାଁ ଗଣ୍ଡାରେ ଇଂରାଜୀ ସ୍କୁଲ ପ୍ରାୟ ନଥାଏ । କୌଣସି କୌଣସିଠି ଗୋଟିଏ ଗୋଟିଏ ଭର୍ଣ୍ଣାକୁଲର ସ୍କୁଲ ଥାଏ । ଇଂରାଜୀ ଛଡ଼ା ମାଇନର ସ୍କୁଲର ଅନ୍ୟାନ୍ୟ ପାଠ୍ୟ ସେଠି ପଢ଼ାଯାଏ । ଭୀମପୁରର ମଧ୍ୟ-ଭର୍ଣ୍ଣାକୁଲର ସ୍କୁଲଟି ଭାଙ୍ଗିଯିବାରୁ ବାଣପୁର ବଜାରରେ ଆଜିକାଲି ଯେଉଁଠି ରାସମଣ୍ଡପ ଅଛି, ତାରି ପାଖରେ ଏ ମଧ୍ୟ-ଭର୍ଣ୍ଣାକୁଲର ସ୍କୁଲଟି କରାଗଲା । ୧୯୧୨-୧୩ ମସିହାବେଳକୁ ଗୋଦାବରୀଶଙ୍କ ଯତ୍ନରେ ମାଇନର ସ୍କୁଲଟିଏ ବସାଇବା ପାଇଁ ବ୍ୟବସ୍ଥା ହେଲା । ୧୯୧୪ ମସିହାରେ ପ୍ରଥମେ ବାଣପୁରରେ ମାଇନର ସ୍କୁଲ ସ୍ଥାପନ କରାଗଲା । ଲିଙ୍ଗରାଜ ପଟ୍ଟଯୋଷୀ ସେ ସ୍କୁଲର ସମ୍ପାଦକ ହେଲେ । ଭୁବନେଶ୍ଵରର ରଘୁନାଥ ମହାପାତ୍ର ପ୍ରଧାନ ଶିକ୍ଷକ ହୋଇ ଆସିଲେ । ତାଙ୍କ ସ୍ଥାପିତ ସ୍କୁଲଟି ଏ ପର୍ଯ୍ୟନ୍ତ ଅଛି । ବର୍ତ୍ତମାନ ସେଥିରେ ହାଇସ୍କୁଲ ଗଢ଼ିବା ଅଭିପ୍ରାୟରେ ଉଚ୍ଚଶ୍ରେଣୀ ଖୋଲାଯାଇଛି ।

 

ଗୋଦାବରୀଶ ନାନା ଅସୁବିଧା ଭିତରେ କଟକରେ ରହି ଏଫ୍.ଏ. ପାସ୍ କଲେ । ସେଥିରେ ମଧ୍ୟ ବୃତ୍ତି ପାଇଲେ । ଏହାପରେ ବି.ଏ. ପଢ଼ିଲେ । ସେତେବେଳକୁ ରେଭେନ୍‌ସା କଲେଜ ସେଇ ନର୍ମାଲ୍ ସ୍କୁଲ ପାଖରେ କାଠଯୋଡ଼ୀ କୂଳରେ ଥିଲା । ଚନ୍ଦ୍ରମୋହନ ବାବୁଙ୍କ ବସାରେ ରହି ପଢ଼ୁଥିଲାବେଳେ ଅବଶ୍ୟ ସମୟେ ସମୟେ ତାଙ୍କର ଅସୁବିଧା ହୁଏ । ନିୟମିତ ଭାବରେ ପଢ଼ାପଢ଼ି କରିପାରନ୍ତି ନାହିଁ । ବି.ଏ. ଶ୍ରେଣୀ ହେଲାରୁ ପଢ଼ାପଢ଼ି ବିଷୟରେ ଟିକିଏ ବେଶି ପରଶ୍ରମ କରିବାକୁ ପଡ଼ିବ ଭାବି ଛାତ୍ରାବାସକୁ ଚାଲିଗଲେ । ଏଫ୍.ଏ. ପରୀକ୍ଷାର ବୃତ୍ତି ପାଉଥାନ୍ତି–ଦଶ ଟଙ୍କା । ଏଣିକି ସେତକ ନଅଣ୍ଟ ହେଲା । ତେଣୁ ସେଥିରୁ ବଳେଇ ଆଉ ଘରକୁ କିଛି ପଠେଇ ପାରିଲେନାହିଁ । ସେଥିପାଇଁ ବୋହୂ ଓ ଗୋସେଇଁଶାଶୁ ଦିହେଁଯାକ ଦିନେ ଦିନେ ଉପାସ ଭୋକରେ ମଧ୍ୟ ରହିଯାନ୍ତି । ଅଭାବରେ ପଡ଼ିବା ସମୟରେ କାହା କାହାଠାରୁ ଧାର ଉଧାର ସୂତ୍ରରେ ଆଣି କୌଣସିମତେ ଚଳନ୍ତି ।

 

ସାତ

 

ଦିନେ ଚନ୍ଦ୍ରମୋହନ ବାବୁ ଆସି ତାଙ୍କୁ ଛାତ୍ରାବାସରୁ ନିଜ ବସାକୁ ନେଇଗଲେ । କେତେଦିନ ରହିଛନ୍ତି କି ନାହିଁ, ପୁଣି ଛାତ୍ରାବାସକୁ ସେ ଫେରି ଆସିଲେ । ନୀଳକଣ୍ଠ ବାବୁ, କୃପାସିନ୍ଧୁ ମିଶ୍ର ଏମାନେ ମଧ୍ୟ ସେତେବେଳେକୁ ସେଠି ପଢ଼ୁଥିଲେ । ଗୋଦାବରୀଶ, ନୀଳକଣ୍ଠ ବାବୁଙ୍କ ବସାରେ ରହିଲେ । ଏ ତିନିଜଣଯାକ ଏକା କୋଠରୀରେ ରହି ପରସ୍ପରଠାରୁ ସାହାଯ୍ୟ ପାଇ ପଢ଼ିବାକୁ ଲାଗିଲେ । ସେତେବେଳେ ମେସ୍ ଖର୍ଚ୍ଚ ପଡ଼ୁଥିଲା–ମାସିକ ପାଞ୍ଚଟଙ୍କା ଦଶଅଣା । ସକାଳ ଜଳଖିଆ, ଉପରଓଳି ଜଳଖିଆ ଓ ଦୁଇ ଥର ଭାତ ଖାଇବାକୁ ହୁଏ । ଗୋଦାବରୀଶ ସକାଳ ଜଳଖିଆଟା ଖାଆନ୍ତି ନାହିଁ କେବଳ ପଇସା ଅଭାବରୁ, ଭୋକ ଯେ ନ ହୁଏ, ତା’ ନୁହେଁ । ଉପରଓଳି ଗୋଟିଏ ଉପାୟ କରନ୍ତି । କଲେଜରୁ ଆସିବା ସଙ୍ଗେ ସଙ୍ଗେ ବୁଲିବାକୁ ପଳାନ୍ତି । ସୁତରାଂ ଉପରଓଳି ଜଳଖିଆ ମଧ୍ୟ ସେ ଖାଆନ୍ତି ନାହିଁ । ମାତ୍ର ଅଭାବଟା ପିଲାମାନେ ଯେପରି ନ ଜାଣି ପାରିବେ, ସେହିପରି ଭାବରେ ନିଜ ଭଦ୍ରତା ଜଗି ଚଳନ୍ତି । ମାସିକ ପାଞ୍ଚ ଟଙ୍କା ଦଶଅଣା ମେସ୍ ଖର୍ଚ୍ଚ ବାଦ୍ ଜାଲିଖିଆ ବାବଦକୁ ଅଧିକ ଦେବାକୁ ପଡ଼େ । ତେଣୁ ସେ ଏହି ଉପାୟ କରୁଥିଲେ ।

 

ପଢ଼ାପଢ଼ି ଭିତରେ ଏତେ ଅଭାବରେ ଚଳିବା ଫଳରେ ତାଙ୍କର ଗୋଟିଏ ସୁବିଧା ଥାଏ ଯେ ଅଧ୍ୟାପକମାନଙ୍କଠାରୁ ଯାହା ଶୁଣନ୍ତି, ସେତକରେ ସେ ବିଶେଷ ଲାଭବାନ୍ ହୁଅନ୍ତି । ବେଶି ସମୟ ବହିଧରି ସେ ପଢ଼ିପାରନ୍ତି ନାହିଁ । ସେତେବେଳେ ବିଚାରିଲେ–ଏଥର ଆଉ ପଢ଼ାପଢ଼ି ନ କରି ଚାକିରି ଖଣ୍ଡିଏ ମିଳିଲେ କରିବି । ପୁଣି ଭାବିଲେ, କୌଣସିଠି ଗୃହଶିକ୍ଷକ ହେବାକୁ ଯୁଟିଲେ ମଧ୍ୟ କରନ୍ତି । ନାନା କଥା ମନକୁ ଆସିଲେ ମଧ୍ୟ ସେସବୁ କିଛି ହେଲାନାହିଁ ।

 

କଲେଜ ଛାତ୍ରମାନଙ୍କଦ୍ୱାରା ‘‘ତରୁଣ ଉତ୍କଳ ସଂଘ’’ ନାମରେ ଗୋଟିଏ ସଂଘ ଗଢ଼ା ହୋଇଥିଲା । ତା’ର ସମ୍ପାଦକ ଥିଲେ–ନିଜେ ଗୋଦାବରୀଶ । ତା’ ସଙ୍ଗେ ଗୋପବନ୍ଧୁ ବାବୁ, ବ୍ରଜସୁନ୍ଦର ଦାସ ଓ ବିଶ୍ୱନାଥ କରଙ୍କର ମଧ୍ୟ ସମ୍ପର୍କ ଥାଏ । ସେ ସଂଘର ବୈଠକ ବସେ, ବ୍ରଜସୁନ୍ଦର ଦାସଙ୍କ ବାସଭବନର ଏକ ଅଗଣାରେ; ତା’ର ଉଦ୍ଦେଶ୍ୟ କେବଳ ସାହିତ୍ୟଚର୍ଚ୍ଚା । ଏହାଛଡ଼ା ବେଳେ ବେଳେ ଖେଳକସରତ୍ ମଧ୍ୟ ହୁଏ । ଖେଳକସରତ୍‍ ହୁଏ ଗୋପବନ୍ଧୁଙ୍କ ବସାରେ-। ସେଠାରେ ମୁଦ୍‌ଗର, ବାଡ଼ିଖେଳ ତ ହୁଏ, ପୁଣି ଅନ୍ୟାନ୍ୟ ଖେଳ ମଧ୍ୟ ହୁଏ । ଶାରୀରିକ ଓ ମାନସିକ ଚର୍ଚ୍ଚା ଉଭୟରେ ସେମାନେ ଦେଶର ଉପଯୁକ୍ତ ସନ୍ତାନ ହୋଇ କିପରି ବାହାରିବେ, ଏହି ଲକ୍ଷ୍ୟରେ ଏସବୁ କରନ୍ତି । ଏହି ବୈଠକ ହୁଏ ରାତିରେ । ଏଥିରେ ନୀଳକଣ୍ଠ ବାବୁ ମୁଖ୍ୟ ହୋଇଥାନ୍ତି । ଖେଳକସରତ୍‍ ତ ହୁଏ, ତା’ ସଙ୍ଗେ ସଙ୍ଗେ ଗୋପବନ୍ଧୁ ଏମାନଙ୍କ ହୃଦୟରେ ଦେଶାତ୍ମବୋଧ ଖେଳାଇବା ପାଇଁ ନାନା କାହାଣୀ କହନ୍ତି । ଏପରି ଭାବରେ କଥାଗୁଡ଼ିକ କହନ୍ତି ଯେ ସେଥିରେ ଏମାନେ ତନ୍ମୟ ହୋଇଯାନ୍ତି । କେଉଁଦିନ ଫରାସୀ ରାଷ୍ଟ୍ରବିପ୍ଳବ କଥା, କେଉଁଦିନ ଇଟାଲୀର ସ୍ଵାଧୀନତା କାହାଣୀ କହନ୍ତି । ଯୁବକପ୍ରାଣ ସେଥିରେ ଏକପ୍ରକାର ତରଳି ଯାଏ । ଯେ କୌଣସି ଘଟଣାରେ ଦେଶପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଯାନ୍ତି ।

 

୧୯୦୫ ମସିହାରେ ବଙ୍ଗବିଚ୍ଛେଦ ଆନ୍ଦୋଳନ ଲାଗିଲା; ଫଳରେ ନାନା ବିଭ୍ରାଟ ସୃଷ୍ଟି ହେଲା । ସେହି ଘଟଣାରେ ଯେଉଁମାନେ ନେତୃସ୍ଥାନୀୟ ହୋଇଥିଲେ–ଆନ୍ଦୋଳନ ପ୍ରବଳ ହେବାରୁ ସେମାନେ ଧରାହେଲେ । ଆନ୍ଦୋଳନର ବାତ୍ୟା ଓଡ଼ିଶାରେ ଆସି ଖେଳିଲା । ୟାଙ୍କର ଏହି ବୈଠକରେ ସେସବୁ ବିଷୟରେ ଆଲୋଚନା କରାଗଲା । ସରକାରଙ୍କ ପକ୍ଷର ଲୋକେ ଯେତେବେଳେ ଜାଣିପାରିଲେ ଯେ ଏଠି କେତେଜଣ ବିପ୍ଳବୀ ଗଢ଼ା ହେଉଛନ୍ତି, ସେତେବେଳେ ସରକାର ତା’ ଉପରେ ତୀବ୍ର ଦୃଷ୍ଟି ପକାଇଲେ । ତଥାପି ଏମାନେ ଦବିଲେ ନାହିଁ । ଖୁଦୀରାମ ବୋଷ ଯେଉଁଦିନ ଫାଶି ପାଇଲେ, ସେଦିନ ଏ ଦଳର ସଭ୍ୟମାନେ ଉପବାସ କଲେ; କଲେଜକୁ ଗଲେନାହିଁ ।

 

ଗୋଦାବରୀଶ ଅଭାବରେ ପଡ଼ି ତ ଗୃହଶିକ୍ଷକତା ଖୋଜୁଥିଲେ, ମାତ୍ର ପାଇଲେ ନାହିଁ । ଥରେ ପ୍ରବେଶିକା ପରୀକ୍ଷା ଦେବାପାଇଁ ବାହାରୁ କଟକକୁ ପିଲାମାନେ ଆସିଲେ । ସେତିକିବେଳେ ଏ ଦଳପକ୍ଷରୁ ସମ୍ବର୍ଦ୍ଧନା କରାଗଲା । ସେହି ସମୟରେ ଗୋଦାବରୀଶ ସେକ୍‌ସପିୟର, ଜୁଲିୟସ୍ ସିଜର ନାଟକରୁ କେତେ ଅଂଶ ଅଭିନୟ ଦେଖାଇଥିଲେ । ତାଙ୍କର ଇଂରାଜୀ ଉଚ୍ଚାରଣ ଓ ଅଭିନୟ ଢଙ୍ଗରେ ଖାଲି ପିଲାମାନେ କ’ଣ, ଉପସ୍ଥିତ ଅଧ୍ୟାପକମାନେ ମଧ୍ୟ ବିସ୍ମିତ ହେଲେ । ତାହାପରେ କଲେଜର ଜଣେ ଅଧ୍ୟାପକ ଗୋଦାବରୀଶଙ୍କୁ ଡାକି କହିଲେ,–ତୁମେ କାଲିଠୁ ଆସି ମୋ ପୁଅ ଚାରୁକୁ ଗୃହ ଶିକ୍ଷକରୂପେ ପଢ଼ାଅ । ସେଦିନଠାରୁ ଏ ବାବଦରେ ସେ କିଛି ପଇସା ମଧ୍ୟ ପାଇଲେ । ୧୯୧୦ ମସିହାରେ ବି.ଏ. ପରୀକ୍ଷା ଦେବା ପାଇଁ କଲିକତା ଯିବା କଥା ହେଲା । ସେତେବେଳେ ସେଇଠି ଏ ପରୀକ୍ଷା ହେଉଥିଲା । ପରୀକ୍ଷାର ମାସକ ପୂର୍ବରୁ କଲିକତା ଯିବେ ବୋଲି ସବୁ ଠିକ୍ କଲେ; ମାତ୍ର ପରୀକ୍ଷା ଫିସ୍ ଓ ମାସକର ଖର୍ଚ୍ଚ ଠିକଣା କରି ପାରିଲେ ନାହିଁ । ସେ କଥା ତାଙ୍କର ଜଣେ ଅଧ୍ୟାପକ ଶୁଣି ଏ ଖର୍ଚ୍ଚତକ ସାହାଯ୍ୟ କରିବାକୁ କହିଲେ । ପୁରୀରେ ସଦାଶିବ କାବ୍ୟକଣ୍ଠ ଗୋଦାବରୀଶଙ୍କର ଏ ଅଭାବ କଥା ଶୁଣି ବ୍ରାହ୍ମଣ ସମିତି ପକ୍ଷରୁ ପଚାଶ ଟଙ୍କା ପଠାଇଦେଲେ । କୌଣସି ଅନୁଷ୍ଠାନରୁ ବା କାହାରିଠାରୁ ଏପରି ମାଗଣା ନେବାକୁ ସେ ପସନ୍ଦ କରୁ ନ ଥିଲେ; କିନ୍ତୁ ନିତାନ୍ତ ଅଭାବ ଥିବାରୁ ରଖିଲେ । ମାତ୍ର ଏ ଟଙ୍କା ଫେରାଇ ଦେବେ ବୋଲି କହି ପଠାଇଲେ । ସେ ଯାହା ମାସକ ପୂର୍ବରୁ ଯିବେ ବୋଲି ଭାବିଥିଲେ, ଏହି କାରଣରୁ ଯାଇପାରିଲେ ନାହିଁ । ପରୀକ୍ଷା ମାର୍ଚ୍ଚମାସ ପନ୍ଦରରେ ଆରମ୍ଭ ହେବା କଥା, ସେ ଏଗାର ତାରିଖରେ ଯାଇ ପହଞ୍ଚିଲେ । ସେତେବେଳକୁ ପରୀକ୍ଷା ଆଉ ଚାରି ଦିନ ଅଛି ।

 

ସେ ଦର୍ଶନଶାସ୍ତ୍ରରେ ବି.ଏ. ପରୀକ୍ଷା ଦେଇଥିଲେ । ଯଥାସମୟରେ ଫଳ ବାହାରିଲା, ସେ ବି.ଏ. ପାସ୍‍ କଲେ ।

 

ବି.ଏ. ପଢ଼ିବା ବର୍ଷ ସେ ପୁରୀ ସମୁଦ୍ରକୂଳରେ କେତେଦିନ ଗୋଟିଏ ଆଶ୍ରମରେ ଥିଲେ-। ଥରେ ସେ ଓ ଆଉ ଗୋଟିଏ ପିଲା ମିଶି ସମୁଦ୍ରକୁ ଗାଧୋଇବାକୁ ଗଲେ । ଗାଧୋଉ ଗାଧୋଉ ଆର ପିଲାଟିର ଗୋଡ଼ ଖସି ସୁଅମୁହଁକୁ ଚାଲିଗଲା । ୟେ ମଧ୍ୟ ସେହି ଅବସ୍ଥାରେ ପଡ଼ିଲେ । ଉପରକୁ ଉଠିବାକୁ ଯେତେ ଚେଷ୍ଟାକଲେ ମଧ୍ୟ ପାରିଲେ ନାହିଁ । ପାଣି ପିଇଦେଇ ଆକତା ହୋଇଗଲେ । ଦୈବାତ୍ ତାଙ୍କ ଗୋଡ଼ ଠାଏ ଲାଗି ଅଟକିଗଲା । ସେ ପିଲାଟି ଭାସି ଭାସି ଯାଉଥାଏ, ପାଖଆଖରେ କେହି ନ ଥାନ୍ତି । ଆଉ କିଛି ଉପାୟ ନ ଦେଖି ଗୋଦାବରୀଶ ନିଜ ପିନ୍ଧାଲୁଗାଟି ଫିଟାଇ ସେ ପିଲାଆଡ଼କୁ ଫିଙ୍ଗିଦେଲେ । ସେ ହାତରେ ଧରି ନ ପାରି ଦାନ୍ତରେ କାମୁଡ଼ି ଧଇଲା । ୟେ ତାକୁ ସୁଅ ଭିତରୁ ବଳେ ବଳେ ଭିଡ଼ି ଆଣିଲେ । ଦୁହେଁ ଦୈବାତ୍ ରକ୍ଷା ପାଇଗଲେ ।

 

ଆଜିକାଲି ବିଦ୍ୟାଳୟକୁ ନ ଯାଇଥିବା ପିଲା ମଧ୍ୟ ଚଟି, ଯୋତା, ମୋଜା ଲଗାଉଛନ୍ତି; ମାତ୍ର ସେ ବି.ଏ. ପରୀକ୍ଷାକୁ ଗଲାବେଳେ ମଧ୍ୟ ଯୋତା ଲଗାଇ ନ ଥିଲେ । ଖାଲି ଯେ ସେ ଲଗେଇ ନ ଥିଲେ ତା’ ନୁହଁ; ସେତେବେଳେ ଏସବୁର ଏତେ ବ୍ୟବହାର ନ ଥିଲା । କେବଳ ଗୋଦାବରୀଶ ଖଣ୍ଡିଏ କାମିଜ ବା କୁରୁତା ଲଗାଉଥିଲେ । ତାହା ମଧ୍ୟ ଅଳ୍ପଦିନ ହେଲା । ଦେଶର ଦାରିଦ୍ର୍ୟ ଯେ ଏତେ ବଢ଼ିଯାଇଛି, ତାହାର ମୂଳରେ ବିଳାସବ୍ୟସନ ରହିଛି । ଲୋକେ ଖାଇବା ପିଇବା ଦିଗରେ ଯେତେ ଖର୍ଚ୍ଚ କରୁନାହାନ୍ତି, ବାହ୍ୟ ଚାକଚକ୍ୟ ବଢ଼ାଇବାରେ ତାହାଠାରୁ ବେଶି ଖର୍ଚ୍ଚ କରୁଛନ୍ତି । ତେଣୁ ଦେଶର ଅବସ୍ଥା ଭିନ୍ନ ପ୍ରକାରର ହୋଇଯାଇଛି । ଗୋଦାବରୀଶଙ୍କ ଦାରିଦ୍ର୍ୟ ସାଙ୍ଗକୁ ସେ କାଳର ନିରାଡ଼ମ୍ବର ଭାବରେ ଚଳିବା ରୀତି ସାହାଯ୍ୟ କରୁଥିଲା । ତା’ ନ ହେଲେ ସେ ଆହୁରି ଅଭାବରେ ପଡ଼ିଥାନ୍ତେ ।

 

ବି.ଏ. ପରୀକ୍ଷା ଦେଇସାରି କେତେଦିନ ଘରେ ବସିଲେ । ସେତିକିବେଳେ ତାଙ୍କୁ ପ୍ରାୟ ତିନିମାସ ସମୟ ମିଳିଥିଲା । ସେତେବେଳେ ଗୋପବନ୍ଧୁ ମୟୂରଭଞ୍ଜରେ ଓକିଲାତି କରୁଥାନ୍ତି । ତାଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ୟେ’ କ’ଣ କରିବେ, ଏକପ୍ରକାର ଠିକ୍ ହୋଇଥିଲା । ସରକାର ଛଅ ଜଣ ବି.ଏ. ପାସ୍‍ କରିଥିବା ଛାତ୍ରଙ୍କୁ ସରକାରୀ ବୃତ୍ତି ତିରିଶ ଟଙ୍କା ଲେଖାଏଁ ଦେଇ ଓକିଲାତି ପଢ଼ାଉଥିଲେ । ସେ ବୃତ୍ତି ଭିତରୁ ଗୋଦାବରୀଶ ଗୋଟିଏ ବୃତ୍ତି ପାଇଲେ । ତେଣୁ କଥାହେଲା, ସେ କଲିକତାରେ ଓକିଲାତି ପଢ଼ିବେ; ଗୋପବନ୍ଧୁଙ୍କ କାର୍ଯ୍ୟକ୍ରମ ଅନୁସାରେ ସତ୍ୟବାଦୀରେ ଗୋଟିଏ ନୂଆ ଅନୁଷ୍ଠାନ ଗଢ଼ିବା ପାଇଁ ଯାହା ପ୍ରସ୍ତାବ ହୋଇଥିଲା, ସେହି ଅନୁସାରେ ଗୋଦାବରୀଶ ସେଥିରେ ଯୋଗଦେବେ ବୋଲି କହିଥିଲେ । ନୀଳକଣ୍ଠ ବାବୁ ଦର୍ଶନରେ ଏମ୍.ଏ. ପଢ଼ୁଥିଲେ । କୃପାସିନ୍ଧୁ ବାବୁ ଇତିହାସରେ ଏମ୍.ଏ. ପଢ଼ିବା ପାଇଁ ସ୍ଥିର ହେଲା । ୟାଙ୍କୁ କହିଲେ–ତୁମେ ଅର୍ଥନୀତି ପଢ଼ିଲେ ଭଲ ହେବ । ତେଣୁ ସେ ଅର୍ଥନୀତି ପଢ଼ିବା ପାଇଁ ସ୍ଥିର କଲେ । ପ୍ରସ୍ତାବ ଅନୁସାରେ କଲିକତା ଯାଇ ଏମ୍‌.ଏ.ସାଙ୍ଗକୁ ଓକିଲାତି ପଢ଼ିଲେ ।

 

ଆଠ

 

କଲିକତାରେ ପଢ଼ିବା ୟାଙ୍କ ପକ୍ଷରେ ବଡ଼ କଷ୍ଟକର କଥା । ସରକାରଙ୍କ ପକ୍ଷରୁ ଯେ ତିରିଶ ଟଙ୍କା ପାଉଥିଲେ, ସେତିକିରେ ଚଳିବା ସହଜ ନୁହେଁ । ପୁଣି ଘରକୁ କିଛି ନ ପଠାଇଲେ ନ ଚଳେ । ଏ ଅବସ୍ଥା ଦେଖି ଗୋପବନ୍ଧୁବାବୁ ତାଙ୍କୁ ମାସକୁ ଦଶ ଟଙ୍କା ଲେଖାଏଁ ଦେବେ ବୋଲି କହିଲେ । ମାତ୍ର ସେ ଟଙ୍କା ଗୋଦାବରୀଶଙ୍କ ପାଖକୁ ପଠାଇଲେ ନାହିଁ । ସେ ତାହା ତାଙ୍କର ଘରଖର୍ଚ୍ଚ କରିବା ପାଇଁ ପଠାଉଥିଲେ ।

 

ବାଣପୁରରୁ ଯେଉଁ ଦିନ ସେ ଏମ୍.ଏ. ପଢ଼ିବା ପାଇଁ କଲିକତା ଗଲେ, ସେଦିନ ବହୁ ଲୋକ ବାଲୁଗାଁ ଷ୍ଟେସନରେ ଆସି ବିଦାୟ ଦେଇ ଗଲେ; କାରଣ ବାଣପୁର ପକ୍ଷରେ ଏହା ଥିଲା ଗୋଟିଏ ନୂଆ କଥା । ଆଜି ବାଣପୁରରେ ବି.ଏ., ଏମ୍.ଏ. ପାସ୍ କରିବା ଲୋକ ପ୍ରାୟ ସବୁ ଗାଁରେ ମିଳିବେ । କିନ୍ତୁ ସେତେବେଳେ ବାଣପୁର ପ୍ରତି ଏମ୍.ଏ .ପଢ଼ିବା ସ୍ୱପ୍ନ ରାଜ୍ୟର କଥା ହୋଇଥାଏ । ମଧୁବାବୁ ଯେପରି ଓଡ଼ିଶାର ପ୍ରଥମ ଏମ୍.ଏ., ପ୍ରଥମ ଓକିଲ, ପ୍ରଥମ ବ୍ୟବସ୍ଥାପକ ଓ ପ୍ରଥମ ମନ୍ତ୍ରୀ, ସେହିପରି ବାଣପୁରରେ ଗୋଦାବରୀଶ ପ୍ରଥମ ବି.ଏ. ଏବଂ ପ୍ରଥମ ଏମ୍.ଏ. ପଢ଼ୁଆ ଛାତ୍ର । ସେଦିନ ବାଲୁଗାଁ ଷ୍ଟେସନ ଗୋଟିଏ ଛୋଟିଆ ଯାତ୍ରା ସ୍ଥାନ ପରି ଲାଗୁଥାଏ । ଖାଲି ଷ୍ଟେସନ ନୁହେଁ, ତାଙ୍କ ନିଜ ଛୋଟିଆ ଘର ପାଖରେ ମଧ୍ୟ ଲୋକେ ସେହିପରି ଜମା ହୋଇ ତାଙ୍କୁ ଆନନ୍ଦରେ ବିଦାୟ ଦେଇଥିଲେ ।

 

କଲିକତାରେ ୟେ ପଢ଼ିବାକୁ ଯିବା ବେଳକୁ ସ୍ଵଦେଶୀ ଆନ୍ଦୋଳନ ଜୋରସୋରରେ ଚାଲିଥାଏ । ୧୯୦୫ ମସିହାରେ ଲର୍ଡ଼ କର୍ଜନ ଭାରତର ବଡ଼ଲାଟ ଥିଲେ । ତାଙ୍କରି ସମୟରେ ବଙ୍ଗଳାକୁ ଦୁଇ ଭାଗ କରିଦିଆଗଲା । ତାହାର ଫଳରେ ବଙ୍ଗବାସୀମାନଙ୍କ ମଧ୍ୟରେ ସ୍ଵଦେଶୀ ଆନ୍ଦୋଳନର ସୂତ୍ରପାତ ହେଲା । କ୍ରମେ କ୍ରମେ ତାହା ଗୁରୁତର ଆକାର ଧାରଣ କଲା । ଗୋଦାବରୀଶ କଲିକତାରେ ପଢ଼ିଲାବେଳେ ଯେଉଁଠାରେ ରହୁଥିଲେ, ସେହିଠାରେ ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ କେତେକ ଥିଲେ । ୟାଙ୍କୁ ସେ ଦଳ ଭିତରେ ଭର୍ତ୍ତି କରିବାକୁ ସେମାନେ ବିଚାରିଲେ । ଦଳ ଉପରେ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟ ଥିଲା । ବୋମା, ବନ୍ଧୁକ ପ୍ରଭୃତିର ବ୍ୟବହାର ୟେ କଲେନାହିଁ । ଅନ୍ୟ ଗୋଟିଏ କାର୍ଯ୍ୟରେ ସାହାଯ୍ୟ କଲେ । ସେ କାର୍ଯ୍ୟଟି ହେଉଛି ନୈଶ ବିଦ୍ୟାଳୟରେ ପଢ଼େଇବା, ସମ୍ବାଦ ସଂଗ୍ରହ କରିବା, ଅନ୍ୟଠାରୁ ସମ୍ବାଦ ଆଣି ତାଙ୍କ ଦଳକୁ ଜଣାଇବା । ଏହି ଆନ୍ଦୋଳନରେ ପଶି ଲୋକେ ଯେ କି ଅକଥନୀୟ ଅତ୍ୟାଚାର ଭୋଗିଛନ୍ତି, ତାହା ବର୍ଣ୍ଣନା କରି ହେବନାହିଁ । ତଥାପି ଲୋକେ ସହି-ସମ୍ଭାଳି ଦଳର ଭିତରି କଥା କାହାକୁ ନ କହି ଆନ୍ଦୋଳନ ଚଳାଉଥିଲେ ।

 

ଯେଉଁମାନେ ସରକାରୀ ବୃତ୍ତି ପାଇ ଓକିଲାତି ପଢ଼ୁଥିଲେ, ସେମାନେ କଲିକତାର ଗୋଟିଏ ଛାତ୍ରାବାସରେ ରହୁଥିଲେ । ତା’ ନାଁ ହେଉଛି–ନଅ ନମ୍ବର ପଞ୍ଚାନନ ଘୋଷ ଗଳି । ଛାତ୍ରାବାସ ପାଇଁ ଘର ତୋଳା ହୋଇ ନ ଥିଲା; ଛାତ୍ରମାନେ ଏହି ଘରେ ରହୁଥିଲେ । ସରକାରଙ୍କ ପକ୍ଷରୁ ଏ ଘରଟି ଭଡ଼ାକୁ ନିଆଯାଇଥିଲା, କେବଳ ଓଡ଼ିଶାର ଛାତ୍ରମାନେ ଏଠି ରହୁଥିଲେ । କଲିକତା ଭିତରେ ଏ ଗଳିଟି ଏକ ଅପନ୍ତରା ଜାଗାରେ । ଘରଟି ଅବଶ୍ୟ ଦୋମହଲା, ମାତ୍ର ଘର ତିଆର ଢଙ୍ଗରୁ ଜଣାପଡ଼େ–ଶିକ୍ଷିତ ଲୋକଙ୍କର ଏହା ବାସଯୋଗ୍ୟ ନୁହେଁ । ପ୍ରାୟ ଦୁଇ ତିନି ବର୍ଷ ଗୋଦାବରୀଶଙ୍କୁ ଏହିଠାରେ କଟେଇବାକୁ ପଡ଼ିଛି । ଏପରି ଏକ ଘରେ ରହି ସୁଦ୍ଧା ସେ କେତେକ କବିତା ଲେଖି ପାରିଥିଲେ । ସେ ଗୁଡ଼ିକ ‘କଳିକା’ ଓ ‘କିଶୟଳ’ ନାମକ ବହିରେ ପ୍ରକାଶ ପାଇଛି । ଛାତ୍ରଜୀବନରୁ ଲେଖା ପ୍ରତି ତାଙ୍କର ଯେ ଆଗ୍ରହ ଥିଲା, ଏହି ବହି ଦି’ ଖଣ୍ଡିରୁ ଯାହା ଜଣାଯାଏ ।

 

କଲିକତାରେ ଥିବାବେଳେ ତାଙ୍କର ଆଉ ଗୋଟିଏ ଗୁଣ ପ୍ରକାଶ ପାଇଥିଲା । ବିଭିନ୍ନ କଳକାରଖାନାମାନଙ୍କରେ ସେତେବେଳକୁ ଆମ ଓଡ଼ିଶା ଲୋକେ ବହୁତ ଥିଲେ–ପ୍ରାୟ ଲକ୍ଷାଧିକ ହେବ । ମୂଲିଆଶ୍ରେଣୀର ଲୋକ ବହୁତ ଥିଲେ । ତା’ ଭିତରୁ କେତେକ ଲୋକ ବଙ୍ଗାଳୀମାନଙ୍କ ଘରେ ପୂଜାରୀ କାମ କରୁଥିଲେ । କଲିକତାର ଲେକସଂଖ୍ୟା ସେତେବେଳକୁ ଦଶ ପନ୍ଦର ଲକ୍ଷ ହେବ । ତା’ ତୁଳନାରେ ଲକ୍ଷାଧିକ ଓଡ଼ିଆ ଲୋକ ଥିଲେ ମଧ୍ୟ ବଙ୍ଗାଳୀମାନଙ୍କ ଚକ୍ଷୁରେ ବଡ଼ ହୀନଗଣ୍ୟ ହେଉଥିଲେ । ତାଚ୍ଛଲ୍ୟ ଭାବରେ ଓଡ଼ିଆଙ୍କୁ ସେମାନେ ‘ଉଡ଼େ’ ବୋଲି କହନ୍ତି । ବେଳେ ବେଳେ ସେମାନେ କୌଣସି ନାଟକ ଅଭିନୟ ସମୟରେ ଓଡ଼ିଆ ଚାକରବାକରମାନଙ୍କର ଚାଲିଚଳନ ବିଷୟରେ ଅଭିନୟ ଦେଖାନ୍ତି । ଓଡ଼ିଆମାନେ କେତେବେଳେ ହେଲେ ନିଜର ଜାତୀୟତା ଦେଖାଇବାକୁ ଚେଷ୍ଟାକରନ୍ତି ନାହିଁ । ବଙ୍ଗାଳୀମାନଙ୍କ ପାଖରେ ନିଜ ମାତୃଭାଷା ଓଡ଼ିଆ କହନ୍ତି ନାହିଁ କିମ୍ବା ପରସ୍ପର ମଧ୍ୟରେ ଓଡ଼ିଆ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ । ଏ ଢଙ୍ଗ ଗୋଦାବରୀଶଙ୍କର ଅସହ୍ୟ ହେଲା । ତାଙ୍କ ସାଙ୍ଗସାଥି ନୀଳକଣ୍ଠବାବୁ ସେଇଠି ରହି ପଢ଼ୁଥାନ୍ତି । ମଧୁବାବୁ ୧୯୦୩ରୁ ଉତ୍କଳ ସମ୍ମିଳନୀ ଆରମ୍ଭ କରି ଓଡ଼ିଆମାନଙ୍କର ବେଶଭୂଷାର ଏକ ପରବର୍ତ୍ତନ ଆଣିଲେ । ସେଚ୍ଛାସେବକମାନଙ୍କୁ ସେ ନାଲିପଗଡ଼ି ପିନ୍ଧାଇଲେ । ଗୋଦାବରୀଶ ଓ ତାଙ୍କ ସାଙ୍ଗସାଥି ଛାତ୍ରାବାସରୁ ବାହାରକୁ ବାହାରିଲାବେଳେ ସେହି ଜାତୀୟ ପୋଷାକ ପିନ୍ଧି ବାହାରନ୍ତି । ପରିଷ୍କାର ଓଡ଼ିଆ ଭାଷାରେ କଥାବାର୍ତ୍ତା ହୋଇ ଯିବା ଆସିବା କରନ୍ତି । ବଙ୍ଗାଳୀମାନେ ତାଙ୍କୁ ବଙ୍ଗଳାରେ ପଚାରିଲେ ସେ ଓଡ଼ିଆରେ ଉତ୍ତର ଦିଅନ୍ତି । ଏହିପରି ଭାବରେ ସେମାନେ ଓଡ଼ିଆ ଜାତିର ପ୍ରତିଷ୍ଠା ବଢ଼ାଇବାକୁ ଲାଗିଲେ । କଲେଜକୁ ଗଲାବେଳେ ମଧ୍ୟ ସେହି ପଗଡ଼ି ପିନ୍ଧନ୍ତି, ସହରର କୌଣସି ସଭା-ସମିତିକୁ ଗଲେ ସେହି ବେଶରେ ଯାନ୍ତି । କଲିକତାବାସୀଙ୍କର ଆଗରୁ ଧାରଣା ଯାହା ଥିଲା ଶିକ୍ଷିତ ଲୋକମାନଙ୍କର ଏ ବ୍ୟବହାର ଫଳରେ ସେମାନଙ୍କର ଧାରଣା ଟିକିଏ ବଦଳି ଆସିଲା । ତେଣିକି ସେମାନେ ମନେକଲେ ଓଡ଼ିଆମାନଙ୍କ ମଧ୍ୟରେ ଖାଲି ଚାକର ବାକର ଶ୍ରେଣୀର ଲୋକ ନାହାନ୍ତି, ଆମ ପରି ଉଚ୍ଚ ଶିକ୍ଷିତ ଓ ସୁସଭ୍ୟ ଲୋକ ମଧ୍ୟ ଅଛନ୍ତି ।

 

ସେହି ସମୟରେ ମୟୂରଭଞ୍ଜର ମହାରାଜା ରାମଚନ୍ଦ୍ର ଦେବ ପୃଥିବୀ ଭ୍ରମଣରୁ ଫେରିଲେ । ଓଡ଼ିଆ ଲୋକେ ବିଶେଷତଃ ଛାତ୍ରମାନେ ତାଙ୍କୁ ଅଭ୍ୟର୍ଥନା କରିବା ପାଇଁ କଲିକତାରେ ଏକ ସଭାର ଆୟୋଜନ କଲେ । କୁଳବୃଦ୍ଧ ମଧୁସୂଦନ ଅଭିନନ୍ଦନ ସଭାର ସଭାପତି ଥିଲେ । ସେ ସଭାକୁ ଅନେକ ଓଡ଼ିଆ ତ ଆସିଥିଲେ, ବଙ୍ଗାଳୀ ଭଦ୍ରଲୋକ ମଧ୍ୟ ଅନେକ ଉପସ୍ଥିତ ହୋଇଥିଲେ-। ଓଡ଼ିଆମାନେ ଓଡ଼ିଆରେ ବକ୍ତୃତା ଦେଲେ । ଉଚ୍ଚଶିକ୍ଷିତ ଲୋକଙ୍କ ବକ୍ତୃତା ଶୁଣି ଭଦ୍ରଲୋକମାନେ ମୁଗ୍‌ଧ ହୋଇଗଲେ, ଓଡ଼ିଆ ଭାଷାର ବିଶେଷତ୍ୱ ବୁଝିଲେ । ଓଡ଼ିଆମାନଙ୍କ ପକ୍ଷରୁ ଏ ସଭାଟି କଲିକତାରେ ପ୍ରଥମ ସଭା । ବଙ୍ଗାଳୀମାନେ ମନେ କରିଥିଲେ ରାମଚନ୍ଦ୍ର ଭଞ୍ଜ–ବଙ୍ଗାଳୀ । ମାତ୍ର ସେମାନଙ୍କର ଧାରଣା ସେହି ଦିନ ଦୂର ହେଲା ।

 

ସେହି ନଅ ନମ୍ବର ଘରେ ଗୋଦାବରୀଶବାବୁ ପ୍ରଭୃତି କେତେଜଣ ବାହାରି ଜାତିଭେଦ ଉଠାଇବାକୁ ଚେଷ୍ଟା କଲେ ଏବଂ ସମାଜରେ କେତେକ ସଂସ୍କାର ମଧ୍ୟ ଆଣିଲେ । ଏ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବା ପାଇଁ ‘‘ହିନ୍ଦୁ ସମାଜ’’ ନାମରେ ଏକ ସଂଘ ସେଠି ଗଢ଼ା ହେଲା । କେତେ ଜଣ ଓଡ଼ିଆ ଛାତ୍ର ସେଥିରେ ଯୋଗଦେଲେ । ଗୋଦାବରୀଶ ଆଗରୁ ନିଶ ଓ ଦାଢ଼ି ରଖିଥିଲେ । ତାଙ୍କ ସାଥିରେ ନୀଳକଣ୍ଠବାବୁ ମଧ୍ୟ ତାଙ୍କରି ପରି ବେଶ ଧରିଥିଲେ । କେତେ ଦିନ ପରେ ସେମାନେ ଦାଢ଼ି କାଟି ପକାଇ ନିଶ ରଖିଲେ । ଏ ପ୍ରଥା ସମାଜରେ ନୂଆ । ଅବଶ୍ୟ ଉତ୍ତର ପ୍ରଦେଶ ଆଡ଼େ ବ୍ରାହ୍ମଣମାନେ ମଧ୍ୟ ଦାଢ଼ି କାଟି କେବଳ ନିଶ ରଖନ୍ତି, ମାତ୍ର ଆମ ଉତ୍କଳରେ ସେ ପ୍ରଥା ନ ଥିଲା । ଏମାନେ ଆରମ୍ଭ କରିବା ଫଳରେ ସମାଜରେ ଟିକିଏ ଚହଳ ପଡ଼ିଗଲା, ତଥାପି ସେଥିରେ ସେମାନେ ବିଚଳିତ ହେଲେ ନାହିଁ । ଖାଇ ବସିଲାବେଳେ ମଧ୍ୟ ଜାତିଭେଦ ଉଠାଇ ଦେଲେ ।

 

କଲିକତାରେ ରହିବାବେଳେ କୌଣସି ଏକ ପରୀକ୍ଷା ଦେବା ପାଇଁ ଗୋଦାବରୀଶଙ୍କର ଟଙ୍କା ଅଭାବ ପଡ଼ିଲା । କୌଣସିଠାରୁ ଟଙ୍କା ନ ପାଇ ଚିନ୍ତାରେ ବସିଥିଲେ । ମଧୁବାବୁ ସେତେବେଳେ କଲିକତାରେ ଓକିଲାତି କରୁଥିଲେ । ତାଙ୍କର ନିତି ବିସ୍ତର ଆୟ ହେଉଥିଲା । ସେ ସେତେବେଳେ ଦୁଃଖୀ, ଗରିବ ଛାତ୍ରମାନଙ୍କୁ ବହୁତ ସାହାଯ୍ୟ କରୁଥିଲେ । ଗୋଦାବରୀଶଙ୍କର ଏ ଅବସ୍ଥା ଶୁଣି ତାଙ୍କୁ ଡକେଇଲେ ଏବଂ କହିଲେ–‘କେତେ ଅଭାବ ପଡ଼ୁଛି କହ, ମୋଠୁ ନିଅ । ତୁମ ପରି ପିଲା ଅଭାବରେ ପଡ଼ି ପରୀକ୍ଷା ଦେଇ ନ ପାରିବା ଦୁଃଖର କଥା । ତୁମେ ପରୀକ୍ଷା ଦିଅ, ଯାହା ଦରକାର ମୋ ପାଖରୁ ନିଅ ।’

 

ଗୋଦାବରୀଶ କହିଲେ–ହଁ ନେବି; ପରୀକ୍ଷା ଦେବି, ମାତ୍ର ଆପଣଙ୍କୁ ଏ ଟଙ୍କା ପରେ ଫେରେଇ ଦେବି । ଏହି ସର୍ତ୍ତରେ ଆପଣ ଯେବେ ଦେବେ, ନେବି ।

 

ମଧୁବାବୁ ସେଥିରେ ରାଜି ହେଲେନାହିଁ । ସେ କହିଲେ–‘ମୁଁ ତ କେତେ ପିଲାଙ୍କୁ ସାହାଯ୍ୟ ଦେଉଛି, ତୁମେ ସେହି ପରି ନେବ ।’ ଗୋଦାବରୀଶ ସେପରି ଆଣିବାକୁ ଇଚ୍ଛା କଲେନାହିଁ । ଅନ୍ୟଠାରୁ ଆଣି ପରୀକ୍ଷା ଫିସ୍ ତୁଲାଇ ପରୀକ୍ଷା ଦେଲେ ।

 

ଦୁଇ ବର୍ଷ ପରେ ସେ ଅର୍ଥନୀତିରେ ଏମ୍.ଏ. ପାସ୍ କଲେ । ସେତେବେଳେ ଗୋଟିଏ ନିୟମ ଥିଲା–ଯେଉଁମାନେ ବୃତ୍ତି ପାଇ ଆଇନ ପଢ଼ୁଛନ୍ତି, ସେମାନେ ମଝିରେ ଛାଡ଼ି ଯାଇ ପାରିବେନାହିଁ । ସେ ଏମ୍.ଏ. ପାସ୍‍ କରିବା ପରେ ତେଣୁ ତାଙ୍କୁ ବାଧ୍ୟହୋଇ ପୁଣି ରହିବାକୁ ପଡ଼ିଲା-। ଓକିଲାତି ପଢ଼ିବାକୁ ତାଙ୍କର ଇଚ୍ଛା ନ ଥିଲା । କିନ୍ତୁ ଏ ସରକାରୀ ନିୟମ ପାଳନ କରି ରହିବାକୁ ପଡ଼ିଲା । ପଢ଼ିବା ପରେ ଗୋଟିଏ ଅଧିକା ଉପାଧି ପାଇବେ ବୋଲି ପଛକୁ ମନ ହେଲା-। ଆଇନ ବିଭାଗରେ ତିନୋଟି ପରୀକ୍ଷା ଥାଏ । ସେ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ । ଶେଷ ବର୍ଷ ବେଳକୁ ଦୈବାତ୍ ତାଙ୍କୁ ଦୁଇ ଗୋଟି ଟିଉସନ୍ ମିଳିଲା । ସେ ଦୁହେଁଯାକ ବି.ଏ. ଶ୍ରେଣୀର ଛାତ୍ର । ଘଣ୍ଟାଏ ଘଣ୍ଟାଏ ପଢ଼ନ୍ତି, ଦୁହିଁଙ୍କଠୁ ଷାଠିଏ ଟଙ୍କା ପା’ନ୍ତି । ୟାଙ୍କ ପରିଶ୍ରମ ଫଳରେ ପିଲା ଯୋଡ଼ିକ ପରୀକ୍ଷାରେ ଭଲ କଲେ । ସରକାରୀ ବୃତ୍ତି ତିରିଶ ଟଙ୍କା ମିଶି ମାସକୁ ସେ ନବେ ଟଙ୍କା ପାଇଲେ । ସେଥିରୁ ଘରକୁ ଦଶ ଟଙ୍କା ପଠାଇ ବାକିତକ ନିଜେ ଖର୍ଚ୍ଚ କଲେ । ଅବଶ୍ୟ ଗୃହଶିକ୍ଷକତା କରିବାରୁ ପରିଶ୍ରମ ଟିକିଏ ବେଶି ପଡ଼ିଲା, କିନ୍ତୁ ଆର୍ଥିକ ଦୁର୍ଗତିରୁ ରକ୍ଷା ପାଇଲେ-

 

ଆଇନ କଲେଜର ଅଧ୍ୟାପକମାନେ ମାସକୁ ଶହେ ପଚାଶ ଟଙ୍କା ଦରମା ପାଉଥିଲେ । ସାଧାରଣଃ ଯେଉଁମାନେ ଓକିଲାତିରେ ପାରନ୍ତି ନାହିଁ ସେହିମାନେ ଏ କଲେଜରେ ଅଧ୍ୟାପନା କରୁଥିଲେ ।

 

୧୯୧୩ ମସିହା ବେଳକୁ ତାଙ୍କର ଆଇନ ପଢ଼ା ଶେଷ ହେଲ । ସେହି ବର୍ଷ ଏପ୍ରିଲ ମାସ ଶେଷ ସପ୍ତାହରେ ସେ କଲିକତା ଛାଡ଼ିଲେ । ତାଙ୍କ ଛାତ୍ରଜୀବନ ମଧ୍ୟ ଏହିଠାରେ ଶେଷ ହେଲା ।

 

ଏମ୍.ଏ. ପାସ୍‍ କରିସାରିବା ପରେ ସେ କ’ଣ କରିବେ ଏ କଥା ଭାବୁଛନ୍ତି, ହଠାତ୍ ଗୋଟିଏ ସୁଯୋଗ ମିଳିଲା । କଲିକତାରେ ଗୋଟିଏ ମୂକ-ବଧିର ବିଦ୍ୟାଳୟ ଥିଲା । ୟାଙ୍କର କେତେ ଜଣ ବନ୍ଧୁ ଏହାଙ୍କୁ ସେଥିରେ ନିଯୁକ୍ତ କରିବା ପାଇଁ ଯୋଗାଡ଼ କଲେ । ଗୋଟିଏ କଥା ହେଲା–ସରକାରୀ ବୃତ୍ତିପାଇ ଜଣେ ବିଲାତ ଯିବେ ଏବଂ ସେଠାରୁ ଫେରି ଆସିଲେ ସେ ମୂକ-ବଧିର ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ହେବେ । ବନ୍ଧୁମାନଙ୍କ ଉଦ୍ୟମ ଓ ଅନୁରୋଧରେ ସେ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ । ପ୍ରସ୍ତାବଟା ଦୃଢ଼ କରିବା ପାଇଁ ଗୋଟିଏ ଦଲିଲ ମଧ୍ୟ ସେ ଲେଖି ଦେଲେ । ସେଥିରେ ସେ ଲେଖିଥିଲେ–‘ମୁଁ ବିଲାତରେ ଟ୍ରେନିଂ ପାଇ ଫେରିବା ପରେ କଲିକତା ମୂକ ବଧିର ବିଦ୍ୟାଳୟରେ ଯୋଗଦେବି । କୌଣସି କାରଣରୁ ଯୋଗ ଦେଇ ନ ପାରିଲେ ମୋ ପାଇଁ ଯେତେ ଖର୍ଚ୍ଚ ହୋଇଥିବ, ମୁଁ ତାହା ଫେରସ୍ତ ଦେବି ।’ ପୁଣି ଆଉ ଗୋଟିଏ ସର୍ତ୍ତ ଥାଏ ଯେ ସେଠାରେ ସହକାରୀ ଅଧ୍ୟାପକ ରୂପେ ଅତି କମରେ ତିନି ବର୍ଷ ରହିବାକୁ ହେବ । ଦଲିଲଟା ସିନା ଲେଖା ହେଲା, ସେଥିରେ ଦସ୍ତଖତ୍ କରିବାକୁ ସେ ଦୋ ଦୋ ପାଞ୍ଚ ହେଲେ । ଭାବିଲେ–ଏ କଥାଟା ଗୋପବନ୍ଧୁବାବୁଙ୍କୁ ନ ଜଣାଇ ଦସ୍ତଖତ କରିବା ଠିକ୍ ହେବନାହିଁ । ଏହି କାରଣରୁ ଦସ୍ତଖତ୍ ବାକି ରଖି ଚିଠିଦ୍ଵାରା ଜଣାଇଲେ । ମାତ୍ର ତାଙ୍କଠାରୁ ଯାହା ଉତ୍ତର ପାଇଲେ, ସେଥିରେ ତାଙ୍କ ମନ ଭାଙ୍ଗିଗଲା । ଆଉ ସେଥିପାଇଁ ମନ ବଳାଇଲେ ନାହିଁ । କର୍ତ୍ତୃପକ୍ଷକୁ ମନା କରିଦେଲେ ।

 

୧୯୧୧ ଖ୍ରୀଷ୍ଟାବ୍ଦରେ ସ୍ୱଦେଶୀ ଆନ୍ଦୋଳନ ଫଳରେ ବିହାର, ଓଡ଼ିଶା, ବଙ୍ଗଳାରୁ ଅଲଗା ହୋଇଗଲା । ତା’ ଫଳରେ କେତେଗୁଡ଼ିଏ ନୂଆ ନୂଆ ଚାକିରି ଓଡ଼ିଶାରେ ସୃଷ୍ଟି ହେଲା । ସେତେବେଳକୁ କଟକର ସୁଦାମ ଚରଣ ନାୟକ ଓଡ଼ିଶା ପକ୍ଷରୁ ବିହାର ଓଡ଼ିଶା ବ୍ୟବସ୍ଥାସଭାକୁ ସଭ୍ୟ ହୋଇ ଆସିଲେ । ପ୍ରତିଭାଶାଳୀ, ସଂସ୍କାର ପ୍ରିୟ, ଶିକ୍ଷିତ ଛାତ୍ର କିଏ କେଉଁଠି ଅଛି ସେ ତାହାର ହିସାବ ରଖିଥାନ୍ତି । ସେ ଗୋଦାବରୀଶଙ୍କ ପାଖକୁ ପାଟନାରୁ ଖଣ୍ଡିଏ ଚିଠି ଲେଖିଥିଲେ–ମୋତେ ତୁମେ କଲିକତାରେ ଆସି ଦେଖାକର । ଚିଠି ଅନୁସାରେ ସେ ତାଙ୍କ ପାଖକୁ ଯାଇ ଦେଖାକଲେ । କଥାବାର୍ତ୍ତା ପ୍ରସଙ୍ଗରେ କହିଲେ–ଆମ ପ୍ରଦେଶରୁ କେତେ ଜଣ ଓଡ଼ିଆ ଯୁବକ ଶିକ୍ଷକତା ଶିଖିବା ଉଦ୍ଦେଶ୍ୟରେ ବିଲାତ ଯିବା ପାଇଁ କଥା ହେଉଛି । ସେପରି ଉପଯୁକ୍ତ ଛାତ୍ର ମୁଁ କେତେ ଆଖି ବୁଲେଇ ପାଇଲି ନାହିଁ । ଦେଖୁଛି, ତୁମେ ସେଥିକି ପାରିବ । ତୁମର ପୁଣି ଜାତି ଭେଦ ନାହଁ ବୋଲି ଶୁଣୁଛି, କ’ଣ ଯାଇ ପାରିବ ?

 

ଗୋଦାବରୀଶ କହିଲେ–ଯଦି ବୃତ୍ତି ମିଳେ, ତା’ ହେଲେ ଯିବି । ଆପଣ ଯୋଗାଡ଼ କରନ୍ତୁ । ଏ କଥା ମଧ୍ୟ ସେ ଗୋପବନ୍ଧୁବାବୁଙ୍କୁ ଜଣାଇଲେ । ସେ ମଧ୍ୟ ସେଥିରେ ଏକ ପ୍ରକାର ସ୍ଵୀକୃତ ହେଲେ । ମାତ୍ର କୌଣସି କାରଣରୁ ସେ ପ୍ରସ୍ତାବ ବନ୍ଦ ହୋଇଗଲା ।

 

ନଅ

 

୧୯୧୨ ମସିହା ଗ୍ରୀଷ୍ମଛୁଟିରେ ସେ କଲିକତାରୁ ଟିକଟ କରି ସାକ୍ଷିଗୋପାଳ ଷ୍ଟେସନରେ ଓହ୍ଲାଇଲେ । ସେ ଷ୍ଟେସନ ଦେଖିବା ତାଙ୍କର ପ୍ରଥମ ଥର । ଅବଶ୍ୟ ସେହି ବାଟେ ପୁରୀ କେତେ ଥର ଯାଇଥିବେ ମାତ୍ର କେବେ ଓହ୍ଲାଇ ନ ଥିଲେ । ଗାଡ଼ି ଷ୍ଟେସନରେ ପହଞ୍ଚିବାବେଳକୁ ନୀଳକଣ୍ଠବାବୁ, ହରିହରବାବୁଙ୍କ ସହିତ ଅନେକ ଛାତ୍ର ସେଠାରେ ଜମା ହୋଇଥିଲେ । ସେମାନେ ଆସିଥିଲେ ତାଙ୍କୁ ଅଭ୍ୟର୍ଥନା କରି ନେବା ପାଇଁ ।

 

ଆଗରୁ ସତ୍ୟବାଦୀରେ ଗୋଟିଏ ମାଇନର ସ୍କୁଲ ଥିଲା । ତାହା ପାଇଁ ଘର ଥିଲା । ସେହି ଘରେ ମାଇନର ଶ୍ରେଣୀ ଛଡ଼ା ହାଇସ୍କୁଲର ଶ୍ରେଣୀମାନ ମଧ୍ୟ ହେଉଥିଲା । ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ–ନୀଳକଣ୍ଠବାବୁ; ତାଙ୍କ ସାଙ୍ଗକୁ ହରିହର ଦାସ କଟକ ପ୍ୟାରୀମୋହନ ଏକାଡେମୀର ଶିକ୍ଷକତା ଛାଡ଼ି ସେଠାରେ ଯୋଗଦେଲେ । ଏହି ଦୁଇ ଜଣଙ୍କଦ୍ୱାରା ହାଇସ୍କୁଲ ଚାଲିଥିଲା । ଏମାନଙ୍କ ପରେ ଗୋଦାବରୀଶ ସେଠାରେ ଯୋଗଦେଲେ ! ଏମ.ଏ. ପଢ଼ିବା ପରେ ଗୋଦାବରୀଶ ସତ୍ୟବାଦୀର ନୂଆ ହାଇସ୍କୁଲରେ ଯୋଗ ଦେବେ କି ନାହିଁ କାହା କାହା ମନରେ ସନ୍ଦେହ ଥିଲା । ମାତ୍ର ସେ ଯୋଗଦେବା ପରେ ସେ ସନ୍ଦେହ ବଳେ ବଳେ ଦୂର ହୋଇଗଲା ।

 

ସେ ସତ୍ୟବାଦୀ ସ୍କୁଲରେ ପହଞ୍ଚି ସଙ୍ଗେ ସଙ୍ଗେ କାର୍ଯ୍ୟରେ ଯୋଗଦେଲେ ନାହିଁ । ଆଗ ତିନି ଚାରିଦିନ ସେମିତି ସେମିତି ରହିଲେ । ଗୋଦାବରୀଶ ପିଲାଦିନରୁ ପତଳା । ସେ ଏକ ଶିକ୍ଷକ ପରି ଦିଶୁ ନ ଥିଲେ । ପିଲାମାନେ ମନେ କଲେ ୟେ’ ବୋଧହୁଏ ପଢ଼ିବାକୁ ଆସିଛନ୍ତି । ପିଲାଙ୍କ ଭିତରୁ ତାଙ୍କୁ ଯେ ପଚାରିଲା, ସେ ତାଙ୍କଠୁ ଉତ୍ତର ପାଇଲା,–ନାଁ, ମୁଁ ଏ ପର୍ଯ୍ୟନ୍ତ ନାମ ଲେଖାଇ ନାହିଁ । ଅଳ୍ପଦିନ ପରେ ପିଲାଙ୍କର ସେ ଧାରଣା ବଦଳି ଗଲା ।

 

ଗୋଦାବରୀଶ ପଢ଼ା ଶେଷ ପର୍ଯ୍ୟନ୍ତ ଦାରିଦ୍ର୍ୟ ସଙ୍ଗେ ଲଢ଼ି ଲଢ଼ି ଉଠିଥିଲେ । ଦୁଃଖ କଷ୍ଟ ତାଙ୍କ ଜୀବନର ସହଚର । ପାଠ ପଢ଼ିବା ପାଇଁ ସେ ଯେପରି ଅଭାବରେ କଷ୍ଟ ସହିଛନ୍ତି ଏବଂ ଯେଉଁ ଯନ୍ତ୍ରଣା ଭୋଗ କରିଛନ୍ତି, ତାହା ସବୁ ଟିକି ନିଖି କରି କହି ହେବନାହିଁ । ଜ୍ଞାନ ଅର୍ଜନ ପାଇଁ ଇଚ୍ଛା ଥିବାରୁ ତାକୁ ସବୁ ସେ ଅକାତରରେ ସହୁଥିଲେ ଓ କଷ୍ଟକୁ କଷ୍ଟ ପରି ମଣୁ ନ ଥିଲେ । ଏପରି ଅବସ୍ଥାରେ ଭବିଷ୍ୟତ ପାଇଁ ଚାକିରି ବାକିରି କରିବା ଯେ ନିତାନ୍ତ ଆବଶ୍ୟକ; ତାହା ସେ ଓ ତାଙ୍କ ବନ୍ଧୁବାନ୍ଧବ ବୁଝିଥିଲେ । ସେହି କାରଣରୁ ଏମ୍.ଏ. ପାସ୍ କରି ସତ୍ୟବାଦୀ ସ୍କୁଲକୁ ଆସିବେ କି ନାହିଁ ବୋଲି ଏମାନଙ୍କର ସନ୍ଦେହ ଜନ୍ମିଥିଲା । କିନ୍ତୁ ତାଙ୍କର ହୃଦୟ ଥିଲା ଭିନ୍ନ ଧରଣର ।

 

ଗୋପବନ୍ଧୁଙ୍କର ମନ୍ତ୍ରର ଶକ୍ତି ସେ ଏଡ଼ିପାରିଲେ ନାହିଁ । ସେ ସ୍କୁଲରେ ପହଞ୍ଚିବାର ଦୁଇଚାରିଦିନ ପରେ ମେ ମାସ ପହିଲା ତାରିଖ ଦିନ ବଉଳଗଛ ମୂଳେ ଗୋଟିଏ ସଭା କରାଗଲା । ପୁରୀ ଏବଂ ଅନ୍ୟାନ୍ୟ ସ୍ଥାନରୁ କେତେକ ଭଦ୍ରଲୋକ ଆସି ଜମାହେଲେ । ଏମାର ମଠ ମହନ୍ତ ମହାରାଜ ରାମାନୁଜ ଦାସ ସଭାପତି ହେଲେ । ସଭା ହେଲା କେବଳ ୟାଙ୍କ ଅଭ୍ୟର୍ଥନା ପାଇଁ । ଆଗରୁ ଏ ସ୍କୁଲରେ ଯେଉଁ ଉତ୍ସାହ ଓ ପ୍ରେରଣା ଖେଳୁଥିଲା, ତାହା ଦ୍ଵିଗୁଣିତ ହୋଇଗଲା । ପୂର୍ବାପେକ୍ଷା ବିଶେଷ ଉତ୍ସାହ ସହକାରେ ଉଦ୍ୟୋକ୍ତାମାନେ ଲାଗିଲେ । ସେତେବେଳେ ଯେଉଁମାନେ ଏମ୍.ଏ. ପାସ୍ କରିଥିଲେ, ସେମାନେ ମାସିକ ତିରିଶଟଙ୍କା ପାଇବେ ବୋଲି କଥା ହେଲା । ଗୋଦାବରୀଶ ତିରିଶଟଙ୍କା ଦରମାରେ ରହିଲେ । ପରେ କୃପାସିନ୍ଧୁ ବାବୁ, ବାସୁଦେବ ମହାପାତ୍ର, ରାମଚନ୍ଦ୍ର ରଥ ପ୍ରଭୃତି ଶିକ୍ଷକ ଆସି ଯୋଗଦେଲେ ।

 

Unknown

ଗୋପବନ୍ଧୁ ବାବୁ ମୟୂରଭଞ୍ଜରୁ ଓକିଲାତି ଛାଡ଼ି ଆସି ଓଡ଼ିଶାର କେଉଁଠି ଗୋଟିଏ ନୂଆ ଧରଣର ବିଦ୍ୟାଳୟ ବସାଇବେ ଏଥିପାଇଁ ଚିନ୍ତା କରିଥିଲେ । ନାନା ସ୍ଥାନ ଖୋଜି ଶେଷରେ ସାକ୍ଷିଗୋପାଳଙ୍କ ମନ୍ଦିରର ପଛପଟେ ବଉଳ, ଛୁରିଅନା କୁଞ୍ଜ ଭିତରେ ସ୍କୁଲ ବସାଇବା ସ୍ଥିର କଲେ-। ଯେଉଁ ବିଦ୍ୟାଳୟ ବସେଇବାପାଇଁ ମନସ୍ଥ କଲେ, ତାହା କି ଧରଣର କରାଯିବ ସେ କଳ୍ପନା ତାଙ୍କର ଆଗରୁ ନଥିଲା ।

 

ଆମ ଦେଶ ତିରୋରୀ ଯୁଦ୍ଧଠାରୁ ପ୍ରାୟ ସାତଶ’ ଆଠଶ’ ବର୍ଷ ପରାଧୀନ ଭାବରେ ଥିଲା । ମୁସଲମାନ ସୁଲତାନ ଓ ମୋଗଲଙ୍କ ପରେ ଇଂରେଜମାନେ ସେତେବେଳେ ରାଜତ୍ୱ କରୁଥଲେ । ଏହି ପରାଧୀନ ଅବସ୍ଥାରେ ରହି ସମଗ୍ର ଦେଶ ସଙ୍ଗେ ଓଡ଼ିଆ ଜାତିର ବୁଦ୍ଧି, ବିଦ୍ୟା, ବିଚକ୍ଷଣତା ସବୁ ଲୋପ ପାଇଗଲା । ବର୍ତ୍ତମାନ ଜାତି ନିର୍ଜୀବ ହୋଇ ପଡ଼ିଛି । ଇଂରେଜମାନେ ଡରରେ ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି । ଉଚ୍ଚ ଆକାଂକ୍ଷା ଆଉ କାହାରି ମନରେ ନାହିଁ । ଆମେ ଯେ ଦିନେ ସ୍ଵାଧୀନତା ପାଇବା, ଆମ ଦେଶ ଆମର ହେବ, ଏ ଆଶା ଆଉ କାହାରି ନଥିଲା ।

 

ଗୋପବନ୍ଧୁ ଭାବିଲେ–ମୁଁ ପରାଧୀନ । ପରାଧୀନ ଅବସ୍ଥାରେ ମଧ୍ୟ ଶିକ୍ଷାବଳରେ ଦେଶର ଜୀବନ ସଂଚାର କରିହେବ । ସେଥିପାଇଁ ଉପଯୁକ୍ତ ଶିକ୍ଷାଦେଇ ଛାତ୍ରମାନଙ୍କୁ ଗଢ଼ିବାକୁ ହେବ । ଛାତ୍ରମାନେ ଯେପରି ମନେ କରିବେ–ଦେଶ ପ୍ରାଣଠାରୁ ବଡ଼ । ନାନା ଦିଗରେ ଦେଶର ସେବା କରିପାରିବେ । କାହାରି ଉପରେ ନିର୍ଭର ନକରି ନିଜଗୋଡ଼ରେ ଠିଆହୋଇ ପାରିବେ । ନିର୍ଭୀକଭାବରେ ନିଜ ମତ ସରକାରଙ୍କ ଆଗରେ କହିପାରିବେ । ବ୍ରହ୍ମଚର୍ଯ୍ୟପାଳନକରି ଚରିତ୍ରବାନ୍ ହେବେ । ଦରକାରବେଳେ ଦେଶର ସ୍ଵାଧୀନତା ରକ୍ଷାକରିବାପାଇଁ ସୈନିକଭାବରେ ଠିଆ ହୋଇ ଲଢ଼ିପାରିବେ । ସେହିପରି ଶିକ୍ଷା ବର୍ତ୍ତମାନ ଦରକାର ବୋଲି ସେ ମନେକଲେ । ଏହି ଉଦ୍ଦେଶ୍ୟ ସଫଳ କରିବା ନିମନ୍ତେ ପ୍ରାଣ ପଣେ ଲାଗିଲେ ।

 

ଶିକ୍ଷକମାନେ ରହିବାପାଇଁ ବେଶି ଘର ନଥିବାରୁ ହରିବାବୁଙ୍କ ବସାରେ ଗୋଦାବରୀଶଙ୍କୁ ମିଶାଇ ପାଞ୍ଚଜଣ ଶିକ୍ଷକ ରହିଲେ । କି ଢଙ୍ଗରେ ପଢ଼ାପଢ଼ି କାର୍ଯ୍ୟ ଓ ଛାତ୍ରାବାସ ପରିଚାଳନା କାର୍ଯ୍ୟ ଚାଲିବ, ସେ ସମ୍ପର୍କରେ ଘନଘନ ବୈଠକ ବସିଲା ଓ ବିଚାର ଚାଲିଲା ।

 

ଆଗରୁ ନୀଳକଣ୍ଠ ବାବୁ ଓ ତାଙ୍କ ଦେଖାଦେଖି ଆଉ କେତେଜଣ ଶିକ୍ଷକ ମଧ୍ୟ ରଖିଲେ ପିଲାମାନଙ୍କ ଭିତରୁ କେହି କେହି ନିଶ ରଖିବା ଦେଖାଗଲା । ଏହାଦ୍ଵାରା ସେ ପାଖଆଖ ଗାଁମାନଙ୍କର ଟିକିଏ ଚହଳ ପଡ଼ିଗଲା । ତାହାଫଳରେ ଗୋଦାବରୀଶଙ୍କ ଅଭ୍ୟର୍ଥନା ପାଇଁ ଯେଉଁଦିନ ସଭା ହୋଇଥିଲା, ତା’ ପରଠାରୁ ନୀଳକଣ୍ଠବାବୁ ଓ ହରିହରବାବୁ ନିଶ ଓ ଦାଢ଼ି ରଖିଲେ-। ଏହି କାରଣରୁ ଲୋକେ ଏ ଅନୁଷ୍ଠାନକୁ ଭିନ୍ନ ଭାବରେ ଦେଖିଲେ । ଜାତିଭେଦ ନ ମାନିବା ଫଳରେ ସ୍କୁଲ ଜୀବନରେ ଗୋଟିଏ ଦୁର୍ଘଟଣା ଘଟିଗଲା ।

 

ସ୍କୁଲ ଘରେ କେହି ନିଆଁ ଲଗାଇ ଦେବାରୁ ଘର, ଉପକରଣ ଓ ପାଠାଗାରର ବହିପତ୍ର ସବୁ ପୋଡ଼ି ପାଉଁଶ ହୋଇଗଲା । ଗୋପବନ୍ଧୁ ଓ ତାଙ୍କର ସାଥି ଯୁବକ ଶିକ୍ଷକମାନେ ଏଥିରେ ଦବିଲେ ନାହିଁ । ଏହା ପରଠାରୁ ବକୁଳ କୁଞ୍ଜ ଭିତରେ ପଢ଼ାପଢ଼ି ଚାଲିଲା । ଏ ପ୍ରଥା ଏକା ଓଡ଼ିଶାରେ କାହିଁକି ଭାରତରେ ମଧ୍ୟ ନୂତନ । ଖୋଲା ପବନରେ ବସି; ବକୁଳ, ଛୁରିଅନା କୁଞ୍ଜ ଭିତରେ, କୋକିଳର ରାବ ଶୁଣି ପିଲାମାନଙ୍କୁ ପଢ଼ିବା ପାଇଁ ଭଲ ଲାଗିଲା । ଏହାଦ୍ଵାରା ପିଲାଙ୍କ ସ୍ଵାସ୍ଥ୍ୟ ବେଳକୁ ବେଳ ଭଲ ହେଲା । ଶିକ୍ଷକମାନେ ଆନନ୍ଦରେ ପଢ଼ାପଢ଼ି କରାଇଲେ । ଆଗ ଆଗ ପିଲାମାନେ ଓ ଶିକ୍ଷକ ଚଟେଇ ଉପରେ ତଳେ ବସୁଥିଲେ, କିନ୍ତୁ କେତେ ଦିନ ପରେ ଶିକ୍ଷକମାନଙ୍କ ପାଇଁ ଇଟାଚୂନରେ ଖଣ୍ଡେ ଖଣ୍ଡେ ଚଉକି ପରି କରି ଦିଆଗଲା ଏବଂ ଲେଖା ଲେଖି କରିବା ଓ ଖାତାପତ୍ର ରଖିବା ପାଇଁ ଛୋଟ ଛୋଟ ଟେବୁଲ ମଧ୍ୟ କରାଗଲା । ଏ ପ୍ରଥା ପିଲା, ପୁଣି ବାହାର ପରିଦର୍ଶକମାନଙ୍କୁ ମଧ୍ୟ ନୂଆପରି ବୋଧ ହେଲା । ଶିକ୍ଷକମାନେ ନିର୍ମଳ ମନରେ ନୂଆ ନୂଆ ପ୍ରଣାଳୀରେ ପଢ଼ାଇବାଦ୍ଵାରା ଛାତ୍ରମାନେ ବେଶ୍‍ ଉପକୃତ ହେଲେ । କେହି ଶିକ୍ଷକ ଟ୍ରେନିଂ ପାସ୍ କରି ନ ଥାନ୍ତି, ତଥାପି ସମସ୍ତେ ସୁଶିକ୍ଷିତ ହୋଇଥିବାରୁ ନୂତନ ପ୍ରଣାଳୀ ବାହାର କରି ପାରୁଥିଲେ ।

 

କ୍ରମେ ଏ ପଢ଼ା ଢଙ୍ଗ ଦେଖି ନାନାଆଡ଼ୁ ଅନେକ ଛାତ୍ର ଆସି ସେଠାରେ ଯୋଗଦେଲେ-। ସେଥିପାଇଁ ସେଠାରେ ଛାତ୍ରାବାସର ଆବଶ୍ୟକତା ପଡ଼ିଲା । ସେହି ବଣ ଭିତରେ ଖଣ୍ଡେଦୂର ଛାଡ଼ି ଗୋଟିଏ ଗୋଟିଏ ଛାତ୍ରାବାସ ତୋଳା ହେଲା । ସେଥିପାଇଁ ବିଶେଷ ଖର୍ଚ୍ଚ ଅବଶ୍ୟ ହୋଇନାହିଁ । ଛାତ୍ର ଓ ଶିକ୍ଷକ ନିଜେ ପରିଶ୍ରମ କରି ଘର ତୋଲିବାରେ ଲାଗିଲେ । ଗାଁ ଗାଁ ବୁଲି ଇଟାଚୂନ, କାଠ ବାଉଁଶ, ନଡ଼ା ଇତ୍ୟାଦି ସଂଗ୍ରହ କଲେ । ସେଥିରେ ନିଜେ ନିଜେ କେତେ ଘର ତୋଳିଲେ, ବାକି ମୂଲିଆଙ୍କଦ୍ଵାରା କରାଇଲେ । ସବୁ ଚାଳଘର ହେଲା । ଛାତ୍ରମାନଙ୍କ ସଂଖ୍ୟା ବଢ଼ିବା ଅନୁସାରେ ଶିକ୍ଷକମାନଙ୍କ ସଂଖ୍ୟା ମଧ୍ୟ ବଢ଼େଇବାକୁ ପଡ଼ିଲା । ଗୋପବନ୍ଧୁବାବୁଙ୍କ ପ୍ରେରଣା, ଶିକ୍ଷକମାନଙ୍କ ପରିଶ୍ରମ, ଛାତ୍ରମାନଙ୍କର କ୍ରମିକ ଉନ୍ନତିଦ୍ୱାରା ବିଦ୍ୟାଳୟଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା । ଉପଯୁକ୍ତ ଶିକ୍ଷକ ତ୍ୟାଗ ଓ ସେବା ମନୋବୃତ୍ତି ଧରି ଆବଶ୍ୟକ ଅନୁସାରେ ଯୋଗଦେଲେ । ଭିନ୍ନ ଭିନ୍ନ ବିଭାଗ ଖୋଲାଗଲା । ଶିକ୍ଷକମାନଙ୍କ ମଧ୍ୟରେ ବିଭାଗର ଦାୟିତ୍ୱ ବଣ୍ଟାଗଲା । ଯେ ଯେଉଁ ବିଭାଗରେ ରହିଲେ, ସେ ଖାଇବା ପିଇବା, ଘରଦ୍ଵାର, ଅଭାବ ଅସୁବିଧା ଭୁଲି ବେଳକୁବେଳ ସେହି ବିଭାଗର ଉନ୍ନତି କରିବାକୁ ଲାଗିଲେ । ବଢ଼େଇକାମ, ସୂତାକଟା, ଲୁଗାବୁଣା, ବଗିଚା, ଘର ଆଗରେ ଗଛ ଲଗାଇବା ପ୍ରଭୃତି ନାନା କାର୍ଯ୍ୟ ଆରମ୍ଭ କରାଗଲା । ପାଠପଢ଼ା ଛଡ଼ା ଯାହାର ଯେଉଁ ଦିଗରେ ରୁଚି ବଳିଲା, ସେ ସେଥିରେ ଯୋଗଦେଲା । ସୁଦକ୍ଷ ଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ସବୁ କାର୍ଯ୍ୟ ଶୃଙ୍ଖଳା ସହିତ ଚାଲିଲା । ମନୋରଞ୍ଜନ ପାଇଁ ଜଣେ ସଙ୍ଗୀତ ଶିକ୍ଷକ ରହିଲେ, ସଙ୍ଗୀତ ଶିକ୍ଷା ମଧ୍ୟ ଦିଆଗଲା । ସାପ୍ତାହିକ ସଭା, ମାସିକ ଆଲୋଚନା ସଭା, ହାତଲେଖା ପତ୍ରିକା, ବକ୍ତୃତା ପ୍ରତିଯୋଗିତା, ପଦ୍ୟାନ୍ତ, ଶ୍ଳୋକାନ୍ତ ପ୍ରଭୃତି ମାନସିକ ବିକାଶ ନିମିତ୍ତ ପାଠପଢ଼ା ସଙ୍ଗେ ସଙ୍ଗେ କରାଗଲା । ଛାତ୍ରମାନଙ୍କର ଦାୟିତ୍ୱ ବାଣ୍ଟି ଦିଆଗଲା । ଏ ସବୁ ଭିତରେ ସୁଦ୍ଧା ଛାତ୍ରମାନଙ୍କର ଚରିତ୍ରର ଉନ୍ନତି, ଶୃଙ୍ଖଳା ଓ ବ୍ୟବହାର ପ୍ରତି ବିଶେଷ ଦୃଷ୍ଟି କୌଣସି କ୍ରମେ ଊଣା କରାଯାଉ ନ ଥାଏ ।

 

ହରିହରବାବୁ ଜଣେ ଋଷି ପ୍ରତିମ ବ୍ୟକ୍ତି । ଛାତ୍ରାବାସ ତତ୍ତ୍ଵାବଧାନ କାର୍ଯ୍ୟ ତାଙ୍କରି ହାତରେ ଥାଏ । ତାଙ୍କ ଆଦର୍ଶ ପିଲାମାନଙ୍କ ପକ୍ଷରେ ଖାଲି ନୁହ, ଶିକ୍ଷକମାନଙ୍କ ପକ୍ଷରେ ମଧ୍ୟ ଗୋଟିଏ ବଡ଼ ଆକର୍ଷଣ । ସେ ବଡ଼ ଚରିତ୍ରବାନ୍, ନିରଳସ ଏବଂ ଛାତ୍ରବତ୍ସଳ । ପିଲାମାନେ ତାଙ୍କୁ ପିତୃତୁଲ୍ୟ ମନେ କରନ୍ତି । ପିଲାଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ମମତା । ନିତି ରାତି ଚାରିଟାବେଳେ ଉଠି ଗାଧୁଆପାଧୁଆ ନିତ୍ୟକର୍ମ ସାରି ପିଲାଙ୍କୁ ଯାଇ ଉଠାନ୍ତି । ପ୍ରତ୍ୟେକ ଛାତ୍ର ପ୍ରାତଃ ସ୍ନାନ କରନ୍ତି । ସ୍ନାନପରେ ଛାତ୍ରାବାସର ପ୍ରତି ଘରେ ଉପାସନା କରାଯାଏ । ଉପାସନା ପରେ ଜାତି, ଗୋତ୍ର ଓ ଧର୍ମ ବିଚାର ନକରି ପିଲାମାନେ ଏକାଠି ବସି ସକାଳେ ଜଳଖିଆ କରନ୍ତି । ପ୍ରାୟ ସବୁ ଦିନ ଖେଚେଡ଼ି ହୁଏ । ସେଥିରେ ଡାଲି ପରିବାପତ୍ର ମଧ୍ୟ ପଡ଼ିଥାଏ । ତାହା ଯେପରି ସାରବାନ୍ ସେହିପରି ରୁଚିକର । ଦିନରେ ଦୁଇଥର ଜଳଖିଆ ଏବଂ ଦୁଇଥର ଭାତ ଖିଆଯାଏ । ସେଠାରେ ନିତି ପରିବା ତରକାରୀ ଯଥେଷ୍ଟ ହୁଏ । ସେ ସବୁ ପରିବାରୁ ଅଧିକାଂଶ ଭାଗ ବଗିଚା ଯୋଗାଏ । ଏ ବଗିଚାଟି ସ୍କୁଳଠୁ ଟିକିଏ ଦୂରରେ । ପଢ଼ାପଢ଼ି ବେଳେ ଛାତ୍ର, ଶିକ୍ଷକ ସମ୍ପୂର୍ଣ୍ଣ ଅଲଗା, ମାତ୍ର ପଢ଼ାପଢ଼ି ପରେ ପ୍ରତିଦିନ ଚାରିଟାବେଳଠାରୁ ପ୍ରାୟ ଦେଢ଼ଘଣ୍ଟା ବା ଦୁଇଘଣ୍ଟା ବଗିଚାରେ କାମ କରାଯାଏ । ସ୍କୁଲର ପଢ଼ାପଢ଼ିର ବେଶ ଛାଡ଼ି ଦେଇ ସମସ୍ତେ ଶ୍ରମିକ ବେଶ ପିନ୍ଧି ବଗିଚାକୁ ଯା’ନ୍ତି । ସେଠି ସମସ୍ତେ ଏକ ପ୍ରକାର ଦେଖାଯାନ୍ତି । ଶିକ୍ଷକଙ୍କୁ ଶିକ୍ଷକ ବୋଲି ଚିହ୍ନି ହୁଏନାହିଁ । କୋଡ଼ି, କାଙ୍କ ପ୍ରଭୃତି ଚାଷ ଉପକରଣ ଧରି ବଗିଚା କାମରେ ଲାଗନ୍ତି । ଯେଉଁ ଋତୁରେ ଯେଉଁ ଫସଲ କରିବା କଥା ତାହା କରାଯାଏ । ଫଳରେ ପ୍ରଚୁର ପରିବା ଉତ୍ପନ୍ନ ହୁଏ । ତାହାଦ୍ଵାରା ଛାତ୍ରାବାସର ଖର୍ଚ୍ଚ ପରିମାଣ ମଧ୍ୟ କମ୍ ପଡ଼େ, ପୁଣି ସଦ୍ୟ ପରିବା ପ୍ରତିଦିନ ରନ୍ଧାଯାଏ । ଚାରିଟାପରେ ସମସ୍ତେ ଯେ ବଗିଚାକୁ ଯା’ନ୍ତି ତାହା ନୁହେଁ, ଦଳେ ବଢ଼େଇ କାମ ଶିଖିବାକୁ ଯା’ନ୍ତି, ଦଳେ ତନ୍ତରେ ଲୁଗା ବୁଣା ଶିଖିବାକୁ ଯା’ନ୍ତି, ଦଳେ ସଙ୍ଗୀତ ଶିଖନ୍ତି ଓ ଆଉ ଦଳେ କୁସ୍ତି କସରତ ଶିଖନ୍ତି । ଯେଉଁମାନେ ଭୋଜନ ବ୍ୟବସ୍ଥା ପରିଚାଳନା କାର୍ଯ୍ୟରେ ଥାନ୍ତି, ସେମାନେ ଭୋଜନ ବ୍ୟବସ୍ଥାର ହିସାବ ପତ୍ର ସବୁ ବୁଝନ୍ତି । ଏହିପରି ଭାବରେ ବାଣ୍ଟି ହୋଇଯାନ୍ତି; କିନ୍ତୁ ସବୁ କାର୍ଯ୍ୟ ପଛରେ ଶିକ୍ଷକମାନେ ରହିଥାନ୍ତି ।

 

ଭୋଜନ ବ୍ୟବସ୍ଥାର ପରିଚାଳନା କରନ୍ତି–ପିଲାମାନେ । ସେଥିରେ କିଏ କ’ଣ ବୁଝିବ ନିର୍ଦ୍ଦିଷ୍ଟ ଥାଏ । ଯେତୋଟି ଭୋଜନ ବ୍ୟବସ୍ଥା ସେତିକିଟି ବୋର୍ଡ଼ ଥାଏ । ପିଲା କ୍ରମେ କ୍ରମେ ବେଶି ହୋଇ ଯିବାରୁ ଛାତ୍ରାବାସ ଯେପରି ଭିନ୍ନ ଭିନ୍ନ ସ୍ଥାନରେ ହେଲା ଭୋଜନ ବ୍ୟବସ୍ଥା ମଧ୍ୟ ସେ ଅନୁସାରେ ବ୍ୟବସ୍ଥା କରାହେଲା । ଖାଇ ବସିବାବେଳେ କୌଣସି ଜାତିଭେଦ ରହିଲା ନାହିଁ । ଶିକ୍ଷକ, ଛାତ୍ର ଏକା ହଲରେ ବସି ଖାଆନ୍ତି । ପିଲାମାନେ ନିଜେ ନିଜେ ବାସନ ମାଜନ୍ତି, ପରଷିବାରେ ସାହାଯ୍ୟ କରନ୍ତି । ଏହା ଫଳରେ ଛାତ୍ରମାନଙ୍କ ମଧ୍ୟରେ ସଦ୍‌ଭାବ ବଢ଼ିଲା । ସମସ୍ତେ ଗୋଟିଏ ପରିବାରର ପିଲା ବୋଲି ମନେ କଲେ । ଖାଇ ବସିବାବେଳେ ଶାନ୍ତି ଶୃଙ୍ଖଳା ରଖି ଚଳନ୍ତି, ଖାଦ୍ୟ ଜିନିଷ ଯେପରି ଅପବ୍ୟୟ ନ ହୁଏ, ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ଥାଏ ।

 

ଛାତ୍ରମାନେ ପାଖ ଆଖ ଗାଁମାନଙ୍କର ସେବା କାର୍ଯ୍ୟରେ ମଧ୍ୟ ମନ ଦେଇଥାନ୍ତି । କେଉଁଠି ଘର ପୋଡ଼ିଗଲେ ଶିକ୍ଷକ, ଛାତ୍ର ଯାଇ ଲିଭାନ୍ତି । ବନ୍ୟାବେଳେ ଦଳ ଦଳ ଛାତ୍ର ଯାଇ ଲୋକଙ୍କୁ ଉଦ୍ଧାର କରନ୍ତି, ଲୋକଙ୍କୁ ଚୁଡ଼ା ଚାଉଳ ବାଣ୍ଟନ୍ତି, ନିରାଶ୍ରୟକୁ ଆଶ୍ରୟଦାନ କରନ୍ତି । କେତେବେଳେ କେଉଁଠି ସଂକ୍ରାମକ ରୋଗ ବ୍ୟାପିଲେ ଔଷଧ ବିତରଣ କରି ସାହାଯ୍ୟ କରନ୍ତି ।

 

ବର୍ଷରେ ଥରେ ଦି’ଥର କୌଣସି ବଣ ଜଙ୍ଗଲକୁ ଯାଇ ବଣଭୋଜି, ମେଳା ମଉଜ କରିବା ଭିତରେ ନାନାକଥା ଆଲୋଚନା ମଧ୍ୟ କରାଯାଏ ।

 

ଭ୍ରମଣ–ସେ ବିଦ୍ୟାଳୟର ଏକ ପ୍ରଧାନ ଅଙ୍ଗ । କୋଣାର୍କ, ପୁରୀ, ବରୁଣେଇ ପର୍ବତ, ଅଟ୍ରି ଉଷ୍ଣପ୍ରସ୍ରବଣ, ବଡ଼ମ୍ବାର ଭଟ୍ଟାରିକା, ଖଣ୍ଡପଡ଼ାର ନୀଳମାଧବ ପ୍ରଭୃତି ଦର୍ଶନୀୟ ସ୍ଥାନକୁ ପିଲାମାନେ ଶିକ୍ଷକମାନଙ୍କ ସଙ୍ଗରେ ଭ୍ରମଣ କରିବାକୁ ଯା’ନ୍ତି । ଅଧିକାଂଶଥର ଚାଲି ଚାଲି ଯା’ନ୍ତି । ଭ୍ରମଣ ଫଳରେ ନାନା ଅନୁଭୂତି ହୁଏ । ଫେରି ଆସିଲାପରେ ଅନୁଭୂତି ବର୍ଣ୍ଣନା କରି କବିତା, ପ୍ରବନ୍ଧ ଇତ୍ୟାଦି ଲେଖନ୍ତି । ପ୍ରତିଯୋଗିତାରେ ପୁରସ୍କାର ମଧ୍ୟ ଦିଆଯାଏ । ଏ ଭ୍ରମଣର ଫଳ ସ୍ଵରୂପ ନୀଳକଣ୍ଠ ବାବୁଙ୍କର ‘କୋଣାର୍କ’ କାବ୍ୟ, ଗୋଦାବରୀଶଙ୍କ କେତେକ କବିତା ଦେଖିବାକୁ ମିଳେ ।

 

ଛାତ୍ରମାନଙ୍କର ବ୍ୟବହାର୍ଯ୍ୟ ଜିନିଷ ପାଇଁ ଗୋଟିଏ ଛାତ୍ରଭଣ୍ଡାର ସେଠି ଗଢ଼ାଯାଇଥିଲା-। ତାହା ସମବାୟ ଉଦ୍ୟମରେ ଗଠିତ ହୋଇଥିଲା । ଅତି ଆବଶ୍ୟକ ପଦାର୍ଥଗୁଡ଼ିକ ପିଲାମାନେ ସେଠୁ ପାଇପାରନ୍ତି । ସେଥିରେ ଛାତ୍ରମାନଙ୍କର ଅଂଶ ଥାଏ । ସେହି ସମବାୟ ଭଣ୍ଡାରର ବାର୍ଷିକ ଲାଭ ଅଂଶୀଦାରମାନେ କେତେକାଂଶ ପାନ୍ତି, ବାକି ଗରିବ ଛାତ୍ରଙ୍କୁ ସାହାଯ୍ୟ ଦିଆଯାଏ ।

 

ଗୋଟିଏ ସମବାୟ ବ୍ୟାଙ୍କ ଗଢ଼ାଯାଇଥିଲା । ମାସିକ ଖର୍ଚ୍ଚ ବାବଦକୁ ଛାତ୍ରମାନେ ଯେଉଁ ଟଙ୍କା ଆଣନ୍ତି, ତାହା ସେଥିରେ ଜମା କରି ଦିଅନ୍ତି ଏବଂ ଦରକାର ଅନୁସାରେ ଆଣନ୍ତି । ସୁତରାଂ ପିଲାମାନଙ୍କର ଟଙ୍କା ପଇସା ହଜିଯିବାର ଆଶଙ୍କା ନ ଥାଏ ।

 

ପ୍ରତି ସପ୍ତାହରେ ସାପ୍ତାହିକ ସଭା ହୁଏ, କେତେବେଳେ ଗୋପବନ୍ଧୁ ବାବୁ, କେତେବେଳେ ନୀଳକଣ୍ଠ ବାବୁ, କେତେବେଳେ ଗୋଦାବରୀଶ ବାବୁ ଆଉ କେତେବେଳେ ଅନ୍ୟ ଶିକ୍ଷକମାନେ ବକ୍ତୃତା ଦିଅନ୍ତି । ସେଗୁଡ଼ିକ ଛାତ୍ରମାନଙ୍କ ଉପରେ ବିଶେଷ ପ୍ରଭାବ ପକାଏ । ସେହି ସଭାମାନଙ୍କରେ ବକ୍ତୃତା, ପ୍ରବନ୍ଧ ଓ ପଦ୍ୟ ପ୍ରତିଯୋଗିତା ମଧ୍ୟ ହୁଏ ।

 

ସରସ୍ଵତୀ ଓ ଗଣେଶ ପୂଜା ଯଥାବିଧି କରାଯାଏ । ପୂଜାମାନଙ୍କରେ ମନୋରଞ୍ଜନ ନିମିତ୍ତ ନାଟକ, ଅଭିନୟ, ପଦ୍ୟାନ୍ତ, ଶ୍ଳୋକାନ୍ତ ପ୍ରଭୃତି ହୁଏ । ଛାତ୍ରାବାସରେ ପାନ, ବିଡ଼ି, ସିଗାରେଟ୍‍ ପ୍ରଭୃତି ନିଶାଦ୍ରବ୍ୟ ଏକବାରେ ମନା, ତଥାପି ଛାତ୍ରମାନଙ୍କ ମଧ୍ୟରେ କାହାରି କାହାରି ଏ ଦୁରଭ୍ୟାସ ଥିବ ବୋଲି ବିଚାରି ଶିକ୍ଷକମାନେ ଲୁଚି ଛପି ତାହା ଦେଖନ୍ତି । ଦେଖାଗଲେ କଠିନ ଦଣ୍ଡ ଦିଆଯାଏ ।

 

ଚରିତ୍ରଗଠନ ଏ ସ୍କୁଲର ଏକ ପ୍ରଧାନ ଅଙ୍ଗ । କଥାରେ, କାର୍ଯ୍ୟରେ ଏବଂ ଚିନ୍ତାରେ ଯେପରି ପିଲାମାନେ ସଂଯତ ରହିପାରିବେ, ସେଥିନିମିତ୍ତ ତୀକ୍ଷ୍ଣ ଦୃଷ୍ଟି ଦିଆ ଯାଇଥାଏ । ଚରିତ୍ରହୀନତାର କୌଣସି ପ୍ରମାଣ ମିଳିଲେ, କଠୋର ଶାସ୍ତି ମିଳେ । ଛାତ୍ରମାନେ ସରଳ ଭାବରେ ଚଳିବା ଭିତରେ ବେଳେ ବେଳେ ସଂସର୍ଗ ଦୋଷରୁ ବିପଥଗାମୀ ହୁଅନ୍ତି । ଛାତ୍ରବୟସହିଁ ଜୀବନଗଠନ ସମୟ । ସେତେବେଳେ ସଂଯତ ନ ରହିଲେ, ଏକେତ ପାଠପଢ଼ା ହେବନାହିଁ, ପୁଣି ଜୀବନ ନଷ୍ଟ ହୋଇଯିବ । ଏଥିପାଇଁ ଶିକ୍ଷକମାନେ ଛାତ୍ରମାନଙ୍କୁ ଗୋଡ଼େ ଗୋଡ଼େ ଜଗିଥାନ୍ତି । ସବୁବେଳେ ଉପଦେଶ ଦିଅନ୍ତି । ଚରତ୍ରବାନ୍ ଛାତ୍ରମାନଙ୍କୁ ଭାରି ଆଦର ମିଳେ ।

 

ରୋଗୀ ସେବା ଏ ବିଦ୍ୟାଳୟର ଏକ ବିଶେଷତ୍ୱ । କେହି ରୋଗରେ ପଡ଼ିଲେ ଅନ୍ୟ ପିଲାମାନେ ସେବା କରନ୍ତି । ପଥିପାଚନ ଦିଅନ୍ତି, ଯଥା ସମୟରେ ଔଷଧ ଆଣି ଦିଅନ୍ତି । ପାଳିକରି ପିଲାମାନେ ରୋଗୀ ପାଖରେ ରହନ୍ତି । ହରିବାବୁଙ୍କ ପାଖରେ ହୋମିଓପାଥି ଔଷଧ ଥାଏ, ତାହାଛଡ଼ା ରାମଚନ୍ଦ୍ର ରଥେ ଜଣେ ହୋମିଓପାଥି ଚିକିତ୍ସକ । ସେ ଛାତ୍ରାବାସ ବୁଲି ଔଷଧ ଦିଅନ୍ତି । ସେପରି ଗୁରୁତର ଘଟଣା ହେଲେ, ଡାକ୍ତରଙ୍କୁ ଡକାଯାଏ । ଶିକ୍ଷକମାନେ ନିଜ ସନ୍ତାନ ପରି ପିଲାଙ୍କୁ ଦେଖନ୍ତି । ରାତି ଅନିଦ୍ରା ହୋଇ ପାଖରେ ବସି ସେବା କରନ୍ତି । ଏହାଦ୍ଵାରା ପିଲାମାନେ ଶିକ୍ଷକମାନଙ୍କୁ ପିତାମାତା ପରି ଭାବନ୍ତି ।

 

ଥରେ କଳାହାଣ୍ଡିର ଗୋଟିଏ ପିଲା ହଇଜାରେ ପଡ଼ିଲା । ତା’ ନାଁ ବଂଶୀଧର । ଅଳ୍ପଦିନ ହେଲା ଆସିଥାଏ, ମାତ୍ର ଅକାଳରେ ପିଲାଟି ଚାଲିଗଲା । ସେହି ଘଟଣାରେ ଗୋଦାବରୀଶ କିପରି ବ୍ୟଥିତ ହୋଇଥିଲେ, ତାହା ତାଙ୍କ ‘ନିମିଷକ ଦେଖା’ (କଳିକା) ପଦ୍ୟ ଲେଖାରୁ ଜଣାପଡ଼େ ।

 

ଏହିପରି ଭାବରେ ପିଲାମାନେ ସେଠି ଚଳୁଥିବା ଜାଣି ବହୁ ବଡ଼ ବଡ଼ ଲୋକ ତାହା ଦେଖିବାକୁ ଆସିଲେ । ବିହାର ଓ ବଙ୍ଗଳାର ଲାଟସାହେବ ଏବଂ କେତେକ ଗଣ୍ୟମାନ୍ୟ ଉଚ୍ଚପଦସ୍ଥ ବ୍ୟକ୍ତି ଏ ବନବିଦ୍ୟାଳୟର ଚାଲିଚଳନ ଓ ପଢ଼ାପଢ଼ି ଦେଖି ଚମତ୍କୃତ ହେଲେ । ଶିକ୍ଷା ବିଭାଗୀୟ ଲୋକେ ମନେକଲେ–ଏପରି ମୁକ୍ତବାୟୁରେ ଶିକ୍ଷାଦାନ କରିବା ସର୍ବଥା ଉଚିତ । ସେତେବେଳେ ଇଂରେଜ ସରକାର ରାଜତ୍ୱ ସମୟ । ସରକାର ମନେକଲେ–ଏହା ଗୋଟିଏ ବିପ୍ଳବର କେନ୍ଦ୍ର । କେତେବେଳେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଏମାନେ ବାହାରିବେ ତାହାରି ଉଦ୍ୟମରେ ଅଛନ୍ତି-। ଏହା ବିଚାରି ସ୍କୁଲ ମଞ୍ଜୁର କଲେନାହିଁ । ମଞ୍ଜୁର ନ ହେଲେ, ପିଲାମାନେ ପରୀକ୍ଷା ଦେଇ ପାରିବେନାହିଁ, ସବୁ ପରିଶ୍ରମ ଅକାରଣ ହେବ । ଏହା ବିଚାରି ସମ୍ପାଦକ ଗୋପବନ୍ଧୁ ନାନା ଆବେଦନ ନିବେଦନ କଲେ । ଆଗ ଆଗ କେତେବର୍ଷ କେବଳ ପରୀକ୍ଷାଦେବାକୁ ମଞ୍ଜୁର କରାଯିବାରୁ ପିଲାମାନେ ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦିଅନ୍ତି । କେତେଦିନ ପରେ ରମାବଲ୍ଲଭ ମିଶ୍ର ପୁରୀର କଲେକ୍ଟର ହୋଇ ଆସିଲେ । ସେ ସବୁକଥା ବୁଝିଲେ । ସେ ମନେକଲେ–ଯାହା ସନ୍ଦେହ କରାଯାଉଛି ତାହା ନୁହେଁ, ଶିକ୍ଷା ବିଷୟରେ ଏହା ଗୋଟିଏ ଆଦର୍ଶ ବିଦ୍ୟାଳୟ ହେବ । ଏହିଭଳି ବିଦ୍ୟାଳୟ ଦେଶରେ ଆବଶ୍ୟକ । ତାଙ୍କରି ଯତ୍ନରେ ସ୍କୁଲକୁ ମଞ୍ଜୁରି ମିଳିଲା । ମାତ୍ର ସରକାରଙ୍କଠାରୁ ଯେଉଁ ସାହାଯ୍ୟ ପାଇବା କଥା ତାହା ସ୍କୁଲ ଆଣିଲା ନାହିଁ । ସରକାର ଯାଚିଲେ ମଧ୍ୟ ଗୋପବନ୍ଧୁ ଗ୍ରହଣ କଲେନାହିଁ । ସ୍ଵାବଲମ୍ବୀ ହେବାପାଇଁ ସେ ଏହା କରିଥିଲେ । ସରକାରଙ୍କଠାରୁ ସିନା ଆଣିଲେ ନାହିଁ, ରାଜା ମହାରାଜାଙ୍କଠାରୁ ଯଥେଷ୍ଟ ସାହାଯ୍ୟ ପାଇଲେ । ସାଧୁ କାର୍ଯ୍ୟରେ ଧନସମ୍ପତ୍ତି ଅଭାବ ରହେ ନାହିଁ । ପ୍ରକୃତରେ ଅଭାବ ରହିଲାନାହିଁ । ହଜାର ହଜାର ଟଙ୍କା ଦାନସୂତ୍ରରେ ମିଳିଲା । ସେହି ଟଙ୍କାରୁ ଶିକ୍ଷକମାନଙ୍କୁ ଦରମା ଦିଆଗଲା, ସ୍ଥାୟୀ ଗୃହ ତୋଳାଗଲା, ପ୍ରକାଣ୍ଡ ପାଠାଗାର ମଧ୍ୟ ଗଠିତ ହେଲା ।

 

୧୯୧୪ ଠାରୁ ୧୯୧୮ ପର୍ଯ୍ୟନ୍ତ ଗୋଦାବରୀଶ ସେଠାରେ ଶିକ୍ଷକତା କରିବା ପରେ ଟ୍ରେନିଂ ପାଇବା ପାଇଁ କଲିକତା ଗଲେ । ସେଠି ବି.ଟି. ପଢ଼ିଲେ, ନଅ ମାସ ରହିବାକୁ ପଡ଼ିଲା । ଟ୍ରେନିଂ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କଲେ । ସେ ଟ୍ରେନିଂ ପାଇ ଫେରିବା ପରେ କଥା ହେଲା ଯେ ଏମ୍.ଏ. ପାସ୍ କରିଥିବା ଶିକ୍ଷକମାନଙ୍କ ଭିତରେ ଜଣେ ଜଣେ ବର୍ଷେ ବର୍ଷେ ପ୍ରଧାନ ଶିକ୍ଷକ ହେବେ । ଏହା କାର୍ଯ୍ୟକାରୀ ହେଲା । ନୀଳକଣ୍ଠ ବାବୁଙ୍କ ପରେ ଗୋଦାବରୀଶ ହେଲେ ପ୍ରଧାନ ଶିକ୍ଷକ । ସେ ବର୍ଷେ ରହିଲାପରେ ସତ୍ୟବାଦୀ ବନ ବିଦ୍ୟାଳୟରୁ ସ୍ଥାନାନ୍ତରିତ ହେଲେ । ଦିନେ ଗୋଟିଏ ସଭା ଡକା ହେଲା । ସେଥିରେ ଗୋପବନ୍ଧୁ ବାବୁ ପ୍ରକାଶ କଲେ ଯେ ଏଠା ଶିକ୍ଷକମାନଙ୍କ ଭିତରୁ ଜଣେ ସିଂହଭୂମ ଯିବା ଦରକାର ହେଉଛି । ନୀଳକଣ୍ଠ ବାବୁ, କୃପାସିନ୍ଧୁ ବାବୁ, ଲିଙ୍ଗରାଜ ବାବୁ ସେଠାକୁ ଯିବାକୁ ଏକପ୍ରକାର ଅସ୍ଵୀକୃତ ହେଲେ । ମାତ୍ର ଗୋଦାବରୀଶ ଅଭାବ ଅସୁବିଧାକୁ ପଛରେ ପକାଇ ସିଂହଭୂମ ଯିବାକୁ ଆଗ୍ରହରେ ବାହାରିଲେ ।

 

ତାଙ୍କର ସତ୍ୟବାଦୀରେ ରାହିବା ସମୟ କଥା କହୁଛି । ବାଣପୁରରୁ ସତ୍ୟବାଦୀ ଆସିବାପରେ ସେ କେତେଦିନ ହରିବାବୁଙ୍କ ପାଖରେ ଥିଲେ । ସେଠି ଅସୁବିଧା ହେବାରୁ ସାକ୍ଷିଗୋପାଳ ମନ୍ଦିରପାଖ ସାଇରେ ଗୋଟିଏ ବସାକରି ରହିଲେ । ବାଣପୁରରୁ ଆପଣା ପିଲାଙ୍କୁ ସେଠିକି ଘେନି ଆସିଲେ । ପ୍ରବାସରେ ପାରିବାରିକ ଜୀବନ କଟାଇବା ତାଙ୍କର ଏହା ପ୍ରଥମ । ପିଲମାନଙ୍କୁ ସିନା ଆଣିଲେ, ମାତ୍ର ଘର ଚଳାଇବା ତାଙ୍କୁ ଆରେଇଲା ନାହିଁ । ସେ ସେବିଷୟରେ ଏକପ୍ରକାର ଉଦାସୀନ । ପିଲାମାନେ ତାଙ୍କ ମନକୁ ଯେମିତ ହେଲେ ଚଳିବେ ଭାବି ସେ ଆଡ଼େଇ ହୋଇ ରହିବା ଫଳରେ ପିଲମାନେ ଅସୁବିଧାରେ ପଡ଼ିଲେ । ଖାଇବା ପିଇବାରେ ହଟହଟା ହେଲେ । ପଛକୁ ଏକଥା ଗୋପବନ୍ଧୁ ବାବୁ ଜାଣିପାରିଲେ । ଏଣିକି ତାଙ୍କ ଘର ଚଳାଇବା ଭାର ରହିଲା–ହରିବାବୁଙ୍କ ହାତରେ । ସେ କେବଳ ଯାହା ଗଣ୍ଡେ ଖାଇବାକୁ ଆସନ୍ତି ସେତିକି । ତାଙ୍କର ଯୋଡ଼ିଏ ଝିଅ ମଣି ଓ ହାରାମଣି ଓ ବଡ଼ପୁଅ ରଘୁନାଥ ସେଇଠି ଜନ୍ମ ହୋଇଥିଲେ ।

 

ସତ୍ୟବାଦୀ ସ୍କୁଲରେ କାମ କରିବାକୁ ବସି ସେ ଅନ୍ୟକଥା ସବୁ ଭୁଲିଗଲେ । ଯେତେ ଦୁଃଖ କଷ୍ଟ ହେଉ ପଛେ କିଛି ଭ୍ରୂପେକ୍ଷ କଲେନାହିଁ । ମନ ପ୍ରାଣ ସମର୍ପଣ କରି ସ୍କୁଲର ଉନ୍ନତି ଦିଗରେ ଲାଗିଲେ । ନୂତନ ଯୁଗର ଦୃଷ୍ଟି ଘେନି ନୂତନ ଭାବରେ ସ୍କୁଲଟିକୁ ଗଢ଼ିବା ଉଦ୍ଦେଶ୍ୟରେ ସମସ୍ତେ ଲାଗିଥିଲେ । ସେ ତିରିଶି ଟଙ୍କା ଦରମା ନେଉଥିଲେ । ଏତେ କମ୍ ଦରମାରେ ଚଳି ନ ପାରିବାରୁ ସ୍କୁଲ ପକ୍ଷରୁ ଆଉ କିଛି ଦିଆ ହେଲା; କିନ୍ତୁ ସ୍କୁଲର ଅବସ୍ଥା ଦୃଷ୍ଟିରୁ ସେ ସେତକ ନେବାକୁ ମଧ୍ୟ ରାଜି ନ ଥିଲେ । ତ୍ୟାଗ ମନୁଷ୍ୟକୁ ବଡ଼ କରେ । ସେ ଇଚ୍ଛା କରିଥିଲେ ବଡ଼ ବଡ଼ ଚାକିରି ପାଇଥାନ୍ତେ, ସୁଖ ଶାନ୍ତିରେ ରହି ପାରିଥାନ୍ତେ । ଏ ସୁଯୋଗ ଯେ ତାଙ୍କୁ ମିଳି ନ ଥିଲା, ତାହା ମଧ୍ୟ ନୁହେଁ । ଗୋପବନ୍ଧୁଙ୍କ ମୁହଁକୁ ଚାହିଁ ସେ ସବୁ ଆଡ଼େଇ ଦେଇଥିଲେ । ବିଦ୍ୟାଳୟ ପାଇଁ ଦୁଃଖ ଦାରିଦ୍ର୍ୟ ବରଣ କରିଥିଲେ ।

 

ଶିକ୍ଷକ ଥିଲାବେଳେ, ପିଲାଙ୍କ ସଙ୍ଗେ ପିଲାଙ୍କପରି, ଶିକ୍ଷକମାନଙ୍କ ସଙ୍ଗେ ଶିକ୍ଷକପରି, ଚଳୁଥିବାରୁ ସେ ସମସ୍ତଙ୍କର ପ୍ରିୟ ହୋଇପାରୁ ଥିଲେ । ତାଙ୍କ ପାଠ ପଢ଼ାରେ ପିଲାମାନେ ମୁଗ୍‌ଧ ହେଉଥିଲେ । ପାଠ ପଢ଼େଇବାବେଳେ ତାଙ୍କର ଅଭିନୟ ସହିତ ପାଠପଢ଼ା ଦେଖିବା ପାଇଁ ବେଳେ ବେଳେ ଅନ୍ୟ ଶ୍ରେଣୀର ପିଲାମାନେ ଆସି ଲୁଚିକରି ଦେଖନ୍ତି ।

 

ମେସମେରିଜମ୍ ବା ସମ୍ମୋହନ ବିଦ୍ୟା ସେ ଶିଖିଥିଲେ । ଏ ବିଦ୍ୟା ସେ କାହାଠୁ ଶିଖିଥିଲେ କେଜାଣି ମାତ୍ର ସେ ବିଦ୍ୟା ଦେଖାଇ ଲୋକଙ୍କୁ ତାଟକା କରି ଦିଅନ୍ତି । ଏହି ବିଦ୍ୟାଦଳୟରେ ପିଲାଙ୍କର ରୋଗ ଭଲକରି ଦିଅନ୍ତି । ଶୁଣାଅଛି–କୌଣସି ରାଣୀଙ୍କର ଗୋଟିଏ ଅସାଧ୍ୟ ରୋଗ ହୋଇଥିଲା । ଏହି ବିଦ୍ୟା ପ୍ରୟୋଗବଳରେ ସେ ତାଙ୍କୁ ଭଲ କରି ଦେଇଥିଲେ । ଲୋକେ କହନ୍ତି–ତାଙ୍କ ନନା ଝଡ଼ାଝଡ଼ି ମନ୍ତ୍ର ଜାଣିଥିଲେ । ପୈତୃକ ଶକ୍ତି ମଧ୍ୟ ବେଳେ ବେଳେ ପୁତ୍ରଠାରେ ଦେଖାଯାଏ । ସମ୍ଭବତଃ ସେଥିରୁ କିଛି ଅଂଶ ସେ ପାଇଥିଲେ ।

 

କଲିକତାରେ ବି.ଏ. ପଢ଼ିବାବେଳେ ଲେଖାଲେଖି ଦିଗରେ ସେ ମନ ଦେଇଥିଲେ । ଏବେ ସେହି ବି.ଏ. ପଢ଼ିବା ସମୟର ଲେଖା ଉତ୍କଳ ସାହିତ୍ୟ, ମୁକୁର ପ୍ରଭୃତି ପତ୍ରିକାରୁ ମିଳୁଛି । ସେ କଲିକତାରେ ବି.ଟି. ପଢ଼ୁଥିବାବେଳେ ପୁରୁଷୋତ୍ତମଦେବ ନାଟକ ଓ ଇଂରାଜୀ ଲେଖା ଦିଗରେ Indian Folk Tales ଏହିପରି ଦୁଇଖଣ୍ଡି ବହି ଲେଖିଥିଲେ । ତା’ ପୂର୍ବରୁ ଲେଖିଥିଲେ ଦି’ଖଣ୍ଡି ପଦ୍ୟ ବହି । ସତ୍ୟବାଦୀରେ ଶିକ୍ଷକତା କରିବା ସମୟରେ ସେ ଆଉ କେତେଖଣ୍ଡି ବହି ମଧ୍ୟ ଲେଖିଥିଲେ । ତାହାଛଡ଼ା ପତ୍ରିକାମାନଙ୍କରେ ମଧ୍ୟ ଲେଖାଲେଖି କରନ୍ତି । ସାହିତ୍ୟର ଶ୍ରୀବୃଦ୍ଧି ସାଧନ ପ୍ରତି ଲକ୍ଷ୍ୟ ଥିବାରୁ ଏ ଦିଗରେ ମନ ଦେଇଥିଲେ । ସେତେବେଳେ ବ୍ରହ୍ମପୁର ଆଶା ପ୍ରେସରୁ ‘ଆଶା’ ପତ୍ରିକା ସାପ୍ତାହିକ ଭାବରେ ବାହାରୁଥିଲା । ସମ୍ପାଦକ ଥିଲେ–ଶଶିଭୂଷଣ ରଥ । ପ୍ରତି ସପ୍ତାହରେ ଗୋଦାବରୀଶ ‘ଆଶା’ ପାଇଁ ଲେଖା ପଠାନ୍ତି । କେତେଦିନ ପରେ ଅବଶ୍ୟ ତାହା ସାପ୍ତାହିକ ଅବସ୍ଥାରୁ ଦୈନିକ ଅବସ୍ଥାକୁ ଆସିଲା । ଦୈନିକ ପତ୍ରିକା ଓଡ଼ିଶାରେ ଯେ ଚଳିପାରିବ ସେ ଆଶା ଦିଶୁ ନ ଥିଲା, ମାତ୍ର ଶଶିଭୂଷଣ ରଥ ଭାରି ସାହସରେ ସେ ପତ୍ରିକା ଖଣ୍ଡି ଦୈନିକ ଭାବରେ ପ୍ରକାଶ କଲେ । ତାହା ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା । ଏବେ ଓଡ଼ିଶାରେ ପାଞ୍ଚ ଛଅ ଖଣ୍ଡି ଦୈନିକ ପତ୍ରିକା ଅଛି ଓ ସେଗୁଡ଼ିକ ବେଶ୍ କଟୁଛି ମଧ୍ୟ । ପାଠକ ସଂଖ୍ୟା ଯଥେଷ୍ଟ ଅଛନ୍ତି ।

 

ସତ୍ୟବାଦୀ ଦଳ ଦେଖିଲେ ଏ ସାପ୍ତାହିକ ‘ଆଶା’ଦ୍ଵାରା ସେମାନଙ୍କର ଆଶା ଆକାଙ୍‌କ୍ଷା ପୂର୍ଣ୍ଣ ହେଉନାହିଁ, ତେଣୁ ସତ୍ୟବାଦୀରୁ ‘ସମାଜ’ ନାମରେ ଏକ ସାପ୍ତାହିକ ପତ୍ରିକା ବାହାରିଲା । ତାହା ସାଇକଲୋଷ୍ଟାଇଲି ଭାବରେ ଛପାହେଲା । କେତେଦିନ ପରେ ତାହା ଛାପା ହୋଇ ବାହାରିଲା । ତା’ର ସମ୍ପାଦକ ଥିଲେ–ଗୋପବନ୍ଧୁ । ତାଙ୍କର ସ୍ଵାଭାବିକ ସରଳଭାଷା ପଢ଼ି ଲୋକେ ମୁଗ୍‌ଧ ହେଲେ । ଗାଁଗଣ୍ଡାର ସୁଖଦୁଃଖ, ହାନିଲାଭ ସାଧାରଣରେ ପ୍ରକାଶ କରିବା ଥିଲା ସେ ପତ୍ରିକାର ଲକ୍ଷ୍ୟ । ତା’ ସାଙ୍ଗକୁ ଖଣ୍ଡିଏ ମାସିକ ସାହିତ୍ୟ ପତ୍ରିକା ମଧ୍ୟ ବାହାରିଲା ସେହି ସତ୍ୟବାଦୀରୁ । ସତ୍ୟବାଦୀ ଦଳରେ ଯେଉଁମାନେ ଥିଲେ, ସେଥିରୁ ଅଧିକାଂଶ ସୁଲେଖକ । ତାଙ୍କଦ୍ୱାରା ମାସିକ ପତ୍ରିକାର କଳେବର ପୂର୍ଣ୍ଣ ହେଲା । ସେହି ପତ୍ରିକାଟିର ନାମ ରଖାଯାଇଥିଲା ‘ସତ୍ୟବାଦୀ’ । ଏହି ଦୁଇଖଣ୍ଡି ନିୟମିତ ଭାବରେ ଚଳେଇବା ପାଇଁ ଲୋକ ଖୋଜା ପଡ଼ିଲା । ଦୈବାତ୍ ରାଧାନାଥ ରଥଙ୍କୁ ଗୋପବନ୍ଧୁ ପାଇଲେ । ତାଙ୍କୁ ଚାକିରିରୁ ଛଡ଼ାଇ ଆଣି ଏ ଦାୟିତ୍ୱ ଦେଲେ । ସେ ଜଣେ ବୁଦ୍ଧିମାନ୍‌ ଓ ପ୍ରତିଭାଶାଳୀ ଯୁବକ । ଏ କାର୍ଯ୍ୟ ତାଙ୍କଦ୍ୱାରା ସୁଚାରୁରୂପେ ଚଳିଲା । ଗୋଦାବରୀଶ ସେ ପତ୍ରିକାରେ ନିୟମିତ ଭାବରେ ଲେଖୁଥିଲେ । ପ୍ରଥମେ ପ୍ରଥମେ ଛଦ୍ମନାମରେ ଲେଖାଗୁଡ଼ିକ ପ୍ରକାଶ ପାଇଥିଲା, ପରେ ତାଙ୍କ ନାମ ପ୍ରକାଶ ପାଇଲା । ଶିକ୍ଷକମାନଙ୍କ ମଧ୍ୟରେ ବେଶ ସଦ୍‌ଭାବ ଥିଲା । ଗୋପବନ୍ଧୁଙ୍କୁ ସମସ୍ତେ ‘ଦାସେ ଆପଣେ’ ବୋଲି ଡାକୁଥିଲେ । ହରିବାବୁଙ୍କୁ ‘ହରିଭାଇନା’ ବୋଲି ଡାକନ୍ତି । ନୀଳକଣ୍ଠ ବାବୁଙ୍କ ସାଙ୍ଗରେ ଗୋଦାବରୀଶଙ୍କର ଘନିଷ୍ଠ ସମ୍ପର୍କ ଥିଲା । ସେ ଦୁହେଁଯାକ କ୍ଷୀରନୀର ପରି ମିଶି ଯାଉଥିଲେ । କିନ୍ତୁ ନୀଳକଣ୍ଠ ବାବୁଙ୍କର ପ୍ରକୃତି ଭିନ୍ନ ପ୍ରକାର । ତଥାପି ଏ ଦୁହେଁ ମିଳିମିଶି ଚଳନ୍ତି ।

 

ଗୋଦାବରୀଶ ବଡ଼ କଉତୁକିଆ ଲୋକ ଥିଲେ । ଥରକର କଥା କହୁଛି । ସେ କଲିକତାରୁ ବି.ଟି. ପଢ଼ି ଆସିଲାପରେ ଗୋଟିଏ ଘଟଣା ଘଟିଲା । ହଠାତ୍‌ ଡାକରେ ଖଣ୍ଡିଏ ଚିଠି ମିଳିଲା । ସେଥିରେ ଲେଖାଥିଲା–ଦୁଃଖର କଥା ଗୋଦାବରୀଶବାବୁ ଫେଲ୍ ହୋଇ ଯାଇଛନ୍ତି । ସାଙ୍ଗେ ସାଙ୍ଗେ ସ୍କୁଲ ଭିତରେ ଚହଳ ପଡ଼ିଗଲା । ବିଶେଷତଃ ନୀଳକଣ୍ଠବାବୁଙ୍କ କାନରେ ତାହା ବାଜିବାରୁ ସେ ଗୋଦାବରୀଶଙ୍କ ପ୍ରତି ପ୍ରକାଶ୍ୟରେ ବିରକ୍ତି ପ୍ରକାଶ କଲେ । ପିଲାମାନେ ଆସି ଗୋଦାବରୀଶଙ୍କୁ ସେ କଥା ଜଣାଇଲେ । ସେ ମୁହଁ ଶୁଖାଇ ନୀଳକଣ୍ଠବାବୁଙ୍କ ପାଖକୁ ଗଲେ । ସମସ୍ତଙ୍କର ବିଶ୍ଵାସ ଜନ୍ମିଲା ଯେ ସେ ପ୍ରକୃତରେ ଫେଲ ହୋଇଗଲେ । ମାତ୍ର କେତେ ଦିନ ପରେ ଆଉ ଖଣ୍ଡିଏ ଚିଠି କଲିକତାରୁ ଆସିଲା, ସେଥିରୁ ଜଣାଗଲା–ଗୋଦାବରୀଶବାବୁ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‌ କରିଛନ୍ତି । ଅତିଶୟ ଗୌରବର କଥା । ଏ କଥା ଶୁଣି ଉଭୟ ଚିଠି ଟିକି ନିଖି ଭାବରେ ଦେଖାଗଲା । ପରେ ଜଣାଗଲା ଗୋଦାବରୀଶ ନିଜେ ବାଁ ହାତରେ ପ୍ରଥମ ଚିଠି ଖଣ୍ଡି ଲେଖିଥିଲେ । ସେଦିନ ନୀଳକଣ୍ଠବାବୁଙ୍କ ମନ ଯାହା ହୋଇଥିବ ସେ ଜାଣିଥିବେ । ପିଲାମାନେ ମହା ଆନନ୍ଦରେ ଘଟଣା ଯାଇ ତାଙ୍କୁ କହିଲେ ।

 

ଗୋଦାବରୀଶ କଲିକତାରେ ଟ୍ରେନିଂ ପଢ଼ୁଥିଲାବେଳେ ପ୍ରଥମ ମହାଯୁଦ୍ଧ ଲାଗିଥାଏ । ଦେଶର ସ୍ଵାଧୀନତା ପାଇଁ ଉପଯୁକ୍ତ ସୈନ୍ୟ ବାହାର କରିବା ସତ୍ୟବାଦୀ ସ୍କୁଲର ଗୋଟିଏ ଲକ୍ଷ୍ୟ ଥିଲା । ସେଇ ଲକ୍ଷ୍ୟ ପୂରଣ କରିବା ପାଇଁ ଗୋଦାବରୀଶ ଯୁଦ୍ଧ ବିଦ୍ୟା ଶିକ୍ଷା କରିବା କଥା ହେଲା । ସେ ଶିଖି ଆସିଲେ ପିଲାମାନଙ୍କୁ ସେହି ଶିକ୍ଷା ଦେବେ । କଥା ହେଲା ସେ ଯିବା ପାଇଁ, ମାତ୍ର ପଛକୁ ଗୋପବନ୍ଧୁ ପ୍ରଭୃତି ଆପତ୍ତି କରିବାରୁ ସେ ପ୍ରସ୍ତାବ ବନ୍ଦ ହେଲା ।

 

୧୯୧୯ ମସିହା ଫେବୃୟାରୀ ମାସ ୭ ତାରିଖ ଦିନ ସନ୍ଧ୍ୟାରେ ସତ୍ୟବାଦୀ ସ୍କୁଲର ସବୁ ବନ୍ଧନ ଛିଣ୍ଡାଇ ସାକ୍ଷିଗୋପାଳ ଷ୍ଟେସନରେ ଗୋଦାବରୀଶ ଯାଇ ପହଞ୍ଚିଲେ । ତାଙ୍କ ସାଙ୍ଗରେ ଛାତ୍ର, ଶିକ୍ଷକ ଯାଇଥିଲେ । ସମସ୍ତେ ଲୁହ ଢଳ ଢଳ ଆଖିରେ ତାଙ୍କୁ ବିଦାୟ ଦେଲେ । ଛଅ ବର୍ଷର ସ୍ନେହ ମମତା ଛିଣ୍ଡାଇବା ସହଜ କଥା ନୁହେଁ । ପୁଣି ଯେ ସ୍ୱଚ୍ଛ ସରଳ ହୃଦୟରେ ଏତେ କାଳ ଶହ ଶହ ପିଲାଙ୍କୁ ନିଜ ପିଲାଙ୍କ ପରି ମନେ କରି ସ୍ନେହ ଆଦରରେ ମନୁଷ୍ୟ କରିବାକୁ ବସିଥିଲେ, ତାଙ୍କ ପକ୍ଷରେ ଏ ବନ୍ଧନ ତୁଟାଇବା ବଡ଼ କଷ୍ଟକର । ସେହି କଥା ଗୋଦାବରୀଶ ନାନା କବିତାରେ ପ୍ରକାଶ କରିଛନ୍ତି । ସିଂହଭୂମରେ ଥିଲେ ମଧ୍ୟ ସେ ପିଲାଙ୍କ କଥା ସବୁ ବେଳେ ମନେ ପକାନ୍ତି । ବେଳେ ବେଳେ ସତ୍ୟବାଦୀକୁ ଚାଲି ଆସନ୍ତି ମଧ୍ୟ ।

 

ଦଶ

 

ସେ ସିଂହଭୂମ ଗଲା ଦିନ ପୋପବନ୍ଧୁବାବୁ ତାଙ୍କ ସାଙ୍ଗରେ ଗଲେ । ଦୁହେଁ ଚକ୍ରଧରପୁର ଷ୍ଟେସନରେ ଓହ୍ଲାଇଲେ । ଷ୍ଟେସନକୁ ଚକ୍ରଧରପୁରର ବହୁଲୋକ ଆସିଥିଲେ । ଖାଲି ଓଡ଼ିଆ ନୁହନ୍ତି, ମାରୱାଡ଼ି, ହିନ୍ଦୁସ୍ଥାନୀ, ବଙ୍ଗାଳୀ ପ୍ରଭୃତି ଭିନ୍ନ ଭିନ୍ନ ଭାଷାଭାଷୀର ଏତେ ଲୋକ ଆସିଥିଲେ କେବଳ ଗୋପବନ୍ଧୁଙ୍କ ନାମ ଶୁଣି । ସେଦିନ ଗୋଟିଏ ସଭା କରାଗଲା । ଗୋପବନ୍ଧୁବାବୁ ବକ୍ତୃତା ଦେଲେ । କି ଉଦ୍ଦେଶ୍ୟରେ ସେ ଦୁହେଁ ଯାଇଛନ୍ତି, ଏ କଥା ଗୋପବନ୍ଧୁ ପରିଷ୍କାର ଭାବରେ ବୁଝାଇ ଦେଲେ । ତାହା ପରଠାରୁ ଚକ୍ରଧରପୁରରେ ଗୋଦାବରୀଶ ଗୋଟିଏ ସ୍କୁଲ ଆରମ୍ଭ କଲେ । ସ୍ୱତନ୍ତ୍ର ଜାଗା ନ ଥିଲା । ରଘୁରାମ ମାରବାଡ଼ୀଙ୍କର ଗୋଟିଏ ଧର୍ମଶାଳା ଥିଲା । ସେଇଠି ସ୍କୁଲ ଆରମ୍ଭ କରାଗଲା ।

 

ଗୋଦାବରୀଶ ରହିଲେ ଚକ୍ରଧରପୁରର ପୁରୁଣା ବସ୍ତିରେ । ତାହା ଗୋଟିଏ ପୁରୁଣା ରାଜଧାନୀ ଥଲା । ୧୮୫୭ ମସିହାରେ ଯେଉଁ ସିପାହୀ ବିଦ୍ରୋହ ହୋଇଥିଲା, ସେଥିରେ ସିଂହଭୂମର ଅର୍ଜୁନ ସିଂହ ଯୋଗ ଦେଇଥିଲେ । ତେଣୁ ଇଂରେଜମାନଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ । ପଛକୁ ଧରା ହୋଇ ସେ ବନ୍ଦୀ ହୋଇ ରହିଲେ । ତାଙ୍କ ରାଜ୍ୟର ପୋଡ଼ାହାଟ ଖାସ ହୋଇଗଲା । ସେହିଦିନଠାରୁ ପୁରୁଣା ବସ୍ତିର ଗୁରୁତ୍ୱ ଅବଶ୍ୟ ଲୋପ ପାଇଲା, ମାତ୍ର ଗାଁ’ଟି ଅଛି । ସେଠାରେ ଲୋକେ ଓଡ଼ିଆ । ଘରେ ବାହାରେ ସଫା ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଓଡ଼ିଆଙ୍କ ପୁଣ୍ୟ ପର୍ବ ସବୁ ପାଳନ କରନ୍ତି । ସେଠି ରହିବାକୁ ଗୋଦାବରୀଶଙ୍କୁ ଭାରି ଭଲ ଲାଗିଲା । ତାଙ୍କରି ସୁଖ ଦୁଃଖରେ ମିଳିମିଶି ଚଳିଲେ, ମାତ୍ର ସ୍କୁଲଟି ହେଲା ଚକ୍ରଧରପୁର ବଜାରରେ । କେନ୍ଦ୍ର ସ୍ଥାନରେ ହେବାରୁ ଚାରିଆଡ଼ୁ ପିଲେ ଆସିବାକୁ ସୁବିଧା ମଧ୍ୟ ହେଲା । ପୁରୁଣା ବସ୍ତିର କାହ୍ନୁକିଶୋର ପାଣି ଜଣେ ଉତ୍ସାହୀ ଲୋକ । ସେ ବହୁତ ସାହାଯ୍ୟ କଲେ । ପ୍ରଥମେ ପ୍ରଥମେ ସ୍କୁଲଟି ଅଭାବ ଭିତରେ ଚଳିଲା, ପଛକୁ ଅବସ୍ଥା ଟିକିଏ ବଦଳିଗଲା । ଦୀନନାଥ ପାଣ୍ଡେ ମଥୁରାର ଲୋକ । ସେ ଜଣେ ବ୍ୟବସାୟୀ । ସ୍କୁଲ ପାଇଁ ଯାହା ଘର ଦରକାର ସେ ତୋଳାଇ ଦେଲେ । ନାନାଆଡ଼ୁ ସାହାଯ୍ୟ ମିଳିଲା । ବ୍ୟବସାୟୀମାନଙ୍କର ଦୃଷ୍ଟି ପଡ଼ିବାରୁ ସ୍କୁଲ ଚଳେଇବାରେ ସେତେ ଅସୁବିଧା ହେଲାନାହିଁ-। ଗତିକୃଷ୍ଣ ଷଡ଼ଙ୍ଗୀ ତାଙ୍କ ସାଙ୍ଗରେ ମିଶିଲେ । ବର୍ଷକୁ ବର୍ଷ ନୂଆ ଶ୍ରେଣୀ ଖୋଲିଲା । ଦୂରରୁ ପିଲାମାନେ ଆସୁଥିବାରୁ ତାଙ୍କପାଇଁ ଛାତ୍ରାବାସ ମଧ୍ୟ ତୋଳାଗଲା । ପିଲାମାନେ ଛାତ୍ରାବାସରେ ରହିଲେ । ଗତିକୃଷ୍ଣ ଷଡ଼ଙ୍ଗୀ ସ୍କୁଲରେ ଶିକ୍ଷକତା କରନ୍ତି, ପୁଣି ଛାତ୍ରାବାସ ବୁଝନ୍ତି । ସେ ମାସିକ ଦରମା ପାଇଲେ ତିରିଶି ଟଙ୍କା ଓ ଗୋଦାବରୀଶ ପାଇଲେ ପଞ୍ଚସ୍ତରୀ ଟଙ୍କା । କେତେଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବେଶ୍ ସୌହାର୍ଦ୍ଦ୍ୟ ଆସିଲା । ସୁଦର୍ଶନ ପାଣିଗ୍ରାହୀ ସତ୍ୟବାଦୀ ସ୍କୁଲର ଛାତ୍ର ଥିଲେ । ଛାତ୍ରବେଳୁ ଏହାଙ୍କ ସଙ୍ଗେ ଗୋଦାବରୀଶ ବାବୁଙ୍କର ଚିହ୍ନା ପରିଚୟ ଥିଲା । ସେ ଚକ୍ରଧରପୁରକୁ ମଧ୍ୟ ଶିକ୍ଷକ ଭାବରେ ଆସିଲେ । ପୁତ୍ରତୁଲ୍ୟ ସ୍ନେହ ଆଦର ପାଇ ଗୋଦାବରୀଶଙ୍କ ପାଖରେ ସେ ଥାନ୍ତି ।

 

ପ୍ରଚାରକ ଅନନ୍ତ ମିଶ୍ର ସେତେବେଳେ ସିଂହଭୂମ ଯାଇ ଓଡ଼ିଆ ପ୍ରଚାରରେ ଲାଗିଥିଲେ-। ପ୍ରଚାର ବିଷୟରେ ସେ ଜଣେ ନିଷ୍ଠାପର ଓ ଧୁରନ୍ଧର ଲୋକ ଥିଲେ । ବକ୍ତୃତା ବଳରେ ଲୋକଙ୍କୁ ବଶ କରିପାରନ୍ତି । ୧୯୦୩ ମସିହାରେ ମଧୁବାବୁଙ୍କ ଯତ୍ନରେ ଯେଉଁ ଉତ୍କଳସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ତାହାର ବାଣୀ ପ୍ରଚାର କରିବାପାଇଁ ସେ ଓଡ଼ିଶାଯାକ ବୁଲୁଥିଲେ ।

 

ସିଂହଭୂମିରେ ଓଡ଼ିଆମାନଙ୍କ ମଧ୍ୟରେ ଜାଗରଣ ଆଣିବା ନିମିତ୍ତ ଗୋପବନ୍ଧୁ ବାରମ୍ଵାର ସେଠାକୁ ଯାନ୍ତି । ଭିନ୍ନ ଭିନ୍ନ ସ୍ଥାନରେ ସଭା ସମିତି କରି ଲୋକଙ୍କୁ ବୁଝାନ୍ତି । ଓଡ଼ିଆ ଜାଗରଣ ନିମିତ୍ତ ସେ ଗୋଟିଏ ପଇସିକିଆ ପାଣ୍ଠି ସ୍ଥାପନ କରିଥିଲେ । ହଜାର ହଜାର ଟଙ୍କା ସେଥିପାଇଁ ଆଦାୟ ହୋଇଥିଲା । ଏ ସମସ୍ତଙ୍କୁ ଧରି ଗୋଦାବରୀଶ ହାଇସ୍କୁଲଟିର ଶ୍ରେଣୀ ନିର୍ବିଘ୍ନ ଭାବେରେ ଚଳେଇବା ପାଇଁ ସ୍ଥାନେ ସ୍ଥାନେ କେତେଗୋଟି ପ୍ରାଥମିକ ସ୍କୁଲ ମଧ୍ୟ ବସାଇଲେ । ପିଲାମାନେ ସେଥିରୁ ଉତ୍ତୀର୍ଣ୍ଣ ହେବା ପରେ ହାଇସ୍କୁଲକୁ ଆସନ୍ତି । ହାଇସ୍କୁଲରେ ବେଶି ଅଭାବ ପଡ଼େନାହିଁ । କାରଣ ଦୀନନାଥ ପାଣ୍ଡେ ସ୍କୁଲଟିର ସକଳ ପ୍ରକାର ବ୍ୟୟ ବହନ କରୁଥାନ୍ତି । ତାଙ୍କର ଏ ଦାନଲାଗି ସିଂହଭୂମବାସୀ ତାଙ୍କ ପାଖରେ ଋଣୀ । ବିଶେଷତଃ ଓଡ଼ିଆମାନେ । ସେ ଓଡ଼ିଆ ନୁହନ୍ତି, ମାତ୍ର ସାଧାରଣ ହିତକର କାର୍ଯ୍ୟ ମନେକରି ଏବଂ ଗୋଦାବରୀଶଙ୍କର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଏ ସାହାଯ୍ୟ କରିଥିଲେ । ହାଇସ୍କୁଲଟି କ୍ରମେ କ୍ରମେ ପୂର୍ଣ୍ଣାଙ୍ଗ ହେବାକୁ ବସିଲା । ଛାତ୍ର ଅଭାବ ହେଲେନାହିଁ । ଯଥାଯୋଗ୍ୟ ଶିକ୍ଷକ ଯୁଟିଗଲେ । କେବଳ ରହିଲା ସ୍କୁଲଟି କିପରି ମଞ୍ଜୁରି ପାଇବ । ଏକାଦଶ ଶ୍ରେଣୀ ବା ସଭା ଉପରଶ୍ରେଣୀ ଖୋଲିଲାବେଳକୁ ପରୀକ୍ଷା ଚିନ୍ତା ପଡ଼ିଲା । ଛୋଟନାଗପୁରର ଡିଭିଜନାଲ ଇନ୍‌ସପେକ୍ଟର ଅନୁମତି ଦେବା କଥା । ଅନୁମତି ପାଇଁ ବାରମ୍ବାର ଆବେଦନ କରାଯାଇଥାଏ । ଏଣେ ସ୍କୁଲକାମ ଯଥାରୀତି ଚାଲିଥାଏ । ଏହି ସମୟର ଅସହଯୋଗ ଆନ୍ଦୋଳନ ଯୋଗେ ସବୁ ଓଲଟ ପାଲଟ ହୋଇଗଲା ।

 

ମହାତ୍ମାଗାନ୍ଧୀ ଦେଶର ସ୍ଵାଧୀନତା ଆଣିବାପାଇଁ ଯେଉଁ ଆନ୍ଦୋଳନ ଚଳାଇଥିଲେ, ତାହାର ପ୍ରଭାବ ଆସି ଓଡ଼ିଶାରେ ପଡ଼ିଲା । ସେଥିରେ ଗୋପବନ୍ଧୁ ହେଲେ ଅଗ୍ରଣୀ । ସେ ଦେଖିଲେ ସମସ୍ତ କାର୍ଯ୍ୟ ତୁଳନାରେ ସ୍ଵାଧୀନତା ଆନ୍ଦୋଳନକୁ ଆଗେଇନେବା ବର୍ତ୍ତମାନର ପ୍ରଥମ କାର୍ଯ୍ୟ । ସେ ନିଜେ ଅସହଯୋଗ ଦୀକ୍ଷାଗ୍ରହଣ କରି ଓଡ଼ିଶାରେ ତାହା ପ୍ରଚାର କରିବା ନିମିତ୍ତ ଯଥାସାଧ୍ୟ ଉଦ୍ୟମ କଲେ । ଦେଖିଲେ, ସତ୍ୟବାଦୀ ସ୍କୁଲ ରଖି ଆଉ କିଛି ଲାଭ ହେବନାହିଁ । ଏହା ଆଂଶିକ ହେଲେ ମଧ୍ୟ ଏକ ସରକାରୀ ସ୍କୁଲ । ଓଡ଼ିଶାରେ ଅସହଯୋଗ ବାର୍ତ୍ତା ପ୍ରଚାର କରିବାପାଇଁ ସେ ସତ୍ୟବାଦୀ ସ୍କୁଲକୁ ଭାଙ୍ଗିଦେବାକୁ ବସିଲେ । ସେ ସମ୍ବାଦ ଚକ୍ରଧରପୁରରେ ଗୋଦାବରୀଶଙ୍କୁ ଜଣାଇଦେଲେ । ଗୋଦାବରୀଶ ଓ ତାଙ୍କ ସହକର୍ମୀ ଶିକ୍ଷକମାନେ ମତଦେଲେ, ଆପଣ ଯାହା କରନ୍ତୁ ପଛକେ ନବଜାଗରଣର ଜନ୍ମଦାତା ସତ୍ୟବାଦୀ ଓ ଚକ୍ରଧରପୁର ହାଇସ୍କୁଲକୁ ଭାଙ୍ଗନ୍ତୁ ନାହିଁ-। ଏ ଯୋଡ଼ିକି ଥିଲେ, ପଛେ ଅନ୍ୟାନ୍ୟ କାର୍ଯ୍ୟରେ ଆପଣଙ୍କୁ ସାହାଯ୍ୟ କରିବେ ।

 

ସତ୍ୟବାଦୀର ବକୁଳକୁଞ୍ଜ ଓ ଛଅବର୍ଷର ମାୟା ମମତା ଭୁଲି କେବଳ ସାଧାରଣ ସ୍କୁଲଟିଏ ବସାଇବା ପାଇଁ ଗୋଦାବରୀଶ ଯେ ଚକ୍ରଧରପୁର ଆସିଥିଲେ ତା’ ନୁହେଁ । ମନରେ ନାନା କଳ୍ପନା ଘେନି ସେ ଆସିଥିଲେ । ଏତେବେଳେ ସେ ଯୁବକ । ଯୁବକ ବୟସର କେତେକାଳ ସତ୍ୟବାଦୀରେ କଟିଥିଲା । ଅବଶିଷ୍ଟ ଜୀବନ ଏଇଠି କଟିଲା । ଚକ୍ରଧରପୁରର ସାଧାରଣ ଭାଷା ହିନ୍ଦୀ । ଆଗରୁ ସେ ଭାଷା ସେ ଶିଖି ନଥିଲେ, ଏହିଠାରେ ଶିଖିଲେ । ତାଙ୍କ ଯୁବକ ଜୀବନର ସକଳ ଶକ୍ତି ସାମର୍ଥ୍ୟ ଓ ବୁଦ୍ଧି ବିଚକ୍ଷଣତା ସବୁତକ ଏଇଠି ଲଗାଇ କାମ କରିଥିଲେ । ସେ ରାତିରେ ଦିନେ ଦିନେ ଚକ୍ରଧରପୁରରେ ଖାଇବାକୁ ସମୟ ପାଆନ୍ତିନାହିଁ । ବାଣପୁର ସିନା ନିଜଘର, ମାତ୍ର ତା’ଠାରୁ ସେ ଆହୁରି ଭଲପାଇଥିଲେ ଚକ୍ରଧରପୁରକୁ ଓ ସିଂହଭୂମକୁ ।

 

ସେତେବେଳେ କେତେ ଓଡ଼ିଆ, ବଙ୍ଗାଳୀ ଓ ହିନ୍ଦୀ ସମ୍ପର୍କରେ ଆସି ନିଜର ନିଜତ୍ଵ ଭୁଲି ଯାଇଥିଲେ । ଏହାଙ୍କର ଯତ୍ନରେ ଓଡ଼ିଆ ଶିକ୍ଷା ଯେପରି ବଢ଼ିଲା ଓଡ଼ିଆ ଜାତିର ଲୋକସଂଖ୍ୟା ମଧ୍ୟ ସେହିପରି ବଢ଼ିଲା । ଗୋପବନ୍ଧୁଙ୍କଠାରୁ ସେ ଯେତେଗୁଡ଼ିଏ ଗୁଣ ଶିଖିଥିଲେ, ନିଜଗୁଣ ସହିତ ସେଗୁଡ଼ିକ ପ୍ରୟୋଗ କରିବାରେ ଲାଗିଥିଲେ । ଅଳ୍ପ କେତେବର୍ଷ ଭିତରେ ଗୋଦାବରୀଶଙ୍କ ଯୋଗେ ଏକ ନବଜାଗରଣ ସୃଷ୍ଟି ହୋଇଥିଲା । ଗାଁଗଣ୍ଡା ବୁଲି ଶିକ୍ଷାର ପ୍ରଚାର କରିବା ଏବଂ ଲୋକଙ୍କ ଆଖି ଫିଟେଇବାପାଇଁ ନାନା ଅନୁଷ୍ଠାନ ଗଢ଼ିବା ଦିଗରେ ପ୍ରାଣ ପ୍ରାୟଶ୍ଚିତ୍ତ କରି ସେ ଲାଗିଥିଲେ । କେବଳ ୟାଙ୍କରି ନେତୃତ୍ୱ ହିଁ ଏ ଜାଗରଣର ମୂଳକାରଣ । ଗୋପବନ୍ଧୁ ସମୟେ ସମୟେ ଆସି ତାହାଙ୍କୁ ଯଥେଷ୍ଟ ସାହାଯ୍ୟ କରନ୍ତି । ଏତେଗୁଡ଼ିଏ ପରିଶ୍ରମ ବୃଥା ହୋଇଯିବ ବୋଲି ଗୋଦାବରୀଶ କେବଳ ଏପରି ଭାବରେ ଗୋପବନ୍ଧୁଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ତାଙ୍କର କୌଣସି କଥା ବା ଉପଦେଶ ଅମାନ୍ୟ କରନ୍ତି ନାହିଁ । ତାଙ୍କୁ ଗୁରୁପରି ମାନନ୍ତି । ସେ କେତେ ଜାଗାରେ ଲେଖିଛନ୍ତି–‘ଦୁଃଖୀ ଦରିଦ୍ର ହେବ ତ ଗୋପବନ୍ଧୁଙ୍କ ପରି ଗୁରୁଙ୍କ କଥାରେ ପଡ଼ି’ ।

 

ଚିଠିର ଉତ୍ତରରେ ପାଇଲେ ଯେ, ସତ୍ୟବାଦୀ ସ୍କୁଲ ଭାଙ୍ଗି ଦିଆଗଲାଣି । ଯଦି ପାରିବ, ଚକ୍ରଧରପୁର ସ୍କୁଲକୁ ରଖିଲେ ମୋର ଆପତ୍ତି ନାହିଁ । ଏକେ ଯୁବକ ହୃଦୟ, ସେତେବେଳେ ସେ ନିଆଁରେ ଝାସ ଦେବାକୁ ପତଙ୍ଗ ପରି ହେଉଥିଲେ । ସେ ନ ଦେଇ ରହି ପାରିଲେ ନାହିଁ । ଆଉ ଦିନକ ପରେ ସ୍କୁଲ ମଞ୍ଜୁର ହୋଇଥାନ୍ତା, ମାତ୍ର ସେତିକିରେ ବନ୍ଦ କରି ଦିଆଗଲା । ଜାତୀୟ ବିଦ୍ୟାଳୟରେ ତାକୁ ପରିଣତ କରି ଦିଆଗଲା । ଗୋଦାବରୀଶ ବିଦେଶୀ ବସ୍ତ୍ର, ବିଦେଶୀ ବସ୍ତୁ ତ୍ୟାଗ କରି ସ୍ଵାଧୀନତା ଆନ୍ଦୋଳନରେ ସ୍ଵଦେଶୀ ବସ୍ତ୍ର ପରିଧାନ କରି ଯୋଗଦେଲେ । ସହକର୍ମୀମାନଙ୍କ ମଧ୍ୟରୁ ମଧ୍ୟ କେତେଜଣ ସେ ଦୀକ୍ଷା ଧଇଲେ । ତେଣିକି ଅସହଯୋଗ ଆନ୍ଦୋଳନ ଏ ଜିଲ୍ଲାରେ ପ୍ରବଳଭାବରେ ଚଳାଇବା ପାଇଁ ସାଙ୍ଗସାଥି ଧରି ଉଦ୍ୟମ ହେଲା ।

 

ଚକ୍ରଧରପୁରକୁ ଆସିବାର କେତେ ଦିନ ପରେ ତାଙ୍କ ପିଲାମାନଙ୍କୁ ଆଣି ଏଠି ରଖିଥିଲେ । ଦୁଃଖ କଷ୍ଟରେ ଚଳିବା ତାଙ୍କର ଦେହସହା ହୋଇ ଯାଇଥିଲା । ତେଣୁ ଏଠାରେ ଅଭାବରେ ଚଳିବାରେ ସେ କିଛି କଷ୍ଟ ବୋଧ କଲେନାହିଁ । ତାଙ୍କ ସ୍ତ୍ରୀ ନିଜେ ରନ୍ଧାରନ୍ଧି କରନ୍ତି । ଘରେ ତିନୋଟି ଝିଅ, ଗୋଟିଏ ପୁଅ ଥାନ୍ତି । ସୁଦର୍ଶନଙ୍କୁ ସେ ପୁଅଠୁ ବଳି ସ୍ନେହ କରୁଥିବାରୁ ସେ ମଧ୍ୟ ଘରେ ଥାନ୍ତି । ତାଙ୍କ ସ୍ତ୍ରୀ ଅତିଥି ଚର୍ଚ୍ଚା କରିବାରେ ବଡ଼ ନିପୁଣା । ଅଧିକାଂଶ ଦିନ କୁଆଡ଼ୁ କୁଆଡ଼ୁ ହେଲେ ତାଙ୍କ ଘରକୁ ଅତିଥି ଆସନ୍ତି, ସେ ସେମାନଙ୍କୁ ଚର୍ଚ୍ଚା କରିବାରେ ପଛାନ୍ତି ନାହିଁ । ଘରେ ଜଗା ବୋଲି ଗୋଟିଏ ଚାକର ଥାଏ । ତା’ ଘର ସାକ୍ଷିଗୋପାଳ ନିକଟରେ । ସେ ସତ୍ୟବାଦୀଠାରୁ ଏମାନଙ୍କ ସାଥିରେ ଆସିଥାଏ । ଭାରି ବିଶ୍ଵାସୀ ଚାକରଟିଏ । ଅନେକ ଦିନ ଧରି ତାଙ୍କର ଘରେ ସେ ଥିଲା ।

 

ଗୋଦାବରୀଶ ସେଠି ରହିବା ଭିତରେ ଯେଉଁ ପ୍ରାଥମିକ ସ୍କୁଲଗୁଡ଼ିକ ବସାଇ ଥିଲେ, ସେଥି ଭିତରୁ ଏବେ ମଧ୍ୟ ଗୋଟିଏ ଯୋଡ଼ିଏ ଅଛି । ଏ ବିଦ୍ୟାଳୟରେ ଶିକ୍ଷକତା ପାଇଁ ଓଡ଼ିଆ ଲୋକ ଅଭାବ ହେବାରୁ ପୁରୀ ଅଞ୍ଚଳରୁ କେତେଜଣ ଶିକ୍ଷକ ଆଣି ରଖିଥିଲେ । ବାଣପୁର ଥାନା କୁମାରାଙ୍ଗ ଶାସନରୁ ଯମେଶ୍ଵର ମହାପାତ୍ର ବହୁ ଦିନ ଏ ଅଞ୍ଚଳରେ ଥିଲେ ।

 

୧୯୧୧ ମସିହା ଜନଗଣନା ଅନୁସାରେ ସିଂହଭୂମର ଓଡ଼ିଆ ସଂଖ୍ୟା ଥିଲା ପ୍ରାୟ ଏକଲକ୍ଷ ପଚିଶ ହଜାର । ୧୯୩୧ ବେଳକୁ ଏହି ସଂଖ୍ୟା ବଢ଼ି ହେଲା–ଏକଲକ୍ଷ ବାସ୍ତରି ହଜାର ପର୍ଯ୍ୟନ୍ତ । କ୍ରମେ କ୍ରମେ ଯେ ଓଡ଼ିଆ ସଂଖ୍ୟା ବୃଦ୍ଧି ପାଉଥିଲା–ଏହା କେବଳ ଗୋପବନ୍ଧୁ ଓ ଗୋଦାବରୀଶଙ୍କର ଯତ୍ନର ଫଳ । ତାଙ୍କରି ଉଦ୍ୟମରେ ଶହେରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଏବେ ସେହି ସିଂହଭୂମ, ଷଢ଼େଇକଳା ଓ ଖରସୁଆଁରେ ମୋଟେ ଏଗାରଟି ଓଡ଼ିଆ ପ୍ରାଥମିକ ସ୍କୁଲ ଅଛି ବୋଲି ବିହାର ସରକାରଙ୍କ ଏକ ରିପୋର୍ଟରୁ ଜଣାଯାଉଛି । ସିଂହଭୂମରେ ଓଡ଼ିଆ କହୁଥିବା ଲୋକଙ୍କ ସଂଖ୍ୟା ଏକଲକ୍ଷ ଚାରିହଜାର ବୋଲି ଜଣାଯାଉଛି । ବିହାର ସହିତ ମିଶିବା ପୂର୍ବରୁ ଷଢ଼େଇକଳା ଓ ଖରସୁଆଁରେ ପଞ୍ଚାବନଟି ଓଡ଼ିଆ ପ୍ରାଥମିକ, ଏଗାରଟି ଉଚ୍ଚ ପ୍ରାଥମିକ ଓ ଚାରୋଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ଥିଲା । ଏବେ ଦେଶର ସ୍ଵାଧୀନତା ପରେ ପ୍ରତି ଭାଷାର ଉନ୍ନତି ହେବା ଲକ୍ଷ୍ୟ ଥିଲେ ସୁଦ୍ଧା, ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳରେ ଓଡ଼ିଆଭାଷୀଙ୍କ ସଂଖ୍ୟା କ୍ରମେ କ୍ରମେ କମିଯାଉଛି । ଆଗେ ମେଦିନୀପୁର, ସିଂହଭୂମ, ମାନଭୂମ, ବୀରଭୂମ ଅଞ୍ଚଳରେ ବହୁ ଓଡ଼ିଆ ଥିଲେ । ଦିନେ ଏ ଅଞ୍ଚଳ ସବୁ ଓଡ଼ିଶାର ବୋଲି ଧରା ଯାଉଥିଲା । ଏବେ ହିସାବରୁ ଜଣାଯାଉଛି–ଓଡ଼ିଆଙ୍କ ସଂଖ୍ୟା ଏ ଅଞ୍ଚଳମାନଙ୍କରେ ଯେପରି କମୁଛି; କେତେକାଳ ପରେ ହୁଏତ ଓଡ଼ିଆ ଏବଂ ଓଡ଼ିଆଭାଷୀ ଏଠାରେ ଦେଖିବାକୁ ବିରଳ ହେବ । ଏବେ ସିଂହଭୂମ ଜିଲ୍ଲାରେ ପ୍ରତି ଦଶହଜାର ଓଡ଼ିଆଙ୍କ ପାଇଁ ଗୋଟିଏ ମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି । କୁଳବୃଦ୍ଧ ମଧୁସୂଦନ, ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶଙ୍କ ପରେ ଆଉ ଏ ଦିଗରେ କାହାରି ସେପରି ଉଦ୍ୟମ ଥିଲାପରି ଜଣା ପଡ଼ୁନାହିଁ । ସେମାନଙ୍କର ତ୍ୟାଗ ଓ ଆଦର୍ଶରେ ଏବର ଓଡ଼ିଆ ଯୁବକ କର୍ମୀମାନେ ଲାଗିଲେ ଖାଲି ସିଂହଭୂମ ଅଞ୍ଚଳ କାହିଁକି, ଆନ୍ଧ୍ର, ମଧ୍ୟପ୍ରଦେଶ, ବଙ୍ଗଳା ପ୍ରଭୃତି ଅଞ୍ଚଳରେ ଯେତେ ଓଡ଼ିଆଭାଷୀ ଅଞ୍ଚଳ ଅଛି, ସେଗୁଡ଼ିକ ଦିନେହେଲେ ଓଡ଼ିଶାରେ ମିଶିପାରନ୍ତା । ଓଡ଼ିଆ ସଂସ୍କୃତି କ୍ରମେ ଯେ ଲୋପପାଇ ଆସୁଛି, ତାହା ବଞ୍ଚି ରହନ୍ତା । ଏଥିପାଇଁ ଯେ ପଇସାର ଅଭାବ ହୁଅନ୍ତା, ତାହା କେବେ ନୁହଁ; କେବଳ ମନ ଓ ଉଦ୍ୟମର ଅଭାବ ରହିଛି । କଥାରେ ଅଛି–‘ଚେଇଁ ଶୋଇବ ଯିଏ, ତାକୁ ଉଠେଇବ କିଏ’ । ଆମେ ନିଜେ ନିଜ ଜାତିକୁ ବଞ୍ଚେଇବାକୁ ନ ଲାଗିଲେ ଅନ୍ୟ କୌଣସି ଜାତି ଆମ ପାଇଁ ପରିଶ୍ରମ କରିବେ ନାହିଁ ।

 

ଗୋଦାବରୀଶ ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆଭାଷା ପ୍ରଚାର କରିବା ଛଡ଼ା ବନ୍ଧୁ ବାନ୍ଧବ ସମ୍ପର୍କ ମଧ୍ୟ ବାନ୍ଧିଥିଲେ । ୧୯୩୬ ମସିହାରେ ସିନା ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେଲା, ତା’ ପୂର୍ବରୁ ଓଡ଼ିଶାର ଦକ୍ଷିଣ ସୀମା ଥିଲା ବାଣପୁରର ଭାଲେରୀ ପର୍ବତ । ସେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେତେବେଳେ ବଡ଼ଝିଅକୁ ବିବାହ ଦେଇଥିଲେ । ଶଶିଭୂଷଣ ରଥଙ୍କ ସାନଭାଇ ଶରତ୍‍ଚନ୍ଦ୍ର ମହାପାତ୍ର ତାଙ୍କର ଜ୍ୱାଇଁ । ସେ ଏବେ ବ୍ରହ୍ମପୁରରେ ଅଛନ୍ତି । ଆଉ ଗୋଟିଏ ବନ୍ଧୁ ବାନ୍ଧିଥିଲେ ମେଦିନୀପୁର ଅଞ୍ଚଳରେ ବାଲିଆବେଢ଼ା ପ୍ରହରାଜଙ୍କ ଘରେ । ବିଶ୍ଵମ୍ଭର ପ୍ରହରାଜ ତାଙ୍କର ସାନଜ୍ୱାଇଁ-। ମଝିଆଁ ଝିଅ ହାରାମଣିକୁ ବିବାହ ଦେଇଥିଲେ ମୟୂରଭଞ୍ଜରେ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ଭାଇ ଶରତଚନ୍ଦ୍ର ତ୍ରିପାଠୀଙ୍କୁ । ବିବାହର ଅଳ୍ପଦିନ ପରେ ବଡ଼ଝିଅ ମଣି ମରିଗଲା । ଏବେ ସାନଝିଅ ତାରାମଣି ଓ ମଝିଆଁ ଝିଅ ହାରାମଣି ଦିହେଁ ଅଛନ୍ତି । ସେ ବିଚ୍ଛିନ୍ନ ଅଞ୍ଚଳ ସହିତ ବନ୍ଧୁବାନ୍ଧବ ସମ୍ପର୍କ ରଖିଥିଲେ ଓଡ଼ିଆଭାଷା ଓ ସଂସ୍କୃତି ବଞ୍ଚି ରହିଥିବ ବୋଲି, ତାଙ୍କର ଏ ବିଶ୍ଵାସ ଖୁବ୍ ଥିଲା । ଏହିପରି ବନ୍ଧୁବାନ୍ଧବ କରିବାକୁ ସେ ଅନେକଙ୍କୁ ପରାମର୍ଶ ମଧ୍ୟ ଦେଉଥିଲେ ।

 

ସେ ଚକ୍ରଧରପୁରରେ ଶିକ୍ଷକ ଥିବା ସମୟରେ ସେହି ସ୍ଥାନର କିମ୍ବଦନ୍ତୀ, ଐତିହାସିକ ଘଟଣା, ନିଜର ଅନୁଭୂତି ପ୍ରଭୃତି ବିଷୟ ଘେନି ଅନେକ କବିତା ଲେଖିଥିଲେ । ସେଗୁଡ଼ିକ ପରେ ବିଭିନ୍ନ ପୁସ୍ତକରେ ପ୍ରକାଶ ପାଇଅଛି । ତାଙ୍କର ‘ସଞ୍ଜୋଇ ତୀରେ ସକାଳେ’, ‘ବୈତରଣୀ ତୀରେ’, ‘ପ୍ରିୟରୁ ଅଧିକ’, ‘ନେତ୍ର ଦୁର୍ଲ୍ଲଭ ବାରି’, ‘ଅର୍ଜ୍ଜୁନ ସିଂହ’, ‘ବିକ୍ରମ ସିଂହ’, ‘ଅଭିରାମ ସିଂହ’ ପ୍ରଭୃତି କବିତା ସେ ସେଇଠି ଥିଲାବେଳେ ଲେଖିଥିଲେ । ବିଚ୍ଛିନ୍ନାଞ୍ଚଳ ବିଷୟରେ ଏପରି ଲେଖାଲେଖି ଓଡ଼ିଆର ଅନ୍ୟ ଲେଖକ ଓ କବିମାନଙ୍କର ଏତେ ଥିଲାପରି ଜଣା ପଡ଼େନାହିଁ । ଏ ଲେଖାଗୁଡ଼ିକଦ୍ଵାରା ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଆ ଇତିହାସ ଓ ସାହିତ୍ୟ ସାଙ୍ଗରେ ସେ ଏପରିଭାବରେ ଗୁନ୍ଥି ଦେଇଛନ୍ତି ଯେ ତାହାର ସମ୍ପର୍କ କେବେ ବିଚ୍ଛିନ୍ନ ହେବନାହିଁ । ଓଡ଼ିଶାର ଲେଖକମାନେ ଖାଲି ଏ ଅଞ୍ଚଳ କାହିଁକି ବିଭିନ୍ନ ବିଚ୍ଛିନ୍ନାଞ୍ଚଳ ବୁଲି ପ୍ରବାଦ, ଐତିହାସିକ, ଭୈଗୋଳିକ ସ୍ଥାନ ଓ ପ୍ରାକୃତିକ ଦୃଶ୍ୟ ଓଡ଼ିଆ ସାହିତ୍ୟ ଭିତରେ ଗୁନ୍ଥିପାରିଲେ ଗୋଟିଏ ବଡ଼ ଅଭାବ ପୂର୍ଣ୍ଣ ହୋଇପାରନ୍ତା ।

 

ଏଗାର

 

ଗୋଦାବରୀଶ ଚକ୍ରଧରପୁର ହାଇସ୍କୁଲକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିସାରି ଦେଶର ସ୍ଵାଧିନତା ପାଇଁ ଲାଗିପଡ଼ିଲେ । ପାଟନା ବିଶ୍ଵବିଦ୍ୟାଳୟ ସିନେଟ୍‍ର ସେ ସଭ୍ୟଥିଲେ, ସେଥିରୁ ଇସ୍ତଫା ଦେଇଦେଲେ । ଚାଇଁବସା ସେସନ୍‍ସ କୋର୍ଟରେ ସେ ଜଣେ ଆସେସ୍‍ର ବା ବିଚାର ସଦସ୍ୟ ଥିଲେ । ସେ କୋର୍ଟରେ ବଡ଼ ବଡ଼ ମକଦ୍ଦମା ସବୁ ବିଚାର କରାଯାଏ । ସେହି ‘ଆସେସ୍‍ର’ ପଦ ମଧ୍ୟ ସେ ଛାଡ଼ିଦେଲେ । ଏଣିକି ଜାତୀୟ ବିଦ୍ୟାଳୟ ଓ ଅସହଯୋଗ ପ୍ରଚାର ଚଳାଇବା ତାଙ୍କର ପ୍ରଧାନ କାମ ହେଲା । ସରକାରୀ ହାକିମମାନେ କିମ୍ବା ସ୍ଥାନୀୟ କର୍ମଚାରୀମାନେ ଏ ଦିଗରେ ତାଙ୍କୁ ସାହାଯ୍ୟ କରିବାକୁ ଡରିଲେ । ଫଳରେ ୟାଙ୍କୁ ଚାନ୍ଦା ଓ ଭିକ୍ଷା ଉପରେ ନିର୍ଭର କରିବାକୁ ପଡ଼ିଲା । ବିଦ୍ୟାଳୟ କାର୍ଯ୍ୟରେ ପୂରା ସହଯୋଗ କରିପାରିଲେ ନାହିଁ, ପ୍ରଚାର କାର୍ଯ୍ୟଟା ତାଙ୍କୁ ବଡ଼ ବୋଧହେଲା । ବିଭିନ୍ନ ସ୍ଥାନକୁ ଯାଇ ସଭାସମିତି କରି ଲୋକଙ୍କୁ ଆନ୍ଦୋଳନର ଉଦ୍ଦେଶ୍ୟ ବୁଝାଇଲେ । ପ୍ରଚାର କରିବାକୁ ଗଲାବେଳେ କେତେବେଳେ ଚାଲିଚାଲି, କେତେବେଳେ ସାଇକେଲରେ ଯାନ୍ତି । ଦିନେ ଦିନେ ଉପାସ ଭୋକରେ ରହିଯାନ୍ତି । ‘ତିଳକ ସ୍ଵରାଜ ପାଣ୍ଠି’ ସେତେବେଳେ ଆଦାୟ ହେଉଥିଲା । ସେ ପାଣ୍ଠିପାଇଁ ମଧ୍ୟ ପଇସା ଆଦାୟ କଲେ । ସରକାରୀ କର୍ମଚାରୀମାନେ ତାଙ୍କୁ ଗୋଡ଼େ ଗୋଡ଼େ ଜଗିଥାନ୍ତି । ସଭାକୁ ଆସିବାପାଇଁ ଲୋକଙ୍କୁ ମନା କରନ୍ତି । ପଇସା ସାହାଯ୍ୟ ଦେଲେ ଦଣ୍ଡପାଇବେ ବୋଲି ଲୋକଙ୍କୁ ଡରାନ୍ତି । ସଭାସମିତି ସ୍ଥଳକୁ ଯାଇ ବକ୍ତୃତା ଟିପା ଟିପି କରନ୍ତି । ସେମାନେ ପହଞ୍ଚିଲାକ୍ଷଣି ଲୋକେ ଡରିଯାନ୍ତି । କେତେକ ଭୟାଳୁ ଲୋକ ମଧ୍ୟ ଜାଣି ଶୁଣି ସଭାକୁ ଯାନ୍ତି ନାହିଁ । ଏତେ ବାଧା ଥିଲେ ମଧ୍ୟ ଗୋଦାବରୀଶଙ୍କ ନାମ ଶୁଣି ବହୁଲୋକ ସଭାରେ ଜମା ହୁଅନ୍ତି । ୟେ ସରକାରୀ ହାକିମମାନଙ୍କୁ ଆଦୌ ଡରନ୍ତି ନାହିଁ-। ଗୋଦାବରୀଶଙ୍କ ନିର୍ଭୀକତା ଦେଖି କ୍ରମେ ଲୋକେ ସେହି ଭାବରେ ଗଢ଼ି ହୋଇଗଲେ । ଜେଲ୍ ଜୋରିମାନାକୁ ଭୟ କଲେନାହିଁ । ଅନେକ ସରକାରୀ ଚାକିରି ଛାଡ଼ିଲେ । ସରକାରୀ ସ୍କୁଲକୁ ପିଲା ଗଲେ ନାହିଁ । ଗାଏଁ ଗାଏଁ ସୂତାକଟା, ଲୁଗାବୁଣା, ନିଶାଦ୍ରବ୍ୟ ବର୍ଜନ ପ୍ରଭୃତି ଅସହଯୋଗର ନୀତିଗୁଡ଼ିକ ଲୋକେ ଆଗ୍ରହରେ ପାଳନ କଲେ । ଥରେ ଥରେ ସରକାରୀ ହାକିମଙ୍କ ସଙ୍ଗେ କଥାବାର୍ତ୍ତା ହେଲାବେଳେ ଲୋକେ କୁହାକୁହି ହୁଅନ୍ତି–ଆଜି କିଏ ଜିଣିବ ଦେଖିବା । ଯେଉଁଠି ସଭା ହେବ ବୋଲି ଆଗରୁ କହିଥାନ୍ତି, ସେଠି ସଭା ନ କରି ଅନ୍ୟ ଗୋଟିଏ ଜାଗାରେ ଯାଇ ସଭା କରନ୍ତି-। ସରକାରୀ କର୍ମଚାରୀ ତାହା ଜାଣି ପାରନ୍ତିନାହିଁ, ଅପଦସ୍ତ ହୁଅନ୍ତି । ସଭାରେ ଇଂରେଜ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ବଡ଼ କଡ଼ାଭାଷାରେ ସେ ବକ୍ତୃତା ଦିଅନ୍ତି । ସେଥିରେ ଲୋକଙ୍କର ଭୟ କ୍ରମେ ଭାଙ୍ଗିଯାଏ । ଏପରି ପ୍ରଚାର କରିବାରେ ତାଙ୍କ ଉପରେ ସରକାରଙ୍କ ବିଷଦୃଷ୍ଟି ପଡ଼ିଲା । ତଥାପି ସେ ଭ୍ରୂକ୍ଷେପ କଲେନାହିଁ ।

 

ସେ ସମୟରେ ମହାତ୍ମାଗାନ୍ଧୀଙ୍କ ସଙ୍ଗରେ ଭାରତର ବଡ଼ ବଡ଼ ପ୍ରତିଷ୍ଠାସମ୍ପନ୍ନ ଅନେକ ଲୋକ ଯୋଗ ଦେଇଥିଲେ । ମୋତିଲାଲ ନେହରୁ, ଲାଲା ଲଜପତରାୟ, ଚିତ୍ତରଞ୍ଜନ ଦାସ, ମହମ୍ମଦ ଅଲ୍ଲି, ସୌକତ ଅଲ୍ଲି, ରାଜଗୋପାଳାଚାରୀ, ପଟ୍ଟାଭି ସୀତାରାମାୟା, ସରୋଜିନୀ ନାଇଡ଼ୁ, ମଦନମୋହନ ମାଲବ୍ୟ, ଆବୁଲକଲମ ଆଜାଦ, ନଜରୁଲ୍ ହକ୍, ରାଜେନ୍ଦ୍ରପ୍ରାସାଦ, ଧେବର, ଅବଦୁଲ ଗଫର ଖାଁ, ପୁରୁଷୋତ୍ତମ ଦାସ ଟଣ୍ଡନ, ପଣ୍ଡିତ ଜବାହରଲାଲ ନେହରୁ, ବିଜୟଲକ୍ଷ୍ମୀ, ପଣ୍ଡିତ ଗୋପବନ୍ଧୁ, ଗୋପବନ୍ଧୁ ଚୌଧୁରୀ, ଶ୍ରୀକୃଷ୍ଣ ସିଂହ; ଏବର ଡକ୍ଟର ମହତାବ, ଭାଗୀରଥି ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ, ଲାଲବହାଦୁର ଶାସ୍ତ୍ରୀ, ଗୁଲଜାରୀଲାଲ୍ ନନ୍ଦା–ଏହିପରି ବହୁ ବିଶିଷ୍ଟ ବ୍ୟକ୍ତି କିଏ କିଏ ସରକାରୀ ଚାକିରି ଛାଡ଼ି, ଧନସମ୍ପତ୍ତିର ଭୋଗ ତ୍ୟାଗକରି ଦେଶର ସ୍ଵାଧୀନତା ପାଇଁ କିଏ କେଉଁଭାବରେ ଲାଗିଥିଲେ ।

 

ସେହି ସମୟରେ ଥରେ ବିହାରର କଂଗ୍ରେସ ନେତା ନଜରୁଲ୍ ହକ୍ କଂଗ୍ରେସ କାର୍ଯ୍ୟ କିପରି ଚାଲିଛି ଦେଖିବା ପାଇଁ ସିଂହଭୂମ ଆସିଲେ । ସେ ଜଣେ ବଡ଼ ବାରିଷ୍ଟର । ବହୁତ ଟଙ୍କା ରୋଜଗାର କରନ୍ତି । ପାଟଣା ପାଖରେ ଯେଉଁ ସଦାକତ ଆଶ୍ରମ ଦେଖାଯାଏ, ତାହା ତାଙ୍କରିଦ୍ୱାରା ସ୍ଥାପିତ । ଏଡ଼େବଡ଼ ଲୋକ, ସର୍ବସ୍ୱ ତ୍ୟାଗକରି ଅସହଯୋଗରେ ମିଶିଥିଲେ, ଆଶ୍ରମରେ ସାଧୁସନ୍ନ୍ୟାସୀଙ୍କ ପରି ଚଳୁଥିଲେ । ସେ ଆସିବା ଖବର ଚକ୍ରଧରପୁରରେ ପହଞ୍ଚିଲା । ବଡ଼ ବଡ଼ ମୁସଲମାନ ବ୍ୟବସାୟୀ ତାଙ୍କୁ ଘରେ ରଖିବାର ବ୍ୟବସ୍ଥା କରିଥିଲେ । ମାତ୍ର ସେ ଚକ୍ରଧରପୁର ଷ୍ଟେସନରେ ଓହ୍ଲାଇବା ପରେ ଯେତେବେଳେ ଶୁଣିଲେ ଯେ ସେ ଧନୀ ବ୍ୟବସାୟୀଙ୍କ ଘରେ ରହିବାର ବ୍ୟବସ୍ଥା ହୋଇଛି, ସାଙ୍ଗେ ସାଙ୍ଗେ ମନା କରିଦେଲେ । କହିଲେ,–ମୁଁ ଯେପରି ଫକୀର, ସେହିପରି ଜଣେ ଫକୀରଙ୍କ ଘରେ ରହିବି । ଏହାପରେ ସେ ଗୋଦାବରୀଶଙ୍କ ବସାରେ ଯାଇ ରହିଲେ । ତାଙ୍କ ଘରେ ରନ୍ଧା ହୋଇଥିବା ଭାତ ଡାଲି ଖାଇଲେ । ତାଙ୍କରି ସାଙ୍ଗରେ ଚଳିଲେ ଏବଂ ଭିନ୍ନ ଭିନ୍ନ କଂଗ୍ରେସ ଅନୁଷ୍ଠାନ ସବୁ ଦେଖି ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ।

 

ଗୋଦାବରୀଶ ଏହି କଂଗ୍ରେସ କାମରେ ବୁଲି ବୁଲି ବଡ଼ ଦୁର୍ବଳ ହୋଇ ପଡ଼ିଲେ । ସେ ସବୁଠାରୁ ବେଶି ଦାରିଦ୍ର୍ୟ ବରଣ କରିଥିଲେ ଏତିକିବେଳେ । ସେତେବେଳେ ବହି ଲେଖାରୁ କିଛି ପାଇବେ ମନେକରି ବହି ଲେଖା ଦିଗରେ ସେ ମନ ଦେଇଥିଲେ । ଇଂରାଜୀରେ ଖଣ୍ଡିଏ ପ୍ରବନ୍ଧ ବହି ଲେଖି, ତାହାର ପାଣ୍ଡୁଲିପିଟି ଅଢ଼େଇଶହ ଟଙ୍କାରେ ବିକ୍ରୀ କରିଦେଲେ । ୟା’ଙ୍କ ନାଁ’ରେ ୱାରଣ୍ଟ ବାହାରିଥାଏ । ଏ ଟଙ୍କାତକ ସେ ଘରକୁ ପଠାଇ ଦେଇ କେତେବେଳେ ଓ୍ୱାରଣ୍ଟ ଆସିବ, ସେହି ଅପେକ୍ଷାରେ ରହିଲେ । ସେତିକିବେଳେ କଂଗ୍ରେସ କାର୍ଯ୍ୟ ଟିକିଏ କୋହଳ ହୋଇ ଆସିଲା । ଗାନ୍ଧିଜୀ ଧରା ହୋଇ ଜେଲ୍ ଗଲେ । ଅନେକ ନେତା ବନ୍ଦୀ ହେଲେ, ଆନ୍ଦୋଳନ ଦବି ଆସିଲା । ୧୯୨୨ ବେଳକୁ ଗୋଦାବରୀଶଙ୍କର ଏପରି ଅବସ୍ଥା ହେଲା ଯେ, ଖାଇବାକୁ ଗଣ୍ଡେ ମଧ୍ୟ ମିଳିଲାନାହିଁ । ବସାରେ ରଖିଥିବା ଗାଈ ବାଛୁରୀ, ପୁରୁଣା ଲୁଗାପଟା, ଘୋଡେ଼ଇ ହେବା କମ୍ବଳ ପ୍ରଭୃତି ବିକିବାକୁ ପଡ଼ିଲା । ପିଲାଙ୍କୁ ସମ୍ଭାଳିବା ଆଉ ସହଜ ହେଲା ନାହିଁ । ତେଣୁ ସୁଦର୍ଶନ ସଙ୍ଗରେ ତାଙ୍କର ସ୍ତ୍ରୀ ଓ ପୁଅ ଝିଅଙ୍କୁ ବାଣପୁରକୁ ପଠାଇ ଦେଲେ । ସେ ନିଜେ ଓ କେତେଜଣ ସହକର୍ମୀ ସେଠି କେତେଦିନ ରହିଲେ । ଆନ୍ଦୋଳନ ଦବି ଆସିବାରୁ ସେ ମଧ୍ୟ ସିଂହଭୂମ ଛାଡ଼ି ବାଣପୁର ବାହାରି ଆସିଲେ ।

 

ସତ୍ୟବାଦୀରେ ଅବଶ୍ୟ ଗୋଟିଏ ଅନୁଷ୍ଠାନ ଥାଏ, ତାହାକୁ ଚଳାଉ ଥିଲେ କୃପାସିନ୍ଧୁ ମିଶ୍ର । ଗୋଦାବରୀଶଙ୍କୁ ସେଠାକୁ ଯିବାକୁ ସେ ଲେଖିଥିଲେ । ମାତ୍ର ଜନ୍ମସ୍ଥାନ ବାଣପୁର ପାଇଁ କିଛି କରିବେ ଭାବି ସେ ବାଣପୁର ଗଲେ । ସେହି କଥା କୃପାସିନ୍ଧୁ ବାବୁଙ୍କୁ ଜଣାଇଦେଲେ । ସୁଦର୍ଶନ ମଧ୍ୟ ତାଙ୍କ ସଙ୍ଗରେ ବାଣପୁର ଗଲେ ।

 

୧୯୨୦ ମସିହାରେ ଗୋଦାବରୀଶଙ୍କ ଯତ୍ନରେ ଚକ୍ରଧରପୁରରେ ଉତ୍କଳ ସମ୍ମିଳନୀର ଗୋଟିଏ ଅଧିବେଶନ ହୋଇଥିଲା । ବିଚ୍ଛିନ୍ନ ଉତ୍କଳରେ ଉତ୍କଳ ସମ୍ମିଳନୀର ଏ ପ୍ରଥମ ଅଧିବେଶନ-। ଭାରି ଜାକ୍‌ଜମକ୍ ମଧ୍ୟରେ ସମ୍ମିଳନୀଟି ହେଲା । ଓଡ଼ିଶାର ବହୁ ନେତା ଓ ରାଜା, ମହାରାଜା ମଧ୍ୟ ସେଥିରେ ଯୋଗ ଦେଇଥିଲେ । ତାହାପରଠାରୁ କଂଗ୍ରେସର ନୀତି ଅନୁସାରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ପାଇଁ ବ୍ୟବସ୍ଥା ହେଲା । ସେତେବେଳକୁ ରାଜେନ୍ଦ୍ର ପ୍ରସାଦ ବିହାରର ନେତା ଓ କଂଗ୍ରେସର ଜଣେ ମୁଖ୍ୟ କର୍ମୀ । ତାଙ୍କ ମତ ରକ୍ଷା କରିବା ପାଇଁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ, ସିଂହଭୂମ ସମ୍ପୂର୍ଣ୍ଣ ଓଡ଼ିଆଭାଷୀ ଅଞ୍ଚଳ ହେଲେ ମଧ୍ୟ ବିହାର ରାଜ୍ୟ ଭିତରେ ରହିଲା ।

 

ବାର

 

ସେ ବାଣପୁରକୁ ଫେରି ଶ୍ରୀନିବାସପୁରରେ ଯେଉଁଠି ଜନ୍ମ ହୋଇଥିଲେ, ସେହିଘରେ ରହିବା କଥା ହେଲା । ଘର ମରାମତି ଅଭାବରୁ ଭାଙ୍ଗି ରୁଜି ଯାଇଥିଲା । ତାକୁ ସଜକରି ସେଠି ରହିଲେ । ସେତେବେଳକୁ ତାଙ୍କର ଆଉ କେହି ନଥିଲେ । ଭଉଣୀଟି ତ ମରିଯାଇ ଥିଲା । ତା’ର ଦୁଇବର୍ଷ ପରେ ବୁଢ଼ୀମା’ ମଧ୍ୟ ମରିଗଲେ । ସେ ଘରଟିରେ ଚଳିବାକୁ ଅସୁବିଧା ହେବାରୁ ଶ୍ରୀନିବାସପୁରରେ ଆଉଖଣ୍ଡିଏ ଘର କିଣିଲେ । ହାତରେ ପଇସାଟିଏ ନଥାଏ । ପ୍ରବାସରୁ ପ୍ରାୟ ୧୬।୧୭ ବର୍ଷ ପରେ ଫେରିଛନ୍ତି । ଗାଁରେ କିଛି ସମ୍ବଳ ନାହିଁ ଯେ ବିକି ଭାଙ୍ଗି ଚଳିବେ । କେତେକ ଦିନ ଧାର ଉଧାର କରି ଚଳିଲେ । ନୂଆ ଜାଗାରେ ଖଣ୍ଡିଏ ଘର ତୋଳିଲେ । ଜନ୍ମସ୍ଥାନଟି ଚଳିବାକୁ ସଂକୀର୍ଣ୍ଣ ହେବାରୁ ସେଇଘରେ ଯାଇ ରହିଲେ । ବର୍ଷେଖଣ୍ଡେ ସେଠି ରହିବାପରେ ଦେଖିଲେ ଯେ ସେଠାରେ ରହିଲେ କୌଣସି କାମ କରି ହେବନାହିଁ । ତେଣୁ ବାଲୁକେଶ୍ଵର ଦେଉଳ ପାଖରେ ସଡ଼କ କଡ଼ରେ ରହିବାକୁ ଭାବିଲେ । ସେଠି ତାଙ୍କର ନିଜର ଖଣ୍ଡିଏ ଜାଗା ଥିଲା । ପାଖରେ ଶାମୁକା ପୋଖରୀ, ଶାଳିଆ ନଈ । ଘଣ୍ଟଶିଳା ପାହାଡ଼ ତା’ର ଅଳ୍ପ ଦୂରରେ । ଏ ଯୋଡ଼ିକ ତାଙ୍କର ପିଲଦିନରୁ ପ୍ରିୟ । ତେଣୁ ୧୯୨୨ ମସିହା ଶେଷବେଳକୁ ସେହି ଶାମୁକା ପୋଖରୀ ପାଖରେ ଖଣ୍ଡିଏ ଚାଳଘର ତୋଳିଲେ ଓ ସେଠିଯାଇ ରହିଲେ । ପିଲାମାନେ ଶ୍ରୀନିବାସପୁରରେ ଥାନ୍ତି । କୌଣସି ଆୟର ସମ୍ଭାବନା ନଥିଲା । କେବଳ ଶୂନ୍ୟ ଆଶ୍ରୟରେ ସେଠି ରହିଲେ । କେତେବେଳେ କେତେବେଳେ ଗାଁ ଆଡ଼େ ଓ ବାଣପୁର ଆଡ଼େ ବୁଲିଯାନ୍ତି, ନ ହେଲେ ଦିନରାତି ସେଇଠି ରହନ୍ତି । ନିଜ ହାତରେ ମୋଡ଼ାମୋଡ଼ି କରି ତିଆରି କରିଥିବା ଖଣ୍ଡିଏ ବାଉଁଶ ଖଟିଆରେ ଶୁଅନ୍ତି । ସେହି ଘରଟିର ନାମ କେତେଦିନ ପରେ ଆଶ୍ରମ ହୋଇଗଲା । ଦିନେ ଦିନେ କାଷ୍ଠା ଉପବାସରେ ରହିଯାନ୍ତି, କିନ୍ତୁ ପିଲାମାନଙ୍କୁ ସେପରିଭାବରେ ରହିବାକୁ ଦିଅନ୍ତି ନାହିଁ । ଅନ୍ୟ ଉପାୟ ତ ନଥାଏ; ଗାଁ ଗଣ୍ଡା ସାଇପଡ଼ିଶାରୁ ଧାର ଉଧାର କରି ତାଙ୍କୁ ଚଳାଉଥାନ୍ତି । ତାଙ୍କ ନୂଆ ଆଶ୍ରମ ପାଖେ ଗୁଡ଼ିଏ ତାଳଗଛ ଥାଏ । ବର୍ଷାଦିନେ ପାଚିଲା ତାଳ ପଡ଼େ, ପାଚିଲା ତାଳ ଖାଇ ଦିନେ ଦିନେ ରହିଯାନ୍ତି ।

 

ସେଇପାଖରେ ଉତ୍ତରାୟଣୀଙ୍କ ମନ୍ଦିର । ସଂକ୍ରାନ୍ତି କି ସଂକ୍ରାନ୍ତି ସେଠାକୁ ଭୋଗରାଗ କରିବାପାଇଁ ଲୋକେ ଆସନ୍ତି । ଉତ୍ତରାୟଣୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଭାରି ଭକ୍ତି । ଉତ୍ତରାୟଣୀ ରାଜ ପ୍ରତିଷ୍ଠିତ ଦେବୀ । ବାଣପୁର ରାଜାଙ୍କର ରାଜଧାନୀ ଥିଲାବେଳୁ ସେ ତାଙ୍କର ଇଷ୍ଟଦେବୀ ଥିଲେ । ବଡ଼ମନ୍ଦିର ନ ଥିଲେ ମଧ୍ୟ ଗୋଟିଏ ତୋଟା ଭିତରେ ଥିବାରୁ ସ୍ଥାନଟି ବଡ଼ ରମଣୀୟ ବୋଧହୁଏ । ତୋଟାରେ ଆମ୍ବ, ପଣସ, ଚମ୍ପା, ନାଗେଶ୍ୱର ଗଛଗୁଡ଼ିଏ ଥାଏ । ଏବେ ଅବଶ୍ୟ ସେତେ ଗଛ ନାହିଁ । ସେଇଠି ଶାଳିଆ ନଦୀ ଉତ୍ତରାୟଣୀ (ଉତ୍ତରବାହିନୀ) ହୋଇଅଛି, ତେଣୁ ବୋଧହୁଏ ଠାକୁରାଣୀଙ୍କ ନାମ ‘ଉତ୍ତରାୟଣୀ’ ଦିଆଯାଇଛି । ଥରେ ଥରେ ସେ ଉତ୍ତରାୟଣୀଠାକୁ କେହି କେହି ଜନ୍ତାଳ କରିବାକୁ ଆସିଲେ ଏ ଦୁହିଁଙ୍କୁ ନିମନ୍ତ୍ରଣ କରନ୍ତି । ଆଉ ଥରେ ଥରେ ତାଙ୍କର ସେ ଆଶ୍ରମରେ ଭୋଗରାଗ କରିବାକୁ ପଡ଼େ । ବିଶେଷତଃ ବର୍ଷାଦିନେ ବଢ଼ି ସମୟରେ ଲୋକେ ଶାଳିଆ ନଈ ପାରହୋଇ ଠାକୁରାଣୀଙ୍କ ପାଖକୁ ଯାଇପାରନ୍ତି ନାହିଁ । ତେଣୁ ଏହି ଆଶ୍ରମଟି ଆଶ୍ରୟସ୍ଥଳ ହୋଇଥାଏ । ଏପରି ଦିନେ ଦିନେ ଠାକୁରାଣୀଙ୍କ ଅନୁଗ୍ରହ ଯୋଗେ ଉପରୁ ଉପରୁ ଖାଇବା ପିଇବା ମିଳେ । ଗୋଦାବରୀଶ ଆଗରୁ ଆଶ୍ରମରେ ଏକୁଟିଆ ରହୁଥିଲେ । ପଛକୁ ସୁଦର୍ଶନ ଆସି ତାଙ୍କ ପାଖରେ ରହିଲେ । ଦୁହିଁଙ୍କର ଖର୍ଚ୍ଚ ତୁଲାଇବା କଷ୍ଟକର ହେଲା । ଯାହାଠୁ କରଜବାରଜ ଓ ଧାର ଉଧାର ଆଣିଲେ ଶୁଝିପାରିଲେ ନାହିଁ । ତାହା ତେଣେ ବଢ଼ୁଥାଏ ।

 

ଏତିକିବେଳେ ତାଙ୍କୁ ଗୋଟିଏ ଉପାୟ ଦିଶିଲା । ଓଡ଼ିଆରେ ପାଠ୍ୟପୁସ୍ତକ ନଥିଲା । କୌଣସି କୌଣସି ପ୍ରକାଶକଙ୍କ ଅନୁରୋଧରେ ସେ ପାଠ୍ୟପୁସ୍ତକ ଲେଖିଲେ । ସେ ବାବଦରେ ଆଗତୁରା ମଧ୍ୟ କିଛି ପଇସା ପାଇଲେ । ଅଭାବବେଳେ ସେ ପଇସାତକ ତାଙ୍କୁ ଭାରି ସାହାଯ୍ୟ କଲା । କେତେଖଣ୍ତି ମଧ୍ୟ ପାଠ୍ୟପୁସ୍ତକରୂପେ ସରକାରୀଭାବରେ ମଞ୍ଜୁରୀ ପାଇଗଲା । ଏଣୁ ନିୟମିତ ଭାବରେ ସେ ବାବଦରୁ କିଛି ମିଳିଲା । ଦ୍ଵିତୀୟ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କ ବହି ଭିନ୍ନ ଭିନ୍ନ ସ୍ଥାନରେ ପଢ଼ାହେଲା । ସେତେବେଳକୁ ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ମିଶି ନଥାଏ । ଗଞ୍ଜାମ ଜିଲ୍ଲାର ବହି ଅଲମା ଓ ଓଡ଼ିଶାର ବହି ମଧ୍ୟ ଅଲଗା । ଶିକ୍ଷା ବିଭାଗର କି ପ୍ରକାର ବହି ଓ ପାଠ୍ୟପୁସ୍ତକ ପଢ଼ାହେବା ଦରକାର ସେ ବିଷୟରେ ଶିକ୍ଷା ବିଭାଗର ଲୋକେ ମଧ୍ୟ ତାଙ୍କର ପରାମର୍ଶ ନିଅନ୍ତି, ତେଣୁ ଦିନକୁଦିନ ଏ ବିଭାଗରେ ତାଙ୍କର ସୁଖ୍ୟାତି ବଢ଼ିଲା । ପଇସା ଯେପରି ପାଇଲେ, ସୁନାମ ମଧ୍ୟ ସେପରି ପାଇଲେ ।

 

ପିଲାଦିନରୁ ସେ ବଡ଼ ସରଳ ଭାବରେ ଚଳନ୍ତି । କୌଣସି ପ୍ରକାର ନିଶା ଦ୍ରବ୍ୟର ସେ ଅଧୀନ ନୁହନ୍ତି । ନନାଙ୍କଠାରୁ ଶିଖି ଦେହରେ କି ମୁଣ୍ତରେ ଆଦୌ ତେଲ ଲଗାନ୍ତି ନାହିଁ । ସବୁବେଳେ ଲୁଖୁରା ଗାଧୁଅନ୍ତି । ଖଣ୍ଡିଏ ଲୁଗା କିଣିଲେ ସେ ଖଣ୍ଡିକ ଦିଖଣ୍ତ କରି ଦିଅନ୍ତି । ଖଣ୍ଡିଏ ସେଥିରୁ ଲୁଗା ହୁଏ ଓ ଖଣ୍ଡିଏ ଗାମୁଛା ହୁଏ । ଲୁଗାପଟା ଅଳ୍ପ ହେଲେ ମଧ୍ୟ ସଫା ସୁତୁରା ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ନିତି ଶାଳିଆ ନଈରେ ଗାଧୁଅନ୍ତି । ବଡ଼ି ସକାଳୁ ଉଠିବା ତାଙ୍କର ଅଭ୍ୟାସ । ଆଉ ଗୋଟିଏ ଅଭ୍ୟାସ–ପ୍ରତ୍ୟହ ପଢ଼ିବା, ଲେଖିବା ଓ ଚିଠି ପତ୍ରର ଉତ୍ତର ଦେବା । ଖଣ୍ଡିଏ କାହାଠୁ ଚିଠି ପାଇଲେ ସେ ସଙ୍ଗେ ସଙ୍ଗେ ଉତ୍ତର ନ ଦେଇ ରହି ପାରନ୍ତି ନାହିଁ । ଏ ବିଷୟରେ ସେ ସାନ ବଡ଼ କିଛି ବିଚାରନ୍ତି ନାହିଁ । ଚିଠି ପାଇଲା ଦିନ ଉତ୍ତର ଦେବା ତାଙ୍କର ଗୋଟିଏ ନୀତି । ଓଡ଼ିଶାରେ ଅନ୍ୟ ଲୋକଙ୍କର ଏପରି ନୀତି କ୍ୱଚିତ ଥିବ ।

 

ସେ ଆସି ବାଣପୁରରେ ପହଞ୍ଚିଲାବେଳକୁ ଅସହଯୋଗରେ ସେଠାରେ କେତେକ ଲୋକ ମିଶି ଥିଲେ । ସେ ଯେଉଁ ମାଇନର ସ୍କୁଲ ବସାଇଥିଲେ, ସେ ସ୍କୁଲର ଅବସ୍ଥା ଟିକିଏ ବଦଳି ଯାଇଥିଲା । ୧୯୧୪ ମସିହାରେ ସେ ସ୍କୁଲଟି ବସିଥିଲା । ସେହି ଦିନଠାରୁ ତାଙ୍କର ଜଣେ ପରିଚିତ ବନ୍ଧୁ ଭୁବନେଶ୍ୱରର ରଘୁନାଥ ମହାପାତ୍ର ଅସହଯୋଗରେ ମିଶି ସରକାରୀ ଚାକିରି ଛାଡ଼ି ଦେଇଥିଲେ । ତାଙ୍କ ସାଙ୍ଗରେ ବାଣପୁରରୁ ଗୋବିନ୍ଦ ରଥ, ଦୟାନିଧି ମିଶ୍ର, *ଜଗନ୍ନାଥ ମହାପାତ୍ର, ପୁରୀ ଆଡ଼ର ଜଗନ୍ନାଥ ଦାସ, ମାଲୁଦର ସହଦେବ ଦାସ ସେହି ପନ୍ଥା ଧରି ଥିଲେ । ରଘୁନାଥ ମହାପାତ୍ର ଜଣେ ଉତ୍ସାହୀ ଓ ଉଦ୍ୟମୀ ଲୋକ । ତାଙ୍କରି ଯୋଗେ ବାଣପୁରରେ ଥାନା ପାଖେ ଗୋଟିଏ ଜାତୀୟ ବିଦ୍ୟାଳୟ ଖୋଲିଥିଲା । ସେଠି ସୂତାକଟା, ଲୁଗାବୁଣା, ବଢ଼େଇ କାମ ପ୍ରଭୃତି ଶିକ୍ଷା ଦିଆଯାଉଥିଲା । ସେ ଶିକ୍ଷକ ଥିଲେ, କେହି ଦରମା ପାଉ ନ ଥିଲେ । ପିଲାମାନେ ଯାଇ ଭିକ୍ଷା କରନ୍ତି । ସେଥିରୁ ଯାହା ଆଦାୟ ହୁଏ, ତାହାରିଦ୍ଵାରା ବିଦ୍ୟାଳୟଟି ଚାଲିଥାଏ । ତା’ ସଙ୍ଗେ ସଙ୍ଗେ ପାଠପଢ଼ା ମଧ୍ୟ ଚାଲିଥାଏ । ପିଲାମାନେ ଓ ଶିକ୍ଷକ କଂଗ୍ରେସର ପ୍ରଚାର କାମରେ ଯାନ୍ତି ଓ ଅନ୍ୟାନ୍ୟ ସେବାମୂଳକ କାମ କରନ୍ତି । କିନ୍ତୁ ପୁରୁଣା ମାଇନର ସ୍କୁଲରେ କେବଳ ଜଣେ ଶିକ୍ଷକ ଏ ନିଆଁକୁ ନ ଡେଇଁ ରହିଥିଲେ । କ୍ରମେ ଅନ୍ୟାନ୍ୟ ଶିକ୍ଷକ ଆସିଲେ । ର’ ଠ’ ହୋଇ ସ୍କୁଲଟି ଚାଲିଥାଏ । ମାତ୍ର ସାଧାରଣ ଲୋକଙ୍କର ଜାତୀୟ ବିଦ୍ୟାଳୟ ପ୍ରତି ଦୃଷ୍ଟି ଥିଲେ ମଧ୍ୟ ସେ ପରିମାଣରେ ସାହାଯ୍ୟ ମିଳେ ନାହିଁ । ସରକାରୀ ଲୋକେ ସେ ସ୍କୁଲ ନାଁ ଶୁଣି ଠକ ଠକ ହେଉଥାନ୍ତି-। ହାକିମ ହୁକୁମା କେହି ସେଠାକୁ ଯାଆନ୍ତିନାହିଁ । କେବଳ କଂଗ୍ରେସର ଲୋକ ଆସିଲେ ଜାତୀୟ ବିଦ୍ୟାଳୟରେ ରହନ୍ତି । ଗୋପବନ୍ଧୁ ବହୁତ ଥର ଅସହଯୋଗ ପ୍ରଚାରରେ ବାଣପୁର ଆସିଛନ୍ତି-। ସେ ଆସିଲେ ଲୋକଙ୍କ ଭିତରେ ପ୍ରଚାର କରିବାର ଭାର ଏହି ଜାତୀୟ ବିଦ୍ୟାଳୟ ଉପରେ ପଡ଼େ-

 

ଗୋଦାବରୀଶ ବାଣପୁରକୁ ଆସିଲାବେଳକୁ ଅସହଯୋଗ ପ୍ରଚାର ସେତେ ନ ଥିଲା, ମାତ୍ର ଜାତୀୟ ବିଦ୍ୟାଳୟଟି ଥିଲା । ବାଣପୁରରେ ଭଲ ଭାବରେ ଚଳୁ ନ ଥିବାର ଦେଖି ସେ ତାହାକୁ ତାଙ୍କ ଆଶ୍ରମ ପାଖକୁ ନେଇଗଲେ । ଅସହଯୋଗ ପ୍ରଚାର ସମୟରେ ବାଣପୁରରେ ରବୀନ୍ଦ୍ରନାଥ ମଜୁମଦାର ବୋଲି ଜଣେ ବଙ୍ଗାଳୀ ରେଞ୍ଜର ଥିଲେ । ସେ ସରକାରୀ ଚାକିରି ଛାଡ଼ି ଦେଇ ବାଣପୁରରେ କାଠ ବ୍ୟବସାୟ କଲେ । ଜାତୀୟ ବିଦ୍ୟାଳୟ ଚଳେଇବାରେ ସେ ଯେପରି ସାହାଯ୍ୟ କରିଛନ୍ତି, ଆଉ ଅଯାଚିତ ଭାବରେ ସେପରି କେହି କରିନାହିଁ ।

 

* ଏହି ପୁସ୍ତକର ଲେଖକ

 

ଯେତେଗୁଡ଼ିଏ କଳ୍ପନା ଧରି ଗୋଦାବରୀଶ ବାଣପୁରକୁ ଫେରିଥିଲେ, ସେ ସବୁ କି ଉପାୟରେ କାର୍ଯ୍ୟକାରୀ ହୋଇପାରିବ ସେ ଚିନ୍ତାରେ କେତେଦିନ କଟିଲା । ରବୀନ୍ଦ୍ରନାଥ ମଜୁମଦାର ଗୋଦାବରୀଶଙ୍କ ସଙ୍ଗେ ଯୋଗଦେଲେ । ଦୟାନିଧି ମିଶ୍ର, ଲିଙ୍ଗରାଜ ପଟ୍ଟଯୋଷୀ, ରଘୁନାଥ ମହାପାତ୍ର ପ୍ରଭୃତି କେତେ ଜଣ ତାଙ୍କ ସଙ୍ଗରେ ମିଳିଯିବାରୁ ଅର୍ଥବଳ ବଢ଼ୁ ନ ବଢ଼ୁ ମନର ବଳ ବଢ଼ିଗଲା । ସେ ସେଠୁ ଗୋଟିଏ ଯୋଜନା ଗଢ଼ିଲେ । ସେତିକିବେଳେ ତାଙ୍କୁ କେହି ପରାମର୍ଶ ଦେଲେ ଯେ ସହଯୋଗ ସମିତି ଗଢ଼ିଲେ ନାନା କାମ କରିହେବ । ପରାମର୍ଶଟି ୟାଙ୍କ ମନକୁ ପାଇଲା । ଯେଡ଼େ ସୁନ୍ଦର କଳ୍ପନା କଲେ ମଧ୍ୟ ପଇସା ନ ଥିଲେ କିଛି କରିହୁଏ ନାହିଁ । ଗୋଟିଏ ସହଯୋଗ-ସମିତି ଗଠନ କଲେ । ଖୋରଧାରେ ଯେଉଁ କେନ୍ଦ୍ର ବ୍ୟାଙ୍କ ଥିଲା, ଏ ସମିତି ତା’ର ଶାଖାରୂପେ ରହିଲା । ସେଥିର ସଭାପତି ହେଲେ ଗୋଦାବରୀଶ, ସମ୍ପାଦକ ହେଲେ ରବୀନ୍ଦ୍ରନାଥ ମଜୁମଦାର ଓ କୋଷାଧ୍ୟକ୍ଷ ହେଲେ ସୁଦର୍ଶନ ପାଣିଗ୍ରାହୀ । ଏହି ସମିତି ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଲା–ଶିଳ୍ପର ଉନ୍ନତି କରିବାକୁ ହେବ ଏବଂ କୃଷିମଧ୍ୟ ତା’ ସଙ୍ଗେ ସଙ୍ଗେ ଚାଲିବ । ପ୍ରତ୍ୟେକ ସଭ୍ୟଙ୍କୁ ଦଶ ଏକର ଯାଏଁ ଜମି ଦିଆଯିବ । ଦଶଜଣ ସଭ୍ୟଙ୍କ ନାମରେ ଶହେ ଏକର ଜମି ଏକାଠି ନିଆ ହୋଇ ଚାଷବାସ କରାଯିବ । ସେଥିରେ ଦଶ ଜଣ କର୍ମୀ ଭଲ ରୂପେ ଚଳି ପାରିବେ । ମୋଟା ମୋଟି କଥା ହେଲା କୃଷି ଏବଂ ଶିଳ୍ପ ଏହି ସମବାୟ ଉଦ୍ୟମରେ ଯେପରି ଭଲଭାବରେ ଚଳି ପାରିବ, ଏହାଦ୍ଵାରା କର୍ମୀମାନେ ଲାଭବାନ୍‍ ହେବେ । ଆଉ କେତେଗୁଡ଼ିଏ ଲୋକ କାମ କରି ପୋଷି ହେବେ । ପୁଣି ସାଧାରଣ ଲୋକଙ୍କର ଏ ଦିଗରେ ଆୟର ବାଟ ଫିଟିବ । ଅନୁଷ୍ଠାନର ନାମ ହେଲା–‘ବାଣପୁର ସହଯୋଗ ସମିତି’ । ଦଶଜଣ ସଭ୍ୟଙ୍କ ଭିତରୁ ଏ ତିନିଜଣଙ୍କ ଛଡ଼ା ବାକି ସାତ ଜଣ ମଧ୍ୟ ନିଆଗଲେ । ସେମାନଙ୍କ ମଧ୍ୟରେ *ଗୋଦାବରୀଶ ମହାପାତ୍ର, ଗୋବିନ୍ଦ ରଥ, ଜଗନ୍ନାଥ ମହାପାତ୍ର ପ୍ରଭୃତି ଆଉ ସାତ ଜଣ ରହିଲେ । କିସ୍ତି ଅନୁସାରେ ଖୋର୍ଦ୍ଧା ବ୍ୟାଙ୍କରୁ ଟଙ୍କା ଆସିଲା । ରେଜିଷ୍ଟର ଆସି ସମିତିର କାର୍ଯ୍ୟ ପ୍ରଣାଳୀ ଶୁଣିଲେ, ଭାରି ପସନ୍ଦ କଲେ । କଥା ଅନୁସାରେ ଏ କୃଷି ଓ ଗୋଟିଏ ଜାତୀୟ ଶିଳ୍ପ ସଦନ ଗଢ଼ା ହେଲା । ସଡ଼କ ତଡ଼େ ପାଞ୍ଚ କି ଛଅ ବଖରା ବଡ଼ ବଡ଼ ଘର ତୋଳା ହେଲା–ଡିଆସିଲି କାରଖାନା ହେବ ବୋଲି । ସେ ଘର ପାଖକୁ ଶାମୁକା ପୋଖରୀ କୂଳରେ ଆଉ ଘର ତୋଳା ହେଲା–କର୍ମଚାରୀମାନେ ରହିବା ପାଇଁ । ଖାଲି ସେଠି କାହିଁକି ସମଗ୍ର ବାଣପୁରରେ ଏ ଶିଳ୍ପସଦନ ଖୋଲା ହେବା ଶୁଣି ଚହଳ ପଡ଼ିଗଲା । ଡିଆସିଲି କାରଖାନା ପାଇଁ ଯନ୍ତ୍ରପାତି ଆସିଲା, ଯନ୍ତ୍ର ଚଳେଇବା ପାଇଁ ଲୋକ ଆସିଲେ । କାର୍ଯ୍ୟାଳୟ ଖୋଲା ହେଲା । ପାଖ ଆଖରେ ଯେତେ ପାଳଧୁଆ କାଠ ଥିଲା, ସବୁ କାର୍ଯ୍ୟରେ ଲାଗିଲା । ସେ ବାବଦରେ ଲୋକେ ମଧ୍ୟ କିଛି ପଇସା ପାଇଲେ । ୧୯୨୩ ବେଳକୁ କାରଖାନାରୁ ଡିଆସିଲି ତିଆରି ହୋଇ ବାହାରିଲା । ବାଣପୁର ଲୋକଙ୍କ ପାଖରେ ତାହା ଗୋଟିଏ ସମ୍ପୂର୍ଣ୍ଣ ନୂଆକଥା । ଆଖି ଆଗରେ ଦେଖିଲେ–ଡିଆସିଲି ପେଡ଼ା ତିଆରି ହେଉଛି, ନିଆଁକାଠି କିପରି ତିଆରି ହୋଇ ସେଥିରେ ରଞ୍ଜକ ଦିଆ ହେଉଛି । ପ୍ରତିଦିନ ଶହ ଶହ ପେଡ଼ା ବାକ୍ସରେ ଭର୍ତ୍ତି ହୋଇ ଦୂରକୁ ପଠା ହେଲା । ଏ ସବୁ କାମ କରିବା ପାଇଁ ବାଣପୁର ଓ ପାଖ ଆଖର ଅନେକ ପିଲା ମଧ୍ୟ ଚାକିରିରେ ରହିଲେ ।

 

* ଖୁ‘ନିଆଁଣ୍ଟା’ର ଭୂତପୂର୍ବ ସମ୍ପାଦକ

 

ଏହାଛଡ଼ା ଗୋଟିଏ ବୟନ ସମିତି ଗଢ଼ାଗଲା । ସୂତାକଟା ଓ ଲୁଗା ବୁଣିବା ତା’ର ପ୍ରଧାନ କାର୍ଯ୍ୟ ହେଲା । ବାଲୁକେଶ୍ଵର ତୋଟା ଭିତରେ ଗୁଡ଼ିଏ ଘର ତୋଳା ହୋଇ ସେଇଠି ଏ କାମ ଚାଲିଲା । ଜାତୀୟ ବିଦ୍ୟାଳୟର ପିଲାମାନେ ସୂତା କାଟିଲେ । ସେହି ଖଦଡ଼ ସୂତାରେ କଳ ସୂତା ମିଶାଇ ଲୁଗା ବୁଣା ହେଲା । ଦଶବାର ଖଣ୍ଡି ଅରଟ ନିୟମିତ ଭାବରେ ଚାଲିଲା । ଯୋଡ଼ିଏ ନୂଆପ୍ରକାର ଠକଠକି ତନ୍ତ, ଦୁଇଟି ଘରେ ପଡ଼ିଲା । ଆଗରୁ ଜଣେ ଲୁଗାବୁଣା କାମ ଶିଖାଉଥିଲେ-। ତନ୍ତଦ୍ଵାରା ଭଲ ନ ଚଳିବାରୁ ନିଆଁଖୁଣ୍ଟାର ସମ୍ପାଦକ ଗୋଦାବରୀଶ ମହାପାତ୍ର ଟ୍ରେନିଂ ପାଇ ସେଥିରେ ରହିଲେ । ନାନା ଢଙ୍ଗର ଲୁଗାମଧ୍ୟ ବୁଣା ହେଲା । ପିନ୍ଧା ଲୁଗା, ଗାମୁଛା, ତଉଲିଆ ପ୍ରଭୃତି ବୁଣାହେବା ସଙ୍ଗେ ସଙ୍ଗେ ବିକା ହୋଇ ଯାଉଥିଲା । ସେ ଲୁଗା ପ୍ରତି ସ୍ଥାନୀୟ ଲୋକଙ୍କର ମଧ୍ୟ ବେଶ୍ ଆଗ୍ରହ ବଢ଼ିଲା ।

 

ଖାଲି ବ୍ୟବସାୟରେ ଶିକ୍ଷିତ ଲୋକଙ୍କର ଦିନ କଟେନାହିଁ । ସେଥିପାଇଁ ଜାତୀୟ ଶିଳ୍ପ ସଦନ ପକ୍ଷରୁ ‘‘ନାସନାଲ୍‌ ଇଣ୍ଡଷ୍ଟ୍ରିୟାଲ୍‌ ହୋମ ଲାଇବ୍ରେରୀ’’ ନାମରେ ଗୋଟିଏ ପାଠାଗାର ଖୋଲାଗଲା । କେତୋଟି ଓଡ଼ିଆ ଓ ଇଂରାଜୀ ପତ୍ରିକା ସେଠାକୁ ମଗାଗଲା । ନାନା ଭାଷାର ମୂଲ୍ୟବାନ ଏବଂ ଉପାଦେୟ ପୁସ୍ତକ ପାଠାଗାର ପାଇଁ ଆସିଲା । ଅବସର ସମୟରେ ସମିତିର ସଭ୍ୟ, କାରଖାନା ଓ ବୟନ ସମିତିର କର୍ମଚାରୀ, ଜାତୀୟ ବିଦ୍ୟାଳୟର ଶିକ୍ଷକ ପଢ଼ିବାର ସୁବିଧା ପାଇଲେ । ତା’ ସଙ୍ଗେ ସଙ୍ଗେ ଗୋଟିଏ ଆଲୋଚନା ସମିତି ମଧ୍ୟ ସ୍ଥାପିତ ହେଲା । ଦିନେ ଦିନେ ସନ୍ଧ୍ୟାବେଳେ ଆଲୋଚନା କରାଯାଏ । ଅଧିକାଂଶ ଥର ଗୋଦାବରୀଶ ବାବୁ ଓ ମଜୁମଦାର ଯୋଗଦିଅନ୍ତି, ଆଲୋଚନା ସରସ ଓ ଉପଭୋଗ୍ୟ ହୁଏ ।

 

ସହଯୋଗ ସମିତିର କାର୍ଯ୍ୟପ୍ରଣାଳୀ ଦେଖିବାକୁ ସମୟେ ସମୟେ ବିଭାଗୀୟ କର୍ମଚାରୀ ଆସନ୍ତି । କାଗଜପତ୍ର ଓ କାର୍ଯ୍ୟପ୍ରଣାଳୀ ଦେଖି ବେଶ୍ ସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ୧୯୨୪ ଖ୍ରୀଷ୍ଟାବ୍ଦବେଳକୁ ସମିତିର କାର୍ଯ୍ୟରେ କେତକ ବିଶୃଙ୍ଖଳା ଘଟିଲା । ସରକାର ବିଚାରିଲେ ଗୋଦାବରୀଶଙ୍କର ଏ ଅନୁଷ୍ଠାନ ସରକାର ବିରୋଧୀ । ସେହି ହେତୁରୁ ତାଙ୍କୁ କୌଣସି ମତେ ଦଣ୍ଡଦେବା ଅଭିପ୍ରାୟ ଥାଏ । ଖିଅ ଖୋଜି ମକଦ୍ଦମାରେ ପକାଇବାକୁ ସରକାରୀ ଲୋକେ ଚେଷ୍ଟା କଲେ । ହିସାବପତ୍ରରେ ଗୋଳମାଳ ଦେଖାଇ ସରକାରୀ ମକଦ୍ଦମା ଆରମ୍ଭ ହେଲା । ଫଳରେ ସହଯୋଗ ସମିତି ଉଠିଗଲା, ସଭ୍ୟମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବା କଥା ହେଲା । ସେଇ ଘଟଣାରେ ଗୋଦାବରୀଶଙ୍କୁ କେତେଦିନ ବନ୍ଦୀଶାଳାରେ ରହିବାକୁ ପଡ଼ିଲା । କ୍ଷତିପୂରଣ ଦେଇ ସଭ୍ୟମାନେ ରକ୍ଷା ପାଇଗଲେ । ମାତ୍ର ସମ୍ପାଦକ, କୋଷାଧ୍ୟକ୍ଷ କେତେ ମାସ ଦଣ୍ଡ ପାଇଲେ । ସରକାରଙ୍କ ଷଡ଼ଯନ୍ତ୍ରରେ ମକଦ୍ଦମା ଦୁଇବର୍ଷ ଯାଏ ଲାଗିଥିଲା । କେତେଥର କାରଖାନାଠାକୁ କେତେ ପୁଲିସ ଆସନ୍ତି । ସେତେବେଳେ ପୁଲିସ ସାହେବ ଥାନ୍ତି–ଶ୍ରୀକୃଷ୍ଣ ମହାପାତ୍ର । ତାଙ୍କର ଗୋଦାବରୀଶଙ୍କ ଉପରେ ବେଶି ରାଗ ଥିବାରୁ ମକଦ୍ଦମାର ଫଳ ଅନ୍ୟ ପ୍ରକାର ହେଲା । ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କରି ବିଷ ଦୃଷ୍ଟିଯୋଗେ ଗୋଦାବରୀଶ ଦଣ୍ଡପାଇଲେ ।

 

କାରଖାନା ହେବାଠାରୁ ଏ ସ୍ଥାନଟି ଆଉ ଆଶ୍ରମ ନାମରେ ବେଶି ପରିଚିତ ହେଲାନାହିଁ-। ସମିତି ସିନା ଭାଙ୍ଗିଗଲା, ଜାତୀୟ ବିଦ୍ୟାଳୟଟି କେତେଦିନ ଥିଲା, ତାହା ମଧ୍ୟ ବନ୍ଦ ହୋଇଗଲା । ଶିକ୍ଷକମାନେ ଯିଏ ଯେଝା ବାଟ ଧରିଲେ । ବୟନ କାର୍ଯ୍ୟପାଇଁ ଯେଉଁ ସବୁ ଉପକରଣ ଆସିଥିଲା, ତାହା କେତେ ଭାଙ୍ଗିରୁଜି ଗଲା ଓ କେତେ ନିଲାମ ହୋଇଗଲା ।

 

ବାଣପୁରରେ ବହୁଦିନରୁ ଗୋଟିଏ ସଂସ୍କୃତ ଟୋଲ ଥିଲା । ତାହା ଅଚଳ ଅବସ୍ଥାରେ ପହଞ୍ଚିବାରୁ ଗୋଦାବରୀଶ ବାବୁ ତାହାକୁ ଆଶ୍ରମ ପାଖକୁ ଘେନି ଆସିଲେ । ଟୋଲରେ ପଣ୍ଡିତ ରହିଲେ–ଉଷୁନା ବରପଦାର ଦାମୋଦର ମହାପାତ୍ର । ସେ ଜଣେ ନିଷ୍ଠାପର ଲୋକ । ଗୋଦାବରୀଶଙ୍କ ଘରେ ସେ ଖାନ୍ତି ଓ ଟୋଲରେ କାମ କରି ସରକାରଙ୍କଠାରୁ ଦରମା ପାଉଥାନ୍ତି । ସେଥିରେ ସେ ଚଳି ପାରନ୍ତିନାହିଁ । ଅବଶିଷ୍ଟ ବ୍ୟୟ ଗୋଦାବରୀଶ ବାବୁ ଚଳାନ୍ତି ।

 

ଗୋଦାବରୀଶଙ୍କର ଆୟ ଭିତରେ ଆଉ ଗୋଟିଏ ବଡ଼ ଆୟ ହେଲା ଇନ୍‌ସୁରାନ୍‌ସ କମ୍ପାନୀରୁ । ସେ ଓଡ଼ିଶା ପକ୍ଷରୁ ଲକ୍ଷ୍ମୀ ଇନ୍‌ସୁରାନ୍‌ସର ପ୍ରଧାନ ଏଜେଣ୍ଟ ହେଲେ । ଲୋକସେବକ ଭାବରେ ତାଙ୍କର ଖ୍ୟାତି କ୍ରମେ ଓଡ଼ିଶାରେ ବଢ଼ିଲା । ସହଯୋଗ ସମିତି ଭାଙ୍ଗିଯିବାପରେ ସେ ଘରଦ୍ଵାର ମଧ୍ୟ ବଦଳି ଗଲା । ଏବେ ଯେଉଁ ଘରଖଣ୍ଡି ତାଙ୍କର ବାଣପୁରରେ ଅଛି, କେତେଦିନ ପରେ ସେ ଖଣ୍ଡି ସେ ତୋଳାଇଲେ । କାରଖାନା ଆରମ୍ଭଠୁ ପିଲାମାନଙ୍କୁ ଶ୍ରୀନିବାସପୁରରୁ ଆଣି ପାଖରେ ରଖିଲେ । ଅବସ୍ଥା ଟିକିଏ ବଦଳିବା ଅନୁସାରେ ବ୍ୟବସ୍ଥା ମଧ୍ୟ ବଦଳିଲା । କ୍ରମେ ଗୋଦାବରୀଶ ବାଣପୁରର ବାପ ମା’ହେଲେ । କେଉଁଠି କୌଣସି ସରକାରୀ କର୍ମଚାରୀ ଲାଞ୍ଚମିଛ ନେଲେ, କିମ୍ବା ଲୋକଙ୍କୁ ହଇରାଣ ହରକତ କଲେ, ସେ ତାହା ଉପରକୁ ଜଣାଇଲେ । ବଡ଼ ବଡ଼ ହାକିମମାନଙ୍କର ତାଙ୍କଠାରେ ଭାରି ବିଶ୍ଵାସ ଥାଏ । ରିପୋର୍ଟ ପାଇ କେତେବେଳେ ପୋଲିସ ସାହେବ, କେତେବେଳେ ଡିଭିଜନାଲ ଫରେଷ୍ଟ ଅଫିସର, କେତେବେଳେ ପୁରୀର ସିଭିଲସର୍ଜନ, କେବେ ଅବା କଲେକ୍ଟର, ସମୟେ ସମୟେ ଶିକ୍ଷାବିଭାଗର ବଡ଼ ବଡ଼ ହାକିମ ଆସି ତାଙ୍କ ପାଖରେ ପହଞ୍ଚନ୍ତି । କେତେକ ଘଟଣା କଥାବାର୍ତ୍ତା ଫଳରେ ନଷ୍ପତ୍ତି ହୋଇଯାଏ । କୌଣସି କୌଣସି ଘଟଣାରେ ସଂପୃକ୍ତ ତଳିଆ ହାକିମମାନେ ବଦଳି ହୋଇଯାନ୍ତି ବା ଦଣ୍ଡପା’ନ୍ତି । ସେ କେବେ କୌଣସି ସମୟରେ ନଇଁବା ଦେଖା ଯାଏନାହିଁ । କ୍ରମେ ଏପରି ହେବାରୁ ସ୍ଥାନୀୟ ହାକିମମାନଙ୍କ ଭିତରେ ତାଙ୍କ ପ୍ରତି ଭୟ ଜନ୍ମିଲା । ସେମାନେ ମନେକଲେ ବାଣପୁର ଜଙ୍ଗଲ ସିନା ବାଘର ରାଜ୍ୟ, ମାତ୍ର ଗୋଦାବରୀଶ ବାବୁ ବଣରେ ନ ଥାଇ ମଧ୍ୟ ଗୋଟିଏ ବାଘ ପରି । ଇଂରେଜ ସରକାରଙ୍କ ରାଜତ୍ୱ ଭିତରେ କୌଣସି ଅଧିକାର ନ ଥାଇ ଏପରି ପ୍ରଭୃତ୍ୱ ଦେଖାଇବା ଲୋକ କ୍ୱଚିତ୍ । ସାଧାରଣ ଲୋକେ ଏ ସବୁ ଘଟଣା ଶୁଣି ହାକିମମାନଙ୍କୁ ଆଉ ସେତେ ଡରିଲେ ନାହିଁ । ଗାଁଗଣ୍ଡାର ଅନେକ ଘଟଣା ଛିଣ୍ଡେଇ ଦେବାପାଇଁ ତାଙ୍କ ପାଖକୁ ଆସିଲା । ଏପରିକି ଘର ଭିତର କଳି ମଧ୍ୟ ଲୋକେ ଆସି ତାଙ୍କୁ କହିଲେ । ସେ ସେଥିକି ସବୁବେଳେ ପ୍ରସ୍ତୁତ ଥା’ନ୍ତି । ସବୁକଥା ତ ଘର ପାଖେ ତୁଟି ପାରେନାହିଁ, ତେଣୁ ସେ ଗାଁକୁ ବେଳେ ବେଳେ ଯାଇ ଘଟଣା ଭଲରୂପେ ବୁଝନ୍ତି ଏବଂ ନିଷ୍ପତ୍ତି କରି ଦିଅନ୍ତି । ପ୍ରତିଦିନ ତାଙ୍କ ଦୁଆରେ ବହୁତ ଲୋକ ଆସି ଜମା ହୁଅନ୍ତି । ବାବୁ ଘରେ ଥିଲେ, ବସେଇ ଉଠେଇ ଦିଅନ୍ତି ନାହିଁ । ଯେଉଁ କଥା କରେରୀକୁ ଗଲେ ବର୍ଷେ ଦି’ବର୍ଷ ଲାଗନ୍ତା, ସେ ତାକୁ ଅଳ୍ପକରେ ତୁଟେଇ ଦିଅନ୍ତି । ସେଥିପାଇଁ କୌଣସି ସମୟରେ ବିରକ୍ତି ପ୍ରକାଶ କରିବାର କେହି କେବେ ଦେଖିନାହିଁ । କୌଣସି ଗାଁକୁ ଘଟଣା ନିଷ୍ପତ୍ତି ପାଇଁ ଗଲାବେଳେ ସାଙ୍ଗରେ ସୁଦର୍ଶନ, ଗୋଦାବରୀଶ, ଜଗନ୍ନାଥ, ଶଙ୍କର, ଗୋପୀନାଥ ଏମାନଙ୍କ ମଧ୍ୟରୁ ଜଣେ ବା ଦୁଇଜଣ ଯାଆନ୍ତି । ଦିନେ ଦିନେ ଫେରୁ ଫେରୁ ଅଧରାତି ହୁଏ ।

 

ବାବୁଙ୍କର ଏ ପ୍ରକାର ବିଚାର ଦେଖି ସ୍ଥାନୀୟ ହାକିମ ହୁକୁମାମାନଙ୍କ ମଧ୍ୟରେ କୋକୁଆଭୟ ଜାତ ହେଲା । ଆଗପରି ସହଜରେ ଲାଞ୍ଚ, ମିଛ ନେଇ ପାରିଲେ ନାହିଁ । ଆଖିବୁଜି ଅତ୍ୟାଚାର କରିବା ଅସମ୍ଭବ ହେଲା । ତାଙ୍କୁ ଜଗି ରଖି ଚଳିବାକୁ ପଡ଼ିଲା । ସେ କେତେ କେତେବେଳେ ଦି’ଦିନ ଚାରି ଦିନ ପାଇଁ ଖୋରଧା, ପୁରୀ କି କଟକ ଗଲେ, କେଉଁଦିନ ଫେରିବେ ବୋଲି ଲୋକେ ଚାତକ ପରି ଚାହିଁଥା’ନ୍ତି । ଆଜି ଗାଡ଼ିରେ ବାଲୁଗାଁ ଷ୍ଟେସନରେ ଓହ୍ଲାଇଛନ୍ତି ବୋଲି ଶୁଣିଲେ, ସେ ଘରେ ଆସି ପହଞ୍ଚିବା ପୂର୍ବରୁ ଲୋକେ ଆସି ପହଞ୍ଚିଯା’ନ୍ତି । ଲୋକେ ତେଣିକି ମନେକଲେ–ୟେ’ ଆମ ବାପ-ମା’ ।

 

ଲୋକ ତାଙ୍କ ପାଖକୁ ଏପରି ଯିବା ଆସିବା ଫଳରେ ଗାଁ ଗାଁରେ କିଏ କେଉଁଠି କି ଅଭାବରେ ପଡ଼ିଛି, ସେ ଶୁଣନ୍ତି । କାହାକୁ ଲୁଗା, କାହାକୁ ପଇସାପତ୍ର ସାହାଯ୍ୟ କରନ୍ତି । ବିଧବା କି ଅକର୍ମଣ୍ୟ ଲୋକ ପାଖକୁ କାହାରି କାହାରି ହାତରେ ପାଞ୍ଚଟଙ୍କା, ତିନିଟଙ୍କା ପଠାଇ ଦିଅନ୍ତି । ଅସହାୟ ଅବସ୍ଥା ଜାଣିଲେ ତୁନି ହୋଇ ରହି ପାରନ୍ତି ନାହିଁ, ପ୍ରତିକାରର ଉପାୟ କରନ୍ତି । ପାଖଆଖ ଗ୍ରାମମାନଙ୍କରେ କୌଣସି ଛାତ୍ର ଅଭାବବଶତଃ ପଢ଼ି ନ ପାରୁଥିଲେ, ଯେତେ ପାରନ୍ତି ସାହାଯ୍ୟ କରନ୍ତି । ସେତେବେଳକୁ ବାଣପୁରରେ ଉଚ୍ଚଶିକ୍ଷା ପାଇବାର ସୁବିଧା ନ ଥାଏ । କାହାରି କାହାରିକୁ ପ୍ରବର୍ତ୍ତାଇ ଉଚ୍ଚଶିକ୍ଷା ପାଇଁ ଦୂରକୁ ପଠାନ୍ତି । ଆୟର ସେପରି ପନ୍ଥା ନ ଥିଲେ ମଧ୍ୟ କୁଆଡ଼ୁ ଯେ ତାଙ୍କ ପାଖକୁ ପଇସା ଆସେ, ଜାଣି ହୁଏନାହିଁ । ଥରେ ଥରେ ଦେଖାଯାଏ ଶୂନ୍ୟ ହସ୍ତରେ ଥାନ୍ତି, ଧାର ଉଧାର ହୋଇ ଆସିଲେ ଘରଖର୍ଚ୍ଚ ଚଳେ । ଯେତେ ଅଭାବ ପଡ଼ୁ ପଛକେ ଅଧୀର ହେବାର ଦେଖାଯାଏ ନାହିଁ । ଯେ କୌଣସି ହାକିମ ତାଙ୍କ ଘରକୁ ଆସିଲେ ଜଳଖିଆ ଦେବାକୁ ଭୁଲନ୍ତି ନାହିଁ । ଘରେ ପ୍ରାୟ ପ୍ରତିଦିନ ଅତିଥି । ତାଙ୍କ ସ୍ତ୍ରୀ ମଧ୍ୟ ଅତିଥି ଚର୍ଚ୍ଚା କରିବା ପାଇଁ ବାହାଦୁର ।

 

ଲୋକଙ୍କର ସୁବିଧା ଅସୁବିଧା ସେ ପ୍ରାଣେ ପ୍ରାଣେ ଅନୁଭବ କରୁଥିଲେ । ଖାଲି ବାଣପୁରର ନୁହେଁ, ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନର ଅଭିଯୋଗ ସବୁ ସାଧାରଣ ଦୃଷ୍ଟିକୁ ଅଣେଇବା ପାଇଁ ୧୯୨୩ ମସିହାରେ ସେ ଖଣ୍ଡିଏ ସାପ୍ତାହିକ ପତ୍ରିକା ବାହାର କଲେ । ତା’ ନାଁ–“ଲୋକମୁଖ”-। ପତ୍ରିକାଟି ବ୍ରହ୍ମପୁରର ଆଶା ପ୍ରେସରେ ଛପାଯାଏ । ଡାକରେ ତାଙ୍କ ଘରଠାକୁ ଆସି ସେଇଠୁ କେତେକ ହାତେ ହାତେ ବିକ୍ରୀ ହୁଏ, କେତେକ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନକୁ ଡାକଯୋଗେ ପଠାଯାଏ । ତା’ର ଗ୍ରାହକ ଥା’ନ୍ତି–ପ୍ରାକୃତିକ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ । ଫୁଲ୍‌ସ୍କେପ୍ କାଗଜ ଦୁଇଫର୍ଦ୍ଦ ବା କେତେବେଳେ ଦେଢ଼ଫର୍ଦ୍ଦ ଛପାହୁଏ । ସେ ନିଜେ ସମ୍ପାଦକ ଥା’ନ୍ତି । ପରିଚାଳନା ଭାର ଥାଏ ଜଗନ୍ନାଥ ମହାପାତ୍ରଙ୍କ ହାତରେ । ଆଗେ ଯେଉଁଠି ଜାତୀୟ ବିଦ୍ୟାଳୟ ହେଉଥିଲା, ସେଇ ଘରେ ପତ୍ରିକାର କାର୍ଯ୍ୟାଳୟ ଥାଏ । ଏହାଙ୍କର ବଳିଷ୍ଠ ଲେଖା ବଳରେ ଅଳ୍ପ ଦିନ ଭିତରେ ପତ୍ରିକାର ବେଶ୍ ପ୍ରଚାର ହେଲା । ମାତ୍ର ହାକିମମାନଙ୍କ ପ୍ରତି ଏହା ଗୋଟିଏ କାଳ ହେଲା । କ’ଣ ଗୋଟିଏ ଘଟଣା ହେଲେ, ସାଙ୍ଗେ ସାଙ୍ଗେ ପତ୍ରିକାଟିଦ୍ଵାରା ଡିବି ଡିବି ବାଜିଲା । ତାଙ୍କ ସମ୍ପାଦକୀୟ ଲେଖାରେ ବିଶେଷତ୍ୱ ଥାଏ । ସେ ଅତି ସରଳ ଭାଷାରେ ଲେଖନ୍ତି ସତ, ମାତ୍ର ତାହା ମର୍ମସ୍ପର୍ଶୀ ହୁଏ । ତାହାର ବାର୍ଷିକ ମୂଲ୍ୟ ଦୁଇଟଙ୍କା ରଖାଯାଇଥିଲା ।

 

ଦକ୍ଷିଣ-ଓଡ଼ିଶାରେ ‘ଲୋକମୁଖ’ର ଗ୍ରାହକ କରେଇବା ପାଇଁ ବାଣପୁରର ଭାଗବତ ସୁବୁଦ୍ଧି ଓ ଜଗନ୍ନାଥ ମହାପାତ୍ର ଦୁହିଁଙ୍କୁ ଥରେ ପଠାଗଲା । ସେମାନେ ଖଲିକୋଟଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଯାଇଥିଲେ । ସେମାନଙ୍କଠାରୁ ଶୁଣାଯାଏ ଯେ ସେ ସବୁ ଅଞ୍ଚଳରେ ଗୋଦାବରୀଶ ବାବୁଙ୍କର ଭାରି ସୁନାମ ଥାଏ । ଯେଉଁଠିକି ଗଲେ ଗୋଦାବରୀଶଙ୍କ ଲୋକ ଯଥେଷ୍ଟ ସମ୍ବର୍ଦ୍ଧନା ପାନ୍ତି । ଆଉ କେହି କେହି ମଧ୍ୟ ତାଙ୍କ ସାଙ୍ଗରେ ଯାନ୍ତି, ଗ୍ରାହକ କରେଇ ଦିଅନ୍ତି; ରହିବା ଖାଇବା ପିଇବାର ସୁବିଧା କରିଦିଅନ୍ତି । ଯାହାକୁ କହିଲେ ସେ ଗ୍ରାହକ ହୁଅନ୍ତି । ଏହିପରି ଭାବରେ ସେମାନେ ମାସେଖଣ୍ଡେ ବୁଲି ‘ଲୋକମୁଖ’ର ବହୁତ ଗ୍ରାହକ କରି ଫେରିଲେ । ପତ୍ରିକାଟି ଦୁଇବର୍ଷ ଚଳିଲାପରେ କେତେକ ଅସୁବିଧାବଶତଃ ବନ୍ଦ ହୋଇଗଲା ।

 

ଆଗେ ପ୍ରତି ଜିଲ୍ଲାରେ ଜିଲ୍ଲାବୋର୍ଡ଼ ଓ ଲୋକାଲ୍ ବୋର୍ଡ଼ ଥିଲା । ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ପଥ ପ୍ରଭୃତି କେତୋଟି ବିଭାଗର କାର୍ଯ୍ୟ ତାହାରିଦ୍ୱାରା ପରିଚାଳିତ ହେଉଥିଲା । ଏବେ କେତେବର୍ଷ ହେଲା ସେ ପ୍ରଥା ଉଠିଗଲାଣି । ତା’ ସ୍ଥାନରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ପ୍ରଭୃତି ଗଢ଼ାଯାଇଛି । ଏବେ ଗାଏଁ ଗାଏଁ ପଞ୍ଚାୟତ ଶାସନ ଚାଲିଛି । ପ୍ରତ୍ୟକ୍ଷ ଭାବରେ ସାଧାରଣ ଲୋକ ଶାସନ ଭାର ହାତକୁ ନେଇଛନ୍ତି । ସେତେବେଳେ ବାଣପୁର ଥାନା ଇଲାକାରୁ ଭୀମପୁରର ବଳଭଦ୍ର ମଙ୍ଗରାଜ ମହାପାତ୍ର ଖୋର୍ଦ୍ଧା ଲୋକାଲବୋର୍ଡ଼ ଓ ପୁରୀ ଜିଲ୍ଲାବୋର୍ଡ଼ର ସଭ୍ୟଥିଲେ । ତାଙ୍କପରେ ଗୋଦାବରୀଶ ବାବୁ ସଭ୍ୟ ହେଲେ । ଜିଲ୍ଲାବୋର୍ଡ଼ର ମଧ୍ୟ ଭିନ୍ନ ଭିନ୍ନ ବିଭାଗ ଥାଏ । ଶିକ୍ଷା ସମ୍ପର୍କୀୟ ବିଭାଗ ୟେ ମୁଣ୍ଡାଇଲେ । ଏହାଛଡ଼ା ପାଟନା ବିଶ୍ଵବିଦ୍ୟାଳୟର ସିନେଟ ସଭ୍ୟ ଥିଲେ । ଏ କାରଣରୁ ତାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପାଟଣା ଯିବାକୁ ପଡ଼ୁଥିଲା ଏବଂ ପୁରୀ, ଖୋର୍ଦ୍ଧା ଆସିବାକୁ ମଧ୍ୟ ପଡ଼ୁଥିଲା । ଦରମାତ ନ ଥିଲା, ଯିବା ଆସିବା ଖର୍ଚ୍ଚ ଯାହା ସେଥିରୁ ପାଉଥିଲେ । ପାଠ୍ୟ ପୁସ୍ତକ ଲେଖା ଓ ଅନ୍ୟାନ୍ୟ ବହି ଲେଖା ନିୟମିତ ଚାଲିଥାଏ । ଏମ୍.ଏ. ଓ ବି.ଏ.ର ପରୀକ୍ଷକ ମଧ୍ୟ ହୋଇଥାନ୍ତି । ଅନ୍ୟାନ୍ୟ କେତୋଟି ବିଭାଗୀୟ କାର୍ଯ୍ୟରେ ମଧ୍ୟ ସଭ୍ୟ ଥାନ୍ତି । କ୍ରମେ ଏହିପରି ନାନା କାର୍ଯ୍ୟରେ ହାତଦେଇ ସେଗୁଡ଼ିକ ନିଷ୍ଠାପର ଭାବରେ ଚଳାଉଥିଲେ ।

 

ବାଣପୁର ଜଙ୍ଗଲ ଇଲାକାରେ ଲୋଧଭୂଇଁ ପାଖରେ ପ୍ରାୟ ୩୦।୪୦ ଏକର ଜାଗା ପଟା କଲେ । ଫଳ ବଗିଚାଦ୍ୱାରା ଲୋକେ କିପରି ଲାଭବାନ୍‌ ହୁଅନ୍ତୁ ଏହା ଦେଖାଇବା ତାଙ୍କର ଉଦ୍ଦେଶ୍ୟ । ସେ ସ୍ଥାନ ଜଙ୍ଗଲ ଥିଲା । ତାକୁ କଟାକଟି କରି ସଫା କଲେ । ସେଥିରେ ପାଟକମଳା ଗଛ ଲଗାଇଲେ । ପ୍ରାୟ ହଜାରେ ହେବ ଗଛ । ନିତି ସେଠାକୁ ଯାନ୍ତି । ସରକାରୀ କୃଷି ବିଭାଗୀୟ ଲୋକଙ୍କୁ ଡାକି ଚାଷପ୍ରଣାଳୀ ସୁବିଧା ଅସୁବିଧା ବୁଝନ୍ତି । କେତେଦିନ ପରେ ସେଠି ଖଣ୍ଡିଏ ଘର କରି ଲୋକବାକ ଓ ହଳବଳଦ ମଧ୍ୟ ରଖିଲେ । କେତେବର୍ଷ ପ୍ରଚୁର କମଳା ଫଳିଲା । ମାତ୍ର ଆସାମର ସିଲ୍‌ହଟ କମଳା, ଦକ୍ଷିଣର ସୁରଙ୍ଗୀ କମଳା ପରି ସେତେ ସୁମିଷ୍ଟ ହେଲାନାହିଁ । ତେବେ ପ୍ରଚୁର ଫଳିଲା, ବିକାବିକି ମଧ୍ୟ ହେଲା । ଏବେ ମଧ୍ୟ ସେ ବଗିଚା ଅଛି । ତାଙ୍କ ଦେଖାଦେଖି ବାଣପୁରର ଆଉ କେତେଲୋକ ସେହିଆଡ଼େ ଖଣ୍ଡିଏ ଖଣ୍ଡିଏ ବଗିଚା କଲେ ।

 

ଏ ବଗିଚା ଭିତରେ କେତୋଟି ବାକ୍‍ସ ରଖି ମହୁଚାଷ ମଧ୍ୟ କରାଇଲେ । ଜଙ୍ଗଲରେ ଫୁଲର ଅଭାବ ନାହିଁ, ତେଣୁ କେତେଦିନ ମହୁ ମଧ୍ୟ ପାଇଲେ । ଭିନ୍ନ ଭିନ୍ନ ଲୋକଙ୍କୁ ସେଠାକୁ ନେଇ ଶିଖେଇଲେ । ଫଳରେ ମହୁଚାଷର ପ୍ରଚାର କିଛି ହେଲା ।

 

ଗଛ ବାଲୁକେଶ୍ୱରଙ୍କ ପାଖେ ତାଙ୍କର ଯେଉଁଠି ଘର ଅଛି ସେଇଠି କେତେକ ପଡ଼ିଆ ଥାଏ । ଆଶ୍ରମ କରିବା ସମୟରୁ ଶାମୁକା ପୋଖରୀର ଚାରିପାଖଯାକ କଲମୀ ଆମ୍ବ, ଗୋଲାପଜାମୁ, ନଡ଼ିଆ ଓ କଦଳୀ ବଗିଚା କରିଥିଲେ । ଘରେ ଥିଲା ଦିନ ସେ ନିତି ଚାରିଟା ପାଞ୍ଚଟା ପରେ ବଗିଚାରେ କାମ କରନ୍ତି । କେତେବେଳେ ଗଛ ଲଗାନ୍ତି, କେତେବେଳେ କୋଡ଼ନ୍ତି, କେତେବେଳେ ପାଣି ତେଣ୍ଡନ୍ତି । ଏଥିରେ ତାଙ୍କର ପରମ ଆନନ୍ଦ । ମାନସିକ ପରିଶ୍ରମ ସଙ୍ଗେ ଶାରୀରିକ ପରିଶ୍ରମ ଯେ ନିତାନ୍ତ ଆବଶ୍ୟକ ସେକଥା ସେ ଭଲରୂପେ ବୁଝିଥିଲେ । ସାଧାରଣ ଲୋକେ କାମ ନଥିଲାବେଳେ ସମୟ ବୃଥାରେ କଟାନ୍ତି । ସେ କେବେ ସମୟର ଅପବ୍ୟବହାର କରନ୍ତି ନାହିଁ । ଛାତ୍ରମାନେ ପଢ଼ିଲାବେଳେ ପାଠ୍ୟନିର୍ଘଣ୍ଟ ଅନୁସାରେ ଯେପରି ପଢ଼ନ୍ତି ସେ ସେହି ଭାବରେ ଚଳନ୍ତି । ଏତେକଥା ଭିତରେ ତାଙ୍କର ଆଉଗୋଟିଏ ଗୁଣ ଥାଏ । ସେ କେତେକ ବିଷୟରେ ବିଳାସୀ । ଖାଇବା ପିଇବାବେଳେ ବଡ଼ ପରିଷ୍କୃତ ପରିଚ୍ଛନ୍ନ ଭାବରେ ଖାଇବା ତାଙ୍କର ଅଭ୍ୟାସ । ଖାଦ୍ୟ ଜିନିଷରୁ ଟିକିଏ ସୁଦ୍ଧା ନଷ୍ଟ ହେବ ନାହିଁ । ବଢ଼ାବଢ଼ି ପଦ୍ଧତି ସମ୍ପୂର୍ଣ୍ଣ ସଭ୍ୟ ଧରଣର । ଯେ କୌଣସି ସ୍ଥାନରେ ଆଞ୍ଚୋଇବେ ନାହିଁ, ସେଥିପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରଖିଥାନ୍ତି । ବିଳାସ ଭିତରୁ ତାଙ୍କର ଏହା ଗୋଟିଏ ।

 

ଗୋଟିଏ ଲାଇବ୍ରେରୀ ବା ପାଠାଗାର ନିଜ ଘର ଭିତରେ ରଖିଥିଲେ । ବହିଗୁଡ଼ିକ ସୁସଜ୍ଜିତ ଭାବରେ ରଖନ୍ତି । ଟେବୁଲ ଉପରେ କେଉଁଠି କ’ଣ ରହିବ ସେ ବିଷୟରେ ସବୁବେଳେ ସାବଧାନ ଥାନ୍ତି । ଖଣ୍ଡିଏ କାଗଜ କିମ୍ଵା ବହି ଏପାଖ ସେପାଖ ହୋଇଗଲେ କିଏ ଘାଣ୍ଟୁଥିଲା ବୋଲି ପଚାରନ୍ତି । ଘରଟି ଭାରି ପରିଷ୍କୃତ ପରିଚ୍ଛନ୍ନ । ଯେ କୌଣସି ସମୟରେ ଘରେ ପଶିଗଲେ ମନେହୁଏ ଏହିକ୍ଷଣି କିଏ ଯେପରି ସଦାସଜି କରି ଦେଇଛି । ଏ ତାଙ୍କର ଦ୍ଵିତୀୟ ବିଳାସ ସାମଗ୍ରୀ ।

 

ଖାଲି ଯେ ବହିଗୁଡ଼ିକ ସଜାସଜି କରିଥାନ୍ତି ତା’ ନୁହେଁ, ସେ ଘର ଭିତରର ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ଯଥାସ୍ଥାନରେ ରଖିବା ଦିଗରେ ମଧ୍ୟ ତତ୍ପର । ଘରେ ପଶିଗଲେ କେହି କହିବ ନାହିଁ ଯେ ଜିନିଷଟି ସେଠି ଥୁଆ ହୋଇଥାନ୍ତା, ଏଠି କାହିଁକି ଥୁଆ ହୋଇଛି । ଘରର ବାହାରଟି ମଧ୍ୟ ସେହିପରି ଭାବରେ ସଜେଇଥାନ୍ତି । ଘର ଆଗରେ ବିଲାତିକଣ୍ଟା ଲଗାଇ ତାକୁ ଏମିତି ଭାବରେ କଟେଇଥାନ୍ତି ଯେ ଗୋଟିଏ ପତ୍ରସୁଦ୍ଧା ଉପରକୁ କି ତଳକୁ ହୋଇ ନଥାଏ । ଖଣ୍ଡିଏ ଶେଯ ପକାଇଲା ପରି ଉପରଟି ଦିଶୁଥାଏ । ନଡ଼ିଆଗଛ, ଗୁଆଗଛ ଓ ବାକ୍‌ସଗଛ ଗୁଡ଼ିକ ଠିକ୍ ବାରଣ୍ଡାକୁ ଲାଗି ଲଗାଯାଇଥାଏ । ଆଗର ବଗିଚାଟି ମଧ୍ୟ ତଦ୍ରୂପ । କଦଳୀଗଛଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଲଗାଯାଇଥାଏ । ଘର ଭିତରେ ସାଜସଜ୍ଜା ଯେପରି ବାହାର ମଧ୍ୟ ସେହିପରି । କଥାରେ ଅଛି–ଗାଁ ପରିମଳ ଧୋବା ତୁଠରୁ ଜଣାଯାଏ । ବାହାରର ଲୋକ ଫାଟକ ଫିଟେଇ ଭିତରେ ପଶିଲାମାତ୍ରେ ତା’ର ଧାରଣା ଭିନ୍ନପ୍ରକାର ହୋଇଯାଏ । ଥରେ ଗୋଟିଏ ଗଛରୁ କିଏ ଗୋଲାପଫୁଲ କେତୋଟି ତାଙ୍କୁ ନ କହି ତୋଳିଦେଲା । ଗଛର ସ୍ୱାଭାବିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବାରୁ ସେ ମନେ ମନେ ବଡ଼ ଦୁଃଖିତ ହେଲେ । ସେଦିନ ତାଙ୍କର ଖିଆପିଆରେ ମଧ୍ୟ ଠିକଣା ରହିଲା ନାହିଁ । ଯିଏ ତୋଳିଥିଲେ ଏହା ଶୁଣି ସେହି ଦିନଠୁ ସାବଧାନ ହୋଇଗଲେ । ଏହିପରି କେତୋଟି ସଦ୍‍ବିଳାସ ତାଙ୍କର କଥା ।

 

ସେତେବେଳକୁ ସାଇକଲ, ମଟରର ବ୍ୟବହାର ଏତେ ନଥାଏ । ବାଲୁଗାଁରୁ ଘରଠାକୁ ସେ ପ୍ରାୟ ଶଗଡ଼ରେ ଆସନ୍ତି, ନୋହିଲେ କେଉଁ କେଉଁଥର ଚାଲିକରି ଆସନ୍ତି । ପାଦରେ ଚାଲିବା ଅଭ୍ୟାସ ତାଙ୍କର ପିଲାଦିନରୁ ଥିଲା । ବସାରୁ ଲୋଧଭୂଇଁ ବଗିଚା ପ୍ରାୟ ତିନିମାଇଲ ବାଟ ହେବ । ସେଠାକୁ ଚାଲିଚାଲି ଯିବା ଆସିବା କରନ୍ତି । ଦିନେ ଦିନେ ଘଣ୍ଟଶିଳା ପାହାଡ଼ ଉପରେ ଚଢ଼ନ୍ତି । ଜିଲ୍ଲାବୋର୍ଡ଼ ସଭ୍ୟ ହୋଇଗଲାବେଳେ ଥରେ ଥରେ ଭୂଷଣ୍ଡପୁର ବଙ୍ଗଳାରେ ଯାଇ ରହନ୍ତି । କେତେବେଳେ ଚିଲିକା ନିକଟ ବଡ଼କୂଳ ବଙ୍ଗଳାରେ ରହି ଚିଲିକାର ଦୃଶ୍ୟ ଦେଖନ୍ତି । କେତେବେଳେ କାଳିଜାଈ ପାହାଡ଼କୁ ଯାଆନ୍ତି । ଏଠାରେ ଆଗରୁ ନିୟମ ଥାଏ ଯେ ଠାକୁରାଣୀଙ୍କୁ ଯାଚିଥିବା ବୋଦା ଓ କୁକୁଡ଼ା ଲୋକମାନେ ବଳି ନ ପକାଇ ସେଠି ଛାଡ଼ିଦିଅନ୍ତି । ସେ ଏହିପରି ଦୃଶ୍ୟ ଦେଖି ବଡ଼ ବ୍ୟଥିତ ହୋଇଛନ୍ତି । ଏକଥା କେତୋଟି କବିତାରେ ବ୍ୟକ୍ତ କରିଅଛନ୍ତି ।

 

ଆଗେ ପିତାଙ୍କ ଶ୍ରାଦ୍ଧ ବିଧି ଅନୁସାରେ କରୁଥିଲେ । ଶ୍ରାଦ୍ଧଦିନ ତାଙ୍କ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟ ଲୋକଙ୍କୁ ଡାକି ଗୋଟିଏ ଭୋଜି କରୁଥିଲେ । ପଛକୁ ଅବଶ୍ୟ ତାଙ୍କର ବିଶ୍ଵାସ ବଦଳିଗଲା । ଘରେ ଥା’ନ୍ତୁ ବା ନ ଥା’ନ୍ତୁ ସେଥିପ୍ରତି ନଜର ଦେଲେନାହିଁ । ମାତ୍ର ପିତାମାତାଙ୍କ ପ୍ରତି ତାଙ୍କର ହୃଦୟରେ ଅଗାଧ ସ୍ନେହ ଓ ଭକ୍ତି ଥିଲା । ‘ମାତୃଶ୍ରାଦ୍ଧ’ (ଗୀତାୟନ) କବିତାଟି ପଢ଼ିଲେ ତାହା ସ୍ପଷ୍ଟ ଭାବରେ ଜଣାଯାଏ । ତାଙ୍କ ନନା ଗଛବାଲୁକେଶ୍ୱର ମନ୍ଦିରଠାକୁ ନିଜେ ଆସନ୍ତି । ସେ ମନ୍ଦିରଟି କିପରି ନୂଆ ଢଙ୍ଗରେ କରାଯିବ, ସେଥିପାଇଁ ଥରେ ଉଦ୍ୟମ କରିଥିଲେ । ବାଣପୁରଠାରେ ସେ ଦେଉଳ ପ୍ରତି ସମସ୍ତଙ୍କର ଭକ୍ତି ଥାଏ, ତେଣୁ ଠିକ୍ କରିଥିଲେ,–ଚାନ୍ଦା ଆକାରରେ ଧାନ ଆଦାୟ ସମୟରେ କିଛି ଧାନ ଆଦାୟ କରିବାପାଇଁ । ଲୋକଙ୍କୁ ସେପରି ହେଲେ ବାଧିବ ନାହିଁ ଅଥଚ ସହଜରେ ଆଦାୟ ହୋଇପାରିବ ବୋଲି ଭାବିଥିଲେ । ଭରଣେ ଦି ଭରଣ ଆଦାୟ କରାଯାଇଥିଲା, ମାତ୍ର କର୍ମୀ ଅଭାବରୁ କାମଟି ପୂର୍ଣ୍ଣ ହୋଇପାରିଲା ନାହିଁ । ସେ କେବେ ଦିଅଁ ଦେବତାଙ୍କ ଦେଉଳକୁ ଯିବାର ଦେଖାଯାଏ ନାହିଁ, କିନ୍ତୁ କାର୍ଯ୍ୟରୁ ଜଣାଯାଏ ନରନାରାୟଣଙ୍କ ସେବାକୁ ସେ ହୃଦୟରେ ବଡ଼ ସ୍ଥାନ ଦେଇଥାନ୍ତି । ଯେତେଭାବରେ ଲୋକସେବା କରାଯାଇପାରେ ସେ ସେଥିରେ ଲାଗିଥାନ୍ତି ।

 

୧୯୨୮ ମସିହାରେ ଗୋପବନ୍ଧୁଙ୍କର ପରଲୋକ ହୋଇଗଲା । ସେ ‘ସମାଜ’ର ସମ୍ପାଦକ ଥିଲେ । ତାଙ୍କପରେ ଗୋଦାବରୀଶ ବାବୁ ସମାଜର ସମ୍ପାଦକ ଭାର ମୁଣ୍ଡାଇଲେ । ବର୍ଷେ କି ଦୁଇବର୍ଷ ସେ ସୁଚାରୁରୂପେ ତାହା ଚଳାଇଥିଲେ । ଗୋପବନ୍ଧୁଙ୍କ ସମୟରୁ ସାପ୍ତାହିକ ଆକାରରେ ତାହା ବାହାରୁଥିଲା । ଏତେବେଳକୁ ମଧ୍ୟ ସେହି ସାପ୍ତାହିକ ସମାଜ ଥିଲା । ପରେ ସମାଜ ଦୈନିକ ଆକାରରେ ବାହାରିଲା । ସତ୍ୟବାଦୀରୁ ପ୍ରଥମେ କାଗଜଟି ବାହାରୁଥିଲା । କେତେଦିନ ପରେ ସେଠୁ କାର୍ଯ୍ୟାଳୟ ପୁରୀକୁ ଉଠିଗଲା । ପୁରୀରେ ଗୋଟିଏ ପ୍ରେସ ସ୍ଵତନ୍ତ୍ରଭାବରେ କରାଗଲା । ନାଁ ଦିଆଗଲା–ସତ୍ୟବାଦୀ ପ୍ରେସ । ସେଠି ତାହା ମଧ୍ୟ ଭଲରୂପେ ଚଳିଲା ନାହିଁ । କଟକର ପୁରୁଣା କଲେଜ ଗଳିରେ ଖଣ୍ଡିଏ ଘର ନିଆଯାଇ ସେଠାକୁ ପ୍ରେସଟି ଉଠାଇ ଅଣାହେଲା । ବହୁଦିନ ସେଠି ଚାଲିଲା ପରେ ଏବେ ବକ୍‌ସିବଜାର ପାଖରେ ‘ଗୋପବନ୍ଧୁ ଭବନ’ ନାମରେ ପ୍ରକାଣ୍ଡ ଘର ତୋଳାଯାଇଛି । ଗୋପବନ୍ଧୁଙ୍କ ଉଇଲ୍ ଅନୁସାରେ ପ୍ରେସଟି ଲାଲା ଲାଜପତରାୟଙ୍କ ପ୍ରତିଷ୍ଠିତ ‘ଲୋକସେବକ ମଣ୍ଡଳ’ ତତ୍ତ୍ୱାବଧାନରେ ଚଳୁଅଛି । ସମାଜ ଛଡ଼ା ଏବେ ଓଡ଼ିଆରେ ଚାରିଖଣ୍ଡି ଦୈନିକ ପତ୍ରିକା ଚାଲିଛି । ସମାଜ ପ୍ରକାଶ ଆରମ୍ଭରୁ ଏପର୍ଯ୍ୟନ୍ତ ପରିଚାଳକ ଭାବରେ ରହିଛନ୍ତି ଶ୍ରୀ ରାଧାନାଥ ରଥ । ସେ ଲୋକସେବକ ମଣ୍ଡଳର ଜଣେ ସ୍ଥାୟୀ ସଭ୍ୟ । ଗୋପବନ୍ଧୁ ଥିବା ପର୍ଯ୍ୟନ୍ତ ଏହି ଲୋକସେବକ ମଣ୍ଡଳର ସେ ଉପସଭାପତି ଥିଲେ, ସଭାପତି ଥିଲେ ଲାଲା ଲଜପତରାୟ । ରାଧାନାଥଙ୍କର କାର୍ଯ୍ୟ କୁଶଳତା ଯୋଗୁଁ ଆଜି ସମାଜ ବିଶାଳ ଆକାର ଧାରଣ କରିଅଛି ।

 

ତେର

 

ଗୋପବନ୍ଧୁଙ୍କ ପରେ ବିହାର-ଓଡ଼ିଶାର ବ୍ୟବସ୍ଥାସଭା ସଭ୍ୟ ପଦ ଖାଲି ହେଲା । ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିହାରରେ ଥିଲା । ଗୋଦାବରୀଶ ତାହାର ସଭ୍ୟ ହୋଇ ପାଟନା ଗଲେ । ପାଟନା ବ୍ୟବସ୍ଥାସଭାରେ ସେ ଯେଉଁ ସବୁ ବକ୍ତୃତା ବିଭିନ୍ନ ପ୍ରସଙ୍ଗରେ ଦେଇଛନ୍ତି, ତାହା ବିଶେଷ ଉପାଦେୟ । ବ୍ୟବସ୍ଥାପକ ଭାବରେ ପାଟନାରେ ତାଙ୍କର ବେଶ୍ ନାମ ଥିଲା । ସୁଚିନ୍ତିତ ଭାବରେ ବିଧାନସଭାର ବିଧି ରକ୍ଷା କରି ବକ୍ତୃତା ଦେବାରେ ସେ ସୁନିପୁଣ । ବହୁ ବିଜ୍ଞବ୍ୟକ୍ତି ତାଙ୍କର ସେ ବାକ୍ତୃତାକୁ ପସନ୍ଦ କରୁଥିଲେ । ତାଙ୍କର ସେହି ବକ୍ତୃତାର ଓଡ଼ିଆ ଅନୁବାଦ ତାଙ୍କ ଗ୍ରନ୍ଥାବଳୀରେ ପ୍ରକାଶିତ ହେଉଛି । ୧୯୩୬ ମସିହାରେ ବିଚ୍ଛିନ୍ନାଞ୍ଚଳରୁ କେତେକାଂଶ ମିଶାଇ ଦେଇ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ଓଡ଼ିଶାର ବିଧାନସଭା ସ୍ଵତନ୍ତ୍ର ହୋଇଗଲା । ବିଧାନସଭା ଆରମ୍ଭଠାରୁ ପ୍ରାୟ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ବିଧାନସଭାର ସଭ୍ୟ ଭାବରେ ଥିଲେ, କେବଳ ମଝିରେ ପାଞ୍ଚବର୍ଷ ଅନ୍ୟ ଜଣେ ସେହି ନିର୍ବାଚନମଣ୍ଡଳୀରୁ ସଭ୍ୟ ହୋଇଥିଲେ । ସେଥର ସେ ସଭ୍ୟ ହେବାପାଇଁ ବାଣପୁରରୁ ପ୍ରାର୍ଥୀ ହୋଇ ନ ଥିଲେ । ଦେଶରେ କଂଗ୍ରେସ, ସୋସାଲିଷ୍ଟ, ଗଣତନ୍ତ୍ର, ପ୍ରଜା-ସୋସାଲିଷ୍ଟ, କମ୍ୟୁନିଷ୍ଟ, ଜନସଂଘ ଓ ସ୍ୱରାଜ୍ୟଦଳ ପ୍ରଭୃତି ବିଭିନ୍ନ ଦଳ ଥିଲା । କୌଣସି ଦଳର ପ୍ରତିପତ୍ତି ଅନୁସାରେ ସେ ବ୍ୟବସ୍ଥାସଭାକୁ ନିର୍ବାଚିତ ହୋଇଯା’ନ୍ତି ନାହିଁ । ସେ ଯାଆନ୍ତି ନିଜର ବ୍ୟକ୍ତିତ୍ୱ ପ୍ରଭାବ ବଳରେ । ବାଣପୁର ତାଙ୍କର ନିର୍ବାଚନମଣ୍ଡଳୀ । ଗୋଦାବରୀଶ ବାବୁ ପ୍ରାର୍ଥୀ ଅଛନ୍ତି ବୋଲି ଲୋକେ ଶୁଣିଲେ, ଅନ୍ୟ କାହାକୁ ଭୋଟ ଦିଅନ୍ତି ନାହିଁ । ଥରେ ଥରେ ତାଙ୍କ ବିପକ୍ଷରେ ପରିକୁଦ ରାଜା ସାହେବ, ହରିବନ୍ଧୁ ପରିଡ଼ା, ପର୍ଶୁରାମ ହରିଚନ୍ଦନ, ନୃସିଂହଚରଣ ସାମନ୍ତସିଂହାର ଓ ସୁଦର୍ଶନ ପାଣିଗ୍ରାହୀ ଠିଆ ହୋଇଥିଲେ । ତଥାପି ଲୋକେ ଜାଣିଶୁଣି ତାଙ୍କୁ ପଠାନ୍ତି । ଓଡ଼ିଶା ବିଧାନସଭାର ସଭ୍ୟ ଥିଲାବେଳେ ସେ ବାଣପୁର ଓ ଖୋର୍ଦ୍ଧା ପାଇଁ ଯଥେଷ୍ଟ କାର୍ଯ୍ୟ କରି ଯାଇଛନ୍ତି । ବିହାରର ବିଧାନସଭା ଏବଂ ଓଡ଼ିଶା ବିଧାନସଭାରେ ସେ କ’ଣ କ’ଣ କରିଛନ୍ତି, ତାହା ସଂକ୍ଷେପରେ ଏଠି ଦେଉଛି ।

 

ଆଗରୁ ବାଣପୁର ଓ ଖୋର୍ଦ୍ଧା ପ୍ରଜାମାନେ ଅଟକ ଜଙ୍ଗଲରୁ କାଠ ଆଣିପାରୁ ନ ଥିଲେ । ବାର୍ଷିକ ଖର୍ଚ୍ଚ ପାଇଁ କିମ୍ବା ଆପତ୍ତି ବିପତ୍ତିବେଳେ କେଉଁଠୁ କାଠ ପାଇବେ, ସେଥିର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନ ଥିଲା । ଆଇନ ବଳରେ ପ୍ରଜାମାନେ ବାହାର ଜଙ୍ଗଲରୁ କାଠ ଆଣି ପାରିବାର ବ୍ୟବସ୍ଥା ହେଲା ଏବଂ ଆବଶ୍ୟକବେଳେ ଘର ପ୍ରଭୃତି ତିଆରି ପାଇଁ କେଉଁ ସୂତ୍ରରେ ପାଇବେ, ସେ ଅଧିକାର ମଧ୍ୟ ମଳିଲା ।

 

ସାଧାରଣ ଲୋକେ ବିଶେଷତଃ ଗରିବଶ୍ରେଣୀର ପ୍ରଜାମାନେ, ମାଣ୍ଡିଆ ଓ ସୁଆଁ ପ୍ରଭୃତି ପାହାଡ଼ର ତଳଅଂଶଗୁଡ଼ିକ ଚାଷ କରିବା ପାଇଁ ଅନୁମତି ପାଇଲେ ।

 

ଜଙ୍ଗଳରେ ବାଘ, ଭାଲୁ ଭୟ ତ ଥାଏ । ପାଖଆଖ ଗ୍ରାମମାନଙ୍କରେ ମଧ୍ୟ ଊଣାଅଧିକେ ସେ ଭୟ ରହିଥାଏ । ଜନ୍ତୁଭୟରୁ ରକ୍ଷା ପାଇବା ପାଇଁ ପ୍ରାର୍ଥୀ-ପ୍ରଜା ବନ୍ଧୁକ ବ୍ୟବହାର କରିବା ଅଧିକାର ମଧ୍ୟ ପାଇଲେ ।

 

ବାର୍ଷିକ ଜାଳେଣି କାଠ ପାଇଁ କୁପ୍‍ ସବୁ ଛାଡ଼ି ଦିଆଗଲା । ଫଳରେ ଲୋକମାନେ କାଠ କିଣାରୁ ରକ୍ଷା ପାଇଲେ । କୁପ୍ ଛାଡ଼ିବା ସମୟରେ କୌଣସି କୌଣସି ନିର୍ଦ୍ଦିଷ୍ଟ ବଣ ଅଞ୍ଚଳରୁ ଲୋକେ କାଠ ଆଣିବା ପାଇଁ ସୁବିଧା ପାଇଲେ ।

 

ଆଗରୁ ଖୋର୍ଦ୍ଧାର ପ୍ରଜାମାନେ ବନକର ଦେଉଥିଲେ । କି ଭାବରେ ସେ କର ଆଦାୟ କରାଯିବ ଏବଂ ବନକର ଦାତାମାନେ କି କି ସୁବିଧା ପାଇବେ, ସେଥିପାଇଁ ଆଇନ୍‌ କରାଗଲା ।

 

ବିଧାନସଭାର ସଭ୍ୟଭାବରେ ତାଙ୍କର ପ୍ରତିଷ୍ଠା ପାଟନା ବିଧାନସଭାରେ ଯେପରି ଥିଲା ଓଡ଼ିଶା ବିଧାନସଭାରେ ମଧ୍ୟ ସେହିପରି ଥିଲା । ସେ ବାଣପୁରରୁ ଯଥେଷ୍ଟ ସମ୍ମାନ ମଧ୍ୟ ପାଉଥିଲେ-। ଲୋକେ କଥାରେ କହନ୍ତି–ଗାଁ କନିଆଁ ସିଂହାଣିନାକୀ । ଏ କଥା ଖାଲି କନ୍ୟା ପାଇଁକି ଯେ କୁହାଯାଏ ତା’ ନୁହେଁ; ସାଧାରଣ ବ୍ୟବହାରରେ ମଧ୍ୟ ଲାଗେ । ଲୋକ ଯେଡ଼େ ପ୍ରତିଷ୍ଠାସମ୍ପନ୍ନ ହେଲେ ମଧ୍ୟ ନିଜ ଗାଁଗଣ୍ଡା କିମ୍ଵା ଅଞ୍ଚଳରେ ପୂଜା ପାଏନାହିଁ; କିନ୍ତୁ ଗୋଦାବରୀଶ ବାବୁଙ୍କଠାରେ ତାହାର ବ୍ୟତିକ୍ରମ ହୋଇଥିଲା । ଗୋଦାବରୀଶ ବାବୁ ବ୍ୟବସ୍ଥାସଭାରେ ଥିଲାବେଳେ ବାଣପୁରର ସାଧାରଣ ଲୋକେ ତାଙ୍କୁ ଥରେ ଅଭିନନ୍ଦନ ଜଣାଇଥିଲେ । ତାହାର କାମ ଚଳେଇବା ପାଇଁ ଗୋଟିଏ ଅଭ୍ୟର୍ଥନା ସମିତି ଗଢ଼ାଯାଇ ଥିଲା । ଖର୍ଚ୍ଚ ପାଇଁ ବାଣପୁରର ବିଭିନ୍ନ ଅଞ୍ଚଳରୁ ଶହ ଶହ ଟଙ୍କା ଚାନ୍ଦା ଉଠିଥିଲା । ଯେଉଁଦିନ ବାଣପୁର ଡାକ୍ତରଖାନା ପାଖ ଜୁବିଲି ପଡ଼ିଆରେ ଅଭିନନ୍ଦନ ସଭା ହେଲା, ସେ ସଭାରେ କୋଡ଼ିଏ ତିରିଶି ହଜାର ଲୋକ ଯୋଗ ଦେଇଥିବେ । ନିଜ ଘରଠାରୁ ସଭାସ୍ଥଳକୁ ତାଙ୍କୁ ନିଆଗଲାବେଳେ ଯେଉଁ ପଟୁଆର ହୋଇଥିଲା, ତାହା କେବେ ଦେଖା ନ ଥିଲା । ବାଣପୁର ଦାଣ୍ଡ, କୋଠାବାଡ଼ି, ଗଛଡାଳ ସବୁଆଡ଼େ ଲୋକଭର୍ତ୍ତି ହୋଇଥାନ୍ତି । ସୋରିଷ ପକାଇବାକୁ ଥାନ ନ ଥାଏ । ପ୍ରତ୍ୟେକ ଦୁଆରେ ପୂର୍ଣ୍ଣକୁମ୍ଭ ଥୁଆ ହୋଇଥାଏ । ଘରେ ଘରେ ହୁଳହୁଳି, ବାହାରେ ବାଦ୍ୟ ବାଜଣା ଯୋଗେ ସହର ଉଛୁଳୁଥାଏ । କେତେ ଯେ ଫୁଲମାଳ ତାଙ୍କୁ ସେଦିନ ଦିଆହୋଇଛି, କହିହେବ ନାହିଁ । ବାଣପୁର ପରିକ୍ରମା କରି ପଟୁଆର ଯାଇ ଯଥାସ୍ଥାନରେ ପ୍ରାୟ ତିନିଟାବେଳେ ଜୁବିଲି ପଡ଼ିଆରେ ପହଞ୍ଚିଲା । ଜୟନାଦରେ ଗଗନ-ପବନ କମ୍ପୁଥାଏ । ଉତ୍ସାହର ତରଙ୍ଗ ଖେଳୁଥାଏ ।

ସଭାରେ କଟକର ଖ୍ୟାତନାମା ଓକିଲ ବିଚିତ୍ରାନନ୍ଦ ଦାସ ସଭାପତି ହେଲେ । ଭାରତ ସେବକ ସମିତିର ସଭ୍ୟ ଲକ୍ଷ୍ମୀନାରାୟଣ ସାହୁ, ପ୍ରଖ୍ୟାତ ଓକିଲ ହରିହର ମହାପାତ୍ର ପ୍ରଭୃତି ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନପତ୍ର ପାଠ କରାଯାଇଥିଲା । ବିଭିନ୍ନ ବକ୍ତା ଗୋଦାବରୀଶ ବାବୁଙ୍କର ଗୁଣକୀର୍ତ୍ତନ କଲେ । ସଭାପତି ବିଚିତ୍ରାନନ୍ଦ ବାବୁ ତାଙ୍କ ବୁଦ୍ଧି ବିଚକ୍ଷଣତାର ବିଶେଷ ପ୍ରଶଂସା କରିଥିଲେ । ସେ କହିଥିଲେ–କୁଳବୃଦ୍ଧ ମଧୁସୂଦନଙ୍କର ବୁଦ୍ଧି ଓ ଗୋପବନ୍ଧୁଙ୍କର ଲୋକସେବା ଏ ଉଭୟ ଗୋଦାବରୀଶଙ୍କଠାରେ ସମନ୍ୱୟ ଘଟିଛି । ପ୍ରକୃତରେ ସେ ଯେପରି ବୁଦ୍ଧିମାନ, ସେହିପରି ଲୋକସେବକ । ସେଦିନ ସଭା ସରୁ ସରୁ ବହୁତ ରାତି ହୋଇ ଯାଇଥିଲା ।

 

ଚଉଦ

 

୧୯୨୨ ମସିହାରେ ଅସହଯୋଗ ଆନ୍ଦୋଳନ ଦବିଗଲା ପରି ହୋଇଥିଲା; କିନ୍ତୁ ମହାତ୍ମାଗାନ୍ଧୀ ସହଜରେ ଦବିଯିବା ଲୋକ ନୁହନ୍ତି । ଜେଲରୁ ମୁକ୍ତ ହେବା ପରେ ଆନ୍ଦୋଳନ ପୁଣି ଚଳେଇବା ପାଇଁ ସ୍ଥିର କଲେ । ସେତିକିବେଳେ ଓଡ଼ିଶାରେ ପଦଯାତ୍ରା କରି ଅସହଯୋଗ ପ୍ରଚାର ଚଳାଇଥିଲେ । ବୁଲି ବୁଲି ସେ ସଭା କରନ୍ତି । ଗୋଦାବରୀଶ ବାବୁ ସେତେବେଳେ ବାଣପୁରରେ ଥିଲେ । ୧୯୨୭ ମସିହା କଥା । ଗୋଦାବରୀଶ ଶୁଣିଲେ ଯେ ମହାତ୍ମା ଖଲିକୋଟରେ ଆସି ପହିଞ୍ଚିଲେଣି । ତାଙ୍କୁ ଦେଖିବା ପାଇଁ ବାଣପୁର ଲୋକେ ଉଚ୍ଛନ୍ନ ହେଉଥାନ୍ତି । ବାଣପୁର ଆସିବାକୁ ଗାନ୍ଧୀ ଜବାବ ଦେଇଥାନ୍ତି । ଯେଉଁଦିନ ଆସି ପହଞ୍ଚିବା କଥା ଥାଏ, ତା’ ପୂର୍ବରୁ ହଜାର ହଜାର ଲୋକ ଆସି ବାଣପୁରରେ ଜମା ହୋଇଥାନ୍ତି । ସରକାରୀ ପୁଲିସଙ୍କ ପକ୍ଷରୁ ଲୋକଙ୍କୁ ମନା କରାଯାଉଥାଏ । ଜେଲ ଜୋରିମାନା ଦଣ୍ଡର ଭୟ ଦେଖାଇ ଦିଆ ହେଉଥାଏ, ମାତ୍ର ଲୋକେ ସେଥିପାଇଁ ତିଳେ ହେଲେ ଖାତିରି କଲେନାହିଁ । ପିମ୍ପୁଡ଼ିଧାର ପରି ଲୋକେ ସଭାକୁ ଆସୁଥାନ୍ତି । ଗାନ୍ଧୀ ଚାଲି ଚାଲି ତାଙ୍କ ଗହଣ ସହିତ ଯଥାସମୟରେ ପହଞ୍ଚିଲେ । ସଭାକୁ ଆସିବାରେ ମହାତ୍ମା ଟିକିଏ ହେଲେ ବିଳମ୍ବ କରନ୍ତି ନାହିଁ । ଆଣ୍ଠୁ ଲୁଚୁ ନଥିବା ଖଦଡ଼ କନା ଖଣ୍ଡିଏ ପିନ୍ଧିଥାଆନ୍ତି । ଅଣ୍ଟାରେ ଗୋଟିଏ ଘଣ୍ଟା ଲଟକିଥାଏ । ଜବାବ ଅନୁସାରେ ଠିକ୍ ସମୟରେ ଆସି ପହଞ୍ଚନ୍ତି । ମହାତ୍ମା ସମୟର ଦାସ, ଗୋଦାବରୀଶ ବାବୁଙ୍କର ସେହି ଚାଳଘରେ ରହିବା ପାଇଁ କଥା ହୋଇଥାଏ । ସେଥିପାଇଁ ଗୋଦାବରୀଶ ବାବୁ ସେ ଘରଟି ଗୋବରରେ ଲିପାପୋଛା କରି ସୁନିର୍ମଳ ଭାବରେ ରଖିଥାନ୍ତି । ସଭା ହେଲା ବାଲୁକେଶ୍ୱର ତୋଟା ଭିତରେ । ଲୋକ ଭିଡ଼ କହିହେବ ନାହିଁ । ବାଣପୁର ବସିବାଠୁ ଏତେ ଲୋକ କୌଣସି ସଭାରେ ଜମା ହୋଇ ନଥିବେ । ସଭା ସରିଲା ପରେ ମହାତ୍ମା ଗୋଦାବରୀଶ ବାବୁଙ୍କର ସେହି ଚାଳଘରେ ଯାଇ ରହିଲେ । ତାଙ୍କ ଖାଇବା ପାଇଁ ସେ କଲିକତାରୁ କେତେଗୁଡ଼ିଏ ଫଳ ମଗାଇଥିଲେ । ସେ ତାହା ଖାଇଲେ ନାହିଁ । ସ୍ଥାନୀୟ ମାଳ ଅଞ୍ଚଳର ଲୋକେ କେତେକ ଫଳମୂଳ ଆଣିଥିଲେ । ଅତି ଶ୍ରଦ୍ଧାରେ ତାକୁ ଖାଇ ରାତି କଟାଇଲେ । ଫେରିଯିବା ପରେ ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗୋଦାବରୀଶଙ୍କୁ ପ୍ରଶଂସା କରି କେତେକ କଥା ଲେଖିଛନ୍ତି ।

 

ଏହାର ତିନିବର୍ଷପର କଥା କହୁଛି । ବାଣପୁର ଏକ ମାଳ ବୋଲି ଚାରିଆଡ଼େ ଲୋକେ ଜାଣନ୍ତି । ମାଳଜାଗା ଯେପରି ଅନ୍ଧାର, ଶିକ୍ଷାଦୀକ୍ଷାରେ ବାଣପୁରର ଅବସ୍ଥା ସେୟା ହୋଇଥିଲା । ଗାଁ ଗଣ୍ଡାରେ ଉଚ୍ଚଶିକ୍ଷା ପାଇଥିବା ଲୋକ ଅଳ୍ପ ଥିଲେ । ବି.ଏ., ଏମ୍.ଏ. ପାସ୍ କରିଥିବା ଲୋକଙ୍କ ସଂଖ୍ୟା ଆଙ୍ଗୁଠିରେ ଗଣି ହୋଇ ଯାଉଥିଲା । ଉଚ୍ଚଶିକ୍ଷା ପାଇବା ପାଇଁ ଅଳ୍ପ ପିଲା କଟକ କି ପୁରୀକୁ ଯାଉଥିଲେ । ବାଣପୁରରେ ଥିଲାବେଳେ ତାଙ୍କର ମଝିଆଁଝିଅ ଓ ସାନଝିଅଙ୍କୁ ଆଧୁନିକ ଶିକ୍ଷାରେ ଶିକ୍ଷିତା କରିବାପାଇଁ କଟକ ବାଳିକା ବିଦ୍ୟାଳୟରେ ପଢ଼ାଇଲେ । ସେତେବେଳକୁ ନାରୀଶିକ୍ଷାର ଏତେ ପ୍ରସାର ହୋଇ ନଥାଏ । ବାଳିକା ପିଲାଙ୍କୁ ବାହାରକୁ ଛାଡ଼ିବାପାଇଁ କେହି ତ ଇଚ୍ଛା କରୁ ନଥିଲେ । ସ୍ୱତନ୍ତ୍ର ଭାବରେ ବାଳିକା ବିଦ୍ୟାଳୟ ବାଣପୁରରେ କି ଆଖପାଖରେ କେଉଁଠି ନଥିଲା । କାରଣ ବାଳିକା ଶିକ୍ଷା ଯେ ନିତାନ୍ତ ଆବଶ୍ୟକ, ଏକଥା ଲୋକେ ବୁଝୁ ନ ଥିଲେ । ସ୍କୁଲକୁ ପଠାଇ ପଢ଼େଇବା ମଧ୍ୟ ଦୋଷାବହ ବୋଲି ଗଣାଯାଉଥିଲା । ତଥାପି ଗୋଦାବରୀଶ ବାବୁ ବାଳିକା ଶିକ୍ଷା ପ୍ରତି ମତିଗତି ବଦଳେଇବା ପାଇଁ ପିଲାଙ୍କୁ କଟକ ପଠାଇଥିଲେ । ସେ ପିଲା ଦୁହେଁ ରେଭେନ୍‌ସା ବାଳିକା ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିଲେ ।

 

ଗୋଦାବରୀଶ ବାଣପୁରରେ ଶିକ୍ଷାବିସ୍ତାର ନିମନ୍ତେ ମନଦେଲେ । ବାଣପୁରର ଗୋଟିଏ ଉଚ୍ଚ ବିଦ୍ୟାଳୟ ବସେଇବାପାଇଁ ମନେ ମନେ ସ୍ଥିର କଲେ । ସ୍ଥାନୀୟ ମୁଖିଆ ମୁଖିଆ ଲୋକଙ୍କୁ ଡାକି ସେମାନଙ୍କ ସଙ୍ଗେ ପରାମର୍ଶ କଲେ । ୧୯୩୦ ମସିହା ଜାନୁୟାରୀ ନଅତାରିଖରେ ତାଙ୍କରି ଘର ପାଖେ ଗୋଟିଏ ଘରେ କେତେଜଣ ପିଲାଙ୍କୁ ନେଇ ଅଷ୍ଟମ ଶ୍ରେଣୀ ଖୋଲା ହେଲା । ବାମନଚରଣ ଦାସ ଶିକ୍ଷକ ରହିଲେ । ସେତେବେଳକୁ ବିଶ୍ୱନାଥ ଶତପଥୀ ବାଣପୁର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ଥାଆନ୍ତି । ସେ ପ୍ରତ୍ୟହ ଆସି ମଧ୍ୟ ପଢ଼ାଇଲେ । ସଂସ୍କୃତ ଟୋଲର ପଣ୍ଡିତ ଦାମୋଦର ମହାପାତ୍ର ମଧ୍ୟ ଏଥିରେ ସାହାଯ୍ୟ କଲେ । ଆଗେ ଯେଉଁଠି ଜାତୀୟ ବିଦ୍ୟାଳୟ ହୋଇଥିଲା, ସେଠି ଏ ଶ୍ରେଣୀ ଆରମ୍ଭ ହେଲା । କେତେଦିନ ପରେ ପିଲାମାନେ ରହିବାପାଇଁ ବାଲୁକେଶ୍ୱରଙ୍କ ଦେଉଳର ଦକ୍ଷିଣ ପାଖରେ ତିନିବଖରା ଘର ତୋଳା ହେଲା । ସେଥିରେ କେହି କେହି ଶିକ୍ଷକ ରହିଲେ ଏବଂ ଛାତ୍ରମାନଙ୍କ ପାଇଁ ତାହା ଛାତ୍ରାବାସ ହେଲା-। ଗୋଟିକ ପରେ ଗୋଟିଏ ଶ୍ରେଣୀ ଖୋଲାହେବା ଫଳରେ ଘରର ଅଭାବ ପଡ଼ିଲା । ଗୋଦାବରୀଶ ବାବୁ ଘର ଭିତରେ ପଢ଼େଇବା ପ୍ରଣାଳୀର ପକ୍ଷପାତୀ ନୁହନ୍ତି । ପାଖରେ ରାଜାଆମ୍ବ, ଆମ୍ବ, ପଣସ ଗଛ ଭର୍ତ୍ତି ହୋଇଥାଏ । ଜଙ୍ଗଲ ପରି ଦିଶୁଥାଏ । କେତେଦିନ ପରେ ସତ୍ୟବାଦୀର ବନବିଦ୍ୟାଳୟ ଢଙ୍ଗରେ ଶ୍ରେଣୀଗୁଡ଼ିକ ସେଇଠି କରାଗଲା । ଘଣ୍ଟଶିଳା ପାହାଡ଼ ଓ ଶାଳିଆନଦୀର ଦୃଶ୍ୟରେ ଛାତ୍ର ଓ ଶିକ୍ଷକ ମୁଗ୍‌ଧ ହେଲେ । ପ୍ରତିଦିନ ସନ୍ଧ୍ୟାରେ ଘଣ୍ଟଶିଳାରେ ଚଢ଼ି ଓହ୍ଲାଇବା ଛାତ୍ରମାନଙ୍କର ଗୋଟିଏ ଆମୋଦ ପ୍ରମୋଦର କାର୍ଯ୍ୟ ହେଲା ।

 

ପାଖ ଆଖରେ ହାଇସ୍କୁଲ ନ ଥିଲା । ଆଖପାଖ ଅଞ୍ଚଳରୁ ଏବଂ କଟକ ଜିଲ୍ଲାର ବାଗଲପୁର, କଟକ, ରଣପୁର, ନୟାଗଡ଼, ଖଣ୍ଡପଡ଼ା ଖଲ୍ଲିକୋଟ, ସିଂହଭୂମ ଆଡ଼ୁ ପିଲା ଆସି ପଢ଼ିଲେ । ବିଦ୍ୟାଳୟ ପକ୍ଷରୁ ଏମାନଙ୍କୁ କିଛି କିଛି ସାହାଯ୍ୟ ଦିଆଗଲା । ଉପଯୁକ୍ତ ଶିକ୍ଷକ ଆସି ମଧ୍ୟ ଯୁଟିଲେ । ଚନ୍ଦ୍ରଶେଖର ମିଶ୍ର, ନୀଳମଣି ମିଶ୍ର, ମାୟାଧର ମାନସିଂହ, ଶ୍ରୀକୃଷ୍ଣ ମହାନ୍ତି, ଶ୍ୟାମସୁନ୍ଦର ତରାସିଆ, ବିଜୟଚନ୍ଦ୍ର ଦାସ, ଶ୍ରୀଧର ଦାସ ପ୍ରଭୃତି ଶିକ୍ଷକ ନୂତନ ଉତ୍ସାହ, ପ୍ରେରଣା ଘେନି ବିଦ୍ୟାଳୟଟି ଗଢ଼ିବାରେ ଲାଗିଲେ । ସମୟେ ସମୟେ ଗୋଦାବରୀଶ ବାବୁ ଯାଇ ଇଂରାଜୀ ପଢ଼ାନ୍ତି । ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ସଭା ହୁଏ । ସେଥିରେ ସେ ଭାଷଣ ଦିଅନ୍ତି । ସେହି ଛାତ୍ରସଭାରେ ଥରେ ସେ ଭାଷଣ ପ୍ରସଙ୍ଗରେ କହିଥିଲେ,–

 

‘ପିଲାମାନେ ପ୍ରାକୃତିକ ପରିବେଶ ଭିତରେ ପଢ଼ନ୍ତୁ ବା ଘରେ ପଢ଼ନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ । ଘରର କାନ୍ଥ, ଧର ସୁନା ଇଟାରେ ତିଆରି ହେବ, ଦୁଆର ଝରକା ରୂପାରେ ହେବ, ଉପକରଣଗୁଡ଼ିକ ମଣିମାଣିକ୍ୟରେ ଗଠିତ ହେବ, ବହୁ ମୂଲ୍ୟବାନ୍ ପୁସ୍ତକଦ୍ଵାରା ପୁସ୍ତକାଳୟ ପୂର୍ଣ୍ଣ ହେବ, ଉଦ୍ୟାନ ଶୋଭା ସୌନ୍ଦର୍ଯ୍ୟରେ ଫାଟି ପଡ଼ିବ, ଏସବୁ ହେଲେ କ’ଣ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ? କେଭେଁ ନୁହେଁ । ଛାତ୍ରମାନେ ହେଉଛନ୍ତି ବିଦ୍ୟାଳୟର ଗଣ୍ଠିଧନ । ବାହ୍ୟ ପଦାର୍ଥଗୁଡ଼ିକ ଶରୀର ହେଲେ, ଛାତ୍ରମାନେ ତାହାର ପ୍ରାଣ । ସେମାନେ ପ୍ରକୃତ ମନୁଷ୍ୟ ହେଲେ, ଶିକ୍ଷା ଦୀକ୍ଷା, ଚରିତ୍ରବଳ, ବ୍ୟବହାରରେ ଆଦର୍ଶ ସ୍ଥାନୀୟ ହେଲେ ଦେଶ ଧନ୍ୟ ହେବ । ତାଙ୍କପାଇଁ ଦେଶର ଲକ୍ଷ ଲକ୍ଷ ଟଙ୍କା ପାଣିପରି ଖର୍ଚ୍ଚ କରାଯାଉ, ଦାନୀଲୋକମାନେ ଶିକ୍ଷା ନିମନ୍ତେ ଅଯାଚିତ ଭାବରେ ସର୍ବସ୍ଵ ଦାନ କରିବାପାଇଁ ପ୍ରସ୍ତୁତ ହୁଅନ୍ତୁ । ଏସବୁ ହେଲେ ମଧ୍ୟ, ଯଦି ସତ୍‌ଛାତ୍ର ନ ବାହାରନ୍ତି, ସେମାନେ ମନୁଷ୍ୟ ନ ହୁଅନ୍ତି, ଦୀନ ଦରିଦ୍ର ଦେଶବାସୀଙ୍କର ସେବାପାଇଁ ପ୍ରସ୍ତୁତ ନ ହୁଅନ୍ତି, ତାହାହେଲେ ଏ ଅଜସ୍ର ଅର୍ଥବ୍ୟୟ ଓ ଯୁଗଯୁଗର ପରିଶ୍ରମ ବ୍ୟର୍ଥ ହେବ । ସେଥିପାଇଁ ଛାତ୍ରମାନେ ସେ ଦିଗରେ ଦୃଷ୍ଟିଦେଇ ଜୀବନ ଗଠନ କରନ୍ତୁ ।

 

ଏହିପରି ନାନା ସମୟରେ ଛାତ୍ରମାନଙ୍କୁ ବକ୍ତୃତା ଦେଇ ସେ ଉଦ୍‌ବୁଦ୍ଧ କରୁଥିଲେ । ପୁଣି ‘ବନଫୁଲ’ ନାମରେ ଖଣ୍ଡିଏ ପତ୍ରିକା ବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଗଲା । ଏସବୁ ଚଳେଇବାପାଇଁ ଅର୍ଥର ଅଭାବ ହେବାରୁ ନାନା ପନ୍ଥାରେ ଚେଷ୍ଟା ଚାଲିଲା । ଶିକ୍ଷକମାନଙ୍କୁ ଧରି ଗୋଦାବରୀଶ ବାବୁ ଖରାତରା, ବର୍ଷା, ଶୀତ ନ ବିଚାରି ଗାଁ ଗଣ୍ଡାରେ ବୁଲିଲେ । ଆଶାନୁରୂପ ନ ହେଲେ ମଧ୍ୟ କିଛି ପଇସା ଆଦାୟ ହେଲା । ତା’ ଛଡ଼ା ରାଜା ମହାରାଜାଙ୍କ ପକ୍ଷରୁ ମଧ୍ୟ ସାହାଯ୍ୟ ମିଳିଲା । ବେଳେ ବେଳେ ବଡ଼ଲୋକମାନେ ଏ ନୂଆପ୍ରକାର ବନବିଦ୍ୟାଳୟ ଦେଖିବାକୁ ଆସନ୍ତି । ତାଙ୍କଠାରୁ ମଧ୍ୟ ଯଥେଷ୍ଟ ସାହାଯ୍ୟ ମିଳିଛି । ସ୍ଥାୟୀଘର ଆବଶ୍ୟକ ହେବାରୁ ଜୟପୁରର ବିକ୍ରମ ଦେବ ମହାରାଜା ଘର ତୋଳାଇବା ପାଇଁ ଦୁଇହଜାର ଟଙ୍କା ସାହାଯ୍ୟ ଦେଲେ । ସେଥିରେ ଛାତ୍ରାବାସପାଇଁ ଘର ତୋଳା ହେଲା । ତା’ ନାଁ ଦିଆହେଲା ‘ବିକ୍ରମ ଦେବ ଭବନ’ । କ୍ରମେ ଉପକରଣ, ପୁସ୍ତକାଳୟ ପ୍ରଭୃତି ଆବଶ୍ୟକୀୟ ବିଷୟଗୁଡ଼ିକ ପୂରଣ କରାଗଲା । ବିଦ୍ୟାଳୟଟି ମଞ୍ଜୁର କରିବାପାଇଁ ଗୋଦାବରୀଶ ବାବୁ ବହୁ ଉଦ୍ୟମ କଲେ । ସେତିକିବେଳେ ଗୋଟିଏ ବିଘ୍ନ ଘଟିଲା ।

 

ବାଣପୁରର କେତେକ ଲୋକ ଏଠି ବିଦ୍ୟାଳୟ କରେଇଦେବାକୁ ମନା କଲେ । ସେମାନେ କହିଲେ, ବାଣପୁର ବଜାର ପାଖେ ସ୍କୁଲ କରାଯାଉ । ସେଥିପାଇଁ ଶିକ୍ଷାବିଭାଗ ପକ୍ଷରୁ ସ୍ଥାନ ନିର୍ବାଚନ କରିବାପାଇଁ ଇନସ୍ପେକ୍ଟର ଆସିଲେ । ସେମାନେ ଶେଷକୁ ମତ ଦେଲେ ଯେ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହି ସ୍ଥାନଟି ଉପଯୁକ୍ତ । ଏଣୁ ଗୋଟିଏ ବିଘ୍ନ କଟିଲା । ପୁଣି ସରକାର କହିଲେ, ପନ୍ଦରଦିନ ଭିତରେ ବିଦ୍ୟାଳୟ ଗୃହ ତିଆରି କରିଦେଲେ ଏବଂ କୋଡ଼ିଏ ହଜାର ଟଙ୍କା ଜମା ଦେଖାଇଲେ, ସ୍କୁଲକୁ ମଞ୍ଜୁରି ମିଳିବ । ସେ କେତେଦିନ ଗୋଦାବରୀଶ ବାବୁ ଖିଆପିଆ ଛାଡ଼ି ବୁଲିଲେ । ବାମନ ଚରଣ ଦାସ ପ୍ରଭୃତି ଦିନ ରାତି ଲାଗି ଘର ତୋଳାଇଲେ । କୌଣସିମତେ ନିର୍ଦ୍ଦିଷ୍ଟ ସମୟ ଭିତରେ ସବୁତକ ପୂରଣ ହୋଇ ଯିବାରୁ ୧୯୩୪ ମସିହାରେ ମଞ୍ଜୁରି ମିଳିଲା । ଆଗରୁ ପିଲାମାନେ ଅନ୍ୟ ବିଦ୍ୟାଳୟକୁ ଯାଇ ପରୀକ୍ଷା ଦେଉଥିଲେ, ସେହିବର୍ଷ ପିଲାମାନେ ନିଜ ସ୍କୁଲ ତରଫରୁ ପରୀକ୍ଷା ଦେଲେ । ମଞ୍ଜୁର ହୋଇଯିବାପରେ ପାରଳା ମହାରାଜା, ମୟୂରଭଞ୍ଜ ମହାରାଜା, ମଧୁପୁର ରାଜା ଆଦି ସ୍ଥାୟୀ ଗୃହ ନିର୍ମାଣ ଦିଗରେ ସାହାଯ୍ୟ କରିଥିଲେ । ସେମାନଙ୍କର ଦାନଯୋଗେ ଯେଉଁ ଘରଗୁଡ଼ିକ ତିଆରି ହୋଇଅଛି, ସେଥିରେ ସେମାନଙ୍କର ନାମ ଅଛି ।

 

ପ୍ରଥମେ ପରିଚାଳନା ସମିତିରେ ଗୋଦାବରୀଶ ମହାପାତ୍ର ସମ୍ପାଦକ ଓ ଗୋଦାବରୀଶ ବାବୁ ସଭାପତି ଥିଲେ । ସ୍ଥାନୀୟ କେତେକ ଭଦ୍ରବ୍ୟକ୍ତି ସଭ୍ୟ ଥିଲେ । ପରେ ତାହା ବଦଳିଗଲା । ସେ ନିଜେ ସମ୍ପାଦକ ଭାର ମୁଣ୍ଡାଇଲେ, ସଭାପତି ହେଲେ ଖୋର୍ଦ୍ଧାର ଜଙ୍ଗଲ ବିଭାଗର ହାକିମ ଉଡ୍‍ସ୍‌ ଓ୍ୱାର୍ଥ । ଖାଲି ବାଣପୁର କାହିଁକି ସମଗ୍ର ଓଡ଼ିଶାର ସାହାଯ୍ୟ ଓ ସହାନୁଭୂତିରେ ବିଦ୍ୟାଳୟଟି ସୁନ୍ଦରଭାବେ ଚାଲିଲା । ଯାହା ଅଭାବ ଥିଲା, ଶ୍ୟାମସୁନ୍ଦର ତରାସିଆଙ୍କ ପ୍ରଧାନ ଶିକ୍ଷକତା ସମୟରେ ସବୁ ସଜାଡ଼ି ହୋଇଗଲା । ତଥାପି ଘର, ଉପକରଣ ପ୍ରଭୃତି ଅଭାବ ଥାଏ । ତାଙ୍କପରେ ପ୍ରଧାନ ଶିକ୍ଷକ ହୋଇ ଆସିଲେ ମହୀଶୁରବାସୀ ବି. ରଙ୍ଗନାଥନ୍ । ସେ ଜଣେ ଶିକ୍ଷା-ବିଭାଗ ପାଇଁ ସୁନିପୁଣ ବ୍ୟକ୍ତି ଓ ବିଦ୍ୱାନ୍ ଲୋକ । ତାଙ୍କୁ ପାଇ ଗୋଦାବରୀଶ ବାବୁ ଅନେକ ପରିମାଣରେ ନିଶ୍ଚିନ୍ତ ହୋଇଗଲେ ତାଙ୍କ ଉପରେ ସବୁ ଭାର ଦେଇଦେଲେ । ତାଙ୍କ ସମୟଠାରୁ ଛାତ୍ରମାନେ ବିଶ୍ଵବିଦ୍ୟାଳୟରେ ସୁନାମ ଅର୍ଜିଲେ । ବିଦ୍ୟାଳୟଟି ପାଟନା ବିଶ୍ଵବିଦ୍ୟାଳୟ ଅଧୀନରେ ଥିଲା । ଆମ ରାଜ୍ୟର ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ ନ ଥିଲା । ପ୍ରଥମ ଶ୍ରେଣୀରେ ଛାତ୍ରମାନେ ପାସ୍ କଲେ ଓ କେତେକ ବୃତ୍ତି ପାଇଲେ । ସବୁଆଡ଼ୁ ଉତ୍ତରୋତ୍ତର ଉନ୍ନତିର ଲକ୍ଷଣ ଦେଖାଗଲା । ୧୯୩୭ ମସିହାରେ ବିଦ୍ୟାଳୟର ଉପର ଚାରିଶ୍ରେଣୀ ସାଙ୍ଗକୁ ତଳ ଚାରିଶ୍ରେଣୀ ଖୋଲିବା ପ୍ରସ୍ତାବ ହେଲା ଓ ତାହା ମଧ୍ୟ କେତେ ବର୍ଷ ମଧ୍ୟରେ ଖୋଲି ଦିଆଗଲା । ଛାତ୍ର ସଂଖ୍ୟାର ଅଭାବ ରହିଲାନାହିଁ । କ୍ରମେ ବଣ ଭିତରେ ଏତେଗୁଡ଼ିଏ କ୍ଲାସ କରିବା ସମ୍ଭବ ହେଲାନାହିଁ । ତେଣିକି ଘର ଭିତରେ ପଢ଼ାପଢ଼ି ଚାଲିଲା ।

 

ପନ୍ଦର

 

ଗୋଦାବରୀଶବାବୁ ବିଚାରିଲେ ଯେ ଏଣିକି ସ୍କୁଲର ସ୍ଵଚ୍ଛଳ ଅବସ୍ଥା ତ ଆସି ଗଲାଣି, ସ୍ଥାନୀୟ ପରିଚାଳନା ସମିତି ପରିଚାଳନା ଭାର ମୁଣ୍ଡାଉ । ସେ ଏ କଥା ପ୍ରକାଶ୍ୟରେ ନ କହିଲେ ମଧ୍ୟ କେତେକ ପରିମାଣରେ କାର୍ଯ୍ୟରେ ଦେଖାଇଲେ । ନାନା କାର୍ଯ୍ୟଯୋଗେ ତାଙ୍କୁ ବହୁ ସମୟ କଟକରେ ରହିବାକୁ ପଡ଼ିଲା । ଦ୍ଵିତୀୟ ମହାସମର ଚାଲିଥିଲାବେଳେ ସେ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିଲେ । ସେଥିରେ ପାରଳା ମହାରାଜା ମୁଖ୍ୟମନ୍ତ୍ରୀ ହେଲେ । ସେ ହେଲେ ଅର୍ଥ ଓ ଶିକ୍ଷାମନ୍ତ୍ରୀ । କଂଗ୍ରେସ ଦଳରୁ ସେ ଭୋଟ ପାଇ ଆସେମ୍ୱ୍ଲିକୁ ନିର୍ବାଚିତ ହୋଇଥିଲେ, ଅଥଚ କଂଗ୍ରେସର ଅନଭିମତ ଏକ ମନ୍ତ୍ରିମଣ୍ଡଳ ଗଢ଼ିବା ଫଳରେ ଲୋକେ ତାଙ୍କର ନିନ୍ଦାଗାନ କଲେ । ସରକାରଙ୍କ ସଙ୍ଗରେ ସହଯୋଗ ରଖିବା କଥାଟାକୁ ଲୋକେ ପସନ୍ଦ କରୁ ନ ଥିଲେ । ମାତ୍ର ସେ ଯେଉଁଥିପାଇଁ ତା’ ଭିତରେ ପଶିଥିଲେ, ତାହା ସାଧାରଣ ଲୋକେ ଜାଣିବାର ଉପାୟ ନ ଥିଲା । ଦେଶର ତାହା ଘଡ଼ିସନ୍ଧି ସମୟ । ପୂର୍ବଆଡ଼ୁ ଜାପାନ ମାଡ଼ି ଆସୁଥାଏ । ସବୁବେଳେ ଆଶଙ୍କା ଥାଏ–ବ୍ରହ୍ମଦେଶ ଆଡ଼ୁ ଶତ୍ରୁ ଉପକୂଳ ଅଞ୍ଚଳ ଆକ୍ରମଣ କରିବ ବୋଲି । ଘାଟିଜାଗା ନ ଜଗିଲେ, ଅବସ୍ଥା ଅସମ୍ଭାଳ ହୋଇପଡ଼ିବ । ସୁବାସ ବୋଷ ‘ଆଜାଦହିନ୍ଦ’ ଫୌଜ ଗଢ଼ି ଇଂରେଜମାନଙ୍କ ରାଜ୍ୟ ଦଖଲ କରିବାର ଆଶଙ୍କା ରହିଥାଏ । ପୂର୍ବପଟୁ ଆସାମର ଇମ୍ଫାଲ ଭିତରେ ପଶି ସୈନ୍ୟମାନଙ୍କୁ ସେ ‘ଦିଲ୍ଲୀ ଚଲୋ’ ବୋଲି ଡାକ ଦେଉଥାନ୍ତି । ଗୋଦାବରୀଶ କଂଗ୍ରେସ ଛାଡ଼ି ସେହି ସୁବାସବାବୁଙ୍କ ଫରୱାର୍ଡ଼ ବ୍ଲକ ଦଳରେ ମିଶିଯାଇଥାନ୍ତି । ଅନ୍ତରର ଆକାଙ୍‍କ୍ଷା, ସଦୁଦ୍ଦେଶ୍ୟ ପ୍ରବଳ ଥିବାରୁ ବାହାରର ନିନ୍ଦା ଅପମାନକୁ ଖାତିରି କଲେନାହିଁ । ପ୍ରକୃତରେ ଯେ ବିବେକୀ, ଧୈର୍ଯ୍ୟଶୀଳ, ବିଚାରବାନ୍‌ ସେ ନିଜ ସଙ୍କଳ୍ପରୁ କେଭେଁ ବିଚ୍ୟୁତ ହୁଅନ୍ତି ନାହିଁ । ଲୋକଙ୍କ ପକ୍ଷରୁ ନାନା ନିନ୍ଦା ସହି ମନ୍ତ୍ରିତ୍ୱ ମୁଣ୍ଡେଇ ଥିଲାବେଳେ ସେ ଓଡ଼ିଶାର କେତୋଟି ଅଭାବ ପୂରଣ କରି ଯାଇଛନ୍ତି ।

 

ପ୍ରଥମ ଓ ପ୍ରଧାନ ହେଉଛି–ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ଆଉ ଗୋଟିଏ ମେଡ଼ିକାଲ କଲେଜ । ସେତେବେଳେ ସମଗ୍ର ଓଡ଼ିଶାରେ ରେଭେନ୍‌ସା କଲେଜ, ବ୍ରହ୍ମପୁରର ଖଲ୍ଲିକୋଟ କଲେଜ, ପାରଳାଖେମୁଣ୍ଡି ମହାରାଜା କଲେଜ, ଏହି ତିନୋଟି କଲେଜ ଥିଲା; କିନ୍ତୁ ସେହି ଦିନଠାରୁ ସ୍କୁଲ କଲେଜ ପ୍ରତିଷ୍ଠା ଯେପରି ବଢ଼ିଲା, ଲୋକେ ଶିକ୍ଷା ଦିଗରେ ଅନୁକୂଳ ସୁବିଧା ସୁଯୋଗ ସେହିପରି ପାଇଲେ । ୧୯୪୩ ସାଲରେ ଏହି ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା; କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳ ଏହାର ବର୍ଷେ ଦେଢ଼ ବର୍ଷ ମଧ୍ୟରେ ଭାଙ୍ଗିଗଲା ।

 

ଏ ସବୁ କାର୍ଯ୍ୟ ଭିତରେ ବିଚ୍ଛିନ୍ନ ଉତ୍କଳର ମିଶ୍ରଣ ଦିଗରେ ତାଙ୍କର ଉଦ୍ୟମ ଗୋଟିଏ ପ୍ରଧାନ କଥା । ଯେତେବେଳେ ଯେଉଁ କ୍ଷେତ୍ରରେ ଥିଲେ ସୁଦ୍ଧା ବିଚ୍ଛିନ୍ନ ଅଂଶ କି ସୂତ୍ରରେ ଓଡ଼ିଶାରେ ମିଶି ପାରିବ, ସେଥିପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି । ମାନ୍ଦ୍ରାଜରୁ କେଉଁ କେଉଁ ଅଂଶ ଓଡ଼ିଶାରେ ମିଶି ପାରିବ, ସେ ସମ୍ପର୍କରେ ତଦନ୍ତ କରିବାପାଇଁ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଶନ ବସିଥିଲା । ସେତେବେଳେ ଆନ୍ଧ୍ର ରାଜ୍ୟ ଗଠିତ ହୋଇ ନ ଥିଲା, ମାନ୍ଦ୍ରାଜ ରାଜ୍ୟ ଓଡ଼ିଶାର ଦକ୍ଷିଣ ସୀମାରୁ ଆରମ୍ଭ ହୋଇଥିଲା । ସେହି ତଦନ୍ତ କମିଶନରେ ଲିଙ୍ଗରାଜ ପାଣିଗ୍ରାହୀ ଓ ଗୋଦାବରୀଶବାବୁ ସାକ୍ଷ୍ୟ ଦେବାକୁ ଓଡ଼ିଶା ପକ୍ଷରୁ ଯାଇଥିଲେ । ସେ ସମ୍ପର୍କରେ ବହୁ ତଥ୍ୟ ସଂଗ୍ରହ କରି ସେ ଅକାଟ୍ୟ ଯୁକ୍ତିମାନ ଦେଖାଇ ଥିଲେ ।

 

ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକ ବିଭିନ୍ନ ପ୍ରଦେଶରେ ମିଶିଗଲା । ସେତେବେଳେ ଅସ୍ଥାୟୀଭାବରେ ଶାସନର ସୁବିଧା ଦୃଷ୍ଟିରୁ ଖାଣ୍ଟି ଓଡ଼ିଆ ଅଞ୍ଚଳ ଷଢ଼େଇକଳା, ଖରସୁଆଁକୁ ବିହାର ଶାସନାଧୀନ କରାଗଲା । ସେଥିରେ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଗଲା । ରାଜ୍ୟ ପୁନର୍ଗଠନ ସମିତି ବସିଲା–ସେଥିରେ ସଭ୍ୟ ରହିଲେ–ଜାକିର ହୁସେନ୍‌, ପଣ୍ଡିତ କୁଞ୍ଜରୁ ଓ ସର୍ଦ୍ଦାର ପାନିକର । ଉପଯୁକ୍ତ ଅଞ୍ଚଳକୁ ଭାଷା ସୂତ୍ରରେ ଉପଯୁକ୍ତ ପ୍ରଦେଶ ସହିତ ମିଶାଇବା ନିମନ୍ତେ ସେ କମିଶନ ସମଗ୍ର ଭାରତ ବୁଲି ସୁପାରିସ୍‌ କଲେ । ସେମାନଙ୍କର ସୁପାରିସ୍ ଅନୁସାରେ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶା ସହିତ ନ ମିଶି ବିହାର ସହିତ ମିଶିବା କଥା ହେଲା । ଏଥିରେ ଓଡ଼ିଶାବାସୀ କ୍ଷୁବ୍‌ଧ ହେଲେ । ଗୋଦାବରୀଶବାବୁ ଷଢ଼େଇକଳା ଖରସୁଆଁ ସହିତ ସିଂହଭୂମର ଓଡ଼ିଆ ଅଞ୍ଚଳଗୁଡ଼ିକ ଓ ମେଦିନୀପୁରର କେତେକ ଅଂଶ ଓଡ଼ିଶାରେ ମିଶିବା ସପକ୍ଷରେ ବହୁ ଅକାଟ୍ୟ ପ୍ରମାଣ ବାଢ଼ିଥିଲେ; କିନ୍ତୁ ସେ ସବୁ ନିଷ୍ଫଳ ହେଲା । ସେ କଂଗ୍ରେସ ସରକାରଙ୍କୁ ଏଥିପାଇଁ ଦୋଷୀ କରିଛନ୍ତି । ତାଙ୍କର ସେ ସମ୍ବନ୍ଧୀୟ ଯୁକ୍ତି ‘ଷଢ଼େଇକଳା ଓ ଖରସୁଆଁ’, ନାମକ ପୁସ୍ତକରେ ଦୃଢ଼ଭାବରେ ବ୍ୟକ୍ତ କରିଛନ୍ତି । ବିହାରର ପ୍ରଧାନ ନେତା ରାଜେନ୍ଦ୍ର ପ୍ରସାଦଙ୍କୁ ଏଥିପାଇଁ ନାନା ଚିଠି ପତ୍ର ଲେଖି ସେ ହତାଶ ହୋଇଛନ୍ତି । ଶେଷନିଦ୍ରାରେ ଶୋଇବା ପର୍ଯ୍ୟନ୍ତ ମନରୁ ସେ ଚିନ୍ତା ତାଙ୍କର ଯାଇ ନ ଥିଲା ।

 

ଥରେ ଷଢ଼େଇକଳାରେ ଏକ ସଭାରେ ତାଙ୍କୁ ନାନା ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା । ଦେଶ ମିଶ୍ରଣ ପାଇଁ ସେ ଯେ କୌଣସି ଯାତନା ବା ଦୁଃଖକଷ୍ଟ ବରଣ କରିବାକୁ ପ୍ରସ୍ତୁତ ଥିଲେ । ଅନ୍ୟାୟ ବିଚାର ଫଳରେ ସେ ଦୁଇ ରାଜ୍ୟ ବିହାରରେ ମିଶିଗଲା । ସେ ତା’ର ପ୍ରତିବାଦ ନାନା ସୂତ୍ରରେ କରିଛନ୍ତି । ଦେଶ ମିଶ୍ରଣ ସମ୍ପର୍କୀୟ ଯେ କୌଣସି ସଭା ସମିତିରେ ସେ ସବୁବେଳେ ଯୋଗ ଦିଅନ୍ତି । ତାଙ୍କର ସ୍ୱାଭାବିକ ସରଳ ଭାଷାରେ ସେ ଲୋକଙ୍କୁ ବୁଝାନ୍ତି । ବହୁ ପତ୍ର ପତ୍ରିକାରେ ଏ ସମ୍ପର୍କରେ ସେ ନାନା ଯୁକ୍ତି ଦେଇ ପ୍ରବନ୍ଧ ଲେଖିଛନ୍ତି । ଶେଷକୁ ସେହି ଦେଶ ମିଶ୍ରଣ ଚିନ୍ତା ତାଙ୍କ ମୃତ୍ୟୁର କାରଣ ହେଲା ।

 

ସେ ଭାବୁଥିଲେ ମନୁଷ୍ୟ ଜୀବନ ବଡ଼ ନୁହେଁ, ତା’ର କାର୍ଯ୍ୟହିଁ ବଡ଼ । ଗୋଟିଏ କଥା ଶୁଣାଯାଏ–“କା ଚିନ୍ତା ମରଣେ ରଣେ ।” ସେ ଏ ବାଣୀର ଉପାସକ । ଜୀବନକୁ ଜଳାଞ୍ଜଳି ଦେଇ ଦେଶ ମିଶ୍ରଣ କାର୍ଯ୍ୟରେ ଦିନ ରାତି ସେ ବ୍ୟସ୍ତ ଥିଲେ । ସିଂହଭୂମର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଈଶ୍ଵର ଷଡ଼ଙ୍ଗୀ, ଗତିକୃଷ୍ଣ ଷଡ଼ଙ୍ଗୀ ପ୍ରଭୃତି ଦେଶପ୍ରାଣ ବ୍ୟକ୍ତିମାନେ ତାଙ୍କର ଅତି ପ୍ରିୟ । ସେମାନଙ୍କ ସହିତ ତାଙ୍କର ସମ୍ପର୍କ ଶେଷ ପର୍ଯ୍ୟନ୍ତ ଥିଲା । ଏମାନଙ୍କ ଭିତରୁ ଅବଶ୍ୟ କେହି କେହି କାଳଗର୍ଭକୁ ଚାଲି ଗଲେଣି ।

 

ଗୋଦାବରୀଶବାବୁ ବାଣପୁରରେ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ–ସାଧାରଣ ସ୍କୁଲମାନଙ୍କରୁ ଯେପରି ପିଲାଏ ବାହାରୁଛନ୍ତି, ସେପରି ବାହାରିବା ପାଇଁ ନୁହେଁ । ବାପ ମାଙ୍କଠାରୁ ସାହାଯ୍ୟ ନ ଆଣି କିମ୍ଵା ଚାକିରି ବାକିରି ନ କରି ଯେପରି ସ୍ୱାବଲମ୍ବୀ ଭାବରେ ଜୀବନ କଟାଇ ପାରିବେ, ସେହିପରି ଛାତ୍ର କିପରି ବାହାରିବେ ସେହି ଲକ୍ଷ୍ୟରେ ସେ ଏ ବିଦ୍ୟାଳୟ ବସାଇ ଥିଲେ । ସେଥିପାଇଁ ଛାତ୍ର ଅବସ୍ଥାରୁ ବୈଷୟିକ ଶିକ୍ଷା ଦେବାପାଇଁ ବ୍ୟବସ୍ଥା କରିଥିଲେ । ବାଣପୁର ମାଳ ଅଞ୍ଚଳରେ କେତେକ ଜମି ସରକାରଙ୍କଠାରୁ କବୁଲିୟତ କରି ନେଇଥିଲେ । ଯେଉଁମାନେ ମାଟ୍ରିକ୍ୟୁଲେସନ ପରୀକ୍ଷା ଦେଲେ, ସେମାନେ ସେଇଠି ରହି ଉନ୍ନତ ଧରଣର ଚାଷବାସ କରିବେ ବୋଲି ଜମି ସିନା ନିଆ ହେଲା, ମୁରବୀମାନେ ସେ ପ୍ରଥାକୁ ବେଶ୍‍ ପସନ୍ଦ ସିନା କଲେ, ମାତ୍ର ଛାତ୍ରମାନଙ୍କୁ ସେ କଥା ଭଲ ଲାଗିଲାନାହିଁ । ସେ ବାବଦରେ କିଛି ଟଙ୍କା ଖର୍ଚ୍ଚ ହେଲା । ହଳବଳଦ ରଖାଗଲା, ଖଣ୍ଡିଏ ଜଙ୍ଗଲ ସଫା ହେଲା; କିନ୍ତୁ ଶେଷକୁ ସେ ସବୁ ବୃଥା ହେଲା । କଳ୍ପନା କାର୍ଯ୍ୟରେ ପରିଣତ ହୋଇପାରିଲାନାହିଁ । ଇଂରେଜ ରାଜତ୍ୱ ଆମକୁ ଦାସତ୍ୱର ଯେଉଁ ମୋହ ଦେଖେଇ ଯାଇଛି, ସେଥିରୁ ମନ ଛଡ଼ାଇ ଅନ୍ୟ ଦିଗରେ ମନ ଲଗେଇବାକୁ କେହି ଇଚ୍ଛା କରୁନାହିଁ । ଏବେ ଅବସ୍ଥା ସାମାନ୍ୟ ବଦଳି ଗଲାଣି, ମାତ୍ର ସେତେବେଳେ ସେ ମୋହ କେହି ଛାଡ଼ି ପାରିଲେ ନାହିଁ । ଚାଷବାସ କରିବା କଠିନ ପରିଶ୍ରମର କଥା, ମୁଣ୍ଡଝାଳ ତୁଣ୍ଡରେ ନ ମାରିଲେ, ଖରା ତରା ସହିବାକୁ ନିଜକୁ ପ୍ରସ୍ତୁତ ନ କଲେ, ସେ ବ୍ୟବସାୟ ହୋଇ ପାରିବନାହିଁ । ଅକର୍ମା ସମସ୍ୟା ସମାଧାନର ଏ ଗୋଟିଏ ପନ୍ଥା । ଆମ ଦେଶ ଖାଦ୍ୟ ଦିଗରେ ସବୁବେଳେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଆମର ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ସୋମବାର ରାତିଓଳି ଉପବାସ ରହିବା ବ୍ୟବସ୍ଥା ଉଠିଛି । ଅଥଚ ଦେଶର ଯେଉଁ ଅଞ୍ଚଳ ସବୁ ଚାଷବାସ ବିନା ପଡ଼ିଆ ରହୁଛି, ସେଥିରୁ କିଛି କିଛି ଉତ୍ପନ୍ନ ହେଲେ, ତାହାଦ୍ଵାରା ଦେଶର ଖାଦ୍ୟ ସମସ୍ୟା କେତେକ ପରିମାଣରେ କମି ଯାଆନ୍ତା ।

 

ସ୍ୱାବଲମ୍ବୀ ଭାବରେ ଚଳି କେତେ ଜଣ ଯୁବକଙ୍କୁ ଚାକିରିରେ ରଖି ପାରିବା ପାଇଁ ଆଉ ଗୋଟିଏ ନୂଆ ବ୍ୟବସ୍ଥା ସେ କରିଥିଲେ । ତାହା ହେଉଛି ପ୍ରାଚୀ ଇନ୍‍ସୁରାନ୍‍ସ କମ୍ପାନୀ । ସେ ତାହାର ପ୍ରତିଷ୍ଠାତା କହିଲେ ଚଳେ । କମ୍ପାନୀର କାର୍ଯ୍ୟ କେତେ ଦିନ ସୂଚାରୁ ରୂପେ ଚାଲିଲା, ଭିନ୍ନ ଭିନ୍ନ ଅଞ୍ଚଳରେ ଏଜେଣ୍ଟ ରହିଲେ । ମାତ୍ର ସ୍ଥାୟୀ ହୋଇ ପାରିଲାନାହିଁ । ସାଧାରଣ ଲୋକଙ୍କର ଭବିଷ୍ୟତ ଅବସ୍ଥା ସ୍ୱଚ୍ଛଳ କରିବାପାଇଁ ଏବଂ ପ୍ରତ୍ୟେକେ ନିଜ ଆୟରୁ କିଛି କିଛି ବଳାଇ ସଞ୍ଚୟର ସୁବିଧା ନିମିତ୍ତ ସେ ଏ ବୀମା କମ୍ପାନୀ ସ୍ଥାପନ କରିଥିଲେ । ସେତେବେଳେ ଓଡ଼ିଶାରେ ଜୀବନବୀମା କମ୍ପାନୀ ନ ଥିଲା । ବାହାର ପ୍ରଦେଶମାନଙ୍କରେ ଏ ଧରଣର କମ୍ପାନୀ ବହୁତ ରହିଥିଲା ଏବଂ ସେ ସବୁ କମ୍ପାନୀ ଓଡ଼ିଶାରେ କାର୍ଯ୍ୟ କରୁଥିଲେ । ତାହା ଫଳରେ ଓଡ଼ିଶାର ପୁଞ୍ଜିର ଲାଭ ଦରିଦ୍ର ଓଡ଼ିଶା ନ ପାଇ ଧନୀ ପ୍ରଦେଶ ପାଇ ଯାଉଥିଲା । ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ସଞ୍ଚୟଶୀଳ ଓଡ଼ିଆ ଲୋକଙ୍କୁ ଆଧୁନିକ ଜଗତର ଏ ବ୍ୟବସାୟ ଶିକ୍ଷା ଦେବା ଲକ୍ଷ୍ୟରେ ସେ ଏହି ବୀମା କମ୍ପାନୀ ଗଢ଼ିଥିଲେ ।

 

ଷୋହଳ

 

ଶେଷଜୀବନ ସେ ବାଣପୁରର ଲୋଧଭୂଇଁ ବଗିଚାରେ ରହି କଟାଇବେ ବୋଲି ଭାବିଥିଲେ । ସେଠି ଖଣ୍ଡିଏ ଘର କରିବେ, ଗୋଶାଳାଟିଏ ପାଖରେ ରହିବ, ସେହି ନୀରବ ନିର୍ଜନ ସ୍ଥାନଟିରେ ଲେଖାଲେଖି କରିବାପାଇଁ ସୁବିଧା ହେବ ବୋଲି ଭାବିଥିଲେ । କେତେକ କାରଣରୁ ତାହା ହୋଇପାରିଲାନାହିଁ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଟକ ତାଙ୍କର ବାସଭୂମି ହେଲା । ସବୁ କାର୍ଯ୍ୟରୁ ଟିକିଏ ଅବସର ଗ୍ରହଣ କଲାପରି ସେଠି ରହିଲେ । ପିଲାଦିନରୁ ଲେଖାଲେଖି ଦିଗରେ ତାଙ୍କର ଭାରି ମନ । ସତ୍ୟବାଦୀ ଦଳର ଶିକ୍ଷକମାନେ ଅଧିକାଂଶ ଲେଖକ । ସାହିତ୍ୟରେ ଜାତୀୟତା ଭର୍ତ୍ତି କରିବା, ଛାତ୍ରମାନଙ୍କୁ ଦେଶାତ୍ମବୋଧ ଶିଖାଇବା ସେମାନଙ୍କର ପ୍ରଧାନ ଲକ୍ଷ୍ୟଥିଲା-। ଗୋଦାବରୀଶ ବାବୁଙ୍କର ଅବସର ସମୟ ବିଭିନ୍ନ ବହି ଏବଂ ପତ୍ରପତ୍ରିକା ନିମିତ୍ତ ପ୍ରବନ୍ଧ ଲେଖିବା ଦିଗରେ କଟିଲା । ସେହି ସମୟ ଭିତରେ ସେ ‘‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’’ ଏହି ଆତ୍ମଜୀବନୀଟି ଲେଖିଥିଲେ । ଏହାଛଡ଼ା ଅନ୍ୟ କେତେକ ବହି ମଧ୍ୟ ଲେଖିଛନ୍ତି ।

ତାଙ୍କ ଲେଖା ଭିତରେ ପ୍ରବନ୍ଧ, ଗଳ୍ପ, ନାଟକ, ଜୀବନୀ, ଭ୍ରମଣ କାହାଣୀ, ସାଧାରଣ ଜ୍ଞାନ, ଅନୁବାଦ, ରାଜନୀତିକ ଲେଖା, ବ୍ୟଙ୍ଗ ସାହିତ୍ୟ, ସମାଲୋଚନା, ଛାତ୍ରମାନଙ୍କପାଇଁ ପାଠ୍ୟପୁସ୍ତକ ଓ ଖଣ୍ଡକବିତା ପ୍ରଭୃତି ଅଛି । କେହି କେହି କହନ୍ତି ଯେ ସେ ଆଉ କିଛି ନ ଲେଖି କେବଳ ‘ଆଲେଖିକା’ ଖଣ୍ଡିକ ଲେଖିଥିଲେ, ତାହାରିଦ୍ଵାରା ଅମର ହୋଇଥାନ୍ତେ । ଐତିହାସିକ କିମ୍ବଦନ୍ତୀକୁ ଏଡ଼େ ସରଳ, କୋମଳ ଭାଷାରେ ଜାତିକୁ ପ୍ରେରଣା ଦେବାପାଇଁ ସେଥିରେ ଯାହା ଲେଖିଯାଇ ଅଛନ୍ତି, ତାହା କେବେହେଲେ ଲିଭିବ ନାହିଁ । ତାଙ୍କ ସାହିତ୍ୟରେ ଦୀନ ଦରିଦ୍ର ପ୍ରତି ସହାନୁଭୂତି, ସ୍ନେହ, ମମତା, ଦୟା, କ୍ଷମା, ସାହସ, ବିଜୟ ଓ ବୀରତ୍ଵମୂଳକ ଲେଖା ଅନେକ ଅଛି । ପୁଣି ପ୍ରାକୃତିକ ବର୍ଣ୍ଣନା ପଦେ ପଦେ ଫୁଟିଅଛି । ସେ ଯେଉଁଠିକି ଯାଆନ୍ତୁ, ଯେଉଁଠି ଯେଉଁ ଅବସ୍ଥାରେ ରହନ୍ତୁ କେବେ ଜନ୍ମସ୍ଥାନ ବାଣପୁର ଶାଳିଆ, ଘଣ୍ଟଶିଳା, ଚିଲିକା, ସୋଲରୀ, ଭାଲେରୀ, ଖଣ୍ଡାହଣାକୁ ଭୁଲିପାରି ନାହାନ୍ତି । ଦେଶ ମିଶ୍ରଣ ସମ୍ପର୍କରେ ସେ କିପରି ବ୍ୟାକୁଳ, ସେ ବିଷୟରେ ଗୋଟିଏ ସ୍ଥାନରେ ଦୁଃଖିଧନ କବିତାରେ ସେ ଲେଖିଛନ୍ତି :–

ବଡ଼ ହିନିମାନ ଆମଘର ଦଶା ଶୁଣିଲେ ଫାଟଇ ବୁକୁ,

ଚଉଖଣ୍ଡ ହୋଇ ଓଡ଼ିଶା ଦେଶଲୋ ପଡ଼ି ହୁଏ ଦୁକୁ ଦୁକୁ ।

ଗଣ୍ଡିରୁ ପଡ଼ିଛି ଛିଣ୍ଡି ମୁଣ୍ଡଠାବେ ପାଦ ପଡ଼ିଅଛି କାହିଁ,

ହାତ ପୁଣି ଆଡ଼େ ଗଡ଼ୁଛି ସଢ଼ିଲୋ ନେତ୍ରେ କି ନ ଦେଖ ଚାହିଁ ।

ସେ ପୁଣି ଆଉଠାଏ ଲେଖିଛନ୍ତି–

ଜନମ ଭୂଇଁ ଯେ ମାଟି ପଥରର

ଜନନୀ କି ବଳି ବଡ଼,

ସେ ଜନମଭୂଇଁ ସେବା ଯେ କରଇ

ନର ଜନ୍ମ ଧନ୍ୟ ତାର ।

 

‘‘ତୁଙ୍ଗ ଶିଖରୀ ଚୂଳ’’ କବିତାଟି ଅନୁଧ୍ୟାନର ଯୋଗ୍ୟ । ସେଥିରେ ଠାଏ ଲେଖିଛନ୍ତି–

 

ତୋ ଭଳି ଜନନୀ ଥାଉ ଜନମ ଭୂଇଁ

କି ଦୁଃଖ ଏ ଓଡ଼ିଆର ପରାଣେ ପୁଣି

ମୋହନ ମୂରତି ସେହି

ଦିଅ ଗୋ ମା ଆଜି ଫେଇ

କୋଟିଏ ସନ୍ତାନ ତୋର ପ୍ରଣମୁଁ ତୋ ଚରଣେ ।

 

ପୁରୁଷୋତ୍ତମ ଦେବ ନାଟକରେ ଉଦବୋଧନମୂଳକ ଲେଖା ଯଥେଷ୍ଟ ଅଛି । ତାଙ୍କ ଲେଖା ଭିତରେ ଭିନ୍ନ ଭିନ୍ନ ମୁଖରେ ଯେଉଁ ଉତ୍ତେଜନାମୂଳକ କଥା ଦିଆ ହୋଇଅଛି, ତାହା ପଢ଼ିଲେ ଦିହ ଶୀତେଇ ଯାଏ, ରୋମ ଟାଙ୍କୁରି ଉଠେ; ଖଣ୍ଡା ତଲୁଆର ଧରି ଦେଶପାଇଁ ପ୍ରାଣବଳି ଦେବାକୁ ମନହୁଏ । ‘ଅଭିରାମ ଭଞ୍ଜ’ କବିତାରେ ଅଭିରାମ ତାଙ୍କ ପ୍ରଜାମାନଙ୍କୁ କହିଛନ୍ତି:–

 

ସେହି ବୀରପଣ ଦେଲ କି ପାସୋରି

ସେ ଖ୍ୟାତି, ବିଭବ, ଶିରୀ,

ସେ ବୀର ରକତ ତୁମ ଶିରାରେ ହେ

ନ ବହେ କି ଆଗପରି ।

 

ତୁମ ବୀର ଡାକେ ଲକ୍ଷେ ପଦାଘାତେ

ଥରିବ ବସୁଧା ଆଜି,

ଭୂମିକମ୍ପ ହେବ ମେଦନୀ ଫାଟିବ

ପର୍ବତ ପଡ଼ିବ ଭାଜି ।

 

ଏହି ଉଦାହରଣ ଦେଇ ତାଙ୍କ କବିତାର ଗୌରବ ତଥା ବୈଭବ ଦେଖାଇବା ସହଜ କିମ୍ବା ସମ୍ଭବ ନୁହଁ, ପଢ଼ିଲେ ପାଠକ ନିଜେ ଅନୁଭବ କରିପାରିବ ।

 

ସତର

 

କର୍ମଜୀବନର ଅବସାନ ସମୟକୁ ସେ ରାଜନୀତିରୁ ସମ୍ପର୍କ ତୁଟେଇ ଦେବାପାଇଁ ଭାବିଥିଲେ, ମାତ୍ର ପାରିଲେନାହିଁ । ବହୁ ପରିଶ୍ରମ ଫଳରେ ତାଙ୍କର ଆଖିକୁ ଭଲ ଦେଖାଗଲାନାହିଁ । ଅବସ୍ଥା ଏପରି ହେଲା, ଯୁଆଡ଼େ ଚାହିଁଲେ ପ୍ରତି ପଦାର୍ଥ ଦୁଇଟା କରି ଦେଖାଗଲା । କେତେ ଚିକିତ୍ସା କଲେ, ପୂରା ଭଲ ହେଲାନାହିଁ । ସେଥିପାଇଁ ଯୋଡ଼ିଏ ଚଷମା ସବୁବେଳେ ରଖିଥାନ୍ତି । ପଢ଼ିଲାବେଳେ ଗୋଟିଏ ବ୍ୟବହାର କରନ୍ତି, ବାହାରକୁ ଚାହିଁଲାବେଳକୁ ଆଉ ଗୋଟିଏ ଆଖିରେ ଦିଅନ୍ତି । ପଛକୁ ବାହାରିଲା–ରକ୍ତଚାପ, ପୁଣି ବହୁମୂତ୍ର ରୋଗ । ଦିହରେ ଦିହରେ କେତେଦିନ ଏ ରୋଗ ସହିଲେ । ପରେ ଚିକିତ୍ସାର ଆଶ୍ରୟ ନେଲେ । ବହୁମୂତ୍ର ଟିକିଏ କମିଗଲା, ମାତ୍ର ଅନ୍ୟ ରୋଗଟି ଶେଷ ପର୍ଯ୍ୟନ୍ତ ରହିଲା । ୧୯୫୬ ମସିହା ଜୁନମାସ ଆଡ଼କୁ ଘରେ ରହି ଚିକିତ୍ସା କରିବାଠାରୁ କଟକ ବଡ଼ ଡାକ୍ତରଖାନାକୁ ଯିବା ଶ୍ରେୟସ୍କର ମନେକଲେ । ସେଠାକୁ ଯାଇ ନର୍ସିଂହୋମରେ ପ୍ରାୟ ମାସେକାଳ ରହିଲେ । ତାଙ୍କ ପିଲାମାନେ, ବୋହୂ, ଝିଅ ସମସ୍ତେ ପାଖେ ପାଖେ ଥାନ୍ତି । ଡାକ୍ତର ଶରତ‌୍‍ଚନ୍ଦ୍ର ମିଶ୍ର, ମହେନ୍ଦ୍ର ମିଶ୍ର ପ୍ରଭୃତି ଅଭିଜ୍ଞ ଡାକ୍ତରମାନେ ଚିକିତ୍ସା କରୁଥିଲେ, ଶେଷକୁ କି ରୋଗ ହୋଇଛି କେହି ଜାଣିପାରିଲେ ନାହିଁ । କଲିକତାରୁ ଜଣେ ବଡ଼ ଡାକ୍ତର ଆସିଥିଲେ । ସେ ଦେଖି ଯାହା ନିଦାନକଲେ ସେ ଅନୁସାରେ ମଧ୍ୟ ଚିକିତ୍ସା କରାଗଲା । ସବୁ ବଦଳେଇ ହେବ, କିନ୍ତୁ ନିୟତିର ଗତି ବଦଳେଇ ହେବନାହିଁ । ସେହି ୧୯୫୬ ମସିହା ଜୁଲାଇମାସ ୨୬ ତାରିଖ ପୂର୍ବାହ୍ନରେ ତାଙ୍କର କର୍ମମୟ ଜୀବନର ଅବସାନ ଘଟିଲା । ସେତେବେଳକୁ ପାଖରେ ତାଙ୍କର ତିନିପୁଅ ରଘୁନାଥ, ଲୋକନାଥ, ରଙ୍ଗନାଥ, କନିଷ୍ଠା ପୁତ୍ରବଧୂ ସୁମିତ୍ରା ଓ ଓଡ଼ିଶାର ଗଣ୍ୟମାନ୍ୟ ବ୍ୟକ୍ତି ଚାରିପାଖେ ଜମା ହୋଇଥିଲେ କର୍ମଜୀବନର ବନ୍ଧୁ ପଣ୍ଡିତ ନୀଳକଣ୍ଠ ଦାଶ, ରାଧାନାଥ ରଥ, ହରିହର ମହାପାତ୍ର, ଗୋଦାବରୀଶ ମହାପାତ୍ର ପ୍ରଭୃତି ଶେଷ ନିଶ୍ଵାସ ଯିବାର ଦେଖିଛନ୍ତି ।

 

ସେହି ଅନ୍ତିମ ମୁହୂର୍ତ୍ତର ଘଟନା ଅତ୍ୟନ୍ତ ମର୍ମସ୍ପଶୀ । ପଣ୍ଡିତ ନୀଳକଣ୍ଠ ବୃଦ୍ଧ ହେଲେ ମଧ୍ୟ ଭୋ ଭୋ ରଡ଼ି ପକେଇଲେ । ଏ ଶୋକସମ୍ବାଦ ଚାହୁଁ ଚାହୁଁ ସାରା କଟକ ବ୍ୟାପିଗଲା । ହଜାର ହଜାର ଲୋକ ଶେଷଦର୍ଶନ ପାଇଁ ଡାକ୍ତରଖାନାରେ ଜମାହେଲେ । ଓଡ଼ିଶାରୁ ଯେପରି ଏକ ନକ୍ଷତ୍ର ଖସିପଡ଼ିଲା । ଲୋକେ ପ୍ରାଣେ ପ୍ରାଣେ ଦୁଃଖ ଅନୁଭବ କଲେ । ବିଚାର ଚାଲିଲା–ଏହାଙ୍କର ଶବ କେଉଁଠି ସତ୍‌କାର କରାଯିବ ? ବାଣପୁରରୁ ଲୋକ ଆସି ଦାବି କଲେ–ଆମେ ବାଣପୁର ନେବୁ । କଟକର ନେତୃସ୍ଥାନୀୟ ଲୋକେ କଟକରେ ସମାଧି ଦେବାପାଇଁ ଜିଦ୍‌ଧରି ବସିଲେ । ଶେଷକୁ କଥା ହେଲା–ଏସବୁ ସ୍ଥାନ ଅପେକ୍ଷା ସତ୍ୟବାଦୀରେ ଯେଉଁଠି ଗୋପବନ୍ଧୁଙ୍କର ସମାଧି ନିର୍ମାଣ କରାଯାଇଛି, ସେହିଠାକୁ ନେବାପାଇଁ । ସେଥିରେ ସମସ୍ତେ ଏକମତ ହୋଇଗଲେ । ତେଣୁ କଟକରୁ ବିରାଟ ପଟୁଆରରେ ମଟରରେ ଥୋଇ ଶବକୁ ସତ୍ୟବାଦୀ ନିଆଗଲା । ଗୋପବନ୍ଧୁଙ୍କ ସମାଧିପାଖେ ଶବ ସଂସ୍କାର କରାଗଲା । ଶବ ସଙ୍ଗେ କଟକରୁ ବହୁଲୋକ କାନ୍ଦି କାନ୍ଦି ସେଠାକୁ ଯାଇଥିଲେ । ସ୍ଥାନେ ସ୍ଥାନେ ଶବ ଉପରେ ପୁଷ୍ପମାଲ୍ୟ ଦିଆଯାଉଥିଲା ।

 

ଭାଗବତରେ ଅଛି–

 

ଜୀବର ଭଲମନ୍ଦ ବାଣୀ, ମରଣକାଳେ ତାହା ଜାଣି ।

 

ପଣ୍ଡିତ୍‌ଜୀଙ୍କର ଲୋକାନ୍ତର ପରେ ଲୋକେ ତାଙ୍କର ଗୁଣ ଖ୍ୟାତି ସହସ୍ର ମୁଖରେ ଗାଇଲେ । ଯେଉଁମାନେ ତାଙ୍କର ମନ୍ତ୍ରିମଣ୍ଡଳ ଗଠନ ବେଳେ ଘୋର ନିନ୍ଦା କରିଥିଲେ, ସେମାନେ ସ୍ତୁତିଗାନ କଲେ । ଚାରିଆଡ଼େ ଶୋକସଭା କରାଗଲା । ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଭାବରେ ତାଙ୍କର ସ୍ମୃତିରକ୍ଷା କରିବା ପାଇଁ ଲୋକେ ସରକାରଙ୍କ ପାଖେ ଦାବି କଲେ । ତାଙ୍କ ପ୍ରତିଷ୍ଠିତ ବାଣପୁର ହାଇସ୍କୁଲର ନାମ ବାଣପୁରବାସୀ ‘ଗୋଦାବରୀଶ ବିଦ୍ୟାପୀଠ’ ନାମରେ ନାମିତ କଲେ-। ଜୀବନକାଳ ଭିତରେ ଏ କଥା କେତେ ଥର ପ୍ରସ୍ତାବ କରା ଯାଇଥିଲା, ମାତ୍ର ସେତେବେଳେ ସେ କହିଥିଲେ ଯେ ଏ ବିଦ୍ୟାଳୟଟି ସମଗ୍ର ବାଣପୁରବାସୀଙ୍କଦ୍ଵାରା ସ୍ଥାପିତ, ପ୍ରତି ଅଞ୍ଚଳର ଲୋକେ ଏଥିପାଇଁ ଯଥାସାଧ୍ୟ ସାହାଯ୍ୟ କରିଛନ୍ତି, ତେଣୁ ମୋ ନାମ ସେଥିରେ ସଂଯୋଗ କରିବା ଆଦୌ ଉଚିତ ହେବନାହିଁ । ତାଙ୍କର ମୃତ୍ୟୁପରେ ବାଣପୁରବାସୀ ‘ଗୋଦାବରୀଶ ବିଦ୍ୟାପୀଠ’ ନାମ ଦେଇ ସେହି ନାମରେ ନିଜ ନିଜର ସମ୍ମାନ ବଢ଼ାଇଲେ ।

 

ବିଦ୍ୟାପୀଠଟି ବସାଇ ସେ ଯେ ସେତିକିରେ ସନ୍ତୁଷ୍ଟ ଥିଲେ ତାହା ନୁହେଁ, ବିଶ୍ଵବିଦ୍ୟାଳୟର ସାହାଯ୍ୟକାରୀ ସ୍ୱରୂପ ଗୋଟିଏ କଲେଜ ସ୍ଥାପନ କରିବା ନିମନ୍ତେ ସେ ମନେ ମନେ କଳ୍ପନା କରିଥିଲେ । ସାଧୁପୁରୁଷଙ୍କ କଳ୍ପନା କେବେ ବୃଥା ଯାଏନାହିଁ । ୧୯୬୨ ମସିହାରେ ଗୋଦାବରୀଶଙ୍କ ଶ୍ରାଦ୍ଧ ସଭାରେ ରାଧାନାଥ ରଥଙ୍କ ପ୍ରସ୍ତାବ ଅନୁସାରେ ସେହିଦିନ ହାଇସ୍କୁଲ ପାଖରେ କଲେଜର ଶୁଭ ଦିଆଗଲା । ଏବେ ତାହା ପୂର୍ଣ୍ଣାଙ୍ଗ ଅବସ୍ଥାକୁ ଆସିଲାଣି । ଛାତ୍ର‌ମାନେ କଲେଜ ପକ୍ଷରୁ ପରୀକ୍ଷା ଦେଲେଣି । ସେହି କଲେଜଟି ତାଙ୍କରି ସ୍ମୃତିରକ୍ଷା ପାଇଁ ‘ଗୋଦାବାରୀଶ ମହାବିଦ୍ୟାଳୟ’ ନାମରେ ମଧ୍ୟ ନାମିତ କରା ଯାଇଅଛି ।

 

ବାଣପୁରର ହାଇସ୍କୁଲ ଓ କଲେଜ ଦୁଇଟିଯାକ ଅନୁଷ୍ଠାନ ଏକ ପୁରୁଣା ରାଜଧାନୀ ଉପରେ ନିର୍ମିତ ହୋଇଅଛି । ୧୯୩୦ ମସିହାରେ ହାଇସ୍କୁଲ ଘର କରିବା ପାଇଁ ସେ ସ୍ଥାନ ଖୋଳାହେଲାବେଳେ ଯୋଡ଼ିଏ ଆଟିକାରେ ରଖା ଯାଇଥିବା ବହୁତ ଦେବମୂର୍ତ୍ତି ବହାରି ଥିଲେ । ଆଉ ଥରେ ମାଠିଏ ହେବ ପ୍ରାଚୀନ କାଳର ମୁଦ୍ରା କଉଡ଼ି ବାହାରି ଥିଲା । ଏବେ କଲେଜ ତିଆରି ବେଳେ ସେହିପରି ସେ ମାଟିଗଦା ଭିତରୁ କେତେ କାହାଣ ବଡ଼ ବଡ଼ ଇଟା ବାହାରିଛି, ତାହାର ଲମ୍ବ ଦେଢ଼ ଫୁଟ ଓ ଓସାର ଫୁଟେ ହେବ । ବଡ଼ ବଡ଼ ଚିକଣିଆ ପଥର ମଧ୍ୟ ବାହାରିଛି । ଗୋଟିଏ ଜାଗାରୁ ୧୨୮ଟି ପିତଳ, ରୂପା ଓ ସୁନାର ମୂର୍ତ୍ତି ମଧ୍ୟ ବାହାରିଲା, ସେ ସବୁ ଏବେ ଭୁବନେଶ୍ୱର ମିଉଜିୟମ ବା ସଂଗ୍ରହଶାଳାରେ ରଖାଯାଇଅଛି । ଥରେ ଛଅଟି ତମ୍ବା ପଟା ସେଠାରୁ ବାହାରି ଥିଲା-। ବର୍ତ୍ତମାନ ଗୋଦାବରୀଶ ବିଦ୍ୟାପୀଠ ଯେଉଁଠି ଅଛି, ତାହାର ପଛ ପଟେ ଅନେକ ଦିନ ହେଲା ଖଣ୍ଡିଏ ବଡ଼ ପଥର ପଡ଼ିଥିଲା । ପରେ ତାକୁ ଓଲଟାଇବାରୁ ଦେଖାଗଲା–ସୁନ୍ଦର କାରୁକାର୍ଯ୍ୟ ଖଚିତ ଦିବ୍ୟ ସୁନ୍ଦର ବୁଦ୍ଧ ତାରା ମୂର୍ତ୍ତି ! ଆଉ ଥରେ ଆଉ ଗୋଟିଏ ବୁଦ୍ଧ ମୂର୍ତ୍ତି ମଧ୍ୟ ବାହାରି ଥିଲା । ଏଥିରୁ ଅନୁମାନ କରାଯାଏ, ଏଠାରେ କେବେ ଗୋଟିଏ ବୌଦ୍ଧ ବିହାର ଥିଲା । ଏହା ଛଡ଼ା ସ୍ଥାନେ ସ୍ଥାନେ ସୁନ୍ଦର ପଥର ଚାନ୍ଦିନୀ ମଧ୍ୟ ବାହାରିଛି ।

 

ମନସ୍ଵୀ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ ଓଡ଼ିଶାର ତିନିଜଣ ଆଦର୍ଶବ୍ୟକ୍ତି । ଦେଶରେ ଜ୍ଞାନ, ସାହସ, ନିର୍ଭୀକତା, କର୍ତ୍ତବ୍ୟପରାୟଣତା, ସତ୍ୟ, ସାଧୁତା କିପରି ପ୍ରତିଷ୍ଠାଲାଭ କରିବ–ତାହାହିଁ ସେମାନଙ୍କ ଜୀବନର କାର୍ଯ୍ୟ ଥିଲା ।

 

ଚିନ୍ତା, କଥା ଓ କାର୍ଯ୍ୟ ତିନୋଟିଯାକର ସମନ୍ୱୟ ସେ ଘଟାଉ ଥିଲେ । କଥା ସାଙ୍ଗରେ କାର୍ଯ୍ୟର ଘନିଷ୍ଠ ସମ୍ପର୍କ ଥିଲା । ମୁହୂର୍ତ୍ତକ ନିମନ୍ତେ ତା’ର ବ୍ୟତିକ୍ରମ ଘଟୁ ନ ଥିଲା । ଦେଶ ଓ ଜାତିର ହିତକଥାରେ ସେମାନଙ୍କର ସମୟ ଅତିବାହିତ ହେଉଥିଲା । ପ୍ରତ୍ୟେକଙ୍କ ଜୀବନରେ ନିଜ ସୁଖଦୁଃଖ, ପରିବାରର ଚିନ୍ତା, ଧନ ସମ୍ପତ୍ତି ପାଇଁ ବ୍ୟାକୁଳତା କେବେ ଦେଖାଯାଇ ନ ଥିଲା । ଶୋଇବା, ବସିବା, ଖାଇବା, ପିଇବା ସମୟ ଭିତରେ ମଧ୍ୟ ସେଇ ଏକ କଥା । ପ୍ରତ୍ୟେକ ମୁହୂର୍ତ୍ତକୁ ସେ ଦେଶ ଓ ଜାତି ଚିନ୍ତାରେ ବ୍ୟୟ କରୁଥିଲେ । ସ୍ଵାର୍ଥ ଚିନ୍ତା ଆଦୌ ନ ଥିଲା । ମୁଁ ଗୋଦାବରୀଶଙ୍କ ସାଙ୍ଗରେ ବହୁଦିନ ଚଳିଛି । ବିଶ୍ରାମ ସମୟ ତାଙ୍କର କେବଳ ଶୋଇବା ବେଳେ । ତାହାଛଡ଼ା ଅନ୍ୟ ସମୟ କାର୍ଯ୍ୟ କରିବାରେ କଟିଥାଏ । କେତେବେଳେ ଲେଖିବା, କେବେ ପଢ଼ିବା, କେବେ ଚିଠି ଲେଖିବା କେତେବେଳେ ଲୋକଙ୍କ ଦୁଃଖ ଗୁହାରୀ ଶୁଣିବା ଓ କାହାକୁ ପରାମର୍ଶ ଦେବା ଇତ୍ୟାଦିରେ ସମୟ କଟେ । ଏପରିକି କୁଆଡ଼େ ବୁଲିବାକୁ ବେଳ ପାଆନ୍ତି ନାହିଁ । ଦିନେ କି ଦଣ୍ଡେ ଖୁସି ଗପରେ କଟାଇ ନାହାନ୍ତି । ଏହିପରି ଜୀବନ ହିଁ ଜୀବନ ମଧ୍ୟରେ ଗଣ୍ୟ । ଏପରି ଲୋକ କୋଟିକେ ଗୋଟିଏ ଦେଖାଯାନ୍ତି ।

 

ଆଜିକାଲି ଯେଉଁମାନେ ଚାକିରି ସୂତ୍ରରେ ବା ବ୍ୟବସାୟୀ ଭାବରେ ମଫସଲରୁ ଆସି ପୁରୀ, କଟକ, ଭୁବନେଶ୍ୱର ପ୍ରଭୃତି ସହରରେ ରହୁଛନ୍ତି, ସେମାନଙ୍କ ସହର ମମତା ଏତେ ବଢ଼ିଯାଇଛି ଯେ, ଆଉ ପଲ୍ଲୀକୁ ପ୍ରାୟ ଯାଉନାହାନ୍ତି । ସେମାନଙ୍କର ଗାଁ ପ୍ରତି ମାୟା ମମତା କ୍ଷୀଣରୁ କ୍ଷୀଣତର ହୋଇଯାଉଛି । କିଛିଦିନ ରହିଗଲାପରେ ଜାଗା ଖଣ୍ଡିଏ କିଣି, ସହରରେ ଘରଦ୍ୱାର କରୁଛନ୍ତି । ମାତ୍ର ଗୋଦାବରୀଶ ୧୯୨୩ ମସିହା ପରଠାରୁ କଟକରେ ରହିଥିଲେ ମଧ୍ୟ ସ୍ଵତନ୍ତ୍ର ଭାବରେ ଘର ଖଣ୍ଡିଏ କରିବା ନିମିତ୍ତ ଇଚ୍ଛା କରି ନ ଥିଲେ । କଟକରେ ଭଡ଼ା ଘରେ ରହି ରହି ତାଙ୍କ ଜୀବନ ଗଲା । ସେ ସହରରେ ରହିଲେ ମଧ୍ୟ ଅନେକ ସମୟରେ ଗାଁକୁ ଯାଉଥିଲେ । ଗାଁ’ର ହାଲ୍‍ଚାଲ୍‍, ଲୋକମାନଙ୍କର ହାରିଗୁହାରି ଶୁଣୁଥିଲେ । ସେ ଆସିବାର ଶୁଣିଲେ, ଦୂରଦୂରାନ୍ତରରୁ ଲୋକେ ଆସି ତାଙ୍କୁ ନିଜ ଘରର ଓ ଗାଁ’ର ହାଲ୍‍ଚାଲ୍‍ କହୁଥିଲେ । ସେ ମଧ୍ୟ ସେ ସବୁ ଆପଣାର ପରି ଶୁଣୁଥିଲେ । ଯେଉଁଠି ଯାହା ବ୍ୟବସ୍ଥା କରିବାର କଥା ମଧ୍ୟ କରୁଥିଲେ । ପିଲାମାନଙ୍କ ବ୍ରତ, ବିବାହ, ଉତ୍ସବ ସେଇଠି କରୁଥିଲେ । ତାଙ୍କ ସହଧର୍ମିଣୀ ଧର୍ମପ୍ରାଣା ଅମ୍ବିକା ଏ ପର୍ଯ୍ୟନ୍ତ ସେହି ପୁରୁଣା ଘରେ ବଡ଼ ପୁଅ ରଘୁନାଥଙ୍କ ପାଖରେ ରହିଛନ୍ତି ।

 

ଦୁଃଖିନୀ ପଲ୍ଲୀର ଦୁଃଖରାଶି ଶୁଣିବାକୁ ବା ଦେଖିବାକୁ ଆଉ ଆଜି କେହି ନାହାନ୍ତି । ପଲ୍ଲୀର ଦିଅଁ ଦେଉଳ ଭାଙ୍ଗି କୁଢ଼େଇ ହୋଇ ପଡ଼ୁଛି; କୂଅ, ପୋଖରୀ ପୋତିହୋଇ ପଡ଼ୁଛି; ଘରଦ୍ୱାର, ତୋଟାମାଳ, ବାଡ଼ିବଗିଚା ଛାରଖାର ହୋଇଗଲେ, ସେଥିକି କାହାରି ଚିନ୍ତା ରହୁନାହିଁ । ସହରର ଶ୍ରୀବୃଦ୍ଧି ପଲ୍ଲୀ ପକ୍ଷରେ କାଳ ହୋଇଛି । ଆଜି ପଣ୍ଡିତ ଗୋପବନ୍ଧୁ ନାହାନ୍ତି କି ପଣ୍ଡିତ ଗୋଦାବରୀଶ ନାହାନ୍ତି, ପଲ୍ଲୀର ଗୁହାରୀ ଶୁଣିବେ ବା ପଲ୍ଲୀର ଉନ୍ନତି ନିମନ୍ତେ ଯୋଜନା ଗଢ଼ିବେ-। କର୍ମବୀରଙ୍କର କର୍ମମୟ ଜୀବନ ଶେଷ ହୋଇଯାଇଛି, ମରଶରୀର ମାଟିରେ ମିଶିଯାଇଛି; କିନ୍ତୁ ତାଙ୍କର ଅମର କାର୍ଯ୍ୟଗୁଡ଼ିକ ଘେନି ସେ ଅମର ହୋଇ ରହିବେ ।

Image